Advertisment

ମଣିପୁର ଭିଡିଓ: ପୂର୍ବତନ ଯବାନ କହିଲେ- କାରଗିଲରେ ଦେଶ ପାଇଁ ଲଢ଼ିଥିଲି, କିନ୍ତୁ ପତ୍ନୀଙ୍କୁ ସୁରକ୍ଷା ଦେଇ ପାରିଲି ନାହିଁ

ଦୁଇ ଦିନ ହେଲା ସଂସଦ ଅଚଳ ହୋଇଯାଇଛି। ମଣିପୁର ପୁଲିସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Poster

Poster

Advertisment

ମଣିପୁରରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ଓ ସେମାନଙ୍କୁ ଟଣାଓଟରା କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି। ସେଥିପାଇଁ ଦୁଇ ଦିନ ହେଲା ସଂସଦ ଅଚଳ ହୋଇଯାଇଛି। ମଣିପୁର ପୁଲିସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଏ ସବୁ ଭିତରେ ଉକ୍ତ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ଆସିଛି। ସେ ହେଉଛନ୍ତି ଭାରତୀୟ ସେନାର ଜଣେ ପୂର୍ବତନ ଯବାନ। ସେ ସେନାର ଆସାମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରିଥିଲେ ଓ କାରଗିଲ ଯୁଦ୍ଧ ଲଢ଼ିଥିଲେ।

Advertisment

ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିବା ଭାରତୀୟ ସେନାର ଏହି ପୂର୍ବତନ ଯବାନ ଜଣଙ୍କ କହିଛନ୍ତି, ମୁଁ କାରଗିଲ ଯୁଦ୍ଧରେ ଦେଶ ପାଇଁ ଲଢ଼ିଥିଲି। ଇଣ୍ଡିଆନ ପିସ୍ କିପିଂ ଫୋର୍ସର ଅଂଶ ହୋଇ ଶ୍ରୀଲଙ୍କା ମଧ୍ୟ ଯାଇଥିଲି। ମୁଁ ମୋ ଦେଶକୁ ରକ୍ଷା କରିପାରିଲି, କିନ୍ତୁ ଅବସର ନେବା ପରେ ମୁଁ ମୋ ଘରକୁ, ମୋ ପତ୍ନୀଙ୍କୁ ଓ ମୋ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ପାରିଲି ନାହିଁ।

ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଦୁଃଖିତ ଓ ଚାପଗ୍ରସ୍ତ। ମୁଁ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ମୁଁ କାରଗିଲରେ ଯୁଦ୍ଧ ଦେଖିଛି। କିନ୍ତୁ ସେନାରୁ ଅବସର ନେବା ପରେ ଯେତେବେଳେ ଗାଁକୁ ଫେରିଲି ସେତେବେଳେ ଜାଣିଲି ଆମ ଅଞ୍ଚଳଟି କୌଣସି ଯୁଦ୍ଧଭୂମିଠାରୁ କମ୍ ନୁହେଁ। ଏହା ଯୁଦ୍ଧଭୂମି ସଦୃଶ ବିପଜ୍ଜନକ।

Advertisment

ଉକ୍ତ ଦିନର ଘଟଣାକୁ ନେଇ ସେ କହିଛନ୍ତି, ସେମାନେ (ଆକ୍ରମଣକାରୀମାନେ) ଆମ ଗାଁକୁ ଆସିଥିଲେ। ସେମାନେ ଆମ ଗାଁର ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଗ୍ରାମବାସୀ ଜୀବନ ବଞ୍ଚାଇବାକୁ ଏଣେତେଣେ ପଳାଇଥିଲେ। ଏହି ସମୟରେ ମୋ ପତ୍ନୀ ମୋଠାରୁ ଅଲଗା ହୋଇଯାଇଥିଲେ। ସେ ଓ ଗାଁର ଅନ୍ୟ ଚାରି ଜଣ ମହିଳା ଜଙ୍ଗଲରେ ଯାଇ ଲୁଚି ଥିଲେ। କିଛି ଆକ୍ରମଣକାରୀ ଘୁଷୁରୀ ଓ କୁକୁଡ଼ା ଆଦିଙ୍କୁ ଧରିବା ପାଇଁ ଗୋଡ଼ାଇ ଥିଲେ। ସେହି ସମୟରେ ସେମାନେ ମୋ ପତ୍ନୀ ଓ ଅନ୍ୟ ୪ ମହିଳାଙ୍କୁ ଲୁଚିଥିବା ଦେଖି ନେଇଥିଲେ। ସେମାନେ ମୋ ପତ୍ନୀ ଓ ଅନ୍ୟ ୪ ମହିଳାଙ୍କୁ କିଛି ଦୂରକୁ ନେଇ ଯାଇଥିଲେ।

ଏହି ଘଟଣାକୁ ନେଇ ଜୁନ୍ ୨୧ ତାରିଖରେ ଯେଉଁ ଏଫ୍‌ଆଇଆର ଦିଆଯାଇଥିଲା, ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ଆକ୍ରମଣକାରୀମାନେ ତିନି ଜଣ ମହିଳାଙ୍କୁ ଉଲଗ୍ନ କରି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୨୧ ବର୍ଷ। ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ତାଙ୍କର ୧୯ ବର୍ଷର ଭାଇ ପ୍ରତିରୋଧ କରିବାରୁ ଆକ୍ରମଣକାରୀମାନେ ତାଙ୍କୁ ମାରି ଦେଇଥିଲେ।

ମଣିପୁରର ଏହି ଲଜ୍ଜାଜନକ ଘଟଣାରେ ୪ ଜଣଙ୍କୁ ପୁଲିସ ଗିରଫ କରିସାରିଛି। ଅନ୍ୟପକ୍ଷରେ ମଣିପୁରରେ ମେତେଇ ଓ କୁକି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଚାଲିଥିବା ହିଂସାଯୋଗୁ ଏଯାବତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Manipur Violence Manipur Sexual Assault Manipur Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe