Advertisment

ଫଟୋ ନେଲେ, ଚିଠି ଲେଖିବେ ବୋଲି ନମିତାଙ୍କୁ କଥା ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଆସୁଥିବା ଜାଣିଥିଲେ ନମିତା। ଗତ ୩ ଦିନ ଧରି ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଥିଲେ। ସେହି ଚିତ୍ରଟିକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚାହିଁଥିଲେ।

author-image
Manoranjan Sial
Namita

Namita

ନମିତା ବେହେରାଙ୍କ ପରିଶ୍ରମ ସାର୍ଥକ ହେଲା। ଯେଉଁ ଆଶା ନେଇ ୧୦୦ କିମି ଦୂରରୁ ଆସିଥିଲେ, ତାହା ସଫଳ ହେଲା। ନିଜ ହାତରେ ଆଙ୍କିଥିବା ଚିତ୍ରକୁ ପ୍ରଧାନମନ୍ତ୍ରୀ ନେଲେ। ଆଉ ଚିଠି ଲେଖିବେ ବୋଲି କଥା ଦେଲେ। ଏଥିରେ ବେଶ୍‌ ଉତ୍ସାହିତ ଅଛନ୍ତି ନମିତା।

Advertisment

ଭଦ୍ରକ ଜିଲ୍ଲା ଆଗରପଡ଼ା ବ୍ଲକ ଅଞ୍ଚଳର ଗାଁର ନମିତା ବେହେରା। ସେ ଜଣେ ଚିତ୍ର ଶିଳ୍ପୀ। ଭଦ୍ରକ ଆର୍ଟ କଲେଜରୁ ଡିପ୍ଲୋମା କରିଛନ୍ତି। ଅର୍ଥ ଅଭାବରୁ ଅଧିକ ପାଠ ପଢ଼ି ପାରିଲେ ନାହିଁ। ଘରେ ବସି ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଚିତ୍ର କରୁଛନ୍ତି। କିଛି ଦିନ ତଳେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏକ ଚିତ୍ର ଅଙ୍କନ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଚିତ୍ରଟିକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। ଆଉ ରାଷ୍ଟ୍ରପତି ତାଙ୍କଠାରୁ ଫଟୋ ଚିତ୍ରଟିକୁ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଆସୁଥିବା ଜାଣିଥିଲେ ନମିତା। ଗତ ୩ ଦିନ ଧରି ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଥିଲେ। ସେହି ଚିତ୍ରଟିକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚାହିଁଥିଲେ। ସେଥିପାଇଁ ସେ ଚିତ୍ରଟିକୁ ଧରି ବାପା-ମାଆଙ୍କ ସହିତ ଏକ ଅଟୋ ଭଡ଼ା କରି ଆଗରପଡ଼ାରୁ ଚଣ୍ଡିଖୋଲ ଆସିଥିଲେ। ଚିତ୍ରଟିକୁ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚେଷ୍ଟା କରୁଥିଲେ।

Advertisment

ହେଲେ ସଭା ସ୍ଥଳକୁ ଯିବା ପାଇଁ ନମିତାଙ୍କ ପାଖରେ ପାସ୍‌ ନଥିଲା। ତେଣୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଛାଡ଼ିନଥିଲେ। କିଛି ସମୟ ଛିଡ଼ା ହେବା ପରେ କ’ଣ ପାଇଁ ଠିଆ ହୋଇଛ ବୋଲି ଜଣେ ପୁଲିସ୍‌ କର୍ମଚାରୀ ତାଙ୍କୁ ପଚାରିଥିଲେ। ତା’ର ଜବାବରେ ନମିତା କହିଥିଲେ, ଏହି ଚିତ୍ରଟିକୁ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଆସିଛି, ହେଲେ ମୋ ପାଖରେ ପାସ୍‌ ନାହିଁ। ଏକଥା ଶୁଣିବା ପରେ ପୁଲିସ୍‌ କର୍ମଚାରୀ ଜଣକ ସଭା ସ୍ଥଳକୁ ଯିବା ପାଇଁ ସୁରକ୍ଷା କର୍ମୀଙ୍କୁ କହିଥିଲେ।

ତା’ପରେ ନମିତା ପ୍ରଧାନମନ୍ତ୍ରୀଙ୍କ ଫଟୋ ଧରି ସଭା ସ୍ଥଳକୁ ସିନା ଗଲେ, ହେଲେ ଭିଆଇପିମାନେ ବସିଥିବା ସ୍ଥାନକୁ ଯାଇପାରିଲେ ନାହିଁ। ଠିକ୍‌ ସେହି ସମୟରେ ଜଣେ ଅପରିଚିତ ବ୍ୟକ୍ତି ଯିବା ପାଇଁ ପାସ୍‌ ଦେଇଥିଲେ। ତା’ପରେ ସଭା ଆଗକୁ ଯାଇଥିଲେ। ଆଉ ନିଜ ହାତରେ ଆଙ୍କିଥିବା ଫଟୋକୁ ହାତରେ ଉପରକୁ ଉଠାଇ ଦେଖାଇଥିଲେ। ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନଜର ତା’ ଉପରେ ପଡ଼ିଥିଲା। ଏହା ଦେଖି ଫଟୋଟିକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଏସ୍‌ପିଜି ଯବାନମାନଙ୍କୁ କହିଥିଲେ। ଏଥିସହ ଫଟୋ ପଛରେ ତାଙ୍କ ଠିକଣା ଲେଖିବାକୁ ମୋଦି ମଞ୍ଚ ଉପରୁ କହିଥିଲେ। ସେ ନମିତାଙ୍କୁ ଚିଠି ଲେଖିବି ବୋଲି କହିଥିଲେ। ଏହା ସହ ଓଡ଼ିଶା କଳାର ରାଜ୍ୟ ବୋଲି ମୋଦି କହିଥିଲେ। ତା’ପରେ ଏସ୍‌ପିଜି ଯବାନମାନ ଆସି ନମିତାଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ଯାଇଥିଲେ। ଏଥିପାଇଁ ନମିତା ବେଶ୍‌ ଉତ୍ସାହିତ ଅଛନ୍ତି। ଆଉ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ଅପେକ୍ଷା କରିବେ ବୋଲି କହିଛନ୍ତି।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ

Bjp Narendra Modi Jajpur Bhadrak News Bhadrak