Advertisment

ଆଖି ବୁଜିଲା ଝିଅ, ତା’ ନାଁରେ ଥିବା ୫ ଲକ୍ଷ ଟଙ୍କା ଦାନ କଲେ ମାଆ

ବେଶ୍‌ ହସ ଖୁସିରେ ଚାଲିଥିଲା ପରିବାର। ହଠାତ୍‌ ସେହି ପରିବାର ଉପରେ ଲାଗିଲା କାହା ନଜର। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଦିବ୍ୟମୟୀ ଅସୁସ୍ଥ ହୋଇପଡ଼ିଲେ। ପରିବାର ଲୋକେ ମେଡ଼ିକାଲ୍‌ ନେଇଥିଲେ।

author-image
Manoranjan Sial
Rasmita

Rasmita

ଝିଅର ଭବିଷ୍ୟତ ଗଢ଼ିବା ପାଇଁ ରଖିଥିଲେ ୫ ଲକ୍ଷ ଟଙ୍କା। ହେଲେ ଦୁନିଆ ଦେଖିବା ପୂର୍ବରୁ ସେ ଅଫେରା ପଥର ପଥିକ ହେଲେ। ଝିଆ ଆଖି ବୁଜିବା ପରେ ନିଜକୁ ସମ୍ଭାଳିଲେ ମାଆ ରଶ୍ମୀତା ସେଠୀ। ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କାକୁ ରେଡ୍‌କ୍ରସ୍‌କୁ ଦାନ କରିଦେଲେ। ଆଉ ଛଳ ଛଳ ଆଖିରେ ସେ କହିଲେ, ମୋ’ ଝିଅ ସିନା ମରିଗଲା, ତା’ ନାଁରେ ଥିବା ଟଙ୍କା କେଉଁ ଗରିବଙ୍କ କାମରେ ଲାଗୁ।

Advertisment

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ଚନ୍ଦନପାଲା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହେଉଛନ୍ତି ରଶ୍ମୀତା ସେଠୀ। ତାଙ୍କ ସ୍ୱାମୀ ମଧ୍ୟ ସରକାରୀ ଚାକିରି କରିଛନ୍ତି। ରଶ୍ମୀତାଙ୍କ ପରିବାର କହିଲେ ସ୍ୱାମୀ ଓ ଏକମାତ୍ର ଝିଅ। ମାଆ ପାଠ ପଢ଼ାଇବା ପାଇଁ ସ୍କୁଲ ଯାଉଥିବା ବେଳେ ଝିଅ ଦିବ୍ୟମୟୀ ପଢ଼ିବାକୁ ସରସ୍ୱତୀ ଶିଶୁ ମନ୍ଦିର ଯାଉଥିଲେ। ଦିବ୍ୟମୟୀ ଜଣେ ମେଧାବୀ ଛାତ୍ରୀ ଥିଲେ। ତୃତୀୟ ଓ ପଞ୍ଚମ ଶ୍ରେଣୀର ଛାତ୍ରବୃତ୍ତି ପାଇଥିଲେ। ଛାତ୍ରବୃତ୍ତି ବାବଦକୁ ମିଳିଥିବା ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ଦିବ୍ୟମୟୀଙ୍କ ନାଁରେ ‘ସୁକନ୍ୟା’ ଓ ‘ଏଲ୍‌ଆଇସି’ରେ ଜମା ରଖିଥିଲେ ମାଆ ରଶ୍ମୀତା।

ବେଶ୍‌ ହସ ଖୁସିରେ ଚାଲିଥିଲା ପରିବାର। ହଠାତ୍‌ ସେହି ପରିବାର ଉପରେ ଲାଗିଲା କାହା ନଜର। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଦିବ୍ୟମୟୀ ଅସୁସ୍ଥ ହୋଇପଡ଼ିଲେ। ପରିବାର ଲୋକେ ମେଡ଼ିକାଲ୍‌ ନେଇଥିଲେ। ଚେକ୍‌ଅପ୍‌ ପରେ ଜଣାପଡ଼ିଲା ଦିବ୍ୟମୟୀ ରକ୍ତହୀତନା ପରି ରୋଗରେ ପୀଡ଼ିତ। ଝିଅକୁ ଭଲ କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମାଆ ରଶ୍ମୀତା। ହେଲେ ସବୁ ଚେଷ୍ଟା ଫେଲ୍‌ ମାରିଥିଲା। ମେଡ଼ିକାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ସେ ଆଖି ବୁଜିଥିଲେ। ଗତ ମାର୍ଚ୍ଚ ୩୧ ତାରିଖରେ ସେ ଅଫେରା ପଥର ପଥିକ ହୋଇଯାଇଥିଲେ।

Advertisment
Rasmita Sethiଛଳ ଛଳ ଆଖିରେ ଝିଅର ଫଟୋକୁ ବାହୁଡ଼ି ଧରିଛନ୍ତି ମାଆ

ଆଖି ଆଗରେ ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ମାଆ ରଶ୍ମୀତା। ପରେ ନିଜକୁ ସମ୍ଭାଳିଲେ। ଆଉ ନେଲେ ବଡ଼ ନିଷ୍ପତ୍ତି। ଝିଅ ନାଁରେ ‘ସୁକନ୍ୟା’ ଓ ‘ଏଲ୍‌ଆଇସି’ରେ ଜମାଥିବା ୫ ଲକ୍ଷ ଟଙ୍କା ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ରଶ୍ମୀତା ସେଠୀ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ। ଆଜି ସେ ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କା ରେଡ଼କ୍ରସକୁ ଦାନ କରିଦେଲେ।

ଏହି ଅବସରରେ ରଶ୍ମୀତା କହିଛନ୍ତି, ମୋ ଝିଅ ସିନା ମରିଗଲା। ହେଲେ ତା’ ନାଁରେ ଥିବା ଆଉ କେଉଁ ଗରିବଙ୍କ କାମରେ ଲାଗିଲେ ମୋ ଝିଅ ଖୁସି ହେବ। ଏପରି କହି ଭୋଭୋ ହୋଇ କାନ୍ଦି ପକାଇଥିଲେ ରଶ୍ମୀତା।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Odisha Teacher Nabarangpur