Advertisment

୧୦% ବିକାଶ, ୯୦% ବିଳାସ!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ବିଧାନସଭାରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ଯେଉଁ ବଜେଟ୍‌ ଆଗତ କରିଛନ୍ତି ତାହା ରାଜ୍ୟର ବିକାଶ ଓ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ କି ମୁଷ୍ଟିମେୟ ଲୋକଙ୍କ ବିଳାସ ପାଇଁ ତାହାର ଅନୁଧ୍ୟାନ ହେବା ଦରକାର। ରାଜ୍ୟର ଅର୍ଥନୀତିଜ୍ଞ, ସମାଜସେବୀ ଓ ଜନବାଦୀ ଗଣତାନ୍ତ୍ରିକ କର୍ମୀମାନେ ଏହି ବଜେଟର ନିରପେକ୍ଷ ଅନୁଶୀଳନ କରି ରାଜ୍ୟବାସୀଙ୍କ ଆଗରେ ପ୍ରକୃତ ତଥ୍ୟ ଓ ସତ୍ୟ ଉପସ୍ଥାପନ କରିବା ଉଚିତ। […]

ଅଦ୍ୟତନ ହୋଇଛି
ଖର୍ଚ୍ଚ ଦେବ ଏମସିଏଲ୍, ତଥାପି ମେଡିକାଲ କଲେଜ ପରିଚାଳନା ପାଇଁ ତତ୍ପର ନୁହଁନ୍ତି ରାଜ୍ୟ ସରକାର

secretariat

Advertisment
  • ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ବିଧାନସଭାରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ଯେଉଁ ବଜେଟ୍‌ ଆଗତ କରିଛନ୍ତି ତାହା ରାଜ୍ୟର ବିକାଶ ଓ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ କି ମୁଷ୍ଟିମେୟ ଲୋକଙ୍କ ବିଳାସ ପାଇଁ ତାହାର ଅନୁଧ୍ୟାନ ହେବା ଦରକାର। ରାଜ୍ୟର ଅର୍ଥନୀତିଜ୍ଞ, ସମାଜସେବୀ ଓ ଜନବାଦୀ ଗଣତାନ୍ତ୍ରିକ କର୍ମୀମାନେ ଏହି ବଜେଟର ନିରପେକ୍ଷ ଅନୁଶୀଳନ କରି ରାଜ୍ୟବାସୀଙ୍କ ଆଗରେ ପ୍ରକୃତ ତଥ୍ୟ ଓ ସତ୍ୟ ଉପସ୍ଥାପନ କରିବା ଉଚିତ। ଲୋକେ ଜାଣିବା ଦରକାର ଯେ ରାଜ୍ୟ ସରକାର ବଜେଟରେ ଯେଉଁ ଆୟର ହିସାବ ଦେଇଛନ୍ତି ତାହା ବାସ୍ତବରେ ସେମାନଙ୍କ ଅର୍ଥ ଓ ଯେଉଁ ବ୍ୟୟ ଅଟକଳ ଦେଇଛନ୍ତି ତାହା ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ।

Advertisment

ଅର୍ଥମନ୍ତ୍ରୀ ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ ଦେଇଛନ୍ତି। ବଜେଟ ମାନେ ଏହି ୨ ଲକ୍ଷ କୋଟି ଟଙ୍କାର ଆୟବ୍ୟୟର ଅଟକଳ। ବର୍ଷ ଶେଷକୁ ବାସ୍ତବରେ କେତେ ଟଙ୍କା ଆୟ ହୋଇଥିବ ଓ କେତେ ଟଙ୍କା ଖର୍ଚ୍ଚ ହୋଇଥିବ ତାହା ଅଲଗା କଥା।

ବଜେଟ ଅନୁସାରେ ଚଳିତ ବର୍ଷ ରାଜ୍ୟ ସରକାର ନିଜସ୍ୱ ଟିକସରୁ ୪୬ ହଜାର କୋଟି ଟଙ୍କା ଆୟ କରିବେ ବୋଲି ହିସାବ ଦେଇଛନ୍ତି। ଏ ଟଙ୍କା ଲୋକଙ୍କର। ଲୋକେ ହିଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଟିକସ ବିଭିନ୍ନ ବାଟରେ ପଇଠ କରିଥାନ୍ତି। ସେହିପରି କେନ୍ଦ୍ରୀୟ ଟିକସ ଅଂଶ ବାବଦକୁ ରାଜ୍ୟ ସରକାର ପାଇବେ ପ୍ରାୟ ୩୭ ହଜାର କୋଟି ଟଙ୍କା। ଏହା ମଧ୍ୟ ଲୋକଙ୍କ ଟଙ୍କା। କେନ୍ଦ୍ର ସରକାରଙ୍କଠାରୁ ଅନୁଦାନ ଆକାରରେ ମିଳିବ ପ୍ରାୟ ୩୩ ହଜାର କୋଟି ଟଙ୍କା। କେନ୍ଦ୍ର ସରକାର ଯାହା ଆୟ କରନ୍ତି ତାହା ମଧ୍ୟ ଲୋକଙ୍କ ଟଙ୍କା। ରାଜ୍ୟ ସରକାରଙ୍କ ଅଣଟିକସ ଆୟ ହେବ ୪୮ ହଜାର କୋଟି ଟଙ୍କା। ଏହାର ୯୧ ପ୍ରତିଶତ ଆସିବ ଖଣି କ୍ଷେତ୍ରରୁ। ଖଣି ନିଲାମ, ଖଣିଜ ରାଜଭାଗ ଓ ଡିଭିଡେଣ୍ଡ ଆଦିରୁ ଏହି ଅର୍ଥ ଆସିବ। ତାହା ସିଧାସଳଖ ଲୋକଙ୍କ ଟଙ୍କା ନହେଲେ ମଧ୍ୟ ରାଜ୍ୟର ସଂପତ୍ତି ବିକ୍ରିରୁ ଉପଲବ୍ଧ ଅର୍ଥ। ରାଜ୍ୟର ସଂପତ୍ତି ହେଉଛି ଲୋକଙ୍କ ସଂପତ୍ତି। ତାହା କୌଣସି ଦଳ ବା ସରକାରଙ୍କ ସଂପତ୍ତି ନୁହେଁ। ବାକି ପ୍ରାୟ ୩୬ ହଜାର କୋଟି ଟଙ୍କା ପୁଞ୍ଜି ପ୍ରାପ୍ତି। ଏହି ପୁଞ୍ଜି ବି ପରୋକ୍ଷରେ ଲୋକଙ୍କର। ରାଜ୍ୟ ସରକାର ଯାହା ଋଣ କରନ୍ତି ତାହାକୁ ଲୋକେ ଟିକସ ଦେଇ ପରିଶୋଧ କରନ୍ତି। ଶିଳ୍ପ ଓ ବାଣିଜ୍ୟରେ ସରକାରୀ ଭାବେ ବିନିଯୋଗ ହୋଇଥାଏ ସେଥିରୁ ଯାହା ଲାଭ ବା ଡିଭିଣ୍ଡେଣ୍ଢ ମିଳେ ତାହା ଲୋକଙ୍କ ଟିକସ ଟଙ୍କା ଉପରେ ଆସିଥାଏ। ମୋଟ ଉପରେ କହିଲେ ରାଜ୍ୟ ଯାହା କିଛି ଆୟ କରିଥାଏ ତାହା ଲୋକଙ୍କ ସଂପତ୍ତି ଓ ଅର୍ଥର ଭାଗ।

Advertisment

ତେବେ, ସରକାର ଲୋକଙ୍କଠାରୁ ଆଦାୟ କରୁଥିବା ଏହି ୨ ଲକ୍ଷ କୋଟି ଟଙ୍କାକୁ କିପରି ଖର୍ଚ୍ଚ କରିବେ? ଲୋକେ ଦେଉଥିବା ଅର୍ଥ ଲୋକଙ୍କୁ ପାଖକୁ ଫେରିବ ନା ବାଟରେ ଖର୍ଚ୍ଚ ହୋଇଯିବ? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ସମସ୍ତେ ଆଲୋଚନା କରିବା ଉଚିତ।

ରାଜ୍ୟ ଅର୍ଥମନ୍ତ୍ରୀ ଯେଉଁ ବଜେଟୀୟ ହିସାବ ଦେଇଛନ୍ତି ତଦନୁସାରେ ବେତନ ଓ ଭତ୍ତା ଆଦି ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା। ସରକାରୀ କର୍ମଚାରୀମାନେ ସରକାରଙ୍କଠାରୁ ବେତନ ସହ ମହଙ୍ଗା ଭତ୍ତା ଆଦି ପାଇଥାନ୍ତି। ସରକାରଙ୍କର ଅବସରପ୍ରାପ୍ତ କର୍ମଚାରୀମାନେ ସରକାରଙ୍କଠାରୁ ଭତ୍ତା ବା ପେନ୍‌ସନ ସହ ମହଙ୍ଗା ଭତ୍ତା ମଧ୍ୟ ପାଇଥାନ୍ତି। ରାଜ୍ୟର ୨ ଲକ୍ଷ କୋଟି ଟଙ୍କା ବଜେଟର କେବଳ ଏହି ଖର୍ଚ୍ଚ ହେବ ପ୍ରାୟ ୬୩ ପ୍ରତିଶତ। ରାଜ୍ୟ ସରକାର ଯେଉଁ ଋଣ କରିଛନ୍ତି ତାହାର ମୂଳ ଓ ସୁଧ ପରିଶୋଧ ବାବଦରେ ଖର୍ଚ୍ଚ ହେବ ପ୍ରାୟ ୨୨ ହଜାର କୋଟି ଟଙ୍କା। ଏହା ବଜେଟୀୟ ବ୍ୟୟର ପ୍ରାୟ ୭ ପ୍ରତିଶତ। ଅର୍ଥାତ ଏହି ଦୁଇ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ବଜେଟର ପ୍ରାୟ ୭୦ ପ୍ରତିଶତ ଅର୍ଥ। ଏ ଟଙ୍କା ଲୋକଙ୍କ କାମରେ ଲାଗିବ ନାହିଁ। ରାଜ୍ୟର ସାମୂହିକ ବିକାଶ ଓ ପ୍ରଗତିରେ ଏ ଟଙ୍କା ବିନିଯୋଗ ହେବ ନାହିଁ। ଏହା ରାଜ୍ୟ ଜନସଂଖ୍ୟାର ମାତ୍ର ୨-୩ ପ୍ରତିଶତ ଲୋକଙ୍କର ଆୟବୃଦ୍ଧିରେ ସହାୟକ ହେବ। ସେମାନଙ୍କର ଆୟ ବଢ଼ିଲେ ସେମାନଙ୍କର ବିଳାସ ବଢ଼େ। ବଡ଼ ବଡ଼ ହୋଟେଲ, ମଲ୍‌, ବାର୍‌, ଜିମ୍‌, ବ୍ରାଣ୍ଡେଡ୍‌ ପୋଷାକ, ଗାଡ଼ି, ଗ୍ୟାଜେଟ୍‌ ସବୁ ଏଇ ବର୍ଗର ଲୋକଙ୍କ କାମରେ ଲାଗେ।

ବଜେଟରେ ପୁଞ୍ଜି କ୍ଷେତ୍ରରେ ୪୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି। ଏହା ମୋଟ ବ୍ୟୟ ଅଟକଳର ୨୧ ପ୍ରତିଶତରୁ ସାମାନ୍ୟ ଅଧିକ। ତେବେ, ସରକାର ସତରେ କ’ଣ ଲୋକଙ୍କଠାରୁ ଟିକସ ଆଦାୟ କରି ଓ ଲୋକଙ୍କ ସଂପତ୍ତି ବିକି ଯେଉଁ ୨ ଲକ୍ଷ କୋଟ ଟଙ୍କା ଏକାଠି କରିବେ ସେଥରୁ ୪୩ ହଜାର କୋଟି ଟଙ୍କା ରାଜ୍ୟର ବିକାଶ ଓ ସମୃଦ୍ଧି ପାଇଁ ଖର୍ଚ୍ଚ କରିବେ?

ପୁଞ୍ଜି କ୍ଷେତ୍ରରେ ଯାହା ଖର୍ଚ୍ଚ ହୁଏ ତାହା ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଠିକାଦାରଙ୍କ ଜରିଆରେ ହୋଇଥାଏ। ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଦରମା ଓ ମହଙ୍ଗା ଭତ୍ତା ଆଦି ବିଭିନ୍ନ ସୁବିଧା ପାଇବା ସତ୍ତ୍ୱେ ବିନା ଲାଞ୍ଚରେ ପ୍ରାୟ କିଛି ପୁଞ୍ଜିକାମ କରନ୍ତି ନାହିଁ। ଆଗରୁ ସରକାରରେ ୧୦ ପର୍ସେଣ୍ଟ ପିସି ବା ପର୍ସେଣ୍ଟ ସଂସ୍କୃତି ଥିଲା। ଧରନ୍ତୁ ରାଜ୍ୟ ସରକାର ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସେଥିପାଇଁ ୧୦ ହଜାର ଟଙ୍କାର ଲାଞ୍ଚ କାରବାର ହେଉଥିଲା। ଏବେ ତାହା ସ୍ଥଳ ବିଶେଷରେ ୨୫-୩୦ ପର୍ସେଣ୍ଟକୁ ଚଢ଼ି ଗଲାଣି। ବିଭିନ୍ନ ବ୍ଲକ ବା ମଣ୍ଡଳ ଜରିଆରେ ଯେଉଁସବୁ କାମ ହେଉଛି ସେଥିରେ କିଏ କେତେ ପିସି ନେଉଛି ତାହା ବ୍ଲକ୍‌ ଅଫିସ ସହିତ ସଂପର୍କ ରଖିଥିବା ପ୍ରାୟ ସବୁ ଠିକାଦାର ଓ କୁଜିନେତା ଜାଣନ୍ତି। ଅଧ୍ୟକ୍ଷ ୫ ପର୍ସେଣ୍ଟ, ବିଡିଓ ୫ ପର୍ସେଣ୍ଟ, ଜେଇ ୩ ପର୍ସେଣ୍ଟ, ଏଇ ୨ ପର୍ସେଣ୍ଟ, ଆକାଉଣ୍ଟାଣ୍ଟ ୨ ପର୍ସେଣ୍ଟ, କ୍ୟାସିୟର ଓ କିରାଣୀ ପ୍ରମୁଖ ବାକି ୮ ପର୍ସେଣ୍ଟ ଭାଗ ପାଇଥାନ୍ତି। ଭିନ୍ନ ଭିନ୍ନ ବ୍ଲକ୍‌ରେ ଏହି ହିସାବ ଅଲଗା ଅଲଗା ହୋଇପାରେ। ତେବେ ମୋଟାମୋଟି ଏଇ ହିସାବ ଚାଲିଛି ବୋଲି ବିଭିନ୍ନ ସମୟରେ ରାଜ୍ୟ ବିଧାନସଭାରୁ ଆରମ୍ଭ କରି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ। ଯେଉଁ ଠିକାଦାର କାମ କରିବେ ସେ ତ ଆଉ ମାଗଣା ଖଟିବେ ନାହିଁ! ତାଙ୍କର ବି ଲାଭ ଅଛି। ସେ ଯେତେବେଳେ ୨୫ ପର୍ସେଣ୍ଟ ଦେବେ ନିଜ ପାଇଁ ସେତିକି ରଖିବେ ନା ନାହିଁ! ପୁଣି ଗାଁ ଟୋକା, ଗୁଣ୍ଡା ଓ ପୁଲିସ ବଟି ଅଛି। ଏମିତି ଯଦି ଟଙ୍କା ଉଡ଼ିଯାଏ ତେବେ ୪୩ ହଜାର କୋଟ ଟଙ୍କାରୁ ପ୍ରାୟ ୨୨ ହଜାର କୋଟି ଟଙ୍କା ବାଟ ମାରଣା ହୋଇଯିବ ଓ କାମ ହେବ ମାତ୍ର ୨୧ ହଜାର କୋଟି ଟଙ୍କାର।

ଅର୍ଥାତ୍‌ ଦେଖିବା ବେଳକୁ ବଜେଟ ବପୁଷ୍ମାନ- ୨ ଲକ୍ଷ କୋଟି ଟଙ୍କା! ଏହାକୁ ପ୍ରଚାର କରି ରାଜ୍ୟ ସରକାର ଲୋକଙ୍କଠାରୁ ବାହାବା ଓ ଭୋଟ୍‌ ସାଉଁଣ୍ଟିବେ। କିନ୍ତୁ ଏହାର ୯୦ ପ୍ରତିଶତ ବା ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଶାସନ କଳ, ଠିକାଦାର ଓ ସେମାନଙ୍କ ସହ ସଂପୃକ୍ତ ଲୋକମାନେ ଖାଇଯିବେ ଓ ବାକି ମାତ୍ର ୧୦ ପ୍ରତିଶତ ବା ୨୦ ହଜାର କୋଟି ଟଙ୍କାରେ ବିକାଶ କାମ ହେବ। ଏଥିରେ କେତେ ବାଲିରେ କେତେ ସିମେଣ୍ଟ ମିଶିବ, କେତେ ଫୁଟ ମାଟି ଖୋଳାଯିବ, କେତେ ଏମଏମ ରଡ଼ ଜାଗାରେ କେତେ ଏମଏମ ରଡ଼ ଲାଗିବ, ରାସ୍ତାରେ କେତେ ଇଞ୍ଚ ବହଳର କଂକ୍ରିଟ ଢଳେଇ କି ପିଚୁ ପଡ଼ିବ, ଲୋକଙ୍କ ପାଇଁ କେତେ କର୍ମନିଯୁକ୍ତି ସୃଷ୍ଟି ହେବ, କେନାଲରେ କେତେ ଜଳ ମାଡ଼ିବ, ତାହା ସମସ୍ତଙ୍କୁ ଜଣା।

ବଜେଟର ବାଟମାରଣା ହେଉଥିବା ଟଙ୍କାରେ ନେତାଏ ଭୋଟ୍‌ ଲଢ଼ନ୍ତି। ଭୋଟର ମଧ୍ୟ ସେଥିରୁ କିଛି ପାଏ। ଭୋଟବେଳେ ମଦମାଉଁସ ଆକାରରେ ଯାହା ଖର୍ଚ୍ଚ ହୁଏ ସେଥିରେ ମଦ ଓ ମାଉଁସ ବେପାରୀଙ୍କର ମଧ୍ୟ କିଛି ଲାଭ ହୋଇଥାଏ। ପତାକା ଓ ପୋଷ୍ଟର ବ୍ୟାନର ଆଦିର ଖର୍ଚ୍ଚ ସେଇ ବର୍ଗର ବେପାରୀଙ୍କର ବ୍ୟବସାୟ ବୃଦ୍ଧି କରେ। ପେଟ୍ରୋଲ ଓ ଡିଜେଲ ଆକାରରେ କିଛି ଖର୍ଚ୍ଚ ହୁଏ। ମୋବାଇଲ୍‌ ଡାଟା ଆକାରରେ ବି। ଏସବୁ ଖର୍ଚ୍ଚ ଉପରୁ ସରକାର ପୁଣି ଜିଏସଟି ଓ ଅନ୍ୟାନ୍ୟ ଟିକସ ଆଦାୟ କରନ୍ତି। ଅର୍ଥାତ ଦୁର୍ନୀତି ବାଟରେ ଲୋକଙ୍କ ପାଖକୁ ଆସୁଥିବା ଟଙ୍କାର କିଛି ଅଂଶ ପୁଣି ଟିକସ ଆକାରେ ସରକାରଙ୍କ ପାଖକୁ ଫେରିଯାଏ। ଲୋକେ ପଖାଳ ଖାଆନ୍ତୁ ବା ତବତ, ରୁଟି ଖାଆନ୍ତୁ ବା ପରଟା, ଶାଗ, ପରିବା, ଡାଲି, ମାଛ, ମାଉଁସ, ଅଣ୍ଡା, ଦୁଧ, ଛେନା ଯାହା ଖାଆନ୍ତୁ ସବୁ ଉପରେ ଟିକସ ଅଛି। ମୁଢ଼ି, ଚୁଡ଼ା, ଖଇ ଉପରେ ମଧ୍ୟ। ଔଷଧ ଓ ମେଡିକାଲ ବେଡ୍‌ ଉପରେ ବି ଜିଏସଟି ଲାଗିଲାଣି। ଭାରତବର୍ଷରେ ବିନା ଟିକସରେ ବିକ୍ରି ହେଉଥିବା ଦ୍ରବ୍ୟ ଓ ସେବା ପ୍ରାୟ ଆଉ କିଛି ନାହିଁ କହିଲେ ଚଳେ।

ସରକାରମାନେ ପ୍ରତି ବର୍ଷ ଏହିପରି ଲୋକଙ୍କ ଉପରୁ ଟିକସ ଆଦାୟ କରି ଓ ଲୋକଙ୍କ ସଂପତ୍ତି ବିକି ଯେଉଁ ଅର୍ଥ ଠୁଳ କରନ୍ତି ତାହାକୁ ମୁଷ୍ଟିମେୟ ବର୍ଗର ଦରମା, ଭତ୍ତା, ମେଡିକାଲ୍‌ ବିଲ୍‌, ଗସ୍ତ ଖର୍ଚ୍ଚ, ଗୃହ ନିର୍ମାଣ ଓ ଗାଡ଼ି କିଣା ଆଦି ବାବଦରେ ଖର୍ଚ୍ଚ କରିଦିଅନ୍ତି। ଲୋକଙ୍କ ପାଇଁ ଯେଉଁ ୧୦-୧୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୁଏ ସେଥିରେ ସେମାନଙ୍କ ପାଇଁ ସ୍ଥାୟୀ ନିଯୁକ୍ତଭିତ୍ତିକ ରୋଜଗାର ସୁଯୋଗ ସୃଷ୍ଟି ହୁଏନାହିଁ, ବରଂ ଜଞ୍ଜାଳ ଓ ଯନ୍ତ୍ରଣା ବଢ଼େ ଏବଂ ଟଙ୍କାର ଅବମୂଲ୍ୟାୟନ ସାଙ୍ଗକୁ ଦ୍ରବ୍ୟ ଓ ସେବାର ଦର ବୃଦ୍ଧି ପାଉଥିବାରୁ ସେମାନେ ଫେରି ପାଉଥିବା ୧୦ ପ୍ରତିଶତ ଅର୍ଥର ବହୁଭାଗ ପୁଣି ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ଆକାରରେ ସରକାରଙ୍କ ପାଖକୁ ପଳାଏ। ଏହିପରି ଭାବେ ବର୍ଷକୁ ବର୍ଷ ଲୋକେ ନିଜର ଆୟ ଓ ସଂପତ୍ତି ହରେଇ ଚାଲନ୍ତି ଓ ସରକାରଙ୍କ ସହିତ ସଂପୃକ୍ତ ମୁଷ୍ଟିମେୟ ଗୋଷ୍ଠୀର ଆୟ ଓ ସଂପତ୍ତି ବଢ଼ି ବଢ଼ି ଚାଲେ। ଏହା ଏକ ପୌନଃପୌନିକ ଶୋଷଣ ଚକ୍ର। ଏହି ପ୍ରକ୍ରିୟରେ ନେତା, ଅମଲା, ଶିଳ୍ପପତି, ଠିକାଦାର ଓ ବେପାରୀମାନେ ଧନୀ ହୋଇଚାଲିଛନ୍ତି ଓ ଏମାନଙ୍କ ବାହାରେ ରହିଯାଉଥିବା ସଂଖ୍ୟାଗରିଷ୍ଠ ସାଧାରଣ ଜନତା ପ୍ରତି ବର୍ଷ ସଂପତ୍ତି ହରେଇ କାଙ୍ଗାଳ ଭଳି ସରକାରଙ୍କ ମାଗଣା ଯୋଜନା ଉପରେ ନିର୍ଭରଶୀଳ ହୋଇଯାଆନ୍ତି।

ଫୋ-୯୪୩୭୦୩୬୨୭୬

Bribe Odisha Budget Peoples Development Pilferage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe