ଭୁବନେଶ୍ବର(ଲକ୍ଷ୍ମୀନାରାୟଣ କାନୁନ୍ଗୋ): ରାଜ୍ୟ ସଂଗ୍ରହଳାୟରୁ କୁଆଡ଼େ ଗଲା ୨୦ ହଜାର ତାଳପତ୍ର ପୋଥି? ୨୦୧୪ରେ ୪୦ ହଜାର ତାଳପତ୍ର ପୋଥି ଥିବା ମ୍ୟୁଜିୟମ୍ ଓ୍ବେବସାଇଟରେ ଉଲ୍ଲେଖ ଥିଲା। ହେଲେ, ୨୦୧୬-୧୭ ଅଡିଟରେ ସଂଗ୍ରହାଳୟରୁ ମିଳିଛି ମାତ୍ର ୨୦ ହଜାର ପୋଥି। ୨୦୦୩ରେ ସାରା ଦେଶରେ ଆରମ୍ଭ ହୋଇଥିଲା ଜାତୀୟ ପୋଥି ମିଶନ୍। ଜାତୀୟ ପୋଥି ମିଶନ୍ ଆରମ୍ଭ ବେଳେ ସଂଗ୍ରହାଳୟରେ ଥିଲା ୪୦ ହଜାର ପୋଥି। ସୂଚନା ଅଧିକାର ଆଇନରୁ ଜଣାପଡ଼ିଲା ୨୦ ହଜାର ତାଳପତ୍ର ପୋଥି ଏବେ ଗାଏବ!
ତେଣୁ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ରାଜ୍ୟ ସଂଗ୍ରହାଳୟରୁ କ’ଣ ଚୋରି ହୋଇଯାଉଛି ବହୁ ଦୁମୂର୍ଲ୍ୟ ଓ ଦୁର୍ଲଭ ତାଳପତ୍ର ପୋଥି? ସାରା ବିଶ୍ବରେ ଓଡ଼ିଶାର ଭୁବନେଶ୍ବରରେ ଅବସ୍ଥାପିତ ରାଜ୍ୟ ସଂଗ୍ରହାଳୟରେ ସର୍ବାଧିକ ତାଳପତ୍ର ପୋଥି ରହିଛି ବୋଲି କୁହାଯାଏ। ମାତ୍ର ଏଥିରୁ ଅନେକ ତାଳପତ୍ର ପୋଥି ବିଭିନ୍ନ ଅଧିକାରୀଙ୍କ ଦ୍ବାରା ବିଦେଶକୁ ଚାଲାଣ ହୋଇଯାଇଛି ବୋଲି ଅନେକ ବିଶେଷଜ୍ଞ କୁହନ୍ତି। ଦେଖନ୍ତୁ ୨୦୧୪ ମସିହାରେ ରାଜ୍ୟ ସଂଗ୍ରହଳାୟର ୱେବସାଇଟରେ ଦିଆଯାଇଥିବା ଏହି ତଥ୍ୟ । ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୪୦ ହଜାର ପୋଥି ଥିବା ଏଥିରେ ଉଲ୍ଲେଖ ରହିଛି। ୨୦୦୩ରେ ସାରା ଦେଶରେ ଜାତୀୟ ପୋଥି ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏଠାରେ ୨୦୧୪ରେ ଇ-ପୋଥି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଆମେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ଜଣାପଡ଼ିଲା ଯେ- ରାଜ୍ୟ ସଂଗ୍ରହାଳୟରେ ଶେଷ ଥର ପାଇଁ ୨୦୧୬-୧୭ରେ ଅଡିଟ ହୋଇଥିଲା ଓ ଏଥରୁ ସଂଗ୍ରହାଳୟରେ କେବଳ ପ୍ରାୟ ୨୦ ହଜାର ତାଳପତ୍ର ପୋଥି ଓ ୫୦ ହଜାର କଳାକୃତି ଗଚ୍ଛିତ ରହିଥିବା ଜଣାପଡ଼ିଛି।
ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ କୁହନ୍ତି, ‘ବିଦେଶକୁ ତାଳପତ୍ର ପୋଥି ଚୋରାରେ ଯାଉଥିବା ମୁଁ ଜାଣିଛି। ଏ ନେଇ ବିଦେଶରେ ବି ମୁଁ କଥାବାର୍ତ୍ତା ଶୁଣିଛି। କଲେଜମାନଙ୍କରେ କିଛି ଅଧ୍ୟାପକ ପଢ଼ିବାକୁ ପୋଥି ନେଇ ଫେରାନ୍ତି ନାହିଁ। ଆଉ କିଛି ବି ବହୁ ମୂଲ୍ୟରେ ଚୋରି ହୁଏ। ପୋଥି ଚୋରି ପାଇଁ ଆମେ ସମସ୍ତେ ଦାୟୀ।’
ସଂସ୍କୃତିବିତ୍ ପ୍ରଦ୍ୟୁମ୍ନ ଶତପଥୀ କୁହନ୍ତି, ବ୍ରିଟିଶ ସରକାର ସମୟରୁ ତାଳପତ୍ର ପୋଥି ଚୋରି ହେଉଥିଲା। ୧୯୨୫ ମସିହାରେ ଜଗବନ୍ଧୁ ସିଂହ ତାଙ୍କ ‘ପ୍ରାଚୀନ ଉତ୍କଳ’ରେ ତାଳପତ୍ର ପୋଥି ଚୋରି କଥା ଲେଖିଛନ୍ତି। ୧୯୫୬ ମସିହାରେ ସଚ୍ଚି ରାଉତରାୟ ବି ତାହା କହିଥିଲେ, ଯାହା ଓଡ଼ିଶା ସାହିତ୍ୟ ଏକାଡ଼େମୀ ମୁଖପତ୍ର ‘କୋଣାର୍କ’ରେ ପ୍ରକାଶ ହୋଇଥିଲା। ଯେଉଁ ପୋଥି ଆମ ଓଡ଼ିଆଙ୍କ ପାଇଁ ମୂଲ୍ୟହୀନ, ତାହା ଆନ୍ତର୍ଜାତିକ ବଜାରରେ ହଜାର ହଜାର କୋଟି ଟଙ୍କା। ଓଡ଼ିଶାରେ ଗୋଟିଏ ଜାଗ୍ରତ ଜନମତ ନଥିବାରୁ ଏ ଜାତି ତାର ନିଜ ବିଭବକୁ ଚିହ୍ନିପାରିଲା ନାହିଁ।
୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ତଥା ଜାତୀୟ ପୋଥି ମିଶନର ପ୍ରଥମ ପ୍ରକଳ୍ପ ସଂଯୋଜକ ଥିଲେ ଡ. ଚନ୍ଦ୍ରଭାନୁ ପଟେଲ। ରାଜ୍ୟ ସଂଗ୍ରହାଳୟରୁ ପ୍ରକାଶ ପାଉଥିବା ‘ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲ’ରେ ମଧ୍ୟ ସଂଗ୍ରହାଳୟର ରେକର୍ଡ ମୁତାବକ ୩୭, ୨୭୩ଟି ତାଳପତ୍ର ପୋଥି ବା ପ୍ରାୟ ୪୦ ହଜାର ପୋଥି ରହିଥିବା କଥା ଉଲ୍ଲେଖ ରହିଛି। ଦୁଇ ଦୁଇଟି ତଥ୍ୟ ପୋଥି ସଂଖ୍ୟାକୁ ନେଇ ସ୍ପଷ୍ଟ ତଥ୍ୟ ଦେଇଥିବା ବେଳେ ପରବର୍ତ୍ତି ସମୟରେ ଏହା କମିଗଲା କିପରି ? ପ୍ରାୟ ୨୦ ହଜାର ତାଳପତ୍ର ପୋଥି କମିବା ପଛର କାରଣ କଣ ? ଏନେଇ ଆମେ ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ ଓ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲଙ୍କୁ ସାକ୍ଷାତ କରିଥିଲୁ। ଅଧୀକ୍ଷକ ମଲ୍ଲ କହିଥିଲେ, ଗୋଟିଏ ଗୋଟିଏ ବଣ୍ଡଲରେ ଏକାଧିକ କାବ୍ୟକବିତା ରହିଛି। ତେଣୁ ସଂଖ୍ୟାରେ ଏତେ ପ୍ରଭେଦ ଦେଖାଦେଉଛି। ତେବେ ଏ ନେଇ କ୍ୟାମେରା ଆଗରେ ଉଭୟ କୌଣସି ପ୍ରତିକ୍ରିୟା ଦେଇନଥିଲେ।
୧୯୩୨ ମସିହାରେ କଟକ ରେଭେନସା କଲେଜରେ କିଛି ଇତିହାସ ପ୍ରେଫସରଙ୍କ ଦ୍ବାରା ରାଜ୍ୟ ସଂଗ୍ରହଳାୟର ଉତ୍ପତ୍ତି ହୋଇଥିଲା। ପରେ ହରେକୃଷ୍ଣ ମହତାବଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୧୯୬୦ ମସିହାରେ ରାଜ୍ୟ ସଂଗ୍ରହାଳୟ ଭୁବନେଶ୍ବର କଳ୍ପନାଛକର ନୂଆ ବିଲଡିଂକୁ ସ୍ଥାନାନ୍ତର ହୋଇଥିଲା। ଏହି ସଂଗ୍ରହାଳୟରେ ୨୭ଟି ବିଭାଗରେ ବେଦ, ତନ୍ତ୍ର, ଗଣିତ, ଶିଳ୍ପଶାସ୍ତ୍ର, ଜ୍ୟୋତିଷ, ଆୟୁର୍ବେଦ, କେବଳ ଓଡ଼ିଆ ନୁହେଁ, ବିଭିନ୍ନ ଭାଷାର ପୁରାଣ, ସାହିତ୍ୟ ଭଳି ଦୁର୍ଲଭ ତାତ୍ବିକ ସଂପତ୍ତି ରହିଛି। ଓଡ଼ିଆ ସାରଳା ମହାଭାରତ, ଭାଗବତ, ରାମାୟଣ, ଗୀତେଗାବିନ୍ଦଠାରୁ ଆରମ୍ଭ କରି ଉପେନ୍ଦ୍ର ଭଂଜଙ୍କ କୃତି ପର୍ଯ୍ୟନ୍ତ ତାଳପତ୍ର ପୋଥି ରହିଛି। ପ୍ରାୟ ଦେଢ଼ ଶହ ବର୍ଷ ତଳେ ଅନେକ ୟୁରୋପୀୟ ବିଦ୍ବାନ ଓଡ଼ିଆ ତାଳପତ୍ର ପୋଥି ପ୍ରତି ଆକୃଷ୍ଟ ହେବା ସହ ଏ ନେଇ ବ୍ୟାପକ ଗବେଷଣା କରିଥିଲେ। ଏବେ ସଂଗ୍ରହାଳୟରେ ବିଭିନ୍ନ ଆକୃତିର ହଜାର ହଜାର ଚିତ୍ରିତ ପୋଥି ରହିଥିବା ବେଳେ ବିଦେଶରେ ମଧ୍ୟ ଏହାର ଯଥେଷ୍ଟ ଚାହିଦା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।