ରାଜ୍ୟରେ ୭୧% ପିଲା ଅନଲାଇନ୍ ଶିକ୍ଷାରୁ ବଞ୍ଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍‌ରେ କେମିତି ଚାଲିଛି ପାଠ ପଢ଼ା? କେତେ ପଢ଼ୁଛନ୍ତି, ଆଉ କେତେ ସ୍କୁଲ ଛାଡ଼ିଛନ୍ତି? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି। ତେବେ ଏହାରି ଭିତରେ ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଦେଇଥିବା ଲିଖିତ ଉତ୍ତର ସମସ୍ତଙ୍କୁ ବେଶ ଚକିତ କରିଛି। କାରଣ କରୋନା ବେଳେ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠ ପଢ଼ାଇବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅନଲାଇନରେ ଛାତ୍ରଛାତ୍ରୀ ପାଠ ପଢିଲେ ତ ? କାରଣ […]

online-class

Ordigital Desk
  • Published: Wednesday, 08 December 2021
  • , Updated: 08 December 2021, 06:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍‌ରେ କେମିତି ଚାଲିଛି ପାଠ ପଢ଼ା? କେତେ ପଢ଼ୁଛନ୍ତି, ଆଉ କେତେ ସ୍କୁଲ ଛାଡ଼ିଛନ୍ତି? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି। ତେବେ ଏହାରି ଭିତରେ ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଦେଇଥିବା ଲିଖିତ ଉତ୍ତର ସମସ୍ତଙ୍କୁ ବେଶ ଚକିତ କରିଛି। କାରଣ କରୋନା ବେଳେ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠ ପଢ଼ାଇବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅନଲାଇନରେ ଛାତ୍ରଛାତ୍ରୀ ପାଠ ପଢିଲେ ତ ? କାରଣ ଶିକ୍ଷା ସଂଯୋଗ-୨୦୨୦ ସର୍ଭେ ଅନୁଯାୟୀ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମାତ୍ର ୨୯ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀଙ୍କ ପାଖରେ ଅଛି ସ୍ମାର୍ଟ ଫୋନ୍। ଅର୍ଥାତ୍ ୭୧ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷା ଠାରୁ ବଂଚିତ ରହିଛନ୍ତି। କୌଣସି ଗୋଟିଏ ବି ଜିଲ୍ଲାରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଏହି ଶି‍କ୍ଷା ପାଇ ନାହାନ୍ତି।

ଖୋର୍ଦ୍ଧା ଭଳି ଉନ୍ନତ ଜିଲ୍ଲାରେ ବି ପ୍ରାୟ ୫୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ। ଏପରିକି କଟକ ଜିଲ୍ଲାରେ ବି ମାତ୍ର ୩୭ ପ୍ରତିଶତ ଛାତ୍ର ଛାତ୍ରୀ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ସକ୍ଷମ। ସେହିପରି ପୁରୀରେ ୩୫ ପ୍ରତିଶତ ଓ ବାଲେଶ୍ୱରରେ ୩୬ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ରହିଛି ସ୍ମାର୍ଟ ଫୋନ୍। କିନ୍ତୁ ପଶ୍ଚିମ ଓଡ଼ିଶାର ବରଗଡ଼ରେ ୪୧ ପ୍ରତିଶତ ଓ ଝାରସୁଗୁଡାରେ ୪୩ ପ୍ରତିଶତ ସ୍ମାର୍ଟ ଫୋନ୍ ପାଇ ଅନଲାଇନ୍ ଶି‍କ୍ଷା କରିଛନ୍ତି ଛାତ୍ରଛାତ୍ରୀ। ହେଲେ ଦେଓଗଡ଼, ବୌଦ୍ଧ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଂଗପୁର ଆଦି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ୨୦ ପ୍ରତିଶତରୁ ବି କମ୍ ଛାତ୍ରଛାତ୍ରୀଙ୍କ ପାଖରେ ରହିଛି ସ୍ମାର୍ଟଫୋନ।

ଅର୍ଥାତ୍ ଏହି ତାଲିକା ହିଁ ସୂଚାଇ ଦେଇଛି , ରାଜ୍ୟରେ ଅନଲାଇନ, ୟୁ ଟ୍ୟୁବ, ହ୍ୱାଟ୍ସଆପ ଆଦିରେ ପାଠ ପଢାରେ ଯେଉଁ ଅଭିନବ ତରିକା ଆପଣାଇଥିଲେ ରାଜ୍ୟ ସରକାର ଏଥିରେ କେତେ ଲାଭାନ୍ୱିତ ହୋଇଛନ୍ତି ଛାତ୍ରଛାତ୍ରୀ । କାରଣ ୫୦ ପ୍ରତିଶରୁ ବି କମ୍ ଛାତ୍ରୀଛାତ୍ରୀଙ୍କ ପାଖରେ ପହଁଚି ପାରିଥିଲା ଏହି ହାଇଟେକ୍ ଶି‍କ୍ଷା ।

ସେପଟେ ୨୦୧୯-୨୦ ବର୍ଷରେ ରିପୋର୍ଟ କହୁଛି ରାଜ୍ୟରେ ୮ ହଜାର ୧୬୮ ପିଲା ଅଧାରୁ ପାଠ ଛାଡିଛନ୍ତି । ନୂଆପଡାରୁ ସର୍ବାଧିକ ୮୯୬, ଗଂଜାମ ୫୮୩ ଜଣ, ସୁନ୍ଦରଗଡ଼ରୁ ୫୨୬, ଖୋର୍ଦ୍ଧାରୁ ୬୦୩, କେନ୍ଦୁଝର ୬୮୧ କଳାହାଣ୍ଡିରୁ ୫୨୮ ପିଲା ଅଧାରୁ ପାଠ ଛାଡିଛନ୍ତି । ଖୋର୍ଦ୍ଧା ଜିଲ୍ଲା, ଯେଉଁଥିରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଅନ୍ତର୍ଗତ ସେଠାରେ ୬୦୩ ଜଣ ଅଧାରୁ ପାଠ ପଢା ଛାଡିଥିବା ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣା ପଡିଛି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଶିକ୍ଷାମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀ ଡ୍ରପ୍ ଆଉଟର ଚିତ୍ର ଦେଲେ ସତ। କିନ୍ତୁ କରୋନା ପରର ସ୍ଥିତି ବେଶ ଉଦବେଗ ହୋଇ ଯାଇଥିବା ବେଳେ, ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜାଣିବାକୁ ପ୍ରଶ୍ନ କରିଥିଲେ ବିଧାୟକ ତାରା ବାହିନୀପତି। ଯାହାର ଉତ୍ତର ଦେଇ ନାହାଁନ୍ତି ଗଣ ଶିକ୍ଷା ମନ୍ତ୍ରୀ। କାରଣ ୨୨ମାର୍ଚ୍ଚ ୨୦୨୦ରୁ ନେଇ ଏକ ପ୍ରକାର ଦେଢ ବର୍ଷରୁ ଉର୍ଦ୍ଧ ସମୟ ବନ୍ଦ ରହିଲା ସ୍କୁଲ।

ଛୋଟ ପିଲାଙ୍କୁ ଘରୁ ବାହାରକୁ ଯିବାକୁ ମନା ରହିଲା । କୋଚିଂ କ୍ଲାସ ବନ୍ଦ ରହିଲା । କେଉଁଠି ସ୍ମାର୍ଟ ଫୋନର ଅଭାବ ତ ଆଉ କେଉଁଠି ନେଟୱର୍କର ଘୋର ଅଭାବ ପାଇଁ ପାଠ ପଢ଼ାରୁ ଦୂରେଇ ଯାଇଛନ୍ତି ଛାତ୍ରଛାତ୍ରୀ । ସେଥିପାଇଁ ଆଉ ସ୍କୁଲ ଆସିବାକୁ ମନ ମଧ୍ୟ ବଳାଇ ନାହାଁନ୍ତି ପିଲା । କାରଣ ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପରୀ‍କ୍ଷା ନ ଦେଇ ସିଧସଳଖ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ ହୋଇଛନ୍ତି ।

ଅନ୍ୟପଟେ ନୀତି ଆୟୋଗ ରିପୋର୍ଟ ଅନୁସାରେ ରାଜ୍ୟରେ ୩୦ ପ୍ରତିଶତ ଲୋକ ଗରିବ ଶ୍ରେଣୀର । ଅର୍ଥାତ୍ ପ୍ରତି ୩ ଜଣରେ ଜଣେ ଗରିବ । ଜନସଂଖ୍ୟାକୁ ହିସାବ କଲେ ଓଡ଼ିଶାରେ ପ୍ରାୟ ଦେଢ କୋଟି ଲୋକ ଗରିବ ଶ୍ରେଣୀର । ଯେଉଁମାନେ ହିଁ ମୁଖ୍ୟତଃ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ଶିକ୍ଷା ଦେଇଥାନ୍ତି । ତେବେ କରୋନା ପରେ ଆର୍ଥିତ ସ୍ଥିତି ଅତି ଦୁର୍ବଳ ହୋଇ ପଡିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡିବା ହାର ମଧ୍ୟ ୨୦୧୯-୨୦ ଶି‍କ୍ଷା ବର୍ଷ ଠାରୁ ୨୦୨୧-୨୦୨୨ରେ ବେଶ ଅଧିକ ହେବ ବୋଲି ଆଶା କରାଯାଉଛି ।

Related story