କୋଣାର୍କ(ସଞ୍ଜୟ ପତି): ଛୋଟ ଥିଲା ଘର ବାରଣ୍ଡାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲା। ପୁଅ ପଡ଼ିଯିବ ଭାବି ମାଆ ଧରି ନେଉଥିଲା। ବାନ୍ଧି ପକାଉଥିଲା ମମତାର ଡୋରରେ। ଆଉ ଦେହରେ ଲାଗି ଥିବା ଧୂଳିକୁ ଝାଡ଼ି ଦେଉଥିଲା। ହେଲେ ଆଜି ସେହି ମାଆକୁ ନିଷ୍ଠୁର କରିଦେଇଛି ସମୟ। ପୁଅକୁ ସ୍ନେହ, ମମତା ଓ ଭଲ ପାଇବା ଡୋରିରେ ଅନ୍ଧିବା ବଦଳରେ ଲୁହାର ଶିକୁଳିରେ ବେଡ଼ି ପକାଇ ଦେଇଛି। ଏମିତି ଏକ ସମ୍ୱେଦନଶୀଳ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କନ୍ତପୟରା ଗାଁରେ।
କନ୍ତପୟରା ଗାଁର ବିଜୟ ସ୍ଵାଇଁ ଜଣେ ଚାଷୀ। ଚାଷବାସ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ବଡ଼ପୁଅ ହରିହର ଗାଁ ସ୍କୁଲରେ ପାଠ ପଢ଼ୁଥିଲେ। ମେଧାବୀ ମଧ୍ୟ ଥିଲେ। ପାଠ ପଢ଼ୁଥିବା ବେଳେ ହଠାତ୍ ହରିହରଙ୍କ ଜୀବନ ଆକାଶ ଘୋଟି ଆସିଲା କଳାହାଣ୍ଡିଆ ମେଘ। ୮ ବର୍ଷ ବୟସରେ ମାନସିକ ଭିନ୍ନକ୍ଷମ ହୋଇପଡ଼ିଥିଲେ।
[caption id="attachment_665923" align="aligncenter" width="650"]
ଘରୁ କୁଆଡେ ପଳାଇ ଯାଉଥିଲେ। ଆର୍ଥିକ ଅନଟନ ସତ୍ତ୍ୱେ ବିଜୟ ଓ ତାଙ୍କ ପତ୍ନୀ ପୁଅ ହରିହରକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତା’ର ଚିକିତ୍ସା ଚାଲିଲା। ମାତ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଲେ ନାହିଁ। ମେଡିକାଲ୍ ଖର୍ଚ୍ଚ ବହନ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହେଉନଥିଲା। ଶେଷରେ ସବୁଆଡ଼ୁ ନିରାଶ ହେବା ପରେ ପୁଅ ହାତରେ ବେଡ଼ି ପକାଇଲେ ବିଜୟ। ଆଉ ସ୍କୁଲ ଚାଲିଥିବା ସମୟରେ ପିଲାଙ୍କ ଗହଣରେ ପୁଅକୁ ଛାଡ଼ି ଜଗୁଥିଲେ। ସେମାନଙ୍କ ଭାବନା ପିଲାଙ୍କ ଗହଣରେ ଖେଲିଲେ କୁଆଡ଼େ, ତାହାର ସ୍ମୃତି ଶକ୍ତି ଫେରିଆସିବ! ଆଉ ସେ ପୂର୍ବ ପରି ସ୍ୱଭାବିକା ଜୀବନ ବିତେଇବ ବୋଲି ଭାବିଥିଲେ ବିଜୟ।
ସ୍କୁଲ ଯିବା ପରେ ହରିହର ସାମାନ୍ୟ ସୁସ୍ଥ ହେଲା ପରି ଲାଗୁଥିଲେ। ବାପା-ମାଆଙ୍କ ଆକଟ ମାନୁଥିଲେ। ହେଲେ ମହାମାରୀ କରୋନା ବେଳେ ସବୁ କିଛି ଓଲଟପାଲଟ ହୋଇଗଲା। କାରୋନା ପାଇଁ ବନ୍ଦ ହୋଇଗଲା ସ୍କୁଲ। ଆଉ ସ୍କୁଲ ଯାଇପାରିଲା ନାହିଁ ହରିହର। ସ୍କୁଲ ଯିବା ବନ୍ଦ ହୋଇଯିବାରୁ ମାନସିକ ଭାରସାମ୍ୟ ହରାଇ ବସିଲେ ହରିହର। ଧୀରେ ଧୀରେ ତାଙ୍କ ମାନସିକ ଅବସ୍ଥା ବିଗିଡିବାରେ ଲାଗିଲା।
ଶିକୁଳି ଖୋଲି ପଳାଇବାକୁ ଚେଷ୍ଟା କଲା। ଅନିଚ୍ଛା ସତ୍ତ୍ୱେ ହରିହରଙ୍କ ପାଦରେ ବେଡ଼ି ପକାଇବାକୁ ବାଧ୍ୟ ହୋଇଛନ୍ତି ତାଙ୍କ ବାପା-ମାଆ। ଗୋଟେ ପଟେ ଦାରିଦ୍ର୍ୟର ବୋଝ ଆର ପଟେ ରୋଗାକ୍ରାନ୍ତ ପୁଅର ଯନ୍ତ୍ରଣା। ଏଥିରେ ଭାଙ୍ଗି ପଡ଼ିଛନ୍ତି ବିଜୟ ଓ ତାଙ୍କ ସ୍ତ୍ରୀ ଟୁନିଲତା ସ୍ୱାଇଁ। ମନରେ ଅନେକ କୋହ ଥିଲେ ସୁଦ୍ଧା ଶୁଣୁଛିବା କିଏ? ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ନେହୁରା ହେଉଛନ୍ତି ଦମ୍ପତି।
ତେବେ ଏ ସମ୍ପର୍କରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ଦେବା ପରେ ସରକାରୀ ବ୍ୟବସ୍ଥା ଅନୁଯାୟୀ ହରିହରଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି।