ନିର୍ବାଚନରେ ପରାସ୍ତ ହେଲେ, କିନ୍ତୁ ପ୍ରତିଶ୍ରୁତି ରଖିଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ନିର୍ବାଚନ ବେଳେ ସମସ୍ତ ପ୍ରାର୍ଥୀ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସାଧାରଣତଃ ଆଉ ଭୋଟରଙ୍କୁ କେହି ମନେ ପକାନ୍ତି ନାହିଁ। ଅନେକ ସମୟରେ ବିଜୟୀ ପ୍ରାର୍ଥୀ ବି ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତି ନାହିଁ। ଆଉ ଏମିତି ସ୍ଥିତିରେ ପରାଜିତ ପ୍ରାର୍ଥୀଙ୍କ ଠାରୁ କ’ଣ ବା ଆଶା କରାଯାଇପାରେ। କିନ୍ତୁ ମାଲକାନଗିରି ମ୍ୟୁନିସିପାଲିଟିରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ସଦ୍ୟ ସମାପ୍ତ ପୌର ନିର୍ବାଚନରେ ପରାସ୍ତ ହୋଇଥିବା ଜଣେ ପ୍ରାର୍ଥୀ […]

ଜି. ଶ୍ରୀନିବାସ ରାଓ

ଜି. ଶ୍ରୀନିବାସ ରାଓ

Jitendra Garnayak
  • Published: Thursday, 31 March 2022
  • Updated: 31 March 2022, 08:23 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ନିର୍ବାଚନ ବେଳେ ସମସ୍ତ ପ୍ରାର୍ଥୀ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସାଧାରଣତଃ ଆଉ ଭୋଟରଙ୍କୁ କେହି ମନେ ପକାନ୍ତି ନାହିଁ। ଅନେକ ସମୟରେ ବିଜୟୀ ପ୍ରାର୍ଥୀ ବି ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତି ନାହିଁ। ଆଉ ଏମିତି ସ୍ଥିତିରେ ପରାଜିତ ପ୍ରାର୍ଥୀଙ୍କ ଠାରୁ କ’ଣ ବା ଆଶା କରାଯାଇପାରେ। କିନ୍ତୁ ମାଲକାନଗିରି ମ୍ୟୁନିସିପାଲିଟିରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ।

ସଦ୍ୟ ସମାପ୍ତ ପୌର ନିର୍ବାଚନରେ ପରାସ୍ତ ହୋଇଥିବା ଜଣେ ପ୍ରାର୍ଥୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ନାଁ ଜି. ଶ୍ରୀନିବାସ ରାଓ। ସେ କଂଗ୍ରେସ ଟିକେଟ୍‌ରେ ମାଲକାନଗିରି ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ପରାସ୍ତ ହୋଇଥିଲେ।

ଜି.ଶ୍ରୀନିବସ ରାଓ ମାଲକାନଗିରି ମ୍ୟୁନିସିପାଲିଟିର ୧୯ଟି ୱାର୍ଡରେ ଘର ଘର ବୁଲି ପ୍ରଚାର କରିଥିଲେ। ଆଉ ଏହି ସମୟରେ ସେ ପ୍ରାୟ ସ୍ଥାନରେ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ଦେଖିଥିଲେ। ଏହା ଦେଖି ଜି. ଶ୍ରୀନିବାସ ରାଓ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେ ଜିତିବେ ତା’ହେଲେ ୨୪ ଘଣ୍ଟା ମଧ୍ୟରେ ସବୁଠି ନଳକୂପ ଖୋଳି ଦେବେ। ଆଉ ଯଦି ହାରିଯିବେ, ତା’ହେଲେ ଏକ ସପ୍ତାହ ମଧ୍ୟରେ ସବୁଠୁ ନଳକୂପ ଖୋଳି ଦେବେ।

ନିର୍ବାଚନ ହାରିଯିବା ସତ୍ତ୍ୱେ ଜି. ଶ୍ରୀନିବାସ ରାଓ ତାଙ୍କ ପ୍ରତିଶ୍ରୁତି ଭୁଲି ନାହାନ୍ତି। ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାକୁ କାମ ଆରମ୍ଭ କରି ଦେଇଛନ୍ତି। ମାଲକାନଗିରି ଜିଲ୍ଲାପାଳଙ୍କ ବାସଭବନ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ୧୫ଟି ପରିବାର ରହୁଥିବା ଏକ ସାହିରେ ସେ ସଂପୂର୍ଣ୍ଣ ଭାବେ ନିଜସ୍ୱ ଖର୍ଚ୍ଚରେ ଏକ ନଳକୂପ ଖୋଳାଇଛନ୍ତି। ସେଥିପାଇଁ ସାହି ବାସିନ୍ଦା ବେଶ୍ ଖୁସି ଅଛନ୍ତି। କାରଣ ବର୍ଷ ବର୍ଷ ଧରି କେହି ସେମାନଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରୁ ନଥିଲେ। ଆଗାମୀ ଦିନରେ ମାଲକାନଗିରି ମ୍ୟୁନିସିପାଲିଟି ଅଞ୍ଚଳରେ ସେ ଆହୁରି ୧୦ଟି ନଳକୂପ ଖୋଳାଇବେ ବୋଲି କହିଛନ୍ତି ଜି. ଶ୍ରୀନିବାସ ରାଓ।

ସେ କହିଛନ୍ତି, ନିର୍ବାଚନ ପ୍ରଚାର ବେଳେ ପ୍ରାୟ ସ୍ଥାନରେ ପାଣି ସମସ୍ୟା ଦେଖିଥିଲି। ଜିଲ୍ଲାପାଳଙ୍କ ବାସଭବନରୁ ୧୦୦ ମିଟର ଦୂରତାରେ ପ୍ରାୟ ୧୫ଟି ପରିବାର ରହୁଛନ୍ତି। ସେମାନେ ପାଣି ପାଇଁ ଗୋଟେ କିଲୋମିଟର ଯାଉଥିଲେ। ଏହା ଦେଖି ମୋତେ ଦୁଃଖ ଲାଗିଲା। ତେଣୁ ମୁଁ ସବୁ ୱାର୍ଡର ଭୋଟର ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଜିତିବି ତା’ହେଲେ ୨୪ ଘଣ୍ଟାରେ ନଳକୂପ ଖୋଲାଇବି। ଆଉ ଯଦି ହାରିଯାଏ, ତା’ହେଲେ ଗୋଟିଏ ସପ୍ତାହରେ ନଳକୂପ ଖୋଳାଇବି। ଆଜି ଗୋଟିଏ ନଳକୂପ ଖୋଳା ଯିବା ପରେ ସେଠାକାର ଲୋକେ ଭାରି ଖୁସି ଅଛନ୍ତି।

ଜି. ଶ୍ରୀନିବାସ ରାଓ କହିଛନ୍ତି, ମୁଁ ଯେତେ ଦୂର ସମ୍ଭବ ଲୋକଙ୍କୁ ସହାୟତା କରିବି। ହାରି ଯାଇଥିଲେ ବି ମାଲକାନଗିରି ମ୍ୟୁନିସିପାଲିଟିରେ ବସବାସ କରୁଥିବା ଲୋକଙ୍କର ବିଭିନ୍ନ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବି। ଆଉ କେହି ନଶୁଣିଲେ ଆନ୍ଦୋଳନ କରିବି। ସାଙ୍ଗସାଥୀ ଓ ସମାଜସେବୀଙ୍କ ସହଯୋଗରେ ମୁଁ ମୋର ସମାଜସେବା କାର୍ଯ୍ୟ ଜାରି ରଖିବି।

ନିର୍ବାଚନ ହାରି ମଧ୍ୟ ଜିତିବା ଭଳି ଖୁସି ଅନୁଭବ କରୁଛନ୍ତି ଜି. ଶ୍ରୀନିବାସ ରାଓ। ତାଙ୍କ କାର୍ଯ୍ୟକୁ ଦେଖିଲେ ବି ଠିକ୍ ସେୟା ହିଁ ଲାଗୁଛି। ଲାଗୁଛି ସେ ହାରି ବି ଜିତି ଯାଇଛନ୍ତି। ଆଉ ସେଥିପାଇଁ ତ ସ୍ଥାନୀୟ ଲୋକେ କହୁଛନ୍ତି, ନେତା ହେବ ତ ଏମିତି।
https://youtu.be/G9EhhE7mos8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos