ଏବେ ଏବେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯେତେ ବର୍ଷ ବିତି ଗଲେ ବି ଦଶମ ଶ୍ରେଣୀ ସମସ୍ତଙ୍କ ପାଇଁ ସ୍ମୃତି ସଜଳ ହୋଇ ରହିଯାଏ। ଏଠାରେ ପଢ଼ନ୍ତୁ ସେହିଭଳି ଏକ ମନଛୁଆଁ କାହାଣୀ
[caption id="attachment_385476" align="alignleft" width="219"] ବୌଦ୍ଧାୟନ ଆଚାର୍ଯ୍ୟ[/caption]
ଲମ୍ବା ବେଣୀ ସାଙ୍ଗକୁ ଚିପା ସ୍କୁଲ ଡ୍ରେସ୍। ଓଠରେ କଳାଜାଇ। ନାଁ ତା’ର ସ୍ମୃତି ମାର୍ଟିନ୍ ହୋଇଥିଲେ ବି ସମସ୍ତେ ଡାକନ୍ତି ସ୍ଵିଟି। ନୀଳ ଫ୍ରକ୍ ସାଙ୍ଗକୁ ନାଲି ରିବନ ପିନ୍ଧି ସେ ଆମ ପାଖ ବେଞ୍ଚରେ ବସିବା ମାତ୍ରେ ମୋର ହାପ୍ ପ୍ୟାଣ୍ଟ ପିନ୍ଧା ସାଙ୍ଗମାନେ ନିଜ ଭାଷା ବ୍ୟବହାରରେ ସଞ୍ଜତ ହୋଇଯାଆନ୍ତି। ଓଡ଼ିଆ ସିନେମାର ମିହିର ଦାସ ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖି ଆମେ କେତେବେଳେ ସବୁ ମନେ ମନେ ହିରୋ ହେଇଯାଉଥିଲୁ। ଭାବୁଥିଲୁ ତାକୁ ଇଲୁ ଇଲୁ (ILU) କହିଦେଲେ ବୋଧେ ସେ ପଟିଯିବ। ‘ଇଲୁ’ର ଅର୍ଥ ଜାଣିନଥିଲୁ ସତ କିନ୍ତୁ ହାଇସ୍କୁଲରେ ଅଙ୍କ ଅପେକ୍ଷା ତା ଦେହର ଅଙ୍କାବଙ୍କା ଭୂଗୋଳକୁ ଆମେ ବାରମ୍ବାର ପଢ଼ୁଥିଲୁ।
ଆଗକୁ ମ୍ୟାଟ୍ରିକ୍ ପରୀକ୍ଷା ଥିଲେ ବି ତାକୁ ଦୁଇଥର ‘ଇଲୁ’ କହି ଗାଳି ଶୁଣିଥିବା ମୋ ସାଙ୍ଗମାନେ ସେହି ରସିକ ଶବ୍ଦରେ ହ୍ୟାଟ୍ରିକ୍ ମାରିବାର ବଜ୍ର ଶପଥ ନେଇଥିଲେ। ସାହିତ୍ୟର ବ୍ୟାକରଣ ଯେତିକି ମନେ ରହୁ ନଥିଲା ହିନ୍ଦୀର ପ୍ରପୋଜ ସାଏରି ସେତିକି ମନେ ରହୁଥିଲା। ଟିପା ଖାତାରେ ଟିପି ରଖୁଥିଲୁ। ମୁଁ ବି ବାଦ୍ ପଡ଼ୁନଥିଲି ସେଇ ଦୁଷ୍ଟାମୀରୁ। କ୍ଲାସରେ ଶୋଇଥିବା ବେଳେ ଗୁରୁଜୀ ମତେ ଚଟକଣୀଟିଏ କଷି ଦେଇଥିଲେ। ସିଏ ହସି ଦେଇଥିଲା। ଚଟକଣୀ ଯେତିକି ବାଧିନଥିଲା ବାଧିଥିଲା ତା’ ହସ। ମୋ ହୃଦୟକୁ ଖଣ୍ଡିଆ କରିପକେଇଥିଲା। ପୁଣି ଏମିତିବି ଭାବୁଥିଲି କାଳେ ସେ ଫସି ଗଲାକି ? "ଜୋ ହସ୍ ଦିୟା ୱ ଫସ୍ ଗୟା" ଫର୍ମୁଲାରେ ଭାବିଥିଲି ସ୍ଵିଟି ବୋଧେ ଏବେ ମୋର।
ଆଗରୁ ବାହାନା କରି ସ୍କୁଲ ଯାଉନଥିବା ମୋ ଭଳି ଜଣେ ଛାତ୍ର ଖାସ୍ ସ୍ଵିଟି ପାଇଁ ସବୁଦିନ ସ୍କୁଲ ଯାଉଥିଲା। କେବଳ ସୋମବାରରୁ ଶନିବାର ନୁହେଁ ବରଂ ପ୍ରତି ରବିବାର ସ୍ଵିଟି ଚର୍ଚ୍ଚ ଗଲାବେଳେ ମୋ ଭଙ୍ଗା ସାଇକେଲରେ ମୁଁ ତାକୁ ପିଛା କରୁଥିଲି। ଭଗବାନଙ୍କୁ ଡାକୁଥିଲି ମୋ ସାଇକେଲଟି ଧୁମ୍ ସିରିଜ୍ର ବାଇକ ଭଳି ହେଇଯାଆନ୍ତା କି…
ମୁଁ ହୁଅନ୍ତି ହ୍ରିତିକ୍ ରୋଶନ ଆଉ ସିଏ ହୁଅନ୍ତା ଐସୁର୍ୟ୍ୟା ରାୟ। ହାତରେ ବାଇବେଲ ଧରି ସେ ଯେତେବେଳେ ଆରାଧନା କରୁଥାଏ ସେତେବେଳେ ମୋ ମୁଣ୍ଡରେ ଘୁରୁଥାଏ ଗୀତଟିଏ "ତୋ ଖାଲି ପାଦ ଚାଲି ଭଲ ଲାଗୁନି ମୁଁ ଅଳତା ଆଣିଛି କିଣି…" ବୋଉ ଦେଉଥିବା ଟଙ୍କିକିଆ କଏନକୁ ଯତ୍ନରେ ରଖୁଥିଲି। କେବେ ଟିକେ ବେଶି ପଇସା ହେବ ମୁଁ କିଣିବି ତା’ ପାଇଁ ଅଳତା, ଅତର ସବୁ କିଛି।
ମୋ ଭାବନା ଆଉ ତା’ ପାଠପଢ଼ା ସେମିତି ଚାଲିଥାଏ। ଆସିଲା ପରୀକ୍ଷା ଦିନ। ଉତ୍ତର ଲେଖିବାରେ ଯେତିକି ମନ ନଥିଲା ଏଣିକି ଫୁଲ୍ ପ୍ୟାଣ୍ଟ ପିନ୍ଧିବି, କଲେଜ ଯିବି ଏଥିରେ ଥିଲା ଅଧିକ ମନ। ସେତେବେଳେ ଏମିତି ବି ଭାବୁଥିଲି ସ୍ଵିଟି ସହ ଆଉ କେବେ ଦେଖା ହେବ? ମୁଁ ତାକୁ କେବେ ପ୍ରପୋଜ୍ କରିବି ? ମୁଁ ତାକୁ କେବେ ମୋ ମନ କଥା ଖୋଲି କହିବି ? ସେ କେବେ ମତେ ଚାହିଁ ଆଉ ଥରେ ହସିବ?
ପରୀକ୍ଷା ପରେ ପରେ ମଝିରେ ଥରେ ମୋ ଗାଁ ଫୁଲବାଣୀରେ ହୋଇଥିଲା ସାମ୍ପ୍ରଦାୟୀକ ଦଙ୍ଗା। ଏହାକୁ ବନ୍ଦ କରିବାକୁ ଆସିଥିବା ଦଳ ଦଳ ପୋଲିସଙ୍କ ଡରରେ ଆମେ ସବୁ ଘରେ ଲୁଚି ରହିଲୁ। ସେତେବେଳେ ମୋ ସ୍ଵିଟି କୋଉଠି ଥିବ, କଣ କରୁଥିବ, କେମିତି ଥିବ, ସେ କଥା ମତେ ବେଶି ଅସ୍ତବ୍ୟସ୍ତ କରୁଥିଲା, ଛଟ୍ପଟ୍ କରୁଥିଲା। ବିବ୍ରତ କରୁଥିଲା। ମନ କହୁଥିଲା ତା’ ପାଖକୁ ପଳେଇ ଯାଆନ୍ତି କି। ଦୁଇ ମାସ ପରେ ଯେତେବେଳେ ସବୁ ଶାନ୍ତ ହେଲା ତା’ର କିଛି ଦିନ ପରେ ଆସିଲା ମ୍ୟାଟ୍ରିକ ରେଜଲ୍ଟ। ମୁଁ ପାସ୍ କରିଥିବି କି ନାହିଁ ଯେତିକି ଚିନ୍ତା ନଥିଲା ମୋ ସ୍ଵିଟିର କ’ଣ ହୋଇଥିବ ସେଇ ଚିନ୍ତାରେ ବେଶି ବ୍ୟସ୍ତ ଥିଲି। ମୋ ଏକପାଖିଆ ପ୍ରେମିକାର ରେଜଲ୍ଟ ଜାଣିବାକୁ ଦୋକାନ ପରେ ଦୋକାନ ଯାଇ ଇଣ୍ଟରନେଟ ଘାଣ୍ଟିଥିଲି।
ଦେଖିଲା ବେଳକୁ ସ୍ମୃତି ମାର୍ଟିନ୍ର ୯୦ ପ୍ରତିଶତ ସହ ଶ୍ରେଷ୍ଠ ଦଶଜଣଙ୍କ ଭିତରେ ସେ ଅଛି। ମାନେ ମୋ ସ୍ଵିଟି, ମୋ ପ୍ରେମର ମିଠା ସେ। ସେତେବେଳେ ମୁଁ ଏତେ ଖୁସି ହେଉଥିଲି ଯେ, ମୋ ରୋଲ୍ ନମ୍ବର ଚେକ୍ କରିବାକୁ ଭୁଲି ଯାଇଥିଲି। ତା’ ରେଜଲ୍ଟରେ ମୁଁ ଟିକେ ବେଶି କୁତୁକୁତୁ ହେଉଥିଲି। ଖୁସି ଖବରଟି ଜଣାଇ ତାକୁ ଇମ୍ପ୍ରେସ କରିବାକୁ ନିଜେ ତା’ ଘରକୁ ଧାଇଁଥିଲି। ହେଲେ ଦେଖିଲା ବେଳକୁ ମୋ ସ୍ଵିଟି ତା’ ଘରେ ନଥିଲା। ଥିଲା ତା’ ଫଟୋ ଆଉ ତା’ ଫଟୋରେ ଝୁଲୁଥିବା ଫୁଲମାଳ। ମୋ ପାଦତଳୁ ମାଟି ଖସିଗଲା। ତାଙ୍କ ଘରେ କେହି ନ ଥିଲେ। ମୁଁହ ଫେରାଇ ଚାଲି ଆସିଲି। ଜଣେ ପାଖ ପଡ଼ୋଶୀଙ୍କୁ ପଚାରିଲାରୁ ମଉସା ଜଣଙ୍କ କହିଲେ, 'ବାପରେ କି ଦଙ୍ଗା ହେଲା କେଜାଣି, ସ୍ଵିଟି ଚର୍ଚ୍ଚ ଯାଉଥିଲା, କିଛି ଲୋକ ଆକ୍ରମଣ କଲେ। ସ୍ଵିଟି ସେଇ ଦଙ୍ଗା ଭିତରେ ହିଁ ଫସିଯାଇଥିଲା। ମତେ ସେଦିନ ଆଉ କିଛି ବୁଝିବାର ବାକି ନଥିଲା।
ଆଜି ମୁଁ ଫୁଲ ପ୍ୟାଣ୍ଟ ପିନ୍ଧୁଛି। ଦଶମଶ୍ରେଣୀ ପରୀକ୍ଷା ପରେ ଆହୁରି ଢେର୍ ପରୀକ୍ଷାରେ ପାସ୍ କରି ସାରିଛି। ହେଲେ ମୋ ସ୍ଵିଟିର ନଥିବା ପଣକୁ ମୁଁ ଜମା ପାସ୍ କରି ପାରୁନି। ମତେ ସବୁଦିନ ସିଏ ମନେ ପଡ଼ୁଛି। ଏବେ ବହୁତ୍ ବାର ମତେ ସ୍ଵପ୍ନରେ ଦେଖାଯାଏ, ତା’ ଖାଲିପାଦରେ ଚାଲି ଚାଲି ଚର୍ଚ୍ଚକୁ ଯାଉଥିବାରୁ ଦୃଶ୍ୟ। ସେତେବେଳେ ବୋଉ ଦେଉଥିବା ପଇସାକୁ ଜମା କରୁଥିଲି ତା ପାଇଁ କିଣି ଦେବି ବୋଲି ଅଳତା, ଅତର। ଏବେ ବହୁତ୍ ପଇସା ଅଛି ହେଲେ କିଣି ପାରୁନି। ତା’ ଖାଲି ପାଦ ମତେ ସବୁ ରାତିରେ ଦେଖାଯାଏ। ଲାଗେ ଯେମିତି ସେ ମୋ ଅଳତାକୁ ଅପେକ୍ଷା କରିଛି।
ବୌଦ୍ଧାୟନ ଆଚାର୍ଯ୍ୟ
ଫୋନ୍-୮୩୨୮୮୫୮୭୫୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।