ସୋର(ଶଶିକାନ୍ତ ବେହେରା): ପାଦରେ ନଥାଏ ଚପଲ। ଗୋଟିଏ ଗୋଡ଼ର ପ୍ୟାଣ୍ଟ୍ ଆଣ୍ଠୁ ପର୍ଯ୍ୟନ୍ତ ଟେକା ହୋଇଥାଏ। ମୁଣ୍ଡରେ ଭିଡ଼ା ହୋଇଥାଏ ଖଣ୍ଡେ ଗାମୁଛା। ବେକରେ ଝୁଲୁଥାଏ ପ୍ଲାଷ୍ଟିକ୍ ବୋତଲର ମାଳ। ଆଉ ପିଠିରେ ପଡ଼ିଥାଏ ଗୋଟେ ଜରି ବସ୍ତା। ଏମିତି ବେଶରେ ସେ ଗଳିକନ୍ଦି ବୁଲି ପ୍ଳାଷ୍ଟିକ୍ର ବିଭିନ୍ନ ଜିନିଷ ଗୋଟାନ୍ତି। ଯେଉଁମାନେ ତାଙ୍କୁ ଜାଣନ୍ତି ନାହିଁ, ସେମାନେ ନିଶ୍ଚିତ ତାଙ୍କୁ ଜଣେ ପାଗଳ ବୋଲି ଭାବିବେ। ଏହା ସ୍ୱାଭାବିକ ମଧ୍ୟ। କିନ୍ତୁ ସେ ପାଗଳ ନୁହନ୍ତି। ସେ ଜଣେ ଇଞ୍ଜିନିୟର। ତାଙ୍କ ନାଁ ଅଭିମନ୍ୟୁ ମିଶ୍ର। ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ୍ର ଭୟାବହତା ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏମିତି ଏକ ଅଭିନବ ଅଭିଯାନ ଚଳାଇଛନ୍ତି ସେ।
ଅଭିମନ୍ୟୁଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁରେ। ତାଙ୍କ ବାପାଙ୍କ ନାଁ ହରିହର ମିଶ୍ର। ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିବା ପରେ ସେ ଚାକିରି କରିବେ ବୋଲି ବାପାମା’ ସ୍ୱପ୍ନ ଦେଖଥିଲେ। ହେଲେ ତାଙ୍କ ମୁଣ୍ଡରେ କିଛି ଅଲଗା ଚାଲିଥିଲା। ତାଙ୍କ ବୟସର ଯୁବକମାନେ ଚାକିରି ଚିନ୍ତାରେ ଥିବା ବେଳେ ସେ ପରିବେଶକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ତେଣୁ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ କାହାକୁ ସାଥୀ କରି ନଥିଲେ କି କୌଣସି ସଂଗଠନ ଗଢ଼ି ନଥିଲେ। ଏକା ଏକା ସେ ଏହି ଅଭିଯାନରେ ବାହାରି ପଡ଼ିଥିଲେ। ଦୁଇ ବର୍ଷ ତଳେ ଆରମ୍ଭ କରିଥିବା ଏହି ଅଭିଯାନକୁ ସେ ଏବେ ବି ଅବ୍ୟାହତ ରଖିଛନ୍ତି।
ଗାଁର ଯେଉଁଠି ବି ପ୍ଲାଷ୍ଟିକ୍ ଓ ଜରି ଭଳି ଆବର୍ଜନା ପଡ଼ିଥାଏ, ସେ ଗୋଟାନ୍ତି। ସକାଳୁ ସେ ତାଙ୍କ କାମରେ ଲାଗିପଡ଼ନ୍ତି। କିନ୍ତୁ ଗାଁ ଲୋକେ ପ୍ରଥମେ ପ୍ରଥମେ ତାଙ୍କର ଏ କାର୍ଯ୍ୟକୁ ବୁଝି ପାରି ନଥିଲେ ଓ ତାଙ୍କୁ ପାଗଳ କହି ନାନା କଥା କହୁଥିଲେ। ଏମିତିକି ତାଙ୍କୁ ଚୋର କହି ଦେଖିଲା ମାତ୍ରେ ଘଉଡ଼ାଇ ଦେଉଥିଲେ। ହେଲେ ସେ କାହାରି କଥାକୁ କର୍ଣ୍ଣପାତ କରୁ ନଥିଲେ। ସେ କେବଳ ପ୍ଲାଷ୍ଟିକ୍ କବଳରୁ କିପରି ପରିବେଶକୁ ରକ୍ଷା କରାଯାଇ ପାରିବ, ସେ ନେଇ ଚିନ୍ତିତ ଓ ଏଥିପାଇଁ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି।
ଏ ସଂପର୍କରେ ଅଭିମନ୍ୟୁ କହିଛନ୍ତି,“ମୋତେ ଏହି କାର୍ଯ୍ୟରୁ ଆତ୍ମସନ୍ତୋଷ ମିଳୁଛି।”
ଦଧିବାମନପୁର ଗାଁ ଭିତରକୁ ପଶିଗଲେ ଲାଗିବ ସତେ ଯେମିତି ଏହା ପ୍ଲାଷ୍ଟିକ୍ ନିଷିଦ୍ଧ ଗାଁଟିଏ। ଏହା କେବଳ ଅଭିମନ୍ୟୁଙ୍କ ପାଇଁ ସମ୍ଭବ ହୋଇପାରିଛି। ଅବଶ୍ୟ କିଛି ଗ୍ରାମବାସୀ ଏବେ ତାଙ୍କର ମହତ ଉଦ୍ଦେଶ୍ୟ ସଂପର୍କରେ ବୁଝିଲେଣି। ଯଦି ଗାଁର ସମସ୍ତ ଲୋକ ସଚେତନ ହୋଇଯିବେ, ତା’ହେଲେ ଏ ଗାଁଟିକୁ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ହେବାକୁ ବେଶି ଦିନ ଲାଗିବନି।