ଚାଉଳ ଦେବା ନାଁରେ ୨୪ କୋଟି ହଡ଼ପ! ୧୧ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମନାକୁ ଆସିଲା ମିଲର୍ସ ଓ ସରକାରୀ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା। ଧରା ପଡ଼ିଲା କୋଟି କୋଟି ଟଙ୍କାର ହେରଫେର। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର କର୍ମଚାରୀଙ୍କ ସହ ମିଲରଙ୍କ ଅସାଧୁ ସଂପର୍କ ଯୋଗୁଁ ହଡ଼ପ ହୋଇଛି କୋଟି କୋଟି ଟଙ୍କା। ସ୍ୱତନ୍ତ୍ର ଅଡିଟ୍‌ରେ ଏହା ଜଣା ପଡ଼ିବା ପରେ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ନିଗମ। ନିଗମର ୨୦୨୧ ଡିସେମ୍ବର ୨୭ […]

rice-mandi

Ranjit Kumar Jena
  • Published: Monday, 03 January 2022
  • , Updated: 03 January 2022, 09:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମନାକୁ ଆସିଲା ମିଲର୍ସ ଓ ସରକାରୀ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା। ଧରା ପଡ଼ିଲା କୋଟି କୋଟି ଟଙ୍କାର ହେରଫେର। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର କର୍ମଚାରୀଙ୍କ ସହ ମିଲରଙ୍କ ଅସାଧୁ ସଂପର୍କ ଯୋଗୁଁ ହଡ଼ପ ହୋଇଛି କୋଟି କୋଟି ଟଙ୍କା। ସ୍ୱତନ୍ତ୍ର ଅଡିଟ୍‌ରେ ଏହା ଜଣା ପଡ଼ିବା ପରେ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ନିଗମ।

ନିଗମର ୨୦୨୧ ଡିସେମ୍ବର ୨୭ ତାରିଖର ଏକ ଚିଠି ଅନୁସାରେ ୧୧ ଜଣ କର୍ମଚାରୀ ହଡ଼ପ କରିଛନ୍ତି ୨୪ କୋଟି ଟଙ୍କା। ମିଲରଙ୍କଠାରୁ ଏହି ଅର୍ଥ ପାଇବାର ଥିଲା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ। କିନ୍ତୁ ଏହି ଟଙ୍କା ଦେବାକୁ ଥିବା ମିଲରଙ୍କ ସହ ନିଗମର ୧୧ ଜଣ କର୍ମଚାରୀ ହାତ ମିଳାଇ ଏ ଟଙ୍କା ହଡ଼ପ କରିଛନ୍ତି। ଏହି କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସେମ୍ବର ୨୭ ତାରିଖରେ ଚିଠି କରିଛି ଯୋଗାଣ ବିଭାଗ। ଜାନୁୟାରୀ ୧୫ ତାରିଖ ସୁଦ୍ଧା ଏମାନଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରିବାକୁ ଚିଠି ହୋଇଛି।

ଜିଲ୍ଲା ସ୍ତରରେ କର୍ମଚାରୀଙ୍କୁ ସୁରକ୍ଷା ଦେଇଥିବା ଯୋଗାଣ ଅଧିକାରୀମାନଙ୍କୁ ଏହି ଚିଠି ଲେଖିଛନ୍ତି ନିଗମର ପରିଚାଳନା ନିର୍ଦ୍ଦେଶକ। ସ୍ୱତନ୍ତ୍ର ଅଡିଟରେ ଏହି ଦୁର୍ନୀତି ଧରାପଡ଼ିବା ପରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି କରିଥିଲା ନିଗମ। ମାତ୍ର ଏହାକୁ ମାସେ ବିତି ଯାଇଥିଲେ ବତ ଜିଲ୍ଲା ଯୋଗାଣ ଅଧିକାରୀମାନେ ନିଗମର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରି ନଥିଲେ। ସେଥିରୁ ଏହି ଅନିୟମିତତାରେ ସେମାନଙ୍କର ମଧ୍ୟ ସଂପୃକ୍ତି ଥିବା ଜଣାପଡ଼ୁଛି।

ଏହି ଚିଠି ଅନୁସାରେ ଏବେ ମାଲକାନଗିରିରେ କାର୍ଯ୍ୟରତ ଭଦ୍ରକର ପୂର୍ବତନ ଏମଆଇ କମ୍‌ ଏଓ କ୍ଷୀରବ୍ଦ ରାଜ ମହାପାତ୍ର। ସେ ଭଦ୍ରକର ମଙ୍ଗଳମ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମିଲ୍‌ ସହ ମିଶି ସେ ୧୧ କୋଟି ୩୧ ଲକ୍ଷ ଟଙ୍କା ହଡ଼ପ କରିଥିବା ଚିଠିରେ ଉଲ୍ଲେଖ ଅଛି। ଏହା ସହ କଳାହାଣ୍ଡିର ୬ଟି ମିଲ୍‌ ଏବଂ ସୋନପୁର, ସମ୍ବଲପୁର ଓ ଜଗତସିଂହପୁର ଥିବା ଗୋଟିଏ ଲେଖାଏ ମିଲ୍‌ ସହ ସହ ଯୋଗାଣ ବିଭାଗ କର୍ମଚାରୀଙ୍କ ଅସାଧୁ ମେଣ୍ଟର ପର୍ଦ୍ଦାଫାସ ହୋଇଛି। ତେବେ ୫-ଟି ଅଧୀନରେ ଅସାଧୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ସମସ୍ତଙ୍କ ପାଖକୁ ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଇ କର୍ପୋରେସନର ଚିଠି ଇସ୍ୟୁ ହୋଇଛି। ଏଥିପାଇଁ ଯେଉଁମାନେ ଦାୟୀ ଏବହ ଯେଉଁ କୋଟି କୋଟି ଟଙ୍କାର କ୍ଷତି ହୋଇଛି, ତାକୁ ରିକଭରୀ କରାଯିବ, ସେଥିଲାଗି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ମଙ୍ଗଳମ୍ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ଆଲୋକ ଖେମକା କହିଛନ୍ତି, ଆମ ହିସାବରେ ୧୦ କୋଟିରୁ ଅଧିକ ବାହାରୁଛି। ଆଉ ଆମେ ସେସବୁର ପେମେଣ୍ଟ କରିଦେଇଛୁ।

ରାଜ୍ୟ ସରକାର ପ୍ୟାକ୍ସ, ଏସଏଚଜି ଓ ଘରୋଇ ମିଲର୍‌ଙ୍କ ଜରିଆରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଥାନ୍ତି। ଧାନରୁ ଚାଉଳ ବାହାର କରିବା ଦାୟିତ୍ୱ ମଧ୍ୟ ରାଜ୍ୟର ଅନେକ ମିଲ୍‌କୁ ଦିଆଯାଇଛି। ଦିଆଯାଉଥିବା ଧାନର ୬୮ ପ୍ରତିଶତ ଚାଉଳ ଆକାରରେ ମିଲର୍‌ମାନେ ନିଗମକୁ ଦେବା କଥା। ସେ ବାବଦରେ ସେମାନଙ୍କୁ ପରିବହନ ଓ ମିଲିଂ ଖର୍ଚ୍ଚ ଦିଆଯାଇଥାଏ। ଏହି କାରବାରରେ ସ୍ୱଚ୍ଛତା ପାଇଁ ପ୍ରତି ମିଲ୍‌ ଦାୟିତ୍ୱରେ ଯୋଗାଣ ବିଭାଗର ଜଣେ ଲେଖାଏଁ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନେ ଏସବୁର ହିସାବ ରଖିଥାନ୍ତି। କିନ୍ତୁ ସ୍ୱତନ୍ତ୍ର ଅଡିଟ୍‌ରୁ ଜଣାପଡ଼ିଛି ଯେ ଏଭଳି ୧୧ ଜଣ କର୍ମଚାରୀଙ୍କ ଯୋଗୁଁ ନିଗମର ପ୍ରାୟ ୨୪ କୋଟି ଟଙ୍କା ହଡ଼ପ ହୋଇଛି।

ଗୋଟିଏ ପଟେ ମିଲର୍‌ମାନଙ୍କ ବିରୋଧରେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋ ଅନ୍ୟପଟେ ମିଲର୍‌ଙ୍କ ସହିତ ସରକାରୀ କର୍ମଚାରୀଙ୍କ ଅସାଧୁ ମେଣ୍ଟ। ଏବେ ଏନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏଭଳି ହେରଫେରରେ କେବଳ ତଳିଆ କର୍ମଚାରୀ ନୁହଁନ୍ତି ବଡ଼ ବଡ଼ିଆ ବି ସାମିଲ ଥିବା ଦଳ ଅଭିଯୋଗ କରିଛି। ସେପଟେ ବିଜେପି କହିଛି ମଣ୍ଡିରେ ମିଲର୍‌ଙ୍କ ରାଜୁତି ମନ ଇଚ୍ଛା ଚାଲିଛି। ଆଉ ସରକାରୀ କର୍ମଚାରୀଙ୍କ ଜରିଆରେ ମିଲର୍‌ଙ୍କଠାରୁ ନିର୍ବାଚନୀ ପାଣ୍ଠି ଆଦାୟ କରୁଛନ୍ତି ରାଜ୍ୟ ସରକାର।

ଧାନ ସଂଗ୍ରହ ସହିତ ଧାନରୁ ଚାଉଳ ବାହାର କରିବାକୁ ଏହି ମିଲର୍‌ମାନଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏମାନେ ଏହିପରି ବର୍ଷ ବର୍ଷ ଧରି ସରକାରଙ୍କ ଦେୟ ନଦେଇ ହଡ଼ପ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ କଳାତାଲିକାଭୁକ୍ତ ନକରି ପୁଣି ବର୍ଷ ପରେ ବର୍ଷ ଦାୟିତ୍ୱ ଦେଇ ଚାଲିଛନ୍ତି। ପୁଣି ଧରା ପଡ଼ିଥିବା ଏହି ସମସ୍ତ ମିଲ୍‌ର ପରିବେଶ ସମ୍ବନ୍ଧୀୟ ଲାଇଲେନ୍ସ ମଧ୍ୟ କେବେଠାରୁ ରଦ୍ଦ ହୋଇଗଲାଣି। ତଥାପି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଅସାଧୁ ମିଲ୍‌ ବିରୋଧରେ ସରକାର କେବେ ଓ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସମୟ କହିବ।

Related story