ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାପା-ମାଆଙ୍କ ଉପରେ ଅଭିମାନ କରି ଚପଳ ବୟସରେ ଘର ଛାଡ଼ିଥିଲେ। ଯୌବନରେ ଘରକୁ ଫେରିଥିଲେ। ସେପଟେ ୨୪ ବର୍ଷ ପରେ ସବୁ ଅଭିମାନକୁ ପଛରେ ପକାଇ ଘରକୁ ଫେରିଲେ ଆସମାନ। ହଜିଲା ପୁଅକୁ ଫେରିପାଇ ଲୁହରେ ଭିଜିଛି ମାଆର ପଣତ। ନିଜ ପୁଅକୁ ଛାତିରେ ଜାବୁଡ଼ି ଧରି କାନ୍ଦିକାନ୍ଦି କହୁଛନ୍ତି ମାଆ, କୁଆଡ଼େ ଯାଇଥିଲୁରେ ମୋ’ ବାୟାଧନ।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଦେବରାଜ ଦାସଙ୍କ ପୁଅ ହେଉଛନ୍ତି ଆସମାନ। ନବମ ଶ୍ରେଣୀରେ ପଢ଼ୁଥିଲେ। ଚଗଲା ହେଉଥିବାରୁ ବାପା-ମାଆ ତାଙ୍କୁ ଗାଳି ଦେଇଥିଲେ। ଯେଉଁଥିପାଇଁ ୧୯୯୮ ମସିହା ଫେବ୍ରୁଆରୀ ୧୧ ତାରିଖରୁ ଘରୁ ଲୁଚି କେଉଁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ ମଧ୍ୟ ପାଇନଥିଲେ। ସବୁଆଡୁ ନିରାଶ ହେବା ପରେ ଚୁପ୍ ବସିଥିଲେ ଦେବରାଜ ଦାସ।
ଇତି ମଧ୍ୟରେ ଆସମାନ ଘରୁ ପଳାଇ ଯିବାକୁ ୨୪ ବର୍ଷ ବିତିଗଲାଣି। ବଦଳିଗଲାଣି ଗାଁ ଚିତ୍ର। ପାଠ ପଢ଼ିବା ପାଇଁ ବାଧ୍ୟ କରୁଥିବା ବାପା ଦେବରାଜଙ୍କ ମୃତ୍ୟୁ ହେବାକୁ ପାଖାପାଖି ୫ ବର୍ଷ ବିତିଲାଣି। ଘରେ ବଡ଼ ଭାଇ ଓ ମାଆ ରହୁଥିବା ବେଳେ ହଠାତ୍ ଗାଁକୁ ଏକ ଚିଠି ଆସିଛି। ଚିଠିଟି କୁମ୍ଭାରପଡ଼ା ଗାଁର ତୋଫାନ୍ ଦାସଙ୍କ ପାଖକୁ ଆସିଛି। ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଲେଖାଯାଇଥିବା ଚିଠିଟି ହାଇଦ୍ରାବାଦରୁ ଆସିଛି।
ମୋବାଇଲରେ ସମସ୍ତେ ବ୍ୟସ୍ତ ଥିବା ବେଳେ ହଠାତ୍ ଚିଠି ଆସିବାକୁ ଦେଖି ଚକିତ ହୋଇ ଯାଇଥିଲେ ତୋଫାନ୍। ତରବର ହୋଇ ଚିଠିଟିକୁ ଖୋଲି ପକାଇଲେ। ଚିଠିରେ ଲେଖାଯାଇଛି, ଆସମାନ ଦାସ। ନାଁଟି ପଢ଼ିବା ପରେ ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ ତୋଫାନ୍। ସତରେ କଣ ମୋ’ ସାଙ୍ଗ ବଞ୍ଚିଛି? ଏବେ ସେ କେଉଁଠି ଅଛି? କେମିତି ଅଛି? ଘରକୁ କାହିଁକି ଆସୁନାହିଁ? ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଲେ ତୋଫାନ୍।
ନିଜ ମନ ଭିତରେ ଆବେଗକୁ ନିୟନ୍ତ୍ରଣ କରି ଚିଠିଟିକୁ ପଢ଼ିବାକୁ ଆରମ୍ଭ କଲେ ତୋଫାନ୍। ୨୪ ବର୍ଷ ତଳର ପିଲାଦିନର ଟିକ୍ନିକ୍ କଥା ଲେଖିଥିଲା ଆସମାନ। ଚିଠ ପଢ଼ିବା ପରେ ତୋଫାନ୍ଙ୍କ ପିଲା ଦିନ ସ୍ମୃତି ତାଜା ହୋଇଯାଇଥିଲା। ସେହି ନିରବତା ଭିତରେ ଆସମାନ ଲେଖିଥିଲା, ଘରୁ ପଳାଇ ଯିବାର କାରଣ? ଚିଠିରେ ସେ ପୂରା କାହାଣୀ ବର୍ଣ୍ଣନା କରିଥିଲା। ଆସମାନର କହିବା ଅନୁସାରେ ସେ ଘରୁ ପଳାଇଯିବା ପରେ ହାଇଦ୍ରାବାଦରେ ଏକ ଟେଣ୍ଟ ହାଉସ୍ରେ ଲେବର ଭାବେ କାମ କରିଥିଲା। ସେଠାରେ ଆଜି ପର୍ଯ୍ୟନ୍ତ ସେମିତି କାମ କରୁଛନ୍ତି।
ଆସମାନ ଦେଇଥିବା ଚିଠିଟିକୁ ତୋଫାନ୍ ନେଇ ପରିବାର ଲୋକଙ୍କୁ ଦେଖାଇଥିଲା। ଏହା ପରେ ଆସମାନଙ୍କ ପରିବାର ଲୋକେ ଚିଠିରେ ଦିଆଯାଇଥିବା ଫୋନ୍ ନମ୍ୱରରେ ଫୋନ୍ କରିଥିଲେ। ଆଉ ଘରକୁ ଫେରିବା ପାଇଁ ତାଙ୍କ ମାଆ ତାଙ୍କୁ ବୁଝାଇଥିଲେ। ପାଖାପାଖି ୪୪ ବର୍ଷରେ ବଦାର୍ପଣ କରିଥିବା ଆସମାନ ଘରକୁ ଫେରିବା ପାଇଁ ଚାହୁଁଥିଲେ। ହେଲେ ଆସିପାରୁନଥିଲେ।
ଆସମାନଙ୍କ ମନର ବ୍ୟଥାକୁ ବୁଝିଥିଲେ ଟେଣ୍ଟ ହାଉସ୍ ମାଲିକଙ୍କ ଝିଅ। ସେ ଗାଡ଼ି କରି ଆସମାନଙ୍କୁ ଘରକୁ ପଠାଇଥିଲେ। ଆଜି ଆସମାନ ଘରେ ବହଞ୍ଚିଛି। ହଜିଲା ପୁଅ ୨୪ ବର୍ଷ ପରେ ଘରକୁ ଫେରିଥିବା ପରେ ଲୁହରେ ଭିଜିଥିଲା ପରିବେଶ। ହଜିଲା ପୁଅକୁ କୁଣ୍ଢାଇ ଧରି କାନ୍ଦୁଛନ୍ତି ତାଙ୍କ ମାଆ। ଆଉ ସେ କହୁଛନ୍ତି, କୁଆଡ଼େ ଥିଲେ ଧନ... କୁଆଡ଼େ ଯାଇଥିଲୁ ମୋ ବାୟା ଧନ...।