Advertisment

୧୦ ବର୍ଷ ହେଲା ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

କୋଇଡ଼ା (ସୁନୀଲ ପଣ୍ଡା): ୧୦ ବର୍ଷ ତଳେ ଭାଙ୍ଗି ଯାଇଥିଲା ଅଙ୍ଗନବାଡ଼ି କେନ୍ଦ୍ର ଗୃହ। ବାସ୍‌, ତା’ପରଠୁ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ୧୦ ବର୍ଷ ବିତି ଯାଇଥିଲେ ବି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂଆ ଘରଟିଏ ହୋଇପାରିନାହିଁ। ଏହି ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଯଲଢ଼ି ଗାଁରୁ। ବଡ଼ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଯଲଢ଼ି ଗାଁର ଅଙ୍ଗନବାଡ଼ି କେନ୍ଦ୍ର। ପ୍ରଥମ ଓ ପ୍ରମୁଖ ସମସ୍ୟା ହେଉଛି, ଏହାର ନିଜସ୍ୱ […]

author-image
Jitendra Garnayak
୧୦ ବର୍ଷ ହେଲା ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

Anganwadi Centre

କୋଇଡ଼ା (ସୁନୀଲ ପଣ୍ଡା): ୧୦ ବର୍ଷ ତଳେ ଭାଙ୍ଗି ଯାଇଥିଲା ଅଙ୍ଗନବାଡ଼ି କେନ୍ଦ୍ର ଗୃହ। ବାସ୍‌, ତା’ପରଠୁ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ୧୦ ବର୍ଷ ବିତି ଯାଇଥିଲେ ବି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂଆ ଘରଟିଏ ହୋଇପାରିନାହିଁ। ଏହି ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଯଲଢ଼ି ଗାଁରୁ।

Advertisment

ବଡ଼ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଯଲଢ଼ି ଗାଁର ଅଙ୍ଗନବାଡ଼ି କେନ୍ଦ୍ର। ପ୍ରଥମ ଓ ପ୍ରମୁଖ ସମସ୍ୟା ହେଉଛି, ଏହାର ନିଜସ୍ୱ ଗୃହ ନାହିଁ। ପ୍ରାୟ ୨୦ ଶିଶୁଙ୍କୁ ନେଇ ଅଙ୍ଗନବାଡ଼ି ହେଲ୍‌ପର ଗାୟତ୍ରୀ ଦେହୁରୀଙ୍କ ମାଟି ଖପର ଘରର ଅଣଓସାରିଆ ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଖରା,ବର୍ଷା ଓ ଶୀତରେ ଏହି ବରଣ୍ଡାରେ ବସି ପିଲାଏ ପାଠ ପଢ଼ନ୍ତି ଓ ଖାଦ୍ୟ ଖାଆନ୍ତି। ଖରା ଓ ଶୀତ ଦିନେ କୌଣସି ମତେ ଏସବୁ କାର୍ଯ୍ୟ ହେଉଥିଲେ ମଧ୍ୟ ବର୍ଷା ଦିନେ ଭାରି କଷ୍ଟ ହୁଏ। ବର୍ଷା ହେଲେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇଯାଏ। ପିଲାଏ ଆସନ୍ତି ନାହିଁ।

ଦ୍ୱିତୀୟ ସମସ୍ୟା ହେଉଛି, ଏହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜଣେ ଅଙ୍ଗନବାଡ଼ି ଦିଦି ନିଯୁକ୍ତ ହୋଇଥିଲେ ହେଁ, ସେ ସବୁ ଦିନେ ଆସନ୍ତି ନାହିଁ। ସେ ୧୦/୧୫ ଦିନରେ ଥରେ ଆସନ୍ତି ବୋଲି ଅଭିଯୋଗ ହୋଇଛି। ସେ ଅନୁପସ୍ଥିତ ରହୁଥିବା ଯୋଗୁ ଅଙ୍ଗନବାଡ଼ି ହେଲ୍‌ପର ଗାୟତ୍ରୀ ଦେହୁରୀ ସବୁ ବୁଝାବୁଝି କରନ୍ତି। ସେ ପିଲାଙ୍କୁ ପାଠ ପଢ଼ାଇବା ସହିତ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରନ୍ତି।

Advertisment

ଅଙ୍ଗାବନାଡ଼ି କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଘରଟିଏ ନଥିବାରୁ ଏଠାକୁ ଆସୁଥିବା ପିଲାମାନେ ଅନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ପିଲାଙ୍କୁ ବିଭିନ୍ନ କଥା ଶିଖାଇବା ପାଇଁ ବିଭିନ୍ନ ପ୍ରକାର ଚିତ୍ର ବା ଛବିର ସାହାଯ୍ୟ ନିଆଯାଏ। ଫଳରେ ପିଲାଙ୍କ ମଧ୍ୟରେ ଶିଖିବା ପାଇଁ ଆଗ୍ରହ ପ୍ରକାଶ ପାଏ। ସ୍ୱତନ୍ତ୍ର ଘରଟିଏ ନଥିବାରୁ ତଥା ଅଙ୍ଗନବାଡ଼ି ଦିଦି ନିତି ଦିନ ଆସୁନଥିବାରୁ ଖେଳ ଖେଳରେ ବା ଗୀତନାଚ କରି ପିଲାଙ୍କୁ ଯେମିତି ଶିକ୍ଷା ଦିଆଯିବା କଥା, ତାହା ବି ହୋଇପାରୁ ନାହିଁ।

ଅଙ୍ଗନବାଡ଼ି ହେଲ୍‌ପର ଗାୟତ୍ରୀ ଦେହୁରୀ କହିଛନ୍ତି, କେତେ ଦିନ ଆଉ ଏମିତି ଚାଲିବ? ଆମ ଘର ବରଣ୍ଡାରେ ଏମିତି ଅଙ୍ଗନବାଡ଼ି କେନ୍ଦ୍ର ଚାଲିବାକୁ ଆମ ପରିବାର ଲୋକେ ବିରୋଧ କରୁଛନ୍ତି। ସେମାନେ କହୁଛନ୍ତି, କେତେବେଳେ କ’ଣ ଅଘଟଣ ଘଟିଲେ କିଏ ଦାୟୀ ରହିବ? ସେତେବେଳେ ସରକାର କିଛି ବୁଝିବେ କି? ସେଥିପାଇଁ ମୁଁ ବି ଚାହୁଁନି ଯେ ଆମ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ। ତେଣୁ ସରକାର ଯେତେ ଶୀଘ୍ର ହୋଇପାରିବ ଆମ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘରଟିଏ ତିଆରି କରି ଦିଅନ୍ତୁ।

[caption id="attachment_778845" align="aligncenter" width="650"]Angabwadiଆସୁନାହାନ୍ତି ଅଙ୍ଗନବାଡ଼ି ଦିଦି, ପାଠ ପଢ଼ାଉଛନ୍ତି ଅଙ୍ଗନବାଡ଼ି ହେଲ୍‌ପର[/caption]

ଗ୍ରାମବାସୀ ବି ଏ ସଂପର୍କରେ ବିଭିନ୍ନ ସମୟରେ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି। କିନ୍ତୁ କିଛି ଫଳପ୍ରଦ ହୋଇନାହିଁ। ଅନ୍ୟପକ୍ଷରେ କୋଇଡ଼ା ସିଡିପିଓ କହିଛନ୍ତି ଯେ ଆସନ୍ତା ବର୍ଷ ବର୍ଷା ଋତୁ ପୂର୍ବରୁ ଯଲଢ଼ି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ହୋଇଯିବ। ତେବେ ପିଲାଏ ବାରଣ୍ଡାରେ ବସି ପଢୁଥିବା କଥାକୁ ସେ ସ୍ୱୀକାର କରି ନାହାନ୍ତି।

ସିଡିପିଓ କହିଛନ୍ତି, ପୂର୍ବରୁ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୃହଟି ନଷ୍ଟ ହୋଇଗଲା ପରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଘରେ ପାଠପଢ଼ା ଚାଲିଛି। ତାଙ୍କ ଘର ଭିତରେ ହିଁ ପାଠପଢ଼ା ଚାଲେ। ଶୀତ ଦିନ ହୋଇଥିବାରୁ ଥଣ୍ଡା ଲାଗୁଥିବାରୁ ପିଲାଏ କେତେବେଳେ କେମିତି ବାହାରେ ଆସି ବୁଲାବୁଲି କରୁଛନ୍ତି ବା ଖେଳୁଛନ୍ତି। ବର୍ଷା ଦିନ ପୂର୍ବରୁ ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗୃହ ନିର୍ମାଣ ହୋଇଯିବ।

ସିଡିପିଓ ତ ବେଶ୍ ସହଜରେ କହି ଦେଲେ ଆଗାମୀ ବର୍ଷା ଦିନ ପୂର୍ବରୁ ନୂଆ ଘର ହୋଇଯିବ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ୧୦ ବର୍ଷ ହେଲା କେମିତି ଜଣେ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚଲାଇବାକୁ ଦିଆଯାଇଛି ଅନୁମତି। ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘରଟିଏ କରିବା ପାଇଁ କାହିଁକି ଏତେ ବର୍ଷ ଲାଗୁଛି? ୧୦ ବର୍ଷ କିଛି କମ୍ ସମୟ ନୁହେଁ। ଏହା ସରକାର ଓ ପ୍ରଶାସନର କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।