Advertisment

ଅଙ୍ଗନବାଡ଼ି ଦିଦି ନାହାନ୍ତି: ପିଲାମାନେ ଅଣ୍ଡା, ଭାତ ଖାଇ ପଳାଉଛନ୍ତି

କାମାକ୍ଷାନଗର (ବିଦ୍ୟାଧର ବରାଳ): ଅଙ୍ଗନବାଡ଼ି କେନ୍ଦ୍ର ଅଛି। ହେଲେ ଦିଦି ନାହାନ୍ତି। ତେଣୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ଆସି ଅଣ୍ଡା ଓ ଭାତ ଖାଇ ଘରକୁ ପଳାଇ ଯାଉଛନ୍ତି। ବିନା ଦିଦିରେ ୧୩ ବର୍ଷ ଧରି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଏପରି ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ଅଞ୍ଚଳରୁ। ବାଲିଖୁମା ପଞ୍ଚାୟତ ଡାଉଁଶନାଳୀ ଗାଁରେ ରହିଛି ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର। ଚଳିତ ବର୍ଷ ଏହି କେନ୍ଦ୍ରକୁ ୨୧ ଜଣ ଶିଶୁ ଆସୁଛନ୍ତି। ଦିଦି ନିଯୁକ୍ତି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅଙ୍ଗନବାଡ଼ି ଦିଦି ନାହାନ୍ତି: ପିଲାମାନେ ଅଣ୍ଡା, ଭାତ ଖାଇ ପଳାଉଛନ୍ତି

Anganwadi centre

କାମାକ୍ଷାନଗର (ବିଦ୍ୟାଧର ବରାଳ): ଅଙ୍ଗନବାଡ଼ି କେନ୍ଦ୍ର ଅଛି। ହେଲେ ଦିଦି ନାହାନ୍ତି। ତେଣୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ଆସି ଅଣ୍ଡା ଓ ଭାତ ଖାଇ ଘରକୁ ପଳାଇ ଯାଉଛନ୍ତି। ବିନା ଦିଦିରେ ୧୩ ବର୍ଷ ଧରି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଏପରି ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ଅଞ୍ଚଳରୁ।

Advertisment

ବାଲିଖୁମା ପଞ୍ଚାୟତ ଡାଉଁଶନାଳୀ ଗାଁରେ ରହିଛି ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର। ଚଳିତ ବର୍ଷ ଏହି କେନ୍ଦ୍ରକୁ ୨୧ ଜଣ ଶିଶୁ ଆସୁଛନ୍ତି। ଦିଦି ନିଯୁକ୍ତି ପାଇନଥିବାରୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ଆସୁଛନ୍ତି ଭାତ ଓ ଅଣ୍ଡା ଖାଇ ପଳାଇ ଯାଉଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରର ହେଲ୍‌ପର ପିଲାଙ୍କୁ ଭାତ, ଅଣ୍ଡା ଓ ଛତୁଆ ଦେଉଛନ୍ତି। ହେଲେ ପାଠପଢ଼ା ପୂରା ଠପ୍‌ ହୋଇଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ଧରି ବିନା ଦିଦିରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।

ଏଠି ପ୍ରଶ୍ନ ଉଠୁଛି, କୁଆଡ଼େ ଗଲେ ଅଙ୍ଗନବାଡ଼ି ଦିଦି? ଏହାର ଉତ୍ତର ଖୋଜିବାକୁ ହେଲେ ୧୩ ବର୍ଷ ତଳକୁ ଯିବାକୁ ପଡ଼ିବ। ଏଠାରେ ନିଯୁକ୍ତି ପାଇଥିବା ଅଙ୍ଗନବାଡ଼ି କର୍ମୀ ୨୦୦୯ ମସିହାରେ ଅନ୍ୟତ୍ର ଚାକିରି ପାଇଥିଲେ। ତେଣୁ ସେ ଅଙ୍ଗନବାଡ଼ି ଚାକିରି ଛାଡ଼ି ପଳାଇ ଯାଇଥିଲେ। ଅଙ୍ଗନବାଡ଼ି ଦିଦି ଚାକିରି ଛାଡ଼ିବା ପରେ କଷ୍ଟେ ମଷ୍ଟେ ଦୁଇ ବର୍ଷ ଧରି ହେଲ୍‌ପର ଶାନ୍ତି ମୁର୍ମୁ କେନ୍ଦ୍ର ଚଲାଇଲେ।

Advertisment

ଶାନ୍ତି ୨୦୧୧ ମସିହାରେ ନିଜେ ଅଙ୍ଗନବାଡ଼ି କର୍ମୀ ହେବା ପାଇଁ ଚାହିଁ ଥିଲେ। ତେଣୁ ସେ କଙ୍କଡ଼ାହାଡ ସିଡିପିଓଙ୍କ ପାଖରେ ଆବେଦନ କରିଥିଲେ। ହେଲେ ଶାନ୍ତି ଅଣ୍ଡର ମାଟ୍ରିକ୍‌ ହୋଇଥିବାରୁ ଚାକିରି ମିଳିନଥିଲା। ତେଣୁ ସେ କୋର୍ଟରେ ଆଶ୍ରୟ ନେଇଥିଲେ। ୨୦୧୪ ମସିହାରେ ଶାନ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ କୋର୍ଟ। ତେଣୁ ଶାନ୍ତି କେବଳ ହେଲ୍‌ପର ଭାବେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦି ନିଯୁକ୍ତି ପାଇଁ ଡାଉଁଶନାଳୀ ଗାଁ ଲୋକେ ବାରମ୍ୱାର ଅନୁରୋଧ କରି ଆସୁଛନ୍ତି। ହେଲେ କଙ୍କଡ଼ାହାଡ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏଥିପ୍ରତି ତିଳେ ମାତ୍ର ନଜର ଦେଉ ନାହାନ୍ତି। ଯାହାଫଳରେ ହେଲ୍‌ପରଙ୍କ ଦ୍ୱାରା ପରିଚାଳିତ ହେଉଛି ଅଙ୍ଗନବାଡ଼ି କେନ୍ଦ୍ର। ଅନ୍ୟ ପକ୍ଷରେ ୨୦୨୧ ମସିହାରେ ରାଜ୍ୟର ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ନୂଆ ଦିଦି ନିଯୁକ୍ତି ଦିଆଯାଇଥିଲା। ହେଲେ ଡାଉଁଶନାଳୀ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଲା ନାହିଁ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବିନା ଦିଦିରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବାକୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ତୁରନ୍ତ ନୂତନ ନିଯୁକ୍ତି ପାଇଁ ନୋଟିସ୍‌ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଗାଁର ଜଣେ ଅଭିଭାବକ କହିଛନ୍ତି, “୧୩ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦି ନାହାନ୍ତି। ତେଣୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଭାତ, ଅଣ୍ଡା ଖାଇ ଘରକୁ ପଳାଇ ଆସୁଛନ୍ତି। ପିଲାମାନେ ପାଠ ପଢ଼ି ପାରୁ ନାହାନ୍ତି। ସରକାରଙ୍କୁ ଅନୁରୋଧ କରୁଛି, ଆମ ଗାଁରେ ଜଣେ ଅଙ୍ଗନବାଡ଼ି ଦିଦି ନିଯୁକ୍ତି କରନ୍ତୁ।”