Advertisment

ବିବେକାନନ୍ଦ: ବିସ୍ମୟ ବ୍ୟକ୍ତିତ୍ୱ

ସ୍ୱାମୀ ବିବେକାନନ୍ଦଙ୍କୁ ନିଶ୍ଚିତ ଭାବେ ସନାତନ ଚେତନାର ଏକ ପ୍ରମୁଖ ପଥ ପ୍ରଦର୍ଶକ ଭାବେ ଆଖ୍ୟାୟିତ କରାଯାଇପାରିବ। ବର୍ତ୍ତମାନ ସମୟରେ ବିବେକାନନ୍ଦଙ୍କର ଦର୍ଶନ ଓ ଚିତ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ। ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ।  ସେଥିପାଇଁ ପ୍ରତିବର୍ଷ ଜାନୁୟାରୀ ୧୨ ତାରିଖକୁ ‘ଜାତୀୟ ଯୁବ ଦିବସ’ ଭାବେ ମଧ୍ୟ ପାଳନ କରାଯାଏ। କଲିକତାରୁ ଆମେରିକାର ଚିକାଗୋ ସହର ପର୍ଯ୍ୟନ୍ତ ବିବେକାନନ୍ଦଙ୍କର ଯାତ୍ରା ଓ ସଂଘର୍ଷର କାହାଣୀ ଯୁବ […]

ଅଦ୍ୟତନ ହୋଇଛି
ବିବେକାନନ୍ଦ: ବିସ୍ମୟ ବ୍ୟକ୍ତିତ୍ୱ

dev-final

Advertisment

ସ୍ୱାମୀ ବିବେକାନନ୍ଦଙ୍କୁ ନିଶ୍ଚିତ ଭାବେ ସନାତନ ଚେତନାର ଏକ ପ୍ରମୁଖ ପଥ ପ୍ରଦର୍ଶକ ଭାବେ ଆଖ୍ୟାୟିତ କରାଯାଇପାରିବ। ବର୍ତ୍ତମାନ ସମୟରେ ବିବେକାନନ୍ଦଙ୍କର ଦର୍ଶନ ଓ ଚିତ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ। ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ।  ସେଥିପାଇଁ ପ୍ରତିବର୍ଷ ଜାନୁୟାରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ମଧ୍ୟ ପାଳନ କରାଯାଏ। କଲିକତାରୁ ଆମେରିକାର ଚିକାଗୋ ସହର ପର୍ଯ୍ୟନ୍ତ ବିବେକାନନ୍ଦଙ୍କର ଯାତ୍ରା ଓ ସଂଘର୍ଷର କାହାଣୀ ଯୁବ ସମାଜକୁ ଅନୁପ୍ରେରିତ କରେ। ବିବେକାନନ୍ଦଙ୍କ ଜୀବନର ପ୍ରଭାବ ପ୍ରେରଣାଦାୟୀ ଏବଂ ତାଙ୍କର ସାଧନା ଯୁବମାନସରେ ସକାରାତ୍ମକ ଅଭ୍ୟୁଦୟ ପାଇଁ ପ୍ରଯୁଜ୍ୟ ଓ ଗ୍ରହଣଯୋଗ୍ୟ।

Advertisment

ବିବେକାନନ୍ଦ କହିଥିଲେ ଯେ, ସଫଳତା ପାଇଁ ମନୁଷ୍ୟକୁ ତାର ଚାରିତ୍ରିକ ଶୁଦ୍ଧତା, ଧୈର୍ଯ୍ୟ ଏବଂ ଅଧ୍ୟବସାୟ ଉପରେ ଗୁରୁତ୍ୱ ଦେବାକୁ ହେବ। ସର୍ବୋପରି ମଣିଷର ହୃଦୟରେ ପ୍ରେମକୁ ସେ ପ୍ରାଥମିକତା ଦେଇଥିଲେ। ପ୍ରେମ ଦ୍ୱାରା ଅସାଧ୍ୟ ସାଧନ ସମ୍ଭବ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ପ୍ରେମର ଶକ୍ତିର ସନ୍ଧାନ କରିବା ଉଚିତ।

ତାଙ୍କ ମତରେ, ଯେଉଁ କର୍ମ ଆମକୁ ଅର୍ଥାତ ଆମ ଚେତନାକୁ ଉର୍ଦ୍ଧ୍ୱଗାମୀ କରାଏ ତାହା ସୁକର୍ମ ଏବଂ ତାହା କରିବା ଆମର ଧର୍ମ। କିନ୍ତୁ ଯେଉଁ କର୍ମ ଆମକୁ ନିମ୍ନଗାମୀ କରାଏ, ତାହା କୁକର୍ମ ଏବଂ ଆମେ ସେଥିରୁ ବିରତ ରହିବା ଆବଶ୍ୟକ। ମଣିଷର ଜୀବନ ସଂଘର୍ଷମୟ ଏବଂ ସଂଘର୍ଷରୁ ହିଁ ଜନ୍ମନିଏ। ତେଣୁ ସମସ୍ୟା ଏବଂ ଆହ୍ୱାନ ଆଗରେ ହାର ନମାନି ତାହା ମଧ୍ୟରୁ ପ୍ରକୃତ ସ୍ୱରୂପକୁ ଆବିଷ୍କାର କରିବାର ସୁଯୋଗର ସନ୍ଧାନ କରାଯିବା ଦରକାର। ସେ ପୁଣି କହିଥିଲେ ଯେ, 'ସଫଳ ହେବା ପାଇଁ ପ୍ରବଳ ଇଚ୍ଛାଶକ୍ତି ଏବଂ ଭୀଷଣ ଉଦ୍ୟମର ଆବଶ୍ୟକତା ରହିଛି। ଆଜିର ଯୁବ ସମାଜ ସହଜ ମାଧ୍ୟମ ପଛରେ ନ ଗୋଡାଇ ଏହି କଥାକୁ ହୃଦୟଙ୍ଗମ କରିବା ଉଚିତ। ବିବେକାନନ୍ଦଙ୍କ ଅନୁସାରେ, ମଣିଷ ନିଜେ ହିଁ ନିଜର ଭାଗ୍ୟ ବିଧାତା।'
ତା'ପରେ କୌଣସି ପରିସ୍ଥିତି ପାଇଁ କାହାକୁ ଦୋଷ ନଦେଇ ନିଜର ଭୂମିକାକୁ ଅନୁଭବ କରିବା ଦରକାର। ଯଦି ଦୋଷ ଦେବାର ଅଛି ତ ନିଜେ ଦୋଷ ସ୍ୱୀକାର କରି ପ୍ରତ୍ୟେକ ପରିସ୍ଥିତିରେ ଆଗକୁ ବଢ଼ିବା ଦରକାର। ଆମ ଭିତରର ଐଶ୍ୱରୀକ ସତ୍ତାକୁ ଅନୁଭବ କରିପାରିଲେ, ସବୁ ସମସ୍ୟାର ସମାଧାନ ସମ୍ଭବ। ଆମର ଐଶ୍ୱରୀୟ ସତ୍ତା କେବେ ନିମ୍ନ ଧରଣର ପ୍ରତିକ୍ରିୟା ପ୍ରଦର୍ଶନ କରେନାହିଁ। ସବୁ ପରିସ୍ଥିତିରେ ଏହା ସଂଯମତା ଏବଂ ଅନାସକ୍ତ ଆଚରଣର ପ୍ରଦର୍ଶନ କରିଥାଏ। ଆମକୁ ଆମର ଐଶ୍ୱରୀୟ ସତ୍ତା ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ତା'ହେଲେ ଯାଇ ଆମେ ସାଧନାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା। ସେ କହିଥିଲେ ଯେ, 'ଅଜ୍ଞାନତା ହିଁ ସବୁ ସମସ୍ୟାର କାରଣ। ଯେଉଁ ପର୍ଯ୍ୟନ୍ତ ମଣିଷର ଚରିତ୍ରରେ ପରିବର୍ତ୍ତନ ନଆସିଛି, ତା'ର ଅବସ୍ଥାରେ କେବେ ବି ପରିବର୍ତ୍ତନ ସମ୍ଭବ ନୁହେଁ। ମଣିଷ ନିଜ ପାଇଁ ଯାହା ତ୍ୟାଗ କରେ, ତାହା କିଛି ନୁହେଁ। କିନ୍ତୁ ଯଦି ସମାଜର ମଙ୍ଗଳ ପାଇଁ ମଣିଷ କିଛି ତ୍ୟାଗ କରେ, ତେବେ ସେ ଭଗବାନ ପାଲଟିଯାଏ। ତାଙ୍କ ଅନୁସାରେ ବ୍ୟକ୍ତିର ତ୍ୟାଗରେ କୌଣସି କ୍ଷୁଦ୍ର ସ୍ୱାର୍ଥ ରହିବା ଅନୁଚିତ। ବିବେକାନନ୍ଦଙ୍କ ମତରେ ପ୍ରତ୍ୟେକ ଧର୍ମ ମଣିଷକୁ ତାର ପ୍ରକୃତ ଐଶ୍ୱରୀୟ ସତ୍ତାର ଅନୁଭବ କରାଇବା ଉଚିତ। ଧର୍ମ କେବେ ବିଭେଦ ଓ ବିଭ୍ରାନ୍ତି ସୃଷ୍ଟି କରେନାହିଁ। ଏହା ମଣିଷ ଭିତରେ ଆତ୍ମଜ୍ଞାନ ଓ ଆତ୍ମପ୍ରତ୍ୟୟ ସୃଷ୍ଟି ପାଇଁ ସହାୟକ ହେବା ଦରକାର।'

Advertisment

ବିବେକାନନ୍ଦ କହିଥିଲେ ଯେ, 'ଆମେ ସର୍ବଶକ୍ତିମାନ୍‌। ଆମକୁ କେବଳ ଆମ ଶକ୍ତିର ସନ୍ଧାନ କରିବା ଦରକାର। ଆମ ଭିତରର ଇଶ୍ୱରତ୍ୱକୁ ପ୍ରକାଶିତ କରିବା ଆମର ପ୍ରକୃତ ଧର୍ମ। ସତ୍ୟର ସ୍ୱରୂପକୁ ବୁଝାଇବାକୁ ଯାଇ ବିବେକାନନ୍ଦ କହିଥିଲେ ଯେ, ଯଦି କୌଣସି ଜିନିଷ ଆମକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ସ୍ତରରେ ଦୁର୍ବଳ କରିଦିଏ, ତାହା ସତ୍ୟ ହୋଇନପାରେ। ତାହାର ପରିତ୍ୟାଗ କରିବା ଉଚିତ। ସତ୍ୟ ସର୍ବଦା ପ୍ରେରଣାଦାୟୀ, ଶକ୍ତିପ୍ରଦ, ଜ୍ଞାନଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସତରେ ବିବେକାନନ୍ଦଙ୍କ ଦର୍ଶନ ଆଜିର ଯୁବସମାଜର ପରମ ଧ୍ୟେୟ ହେବା ଜରୁରୀ। ଆଜିର ସମୟରେ ଯୁବପିଢ଼ିର ଚରିତ୍ର, ଚେତନା, ସାମର୍ଥ୍ୟ ଓ ଆଚରଣରେ ଯଦି ‘ବିବେକାନନ୍ଦୀୟ ସକାରାତ୍ମକତା’ ନରହେ, ତେବେ ବ୍ୟକ୍ତିନିର୍ମାଣ ଓ ରାଷ୍ଟ୍ରନିର୍ମାଣର ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଯିବ।'

ପ୍ରଣାମ ସ୍ୱାମୀଜୀ ! ଧନ୍ୟତୁମ ସାଧନା !

ଡକ୍ଟର ଦେବୀଲାଲ୍‌ ମିଶ୍ର
ଅଧ୍ୟାପକ, ରେଭେନ୍ସା ବିଶ୍ୱବିଦ୍ୟାଳୟ
debilalmishra@gmail.com 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe