ଅଚିହ୍ନା ଶବ ହେବାକୁ ଯାଇଥିଲେ, ପାଲଟିଗଲେ ଶ୍ମଶାନ ରାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ କରି ଜୀବନସାଥୀ ବାଛିଥିଲେ। ହେଲେ ସେ ଜାଣିନଥିଲେ ସେହି ପ୍ରେମରେ ଥିଲା ପ୍ରତାରଣା ଓ ଛଳଣା। ବାହାଘର ପରେ ସ୍ୱାମୀଙ୍କ ଅନୈତିକ ପ୍ରେମ ସମ୍ପର୍କ ଜାଣିବାକୁ ପାଇଲେ ଋତୁରାଣୀ। ଏହାକୁ ନେଇ ଆରମ୍ଭ ହେଲା ନିର୍ଯାତନା। ତେବେ ନିର୍ଯାତନା ଅସହ୍ୟ ହେବାରୁ ଶବ ହେବାକୁ ଯାଇଥିଲେ ଟ୍ରେନ୍‌ ଲାଇନ୍‌। ହେଲେ ଲୌହ ଦାନବ ଜୀବନ ନେବା ଆଗରୁ ବଞ୍ଚିଗଲା ଋତୁରାଣୀଙ୍କ ଜୀବନ। ଏବେ ସେ ଟ୍ରେନ୍‌ ଲାଇନ୍‌ରୁ ଖଣ୍ଡ ବିଖଣ୍ଡିତ ମୃତଦେହ […]

Rirurani Sasmal

Manoranjan Sial
  • Published: Monday, 15 November 2021
  • , Updated: 15 November 2021, 09:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ କରି ଜୀବନସାଥୀ ବାଛିଥିଲେ। ହେଲେ ସେ ଜାଣିନଥିଲେ ସେହି ପ୍ରେମରେ ଥିଲା ପ୍ରତାରଣା ଓ ଛଳଣା। ବାହାଘର ପରେ ସ୍ୱାମୀଙ୍କ ଅନୈତିକ ପ୍ରେମ ସମ୍ପର୍କ ଜାଣିବାକୁ ପାଇଲେ ଋତୁରାଣୀ। ଏହାକୁ ନେଇ ଆରମ୍ଭ ହେଲା ନିର୍ଯାତନା। ତେବେ ନିର୍ଯାତନା ଅସହ୍ୟ ହେବାରୁ ଶବ ହେବାକୁ ଯାଇଥିଲେ ଟ୍ରେନ୍‌ ଲାଇନ୍‌। ହେଲେ ଲୌହ ଦାନବ ଜୀବନ ନେବା ଆଗରୁ ବଞ୍ଚିଗଲା ଋତୁରାଣୀଙ୍କ ଜୀବନ। ଏବେ ସେ ଟ୍ରେନ୍‌ ଲାଇନ୍‌ରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଠାଉଛନ୍ତି। ଆଉ ସସମ୍ମାନେ ଶ୍ମଶାନରେ କରୁଛନ୍ତି ସଂସ୍କାର। ସେଥିପାଇଁ ସେ ଶ୍ମଶାନ ରାଣୀର ଆଖ୍ୟା ପାଇଛନ୍ତି।

ବାଲେଶ୍ୱରୀ ଝିଅ ଋତୁରାଣୀ ସାସ୍‌ମଲ ସପରିବାରେ ଭୁବନେଶ୍ୱରରେ ରହୁଥିଲେ। ରାଜଧାନୀରେ ଏକ କଲେଜରେ ପାଠ ପଢ଼ୁଥିଲେ। ପାଠ ପଢ଼ିବା ଭିତରେ ଭଞ୍ଜନନଗର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ସିଏ ମଧ୍ୟ ଭୁବନେଶ୍ୱରରେ ରହୁଥିବାରୁ ତାଙ୍କୁ ଜୀବନ ସାଥୀ ଭାବେ ବାଛି ନିଅନ୍ତି  ଋତୁରାଣୀ। ବିବାହ ପରେ ସଂସାର ଠିକ୍‌ଠାକ୍‌ ଚାଲୁଥିଲା। ଦୁଇ ଝିଅର ମାଆ ମଧ୍ୟ ହୋଇଥିଲେ ଋତୁରାଣୀ। ସେ ପରିବାର ଜଞ୍ଜାଳ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍ୱାମୀ କିନ୍ତୁ ପଡ଼ିଥିଲେ ଆଉ କାହା ପ୍ରେମରେ। ଅନ୍ୟ ମହିଳାଙ୍କ ସହିତ ଅନୈତିକ ପ୍ରେମ ରଖିଥିଲେ ଋତୁରାଣୀ ସ୍ୱାମୀ।

https://youtu.be/JsuM4WRig-0

ସ୍ୱାମୀଙ୍କ ଅନୈତିକ ପ୍ରେମ ସମ୍ପର୍କରେ ଜଣାପଡ଼ିବା ପରେ ସୁଖର ପରିବାରରେ ସୃଷ୍ଟି ହୋଇଥିଲା ଝଡ଼। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟ ଆରମ୍ଭ ହୋଇଥିଲା କଳହ। ଆଉ ସଂସାର ଭିତରେ ଲାଗିଥିଲା ନିଆଁ। ଯେଉଁଥିପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଋତୁରାଣୀ। ଗରମ ପାଣି ନିଜ ଦେହରେ ଢ଼ାଳି ଦେଇଥିଲେ। ଯାହାଫଳରେ ତାଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା।

ଋତୁରାଣୀଙ୍କୁ ପରିବାର ଲୋକେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ରେ ଚିକିତ୍ସା ପରେ ଜୀବନ ସିନା ବଞ୍ଚିଗଲା, ହେଲେ ଯନ୍ତ୍ରଣା ପିଛା ଛାଡ଼ିଲାନି। ଏବେବି ସେହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଋତୁରାଣୀ। ସେସବୁକୁ ସହ୍ୟକରି ଖାସ୍‌ ଦୁଇ ଝିଅଙ୍କ ପାଇଁ ଫେରିଲେ ଘରକୁ। ହେଲେ ଘରେ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେଲା। ଦିନକୁ ଦିନ ବଢ଼ିଲା ରାକ୍ଷସ ସ୍ୱାମୀଙ୍କ ନିର୍ଯାତନା। ଶେଷରେ ଚରମ ନିଷ୍ପତ୍ତି ନେଲେ ଋତୁରାଣୀ।

ଆତ୍ମହତ୍ୟା କରିବେ। ସେଥିପାଇଁ ଟ୍ରେନ୍‌ ଲାଇନ୍‌କୁ ଧାଇଁଲେ ଋତୁରାଣୀ। ହେଲେ ଦ୍ରୁତଗାମୀ ଟ୍ରେନ୍‌ ଲାଇନ୍‌ ଆଗକୁ ଧାଇଁ ଯାଉଥିବା ବେଳେ ଦେବଦୂତ ହୋଇ ସାମ୍ନାକୁ ଆସିଲେ ପ୍ରଦୀପ ପୃଷ୍ଟି ସାର୍‌। ଆଉ ତାଙ୍କୁ ବଞ୍ଚାଇ ନୂଆ ରାହା ଦେଖାଇଥିଲେ। ଏହା ପରେ ନୂଆ ଜୀବନ ଆରମ୍ଭ କଲେ ଋତୁରାଣୀ। ସ୍ୱାମୀଠାରୁ ଛାଡ଼ପତ୍ର ପରେ ଦୁଇ ଝିଅଙ୍କୁ ସାଥୀରେ ନେଇ ଭୁବନେଶ୍ୱର କାର୍ଗିଲ୍‌ ବସ୍ତିକୁ ଚାଲି ଆସିଥିଲେ। ପର ଘରେ ବାସନ ମାଜି ନିଜେ ଚଳିବା ସହିତ ଦୁଇ ଝିଅଙ୍କୁ ପଢ଼ାଇଲେ। ହେଲେ ସ୍ୱଳ୍ପ ଅର୍ଥରେ ଚଳିବା ତାଙ୍କ ପକ୍ଷେ ସମ୍ଭବ ହେଲାନାହିଁ।

ପରବର୍ତ୍ତୀ ସମୟରେ ଋତୁରାଣୀ ଚାଲିଗଲେ ପ୍ରଦୀପ ପୃଷ୍ଟି ସାରଙ୍କ ଘରକୁ। ତାଙ୍କର ଗୋଟିଏ ଘରେ ଦୁଇ ଝିଅଙ୍କ ସହ ଋତୁରାଣୀ ରହିଲେ। ସେଠାରେ ରହଣୀ ସମୟରେ ତାଙ୍କ ଜୀବନର ଗତିପଥ ବଦଳିଥିଲା। ଅଚିହ୍ନା ଓ ଅବହେଳିତ ମୃତଦେହ ଗୁଡ଼ିକୁ ଉଠାଇବାକୁ ମନ ବଳାଇଥିଲେ ଋତୁରାଣୀ। ହେଲେ ପ୍ରଦୀପ ପୃଷ୍ଟି ସାର୍‌ ତାଙ୍କୁ ପ୍ରଥମେ ମନା କରିଥିଲେ। ଆଉ କହିଥିଲେ, ଝୁଅ ପିଲା ଅସରପା ଓ ଚଢ଼େଇ ଦେଖେଲ ଡ଼ରନ୍ତି। ତୁମେ କେମିତି ଏ କାମ କରିବ? ବାରମ୍ୱାର କହିବାରୁ ପୃଷ୍ଟି ସାର୍‌ ରାଜି ହୋଇଥିଲେ।

ଥରେ ଭୁବନେଶ୍ୱରରେ ଟ୍ରେନ୍‌ ଲାଇନ୍‌ରେ ଗୋଟିଏ ମୃତଦେହ ପଡ଼ିଥିଲା। ସେହି ମୃତଦେହ ଉଠାଇବାକୁ ଯାଇଥିଲେ ପୃଷ୍ଟି ସାର୍‌। ତାଙ୍କ ସହିତ ଯାଇଥିଲେ ଋତୁରାଣୀ। ସେଇଠାରୁ ଆରମ୍ଭ ହୋଇଥିଲା ସମାଜସେବା ପ୍ରତି ତାଙ୍କର ଅଭିଯାନ। ଏହା ପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ଅପରିଚିତ ଓ ଖଣ୍ଡ ବିଖଣ୍ଡିତ ମୃତଦେହ ଉଠାଇ ଚାଲିଛନ୍ତି। ଆଉ ତାକୁ ସମ୍ମାନର ସହ ଶ୍ମଶାନରେ ସଂସ୍କାର କରିଛନ୍ତି।

ଋତୁରାଣୀଙ୍କ ଏହି ନୂଆ ଅବତାର, ତାଙ୍କ ପାଇଁ ଏତେ ସହଜ ନଥିଲା। ଏଥିପାଇଁ ସାହିପଡ଼ିଶାଙ୍କଠାରୁ ଶୁଣିବାକୁ ମିଳିଥିଲା ନାନା ଗଞ୍ଜଣା। ଏପରିକି ଯାହା ଘରେ କାମ କରୁଥିଲେ, ସେଠାରୁ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା। ସବୁ ଅପବାଦକୁ ଛାତି ଭିତରେ ଚାପି ଧରି ନିଜ କାମରେ ଲାଗି ପଡ଼ିଥିଲେ ଋତୁରାଣୀ। ନିଜ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇ ଚାଲିଥିଲେ। ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୨୦୦୦ରୁ ଅଧିକ ମୃତଦେହ ଉଠାଇଛନ୍ତି। ୬୦୦ରୁ ଅଧିକ ମୃତଦେହ ସଂସ୍କାର କରିଛନ୍ତି। ପୁଲିସ ଉପସ୍ଥିତିରେ ମୃତଦେହ ଉଠାଇଥାଏ ବୋଲି ଋତୁରାଣୀ କହିଛନ୍ତି।

ଓଡ଼ିଶା ରିପୋର୍ଟର ପ୍ରତିନିଧି ପୂଜାରାଣୀଙ୍କୁ ସେ କହିଛନ୍ତି-“ଥରେ ଶ୍ମଶାନରେ ମୃତଦେହ ପୋଡ଼ୁଥିଲି। ଏହି ସମୟରେ ସାହି ଟୋକାମାନେ ବାରଣ କରିଥିଲେ। ମହିଳାଟିଏ ହୋଇ କେମିତି ମୃତଦେହ ସଂସ୍କାର କରୁଛ ଓ ତାଙ୍କୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ। ମୁଁ ସେମାନଙ୍କୁ କହିଥିଲି, ମୁଁ କାହିଁକି ପୋଡ଼ି ପାରିବି ନାହିଁ? ତୁମେମାନେ କାହିଁକି ପୋଡ଼ି ପାରିବ? ମୁଁ କାହିଁକି ନୁହେଁ? ସେମାନଙ୍କ ସମ୍ମୁଖରେ ମୃତଦେହ ପୋଡ଼ିଥିଲି। ଆଉ ଅସ୍ତି ବାହାର କରି ଦେଇଥିଲି।”

ଜୀବନରେ ଅବଶୋଷ କଣ ପ୍ରଶ୍ନରେ ଋତୁରାଣୀ କହିଛନ୍ତି-“ଜୀବନରେ ବହୁ ଅବଶୋଷ ରହିଛି। ଯେଉଁ ଆଶା ନେଇ ସଂସାର ଗଢ଼ିଥିଲି, ତାହା ତ ଅଧୁରା ରହିଲା। ଏବେ ପିଲାଙ୍କ ଭବିଷ୍ୟତ ଗଢ଼ୁଛି। ବର୍ତ୍ତମାନ ସୁଦ୍ଧା ମୋର ରହିବା ପାଇଁ ଘର ନାହିଁ। ଜଣେ ଦାତାଙ୍କ ଘରେ ରହୁଛି। ସେଠାକୁ ଛାଡ଼ିବାକୁ କୁହାଯାଉଛି। ନହେଲେ ଲକ୍ଷେ ଟଙ୍କା ଦେବାକୁ କୁହାଯାଉଛି। ମୋ ପାଖରେ ଲକ୍ଷେ ଟଙ୍କା କୁଆଡୁ ଆସିବ? ଦେଖିବା ଆଗକୁ କଣ ହେଉଛି।”

Related story