ଲକ୍ଷ୍ୟଠାରୁ ଦୂରରେ ବିଜୁ ଗାଁ ଗାଡ଼ି ଯୋଜନା

ସରଳ କୁମାର ଦାସ

ରାଜ୍ୟର ଅନେକ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ପୂର୍ବାପେକ୍ଷା ଭଲ ହୋଇଥିଲେ ବି ଏବେ ମଧ୍ୟ ଅନେକ ଅପହଞ୍ଚ ଅଞ୍ଚଳକୁ ପରିବହନ ସଂଯୋଗର ସୁବିଧା ନ ଥିବାରୁ ସେଠାକାର ଅଧିବାସୀମାନେ ଏହି ମୌଳିକ ସେବା ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ପରିବହନ ଭିତ୍ତିଭୂମି ତଥା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅନୁସୂଚୀତ ବ୍ଲକ ଓ ଅନ୍ୟାନ୍ୟ ପଛୁଆ ଅଞ୍ଚଳର ପାହାଡ଼ିଆ, ଆଭ୍ୟନ୍ତରୀଣ ଓ ଅପହଞ୍ଚ ଗାଁମାନଙ୍କରେ ରହୁଥିବା ଅଧିବାସୀମାନଙ୍କୁ ପରିବହନ ସଂଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୦୧୩ ମସିହାରେ ଏକ ଯୋଜନା ଆରମ୍ଭ କରିଥିଲେ, ଯାହାର ନାମ ୨୦୧୪ରେ ବଦଳା ଯାଇ ‘ବିଜୁ ଗାଁ ଗାଡ଼ି ଯୋଜନା’ (ବିଜିଜିୱାଇ) ରଖା ଯାଇଥିଲା। ଇତିମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ବି ଏହି ଯୋଜନା ତା’ର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ପାରି ନାହିଁ ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।

‘ବିଜୁ ଗାଁ ଗାଡ଼ି ଯୋଜନା’ ମୁତାବକ ବ୍ଲକ ମୁଖ୍ୟାଳୟକୁ ପରିବହନ ସଂଯୋଗର ସୁବିଧା ନ ଥିବା ଗ୍ରାମ ପଞ୍ଚାୟତ ଓ ସ୍ଥଳ ବିଶେଷରେ ଜିଲ୍ଲା ମୁଖ୍ୟାଳୟ ଓ ପଡ଼ୋଶୀ ବ୍ଲକ ମୁଖ୍ୟାଳୟ ସହ ସଂଯୋଗ ନ ଥିବା ଗ୍ରାମ ପଞ୍ଚାୟତଗୁଡିକୁ ତିନିଟି ପର୍ଯ୍ୟାୟରେ ପରିବହନ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତଦନୁସାରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୧୮ଟି ଅନୁସୂଚୀତ ଓ ଆଇଟିଡିଏ ବ୍ଲକର ଗ୍ରାମ ପଞ୍ଚାୟତକୁ ଓ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ୱର ୨୦୧୪ ସୁଦ୍ଧା ତାହା ଆଉ ୫ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବାର ଥିଲା। ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଜୁଲାଇ ୨୦୧୫ ସୁଦ୍ଧା ଅବଶିଷ୍ଟ ୧୩ଟି ଜିଲ୍ଲା ସହ ପ୍ରଥମ ପର୍ଯ୍ୟାୟର ଅଣ-ଆଇଟିଡିଏ ବ୍ଲକଗୁଡିକରେ ଅବସ୍ଥିତ ପରିବହନ ସଂଯୋଗ ବିହୀନ ଗ୍ରାମ ପଞ୍ଚାୟତଗୁଡ଼ିକୁ ଯୋଜନା  ଅନ୍ତର୍ଭୁକ୍ତ କରାଯିବାର ଥିଲା। ଏହି ଯୋଜନାରେ ଘରୋଇ ପରିବହନ ଚାଳକଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ତଦନୁଯାୟୀ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯାନଗୁଡିକୁ ପାଞ୍ଚ ବର୍ଷ ଯାଏଁ ସଡ଼କ ଟିକସ ଓ ପରମିଟ ଫି ଛାଡ଼ କରା ଯାଇଛି। ଏତଦଭିନ୍ନ ସେଗୁଡିକୁ ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ଓ ଠିକ ସମୟରେ ଋଣ ପରିଶୋଧ ପାଇଁ ଅତିରିକ୍ତ ୨ ପ୍ରତିଶତ ସୁଧ ରିହାତି ଦେବାର ପ୍ରାବଧାନ ଅଛି। ଅନ୍ୟ ପକ୍ଷରେ ତୃତୀୟ ପର୍ଯ୍ୟାୟର ବାହନଗୁଡ଼ିକୁ କେବଳ ୫ ବର୍ଷ ଯାଏଁ ସଡ଼କ ଟିକସ ଛାଡ଼ କରା ଯାଇଛି। ଏହି ଯୋଜନାରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲାଗୁଡିକରେ ନିର୍ଦ୍ଦିଷ୍ଟ ମାର୍ଗରେ ବସ୍‌ ଚଲାଇବା ପାଇଁ ଓଏସଆରଟିସିକୁ ୧୦୦ଟି ବସ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ଯୋଜନାର ଆରମ୍ଭ(୨୦୧୩-୧୪)ରୁ ୨୦୧୮-୧୯ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ସମୀକ୍ଷା କରି ସିଏଜି ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି, ତାହା ବାସ୍ତବିକ ଉଦବେଗଜନକ। ଯୋଜନା ଅନୁଯାୟୀ ରାଜ୍ୟର ୧୧୮ଟି ଆଇଟିଡିଏ ବ୍ଲକରେ ପ୍ରଥମ ବର୍ଷ ୧୦୦୦ଟି ଓ ତା’ ପର ବର୍ଷ ଆଉ ୧୦୦୦ଟି ଯାତ୍ରୀବାହୀ ଯାନ ଉପଲବ୍ଧ ହେବାର ଥିଲା। ତା’ ସ୍ଥାନରେ ୨୦୧୮-୧୯ ଶେଷ ସୁଦ୍ଧା ମାତ୍ର ୫୫୬ଟି ଗାଡ଼ି ଉପଲବ୍ଧ, ଯାହା ନିର୍ଦ୍ଧାରିତ ଲକ୍ଷ୍ୟର ମାତ୍ର ୨୮ ପ୍ରତିଶତ। ଅନୁମତି ମିଳିଥିବା ମାର୍ଗରେ ଯଥେଷ୍ଟ ଯାତ୍ରୀ ହେଉ ନ ଥିବାରୁ ଏହି ଯୋଜନାରେ ଅଂଶଗ୍ରହଣ କରୁଥିବା ପରିବହନ ଚାଳକଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତ ଗାଡ଼ି ଚଲାଇବାକୁ ଅନାଗ୍ରହୀ ବୋଲି ଜଣା ପଡିଛି। ପ୍ରଥମ ଦଫାର ପରିବହନ ଚାଳକଙ୍କ ଅସୁବିଧା ଓ କ୍ଷତିକୁ ଦେଖି ଆଉ ଅଧିକ ସଂଖ୍ୟକ ନୂଆ ପରିବହନ ଚାଳକ ଯୋଜନାରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ।

ପ୍ରଥମ ଅବସ୍ଥାରେ ଯୋଜନାରେ ଅଂଶଗ୍ରହଣ କରୁଥିବା ବାହନଗୁଡ଼ିକୁ ଏକକାଳୀନ ପାଞ୍ଚ ବର୍ଷିଆ ସ୍ଥାୟୀ ପରମିଟ ପ୍ରଦାନ କରା ଯାଉଥିଲା। ୨୦୧୬ଠାରୁ ଏହାକୁ ସଂଶୋଧନ କରି  ଗାଡ଼ିଗୁଡ଼ିକୁ ବର୍ଷକ ପାଇଁ ଅନୁମତି ପ୍ରଦାନ କରି ତା’ ପରେ ପ୍ରତି ତିନି ମାସରେ ବା ବର୍ଷକରେ ତା’ର ନବୀକରଣ କରାଯିବା ସ୍ଥିର ହେଲା। ସିଏଜିଙ୍କ ରିପୋର୍ଟ ଅନୁସାରେ ଅସ୍ଥାୟୀ ପରମିଟ ପାଇଥିବା କିଛି ଗାଡ଼ିର ଅନୁମତି ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ବି ସେଗୁଡ଼ିକ ଚଳାଚଳ କରୁଥିଲା। ଏପରିକି ରହିବା ସ୍ଥାନ ଓ ସମୟ ଦର୍ଶା ନ ଯାଇ ବି ପରମିଟ ପ୍ରଦାନ କରାଯାଇଥିବାରୁ କେତେକ ସ୍ଥଳେ ଏକା ସମୟରେ ଏକାଧିକ ଗାଡ଼ି ଚାଲି ଯାତ୍ରୀ ଅଭାବରୁ ପରିବହନ ଚାଳକ କ୍ଷତିଗ୍ରସ୍ତ ହେଉଥିଲେ। କେତେକ କ୍ଷେତ୍ରରେ ବାହନଗୁଡ଼ିକୁ ବିଜିଜିୱାଇରେ ପରମିଟ ମିଳି ନ ଥିଲେ ବି ସେଗୁଡ଼ିକୁ ଏହି ସ୍କିମ ଅନ୍ତର୍ଭୁକ୍ତ ବୋଲି ଦର୍ଶାଇ ସେହି ପରିବହନ ଚାଳକମାନଙ୍କୁ ଯୋଜନା ଅନ୍ତର୍ଗତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁସାରେ କେବଳ ଗଜପତି, କୋରାପୁଟ ଓ ସୁନ୍ଦରଗଡ଼ ଆରଟିଓ ଅଧୀନରେ ଏହିପରି ପ୍ରାୟ ୧୧୯ଟି ଗାଡ଼ିକୁ ପରମିଟ ଫି ଓ ସଡ଼କ ଟିକସ ଛାଡ଼ କରାଯାଇଥିବାର ଦୁର୍ନୀତି ଜଣାପଡ଼ିଛି, ଯଦ୍ଦ୍ୱାରା ସରକାରୀ ରାଜକୋଷର ପ୍ରାୟ ୨୨ ଲକ୍ଷ ଟଙ୍କା କ୍ଷତି ହୋଇଛି।

ବ୍ଲକ, ସବଡିଭିଜନ ଓ ଜିଲ୍ଲାସ୍ତରୀୟ କମିଟି ସହ ପରାମର୍ଶ କରି ପରିବହନ ବିଭାଗ ମାର୍ଗ ନିର୍ଦ୍ଧାରଣ କରିବା କଥା। କେତେକ ଜିଲ୍ଲାରେ ବ୍ଲକସ୍ତରୀୟ କମିଟି (ବିଏଲସି) ଚିହ୍ନିତ କରିଥିବା ମାର୍ଗରେ ବିଜିଜିୱାଇ ବାହନ ଚାଲୁନାହିଁ। ଅନ୍ୟ ପକ୍ଷରେ ରାୟଗଡ଼ା ଭଳି ଜିଲ୍ଲାରେ ବିଏଲସି ଗଠିତ ହୋଇ ନଥିବାରୁ ପରିବହନ ଚାଳକଙ୍କ ପସନ୍ଦକୁ ଭିତ୍ତି କରି ପରିବହନ ବିଭାଗ ପରମିଟ ପ୍ରଦାନ କରିଛି। ଆଉ କେତେକ ଜିଲ୍ଲାରେ ପ୍ରାୟ ୬୬ ପ୍ରତିଶତ ବାହନ ଆରଟିଓ ପ୍ରଦତ୍ତ ପରମିଟରେ ଚିହ୍ନିତ ରୁଟ ଅନୁଯାୟୀ ନ ଚାଲି ଅଚିହ୍ନିତ ରୁଟରେ ଚାଲିଛି। ଫଳରେ ବିଜୁ ଗାଁ ଗାଡ଼ି ଯୋଜନାନୁସାରେ ପରମିଟ ଫି ଓ ସଡ଼କ ଟିକସ ଛାଡ଼ ପାଇବା ପାଇଁ ଯୋଗ୍ୟ ହୋଇ ନ ଥିଲେ ବି ସାତଟି ଆରଟିଓ ଅଧୀନସ୍ଥ ଏହି ଧରଣର ୨୬୮ଟି ବାହନକୁ ପ୍ରାୟ ୬୮ ଲକ୍ଷ ଟଙ୍କାର ଟିକସ ଛାଡ଼ କରା ଯାଇଛି, ଯାହା ବେଆଇନ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ଚିହ୍ନିତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୧ଟି ଜିଲ୍ଲାର ୭୦ଟି ରୁଟରେ ଚଳାଚଳ ପାଇଁ ଓଏସଆରଟିସିକୁ ୧୦୦ଟି ବସ ପାଇଁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲେ ବି ତନ୍ମଧ୍ୟରୁ କିଛି ଗାଡ଼ିକୁ ଦୀର୍ଘ ଦିନ ଧରି ନ ଚଲାଇ ପକାଇ ରଖା ଯାଇଥିଲା। କମ ଆୟ ହେଉଥିବା ଦର୍ଶାଇ କିଛି ଗାଡ଼ିକୁ ପୂର୍ବ ନିର୍ଦ୍ଧାରିତ ରୁଟରେ ନ ଚଲାଇ ଅନ୍ୟ ରୁଟରେ ଚଲା ଯାଇଥିଲା। ଫଳରେ ନିର୍ଦ୍ଦିଷ୍ଟ ରୁଟରେ ନିରନ୍ତର ପରିବହନ ସଂଯୋଗ ଯୋଗାଇବାର ଲକ୍ଷ୍ୟ ହାସଲ ହେଲା ନାହିଁ।

୨୦୧୪-୧୫ରୁ ୨୦୧୮-୧୯ ପାଞ୍ଚ ବର୍ଷର ଅବଧି ମଧ୍ୟରେ ପରିବହନ ଚାଳକମାନଙ୍କୁ ୮ କୋଟି ଟଙ୍କାର ସୁଧ ରିହାତି ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଏହି ସମୟରେ ମାତ୍ର ୨୦.୮୬ ଲକ୍ଷ ଟଙ୍କା ଦିଆ ଯାଇଥିଲା, ଯାହା ଧାର୍ଯ୍ୟ ଲକ୍ଷ୍ୟର ୩ ପ୍ରତିଶତରୁ ବି କମ। ଯୋଜନାର ନିର୍ଦ୍ଦେଶିକାନୁଯାୟୀ ବାହନଟି ନିର୍ଦ୍ଧାରିତ ରୁଟରେ ଥିବା ସମୟାନୁସାରେ ଚଳପ୍ରଚଳ କରିଛି ବୋଲି  ବିଏଲସି ଏକ ତ୍ରୈମାସିକ ସାର୍ଟିଫିକେଟ ପ୍ରଦାନ କଲେ ଯାଇ ପରିବହନ ଚାଳକଙ୍କୁ ଏହି ସୁଧ ରିହାତି ମିଳି ପାରିଥାଏ। ଅଧିକାଂଶ ପରିବହନ ଚାଳକ ସେମାନଙ୍କ ବାହନ ଋଣ ଉପରେ ଉପଲବ୍ଧ ସୁଧ ରିହାତି ସମ୍ପର୍କରେ ଅବଗତ ନ ଥିବା ଓ ତ୍ରୈମାସିକ ସାର୍ଟିଫିକେଟ ପାଇ ନ ଥିବା କାରଣରୁ ସୁଧ ରିହାତି ପାଇବାରୁ ବଞ୍ଚିତ ହୋଇଛନ୍ତି।

ବିଜିଜିୱାଇରେ ଅଂଶଗ୍ରହଣ କରୁଥିବା ପରିବହନ ଚାଳକଟି ସମ୍ମୁଖୀନ ହୋଇଥିବା ଅସୁବିଧାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ତାକୁ କୌଣସି ପ୍ରକାର ସହାୟତା ବା କାଉନସେଲିଂ ପ୍ରଦାନ କରାଯିବାର ବ୍ୟବସ୍ଥା ନାହିଁ। ଆରଟିଓରୁ ଗାଡ଼ି ଚଲାଇବାର ସମୟ ପାଇଥିଲେ ବି ଅନେକ କ୍ଷେତ୍ରରେ ଘରୋଇ ବସ ମାଲିକ ସଂଘର ବିରୋଧର ସମ୍ମୁଖୀନ ହୋଇ ସେହି ସମୟରେ ସେମାନେ ଗାଡ଼ି ଚଲାଇ ପାରି ନ ଥାଆନ୍ତି। ଏହିପରି ଭାବେ ମୟୂରଭଞ୍ଜର ଠାକୁରମୁଣ୍ଡା ବ୍ଲକର ଏକମାତ୍ର ବିଜିଜିୱାଇ ଗାଡ଼ିଟି ସେହି ଯୋଜନାରୁ ଓହରିବାର ନଜିର ବି ରହିଛି।

ଏହି ଯୋଜନାଟିକୁ ଆଉ ଟିକେ ସୁଚିନ୍ତିତ ଭାବେ ପ୍ରସ୍ତୁତ କରାଯିବାର ଆବଶ୍ୟକତା ଥିଲା। ପ୍ରଥମରୁ ପରିବହନ ସଂଯୋଗବିହୀନ ଗ୍ରାମ ପଞ୍ଚାୟତଗୁଡିକୁ ଚିହ୍ନଟ କରି ଜିଲ୍ଲାୱାରି ରୁଟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ଥିଲା। ବିଭିନ୍ନ ବ୍ଲକରେ ପୂର୍ବରୁ କେତେ ସଂଖ୍ୟକ ଗାଡ଼ି ଚାଲୁଛି ଓ ବିଜୁ ଗାଁ ଗାଡ଼ି ଯୋଜନାରେ ସ୍ଥିରୀକୃତ ମାର୍ଗରେ ଗାଡ଼ି ଚଲାଇବା ପାଇଁ ଅନୁମତି ଦିଆଗଲେ ଯାତ୍ରୀ ସଂଖ୍ୟା ଯଥେଷ୍ଟ ହୋଇ ପରିବହନ ଚାଳକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଜନକ ହେବ କି ନାହିଁ ସେ ନେଇ  ବିଶେଷ ଅଧ୍ୟୟନର ଆବଶ୍ୟକତା ଥିଲା। ଆର୍ଥକ ସହାୟତା ଓ ପ୍ରୋତ୍ସାହନକୁ ପରିବହନ ଚାଳକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରିବାର ଥିଲା। ଅର୍ଥାତ୍, ଏକ ନିର୍ଦ୍ଦିଷ୍ଟ ମାର୍ଗରେ କମ ଯାତ୍ରୀ ହେଲେ ତା’ ପକ୍ଷରେ ନିରନ୍ତର ସେବା ଯୋଗାଇବା ଲାଭଜନକ ହେଉ ନ ଥିବାରୁ ସେ ସେବା ବନ୍ଦ କରିବାକୁ ବାଧ୍ୟ ହେବ। ସେ କ୍ଷେତ୍ରରେ ତାକୁ କେଉଁ ଧରଣର ପ୍ରୋତ୍ସାହନ ଦେଲେ ସେ ନିରନ୍ତର ସେବା ଯୋଗାଇ ପାରିବ ଓ ସ୍ଥାନୀୟ ଅଧିବାସୀଙ୍କୁ ନିରନ୍ତର ପରିବହନ ସେବା ମିଳି ପାରିବ, ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ସ୍ଥାନୀୟ ଭଲ ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ପରିବହନ ଚାଳକ ଭାବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଇ ପାରେ। କ୍ଷତିର ପରିମାଣ ଅଧିକ ହେଲେ ଏହି ଦାୟିତ୍ୱ ସମ୍ପୃକ୍ତ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇ ସରକାରୀ ଭାବେ କ୍ଷତି ଭରଣା କରାଯାଇ ପାରେ। କହିବା ବାହୁଲ୍ୟ ଯେ ଅପହଞ୍ଚ ଅଞ୍ଚଳଗୁଡିକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ହେଲେ ସେଠାକୁ ରାସ୍ତାଘାଟ ତିଆରି କରିବା ଯେତିକି ଜରୁରୀ, ନିରନ୍ତର ପରିବହନ ସଂଯୋଗ ସୁବିଧା  ଯୋଗାଇ ଦେବା ମଧ୍ୟ ସେତିକି ଆବଶ୍ୟକ। ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଉପଲବ୍ଧ କରାଇବା ଲାଗି ତତ୍ପର ସରକାର ପ୍ରତି ଗ୍ରାମ ପଞ୍ଚାୟତକୁ ପରିବହନ ସଂଯୋଗ ଯୋଗାଇ ଦେବାର ନ୍ୟୂନତମ ଆବଶ୍ୟକତା ଟିକକକୁ ପ୍ରଥମେ ପୂରଣ କରିବା ଦରକାର।

ସାଧାରଣତଃ ସବୁ ସରକାରୀ ଯୋଜନା ଭଲ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ ହୋଇଥାଏ। ତେବେ ତାହା ଠିକ ରୂପେ କାର୍ଯ୍ୟକାରୀ ନ ହେଲେ ତା’ର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇ ନ ଥାଏ। ତେଣୁ ଯୋଜନାଟିଏ ଠିକ ରୂପେ କାର୍ଯ୍ୟକାରୀ ହୋଇ ତା’ର ଈପସିତ ଲକ୍ଷ୍ୟ ହାସଲ ହୋଇ ପାରୁଛି କି ନାହିଁ, ତାହା ଏକ ସଙ୍ଗେ ନିରୀକ୍ଷଣ ହେବା ମଧ୍ୟ ନିହାତି ଆବଶ୍ୟକ। କାରଣ ସିଏଜିର ସମୀକ୍ଷା ଏକ ପ୍ରକାର ଶବ ବ୍ୟବଚ୍ଛେଦକାରୀ ହୋଇଥାଏ। ଏଠାରେ ‘ବିଜୁ ଗାଁ ଗାଡି ଯୋଜନା’ ସମ୍ପର୍କରେ ସିଏଜି ରିପୋର୍ଟକୁ ଉଦାହରଣ ସ୍ୱରୂପ ନିଆଯାଇପାରେ। ୨୦୧୩-୧୪ର ଏହି ଯୋଜନାର ୨୦୧୮-୧୯ରେ ସ୍ଥିତିକୁ ନିରୀକ୍ଷଣ କରି ୨୦୨୧ରେ ରିପୋର୍ଟ ପ୍ରକାଶ ପାଇଲେ ଇତିମଧ୍ୟରେ ଅତ୍ୟଧିକ ସମୟ ଅତିକ୍ରାନ୍ତ ହୋଇଥିବା ଯୋଗୁ ଯୋଜନାର କାର୍ଯ୍ୟକାରିତାକୁ ସୁଧାରିବାର ଅବକାଶ ସୀମିତ ହୋଇଥାଏ। ଅବଶ୍ୟ ପ୍ରତିଟି ଯୋଜନା ଉଚିତ ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ସମୀକ୍ଷାର ପ୍ରାବଧାନ ଥାଏ। ମାତ୍ର ଯୋଜନାର ଭିଡ଼ ଓ ଆନ୍ତରିକତା ଅଭାବରୁ ଅଧିକାଂଶ କ୍ଷେତ୍ରରେ ସରକାରୀ ସ୍ତରରେ ଏହି ସମୀକ୍ଷା ଠିକ ଭାବେ ହୋଇ ପାରି ନ ଥାଏ। ତେଣୁ ଯୋଜନାଟିଏ ଘୋଷଣା ହେବା ମାତ୍ରେ ତା’ର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ସମୀକ୍ଷା ବ୍ୟତୀତ ଏକ ତୃତୀୟ ପକ୍ଷ ନିରପେକ୍ଷ ନିରୀକ୍ଷଣ ବ୍ୟବସ୍ଥାର ମଧ୍ୟ ପ୍ରଚଳନ ହେବା ଉଚିତ, ଯେଉଁଥିରେ ବିଭିନ୍ନ ହିତଧାରକଙ୍କୁ ସାମିଲ କରାଯାଇପାରନ୍ତା। ଯୋଜନା ଆରମ୍ଭରୁ ଏହି ନିରୀକ୍ଷଣ ବ୍ୟବସ୍ଥା ହେଉଥିବାରୁ ଯୋଜନାରେ ଥିବା ଦୋଷତ୍ରୁଟିକୁ ତୁରନ୍ତ ଚିହ୍ନଟ କରି ସେଗୁଡିକୁ ଉଚିତ ସମୟରେ ସୁଧାରି ହୁଅନ୍ତା। ସରକାରୀ ସ୍ତରରେ ଏଭଳି ନିରୀକ୍ଷଣ ବ୍ୟବସ୍ଥାର ପ୍ରଚଳନ ପାଇଁ ଆଗ୍ରହ ପ୍ରକାଶ ନ ପାଇଲେ ବେସରକାରୀ ସ୍ତରରେ ଏଭଳି ଉଦ୍ୟମ ପାଇଁ ସଚେତନ ନାଗରିକ ସମାଜ ଆଗେଇ ଆସିବା ଉଚିତ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।