Advertisment

ଶାସକ ଦଳ ସୁପର୍‌ସ୍ପ୍ରେଡର!

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କୋଭିଡ୍ ପରିସ୍ଥିତି ପରିଚାଳନା ପାଇଁ କାହିଁ କେତେ କଟକଣା, କେତେ ଖର୍ଚ୍ଚ ଆଉ କେତେ ଆୟୋଜନ। ସମସ୍ତେ ଏକାଧାରରେ କଟକଣା ମାନି ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ ରାଜ୍ୟ ତଥା ଦେଶରେ କରୋନା ସ୍ଥିତି ସାମାନ୍ୟ ହେବ ବୋଲି ଆଶା ରହିଛି। ଇତି ମଧ୍ୟରେ ଜନତା କର୍ଫ୍ୟୁ, ଲକଡାଉନ, ଶଟଡାଉନ୍ ସରି ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ହେଁ କରୋନା କଟକଣା ଏବେ ବି ରହିଛି। ବିପର୍ଯ୍ୟୟ ଆଇନ ଲାଗୁ ଥିବା ବେଳେ […]

ଅଦ୍ୟତନ ହୋଇଛି
ଶାସକ ଦଳ ସୁପର୍‌ସ୍ପ୍ରେଡର!

pinaki mishra

Advertisment

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କୋଭିଡ୍ ପରିସ୍ଥିତି ପରିଚାଳନା ପାଇଁ କାହିଁ କେତେ କଟକଣା, କେତେ ଖର୍ଚ୍ଚ ଆଉ କେତେ ଆୟୋଜନ। ସମସ୍ତେ ଏକାଧାରରେ କଟକଣା ମାନି ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ ରାଜ୍ୟ ତଥା ଦେଶରେ କରୋନା ସ୍ଥିତି ସାମାନ୍ୟ ହେବ ବୋଲି ଆଶା ରହିଛି। ଇତି ମଧ୍ୟରେ ଜନତା କର୍ଫ୍ୟୁ, ଲକଡାଉନ, ଶଟଡାଉନ୍ ସରି ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ହେଁ କରୋନା କଟକଣା ଏବେ ବି ରହିଛି। ବିପର୍ଯ୍ୟୟ ଆଇନ ଲାଗୁ ଥିବା ବେଳେ ସରକାରଙ୍କ ଦ୍ୱାରା ଜନହିତରେ ଜାରି କରାଯାଇଥିବା କରୋନା ନୀତି ନିୟମ ଉଲ୍ଲଂଘନ କଲେ ସାଧାରଣ ଲୋକଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ୁଛି। ତେବେ ଏହାର ବିପରୀତରେ ଖୋଦ୍ ନେତା ମନ୍ତ୍ରୀଙ୍କ ଭଳି ଜନପ୍ରତିନିଧିମାନେ କିନ୍ତୁ କରୋନା ନିୟମକୁ ମାନିବା, ପାଳନ କରିବା ଆବଶ୍ୟକ ମନେ କରୁନାହାନ୍ତି। ସତେ ଯେପରି ସମାଜର ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ କରୋନା ନା ଛୁଇଁବ, ଅବା ଏମାନଙ୍କଠାରୁ ଅନ୍ୟମାନଙ୍କୁ ନା ବ୍ୟାପିବ।

Advertisment

କୋଭିଡ୍ ସ୍ଥିତି ପରିଚାଳନା ଲାଗି ଜନସମାଗମ ଉପରେ ଏବେ ବି ରୋକ୍ ଲଗାଯାଇଛି। ସାମାଜିକ ଦୂରତା ଆଜି ବି ବାଧ୍ୟତାମୂଳକ। ହେଲେ କ୍ଷମତାରେ ଥିବା ବ୍ୟକ୍ତି ବିଶେଷମାନେ ଏ କଥା ମାନିବେନି କି ଶୁଣିବେନି। ଏଭଳି ଏକ ନଜିର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ। ଗତ ୧୫ ତାରିଖ ଅର୍ଥାତ୍ ସ୍ୱାଧୀନତା ଦିବସ ଅବସରରେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାଂସଦ ପାଣ୍ଠିରେ ବ୍ରହ୍ମଗିରି ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକ ନିମନ୍ତେ ଦୁଇଟି ଆମ୍ୱୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରୀ ସାଂସଦ ତଥା ବିଜେଡିର ଟାଣୁଆ ନେତା ପିନାକି ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ଜିଲ୍ଲାପାଳ ଓ ପୁରୀ ଆରକ୍ଷୀ ନିରୀକ୍ଷକ, ବ୍ରହ୍ମଗିରି ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ବିଜେଡି ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା, ହରେକୃଷ୍ଣ ମଲ୍ଲିକ, ମିଲୁ ବେହେରା, ବ୍ଲକ୍ ଅଧ୍ୟକ୍ଷା ନଳିନୀପ୍ରଭା ବରାଳ, ସାଂସଦ ପ୍ରତିନିଧି ବିରଞ୍ଚି ନାରାୟଣ ଦାସ, ବିଜେଡି ବ୍ଲକ ସଭାପକି ବିଦ୍ୟାଧର ସ୍ୱାଇଁଙ୍କ ପରି ଜନପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

pinaki-mishra

କାର୍ଯ୍ୟକ୍ରମ ପରେ ଲୋକଲୋଚନକୁ ଆସିଥିବା କେତେକ ଫଟୋ, ଭିଡିଓରୁ ଯାହା ଜଣାପଡ଼ୁଛି ସାଂସଦ ପିନାକି ମିଶ୍ରଙ୍କ ସମେତ ଉପସ୍ଥିତ ସମସ୍ତ ଭଦ୍ର ବ୍ୟକ୍ତି କେନ୍ଦ୍ର କିମ୍ୱା ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ ବାବଦରେ ଆଦୌ ଅବଗତ ନୁହନ୍ତି କିମ୍ବା ବେଖାତିର ଭାବ ପ୍ରଦର୍ଶନ କରିଛନ୍ତି। ଏ ନେଇ ବିରୋଧୀ ବିଜେପି ଜୋରଦାର୍ ବର୍ଷିଛି। କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଶାସକ ଦଳ ନେତା ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ରହ୍ମଗିରି ବିଧାୟତ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି।

Advertisment

ଲିଲିତେନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ, ପିନାକିଙ୍କ ସମେତ ଉପସ୍ଥିତ ଅନ୍ୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍-୧୯ ନିୟମକୁ ଉଲ୍ଲଂଘନ କରିଛନ୍ତି। କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିବା ବେଳେ ଅନେକେ ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଏହାସହ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟଙ୍କ ପରିବାର ଲୋକେ କରୋନା ପଜିଟିଭ୍ ଆସିଥିଲେ ହେଁ ସେ ସଙ୍ଗରୋଧରେ ନ ରହି ଏଭଳି ଜନ ସମାବେଶରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ସେ ସୁପରସ୍ପ୍ରେଡର ଭାବେ କରୋନା ବାହକ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଏହା ବ୍ୟତୀତ ଲଲିତେନ୍ଦୁ ଟ୍ୱିଟ୍ କରି ମଧ୍ୟ ଅଧିକ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ମୋର ଆଶଙ୍କା ସତ ହେଲା, ସେହି ଗ୍ରାମରୁ ୧୨ ଜଣ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ପୁରୀ ସାଂସଦଙ୍କ ସମେତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ପୁରୀ ଜିଲ୍ଲାପାଳ, ଏସପି, ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟମାନଙ୍କୁ ଶୀଘ୍ର କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଉ ଆଉ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଉ।"

ଏଠାରେ ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ଦିବସ ଭଳି କାର୍ଯ୍ୟକ୍ରମକୁ ୧୦ ଜଣ ଲୋକଙ୍କ ମଧ୍ୟରେ ପାଳନ କରିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାର ବିପରୀତ ଚିତ୍ର ବ୍ରହ୍ମଗିରିରେ ଦେଖିବାକୁ ମିଳିଥିଲା। ଖୋଦ୍ ପୁଲିସ ଓ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିମାନେ ସରକାରଙ୍କ କୋଭିଡ୍-୧୯ ନିୟମ ଭାଙ୍ଗିଥିଲେ। ଏହାଛଡ଼ା ସ୍ୱାଧୀନତା ଦିବସ ଭଳି ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଉତ୍ସବ ଭଳି ମଧ୍ୟ ପାଳନ କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ଆସିଛି। ଖୋଦ୍ ସାଂସଦ ପିନାକୀ ମିଶ୍ର ଦଳୀୟ ଚିହ୍ନ ଥିବା ଉତ୍ତରୀୟ କାନ୍ଧରେ ପକାଇଥିଲେ। ଅନ୍ୟପଟେ ରାଜନୈତିକ ଦଳ ଓ ଜନପ୍ରତିନିଧିମାନଙ୍କୁ ଖୁସି କରିବାକୁ ଯାଇ କରୋନା ନିୟନ୍ତ୍ରଣ ଲାଗି ଦାୟିତ୍ୱରତ କର୍ମଚାରୀ ଓ ଅଧିକାରୀମାନେ ଖୋଲାଖୋଲି କରୋନା ନିୟମ ଉଲ୍ଲଂଘନକୁ ଦେଖି ଆଖି ବନ୍ଦ କରିଦେଲେ।

ତେବେ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ଅନେକ ଥର ଶାସକ ଦଳର ବ୍ୟକ୍ତିତ୍ୱଙ୍କୁ କୋଭିଡ୍ କଟକଣାକୁ ଖାତିର କରୁ ନଥିବା ଦେଖିବାକୁ ମିଳିଛି। ବିଜେଡି ସଙ୍ଗଠକ ସମ୍ପାଦକ ପ୍ରଣବ ଦାସ ଓରଫ୍ ବବି ଦାସ ନିଜ ଜନ୍ମଦିନ ଅବସରରେ ଅନେକ ଲୋକଙ୍କୁ ଏକାଠି କରି କରୋନା ନିୟମକୁ ଫୁ କରିଦେଇଥିଲେ। ଖୋଲାଖୋଲି କୋଭିଡ୍ ନିୟମ ଭାଙ୍ଗୁଥିବାର ଏକାଧିକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାସହ ବବି ବିବାଦକୁ ଆସିଥିଲେ। ବିରୋଧୀ ଦଳ ମଧ୍ୟ ଖୁବ୍ ବର୍ଷିଥିଲା। ତେବେ ଦେଖାଯାଉ, ଏଥର କୋଭିଡ୍ ନିୟମଙ୍କୁ ଫାଙ୍କିଥିବା ସାଂସଦ ପିନାକିଙ୍କ ସମେତ ଉପସ୍ଥିତ ଅନ୍ୟ ଭଦ୍ର ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

ଅନ୍ୟପଟେ ପୁରୀ ସାଂସଦ ଏ ସମସ୍ତ ଅଭିଯୋଗ ନେଇ ଟ୍ୱିଟର ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, "ମୁଁ କହିପାରେ, ମାନ୍ୟବର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ତାଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରିନେବା ଆବଶ୍ୟକ। ଅବମାନନା ଏବଂ ହୀନ ରାଜନୀତି ଏକ ଦୁଃଖଦ ଦୃଶ୍ୟ, ଯାହା କେବଳ ସେ ହିଁ ଦେଖିପାରିବେ।"

ପିନାକି କିଛି ସମୟ ପୂର୍ବରୁ ଏଭଳି ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏହାସହ ସେ ଦୁଇଟି ଫଟୋ ମଧ୍ୟ ଶେୟାର କରିଛନ୍ତି।

ପିନାକିଙ୍କ ପ୍ରତିକ୍ରିୟା ପରେ ଲଳିତେନ୍ଦୁ ମଧ୍ୟ ଚୁପ୍ ବସି ନାହାନ୍ତି। ସେ ଟ୍ୱିଟ୍ କରି ନିଜ ଦୃଷ୍ଟି ଶକ୍ତି ଏବଂ କୋଭିଡ୍ କଟକଣା ବାବଦରେ ଭଲ ଭାବରେ ପିନାକିଙ୍କୁ ବୁଝାଇ ଦେଇଛନ୍ତି।

Naveen Patnaik COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe