- ଦେବେନ୍ଦ୍ର ପୃଷ୍ଟି
ଯୋ ଜିତା ୱହି ସିକନ୍ଦର। ପଦ୍ମପୁର ଉପନିର୍ବାଚନରେ ବିଜେଡି ହିଁ ସିକନ୍ଦର। ଫଳାଫଳ ନିର୍ବିବାଦୀୟ।
କିନ୍ତୁ କେମିତି ସଫଳ ହେଲା ବିଜେଡି? ସିକନ୍ଦର ହେବା ପାଇଁ କ’ଣ କରିଛି ଦଳ ବା ଦଳ ଚଳାଇଥିବା ସରକାର? ଏ ପ୍ରଶ୍ନର ଉତ୍ତର ନିର୍ବିବାଦୀୟ ନୁହେଁ। ନିଜର ବିଫଳତା ଘୋଡ଼ାଇବାକୁ ବହୁ କଥା କହିବେ ବହୁ ଦଳ। ବିଜେପି କିଛି କହିବ। କଂଗ୍ରେସ ଆଉ କିଛି କହିବ। କିମ୍ବା ଉଭୟ ଦଳ ଗୋଟିଏ କଥା କହିବେ- ଅର୍ଥ ଓ ବାହୁ ବଳର ବିଜୟ, ଶାସନ କଳର ଦୁରୁପଯୋଗ, ନିର୍ବାଚନ କମିଶନଙ୍କ ପକ୍ଷପାତ, ଏମିତି ବହୁ କଥା।
ତେବେ ସତ କ’ଣ? କେମିତି ଏତେ ଭୋଟ ପାଇଲା ବିଜେଡି? ଗତ ନିର୍ବାଚନଠାରୁ ବିଜେଡି ସପକ୍ଷରେ ପଡ଼ିଥିବା ଅଧିକ ୩୭ ହଜାର ଭୋଟ୍ ଆସିଲା କୁଆଡ଼ୁ? କେଉଁ ଦଳର ଏ ଭୋଟ୍? ଏମିତି କିଛି ପ୍ରଶ୍ନ ମଧ୍ୟ ଉଠିବା ସ୍ୱାଭାବିକ।
୨୦୨୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂହ ବରିହା ପାଇଥିଲେ ୮୩,୨୯୯ ଖଣ୍ଡ ଭୋଟ। ଏଥିର ତାଙ୍କ ଅବର୍ତ୍ତମାନରେ ତାଙ୍କ ଝିଅ ବର୍ଷା ସିଂହ ବରିହା ପାଇଛନ୍ତି ୧,୨୦,୮୦୭ ଖଣ୍ଡ ଭୋଟ। ଏଇ ଅଧିକ ୩୭ ହଜାର ଭୋଟ୍ କାଟିଦେଲେ ବି ବିଜେଡି ଜିତିଛି। କାରଣ ବର୍ଷାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮,୧୨୮ ଖଣ୍ଡ ଭୋଟ୍। ୨୦୧୯ ନିର୍ବାଚନରେ ସେ ପାଇଥିଲେ ୭୭,୫୬୫ ଖଣ୍ଡ ଭୋଟ୍। ଅର୍ଥାତ ଗତ ନିର୍ବାଚନ ତୁଳନାରେ ଏହି ଦଳର ଭୋଟ ମାତ୍ର ୫୬୩ ଖଣ୍ଡ ବଢ଼ିଛି। ମୋଟ ଉପରେ ବିଜେପି ଭୋଟ୍ ଏଠାରେ ଅକ୍ଷୁର୍ଣ୍ଣ ରହିଛି। ତେଣୁ ବିଜେପି ଭୋଟର ଯେ ବିଜେଡିକୁ ଭୋଟ୍ ଦେଇଛନ୍ତି ତାହା କୁହାଯାଇପାରିବ ନାହିଁ।
ଅନ୍ୟପକ୍ଷରେ ଏହି ନିର୍ବାଚନ ମଣ୍ଡଳୀରେ ଗତ ତିନି ଥରର ନିର୍ବାଚନ ଫଳାଫଳକୁ ଯଦି ତର୍ଜମା କରାଯାଏ ତେବେ ଦେଖାଯିବ ଯେ କଂଗ୍ରେସ ଭୋଟ୍ ହୋଲ୍ସେଲ୍ ଗାଏବ ହୋଇଯାଇଛି ବା ଅନ୍ୟ କେଉଁ ଦଳକୁ ପଳାଇଛି। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଥିଲେ ୩୨,୭୮୭ ଖଣ୍ଡ ଭୋଟ୍। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ତ୍ରିପାଠୀ ପାଇଥିଲେ ୩୧,୪୨୯ ଖଣ୍ଡ ଭୋଟ୍। ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଥିଲେ ୪୯,୮୪୭ ଖଣ୍ଡ ଭୋଟ୍। ଅର୍ଥାତ ଏହି ତିନିଟି ନିର୍ବାଚନ ଫଳାଫଳକୁ ହିସାବ କଲେ ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଥିଲା ହାରାହାରି ୩୭ ହଜାର ଭୋଟ୍। ୨୦୨୨ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଛନ୍ତି ମାତ୍ର ୩,୫୯୪ ଖଣ୍ଡ ଭୋଟ୍। ଏଥିରୁ ସହଜରେ ଅନୁମେୟ ଯେ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାୟ ୩୪ ହଜାର ଭୋଟ୍ ହରେଇଛି। ୨୦୧୯ ନିର୍ବାଚନ ତୁଳନାରେ ମଧ୍ୟ କଂଗ୍ରେସ ହରେଇଛି ୨୯ ହଜାର ଭୋଟ। ଏଇ ୨୯ ହଜାର ଭୋଟ ବିଜେପିକୁ ଯାଇନାହିଁ। ଯାଇଥିଲେ ଏହି ଦଳ ୧ ଲକ୍ଷ ୬ ହଜାର ଭୋଟ୍ ପାଇଥାନ୍ତା। କଂଗ୍ରେସ ହରାଇଥିବା ଏହି ଭୋଟ୍ ଯଦି ବିଜେଡି ପାଇଛି ବୋଲି ହିସାବ କରାଯାଏ ତେବେ ବିଜେଡି ପାଇବା କଥା ୧ ଲକ୍ଷ ୧୬ ହଜାର ଭୋଟ୍। ୨୦୨୨ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପାଇଛନ୍ତି ୧,୨୦,୬୭୨ ଖଣ୍ଡ ଭୋଟ୍। ୨୦୧୯ ନିର୍ବାଚନ ତୁଳନାରେ ଅଧିକ ପ୍ରାୟ ୧୦ ହଜାର ଭୋଟ୍ ଦେଇଥିବାରୁ ଏପରି ହୋଇଥିବା ସ୍ୱାଭାବିକ। ତେଣୁ ଏହି ଦଳର ପ୍ରାର୍ଥୀଙ୍କୁ ଯେ କଂଗ୍ରେସ ଭୋଟ୍ ମିଳିଛି ତାହା ସନ୍ଦେହ କରାଯିବା ଅଯୁକ୍ତିକର ନୁହେଁ। ଏଥିପାଇଁ କିଏ ଦାୟୀ, କିପରି ଦାୟୀ ତାହା କଂଗ୍ରେସ ଓ ବିଜେଡି ଦଳର ନେତୃତ୍ୱ ନିଶ୍ଚୟ ଜାଣିଥିବେ।
ତେବେ, ଆଉ ଗୋଟିଏ କଥା ମଧ୍ୟ ସତ। ତାହା ହେଲା ଗତ ଦୁଇଟି ନିର୍ବାଚନ ତୁଳନାରେ ଏଥର ପଦ୍ମପୁରରେ ଅଧିକ ସଂଖ୍ୟକ ମତଦାତା ଭୋଟ୍ ଦେଇଛନ୍ତି। ୨୦୦୯ରେ ସେଠାରେ ୧,୫୩,୮୩୨ ଜଣ ଭୋଟ୍ ଦେଇଥିଲେ। ୨୦୧୪ରେ ଭୋଟ୍ ଦେଇଥିଲେ ୧,୭୭,୦୩୨ ଜଣ। ୨୦୧୯ରେ ମୋଟ୍ ଭୋଟ୍ ପଡ଼ିଥିଲା ୨,୦୧,୭୨୯ ଖଣ୍ଡ। ୨୦୨୨ ଉପନିର୍ବାଚନରେ ଭୋଟ୍ ଦେଲେ ପ୍ରାୟ ୨ ଲକ୍ଷ ୯ ହଜାର ୩୦୯। ମାନେ ଗତ ଥର ତୁଳନାରେ ମାତ୍ର ୭ ହଜାର ଅଧିକ ଭୋଟର ଭୋଟ୍ ଦେଇଥିଲେ ମଧ୍ୟ ବିଜୟ ବ୍ୟବଧାନ ୭ ଗୁଣ ବୃଦ୍ଧି ପାଇଛି। କଂଗ୍ରେସ ଭୋଟ୍ ହୋଲ୍ସେଲ୍ ଏହି ଦଳକୁ ଯାଇ ନଥିଲେ ଏପରି ହେବା ସମ୍ଭବ ନଥିଲା। କଂଗ୍ରେସ ଓ ବିଜେପି ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଓ ବିଜେପି ନେତା ନରେନ୍ଦ୍ର ମୋଦୀ କଂଗ୍ରେସମୁକ୍ତ ଭାରତ ପାଇଁ କାମ କରୁଥିବାରୁ କଂଗ୍ରେସ ଦଳର ଭୋଟ୍ ବିଜେପିକୁ ହୋଲ୍ସେଲ୍ ଟ୍ରାନ୍ସଫର ହେବା ସମ୍ଭବ ନୁହେଁ। ଅନେକ କଂଗ୍ରେସ ନେତା ଓ କର୍ମୀ ଅବଶ୍ୟ ଇତିମଧ୍ୟରେ ବିଜେପିରେ ଯୋଗ ଦେଇସାରିଛନ୍ତି। ଏଇ ଯେପରି ବରଗଡ଼ର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ସଂଜୟ ଭୋଇ ଏଇ ଉପନିର୍ବାଚନ ପ୍ରକ୍ରିୟ ଭିତରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ମାତ୍ର, ତାଙ୍କର ବିଜେପିରେ ଯୋଗଦାନ ଯୋଗୁଁ ବିଜେପି ଅଧିକ ଲାଭବାନ ହୋଇନାହିଁ, ଯାହା ଭୋଟ୍ ଫଳାଫଳରୁ ବେଶ୍ ସ୍ପଷ୍ଟ। ଅଧିକନ୍ତୁ, ପଦ୍ମପୁରରେ ୨୦୧୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରକାଶ ନାରାୟଣ ତ୍ରିପାଠୀଙ୍କର ବିଜେଡିରେ ଯୋଗଦାନ ଏହି ଦଳ ପାଇଁ ଫାଇଦାଜନକ ହୋଇଥିବା ଅନୁମେୟ।
ଆଉ ଗୋଟିଏ ପ୍ରଶ୍ନ। ବିଜେଡି ଟଙ୍କା ଖର୍ଚ୍ଚ କରି କଂଗ୍ରେସ ଭୋଟ୍ କିଣିଲା, ବିଜେପି କାହିଁକି ପାରିଲା ନାହିଁ? ଏବେ ତ ବିଜେପି ଭାରତବର୍ଷରେ ଅଧିକ ସୁବିଧାଜନକ ସ୍ଥିତିରେ ଅଛି। ଏହାର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ସଫଳତା କାହାକୁ ଅଛପା ନୁହେଁ। ଏଇ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚାର ଓ ରଣକୌଶଳ ଯୋଗୁଁ ବିଜେପି ସେଠାରେ ରେକର୍ଡ଼ କରିଛି। ଦଳ ଗତ ଥର ସେଠାରେ ୯୯ ଆସନ ଜିତିଥିଲା। ଏଥର ଜିତିଛି ୧୫୦ ଉପରେ ଆସନ। ଏହା ପୂର୍ବର ସମସ୍ତ ରେକର୍ଡ଼ଠାରୁ ଅଧିକ। ଦଳ ମଧ୍ୟ ଲଗାତାର ସପ୍ତମ ଥର ପାଇଁ ଗୁଜରାଟରେ ସରକାର ଗଢ଼ୁଛି। ଓଡ଼ିଶାର ବିଜେପି ନେତାମାନେ ମଧ୍ୟ ପଦ୍ମପୁର ଉପନିର୍ବାଚନରେ ମୋଦୀଙ୍କ ଭାରତ ଓ ସବ୍ କା ସାଥ୍ ସବ୍ କା ବିଶ୍ୱାସ ସ୍ଲୋଗାନର ପ୍ରଚାର କରିବାକୁ ଭୁଲି ନଥିଲେ। ମାତ୍ର, ବୋଧହୁଏ ଜିତିବା ପାଇଁ ମୋଦୀ ଯେପରି ପ୍ରଚାର ଓ ସଙ୍ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି, ଏଠାରେ ଦଳ ସେପରି କରିପାରିନାହିଁ, ଯେଉଁଥିପାଇଁ ବିଫଳ ହୋଇଛି। ତା’ଛଡ଼ା ଗୁଜରାଟ ଓ ଓଡ଼ିଶାର ରାଜନୀତିକ ପରିସ୍ଥିତି ଭିନ୍ନ ହୋଇଥିବାରୁ ଏଠାରେ ଯେଉଁ ଭିନ୍ନ କୌଶଳରେ ନିର୍ବାଚନ ଲଢ଼ିବାର ଆବଶ୍ୟକତା ରହିଛି ତାହା ବୋଧହୁଏ ବିଜେପି ନେତୃତ୍ୱ ନିର୍ଣ୍ଣୟ କରିପାରିନାହାନ୍ତି।
ଏଇ ଉପନିର୍ବାଚନରେ ପଦ୍ମପୁରର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ବିଜେପି ଏକଥା ଉଠେଇଛି। ବାହାଘରବେଳେ ବାଇଗଣ ରୁଆ ପରି କଥା ହେଲେ ମଧ୍ୟ ବିଜେଡି ଏ ଦିଗରେ ଉଦ୍ୟମ କରିଛି। ନିର୍ବାଚନ ଘୋଷଣା ହେବା ପରଠାରୁ ପଦ୍ମପୁର ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଘୋଷଣା କରିଛନ୍ତି। ୨୦୨୨ ନଭେମ୍ବର ୫ ତାରିଖରେ ଉପନିର୍ବାଚନ ନିର୍ଘଣ୍ଟ ଘୋଷଣା ହେଲା, ନଭେମ୍ବର ୧୦ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଲା। ଭୋଟ୍ ହେଲା ଡିସେମ୍ବର ୫ ତାରିଖରେ। ନଭେମ୍ବର ୧୦ ତାରିଖରୁ ନଭେମ୍ବର ୨୮ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେ ଘୋଷଣା କରିଛନ୍ତି ତାହା ସବୁ ପଦ୍ମପୁର ନିର୍ବାଚନକୁ ଦୃଷ୍ଟିରେ ରଖି କରିଥିବା ସ୍ପଷ୍ଟ।
ପଦ୍ମପୁରବାସୀଙ୍କ ଜିଲ୍ଲା ଦାବି ବହୁ ପୁରୁଣା। ନିର୍ବାଚନ ଘୋଷଣା ପରେ ସେହି ଦାବି ପୁଣି ଉଠିଲା। ମୁଖ୍ୟମନ୍ତ୍ରୀ ଘୋଷଣା କଲେ ପଦ୍ମପୁର ଜିଲ୍ଲା ହେବ। ରାଜ୍ୟ, ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କର ଇନ୍ପୁଟ୍ ସବ୍ସିଡି ଓ ଫସଲ ବୀମା ଦାବି ବହୁ ପୁରୁଣା। ନିର୍ବାଚନ ଘୋଷଣା ପରେ ସେ ଦାବି ମଧ୍ୟ ଉଠିଲା। ମୁଖ୍ୟମନ୍ତ୍ରୀ ଇନ୍ପୁଟ୍ ସବ୍ସିଡି ଘୋଷଣା କଲେ। ପଦ୍ମପୁରର ବହୁ ଗାଁରେ ବହୁ ପ୍ରକାର ବିକାଶ ଅଭାବ ଥିଲା। ନିର୍ବାଚନ ଘୋଷଣା ହେଲା ପରେ ବିଜେଡି ନେତାମାନେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ପ୍ରଶାସନ ସହିତ ସମନ୍ୱୟ କରି ବିଭିନ୍ନ ଗାଁରେ ବିଭିନ୍ନ ବିକାଶମୂଳକ କାମ ଆରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତକୁ କୋଟିଏ ଟଙ୍କାର ବିକାଶ ପାଣ୍ଠି ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ପିଛିଲା ତାରିଖରେ କେତେକ କାମ ମଞ୍ଜୁର ହୋଇଛି। ଆରମ୍ଭ ହୋଇଥିବା ଅନେକ କାମ ମଧ୍ୟ ଆଗକୁ ମଞ୍ଜୁର ହେବ। ସେହିପରି କୁଲତା ସମାଜ ପାଇଁ ପୁରୀରେ ୧ ଏକର ଜମି ଓ ସେହି ଜମିରେ ଧର୍ମଶାଳା ନିର୍ମାଣ ପାଇଁ ୩ କୋଟି ଟଙ୍କା, ମେହେର ସମାଜ ପାଇଁ ଜମି ଓ ପାଣ୍ଠି, ବିଞ୍ଝାଲ ସଂପ୍ରଦାୟ ପାଇଁ ପ୍ରତିଶ୍ରୁତି, କେନ୍ଦୁପତ୍ର ତୋଳାଳୀ ଓ ବିଡ଼ାଳୀଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ଆଦି ଅନେକ କଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କର ଏହି ଆଚରଣ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ହୋଇଥିଲେ ମଧ୍ୟ ଏ ପ୍ରସଙ୍ଗକୁ ବିଜେପି ଓ କଂଗ୍ରେସ ନିର୍ବାଚନ କମିଶନ କିମ୍ବା ଅଦାଲତକୁ ନେଲେ ନାହିଁ। ବୋଧହୁଏ ବିରୋଧୀ ପକ୍ଷର ଆଶଙ୍କା ହେଲା ଯେ ନବୀନବାବୁ ତ ଲୋକଙ୍କ ପାଇଁ ଏସବୁ ଘୋଷଣା କରିଛନ୍ତି, ତାହାକୁ ବିରୋଧ କଲେ ଲୋକେ କାଳେ ରାଗିବେ ଓ ଭୋଟ୍ ଦେବେ ନାହିଁ! ଭୋଟ୍ ଲୋଭରେ ନିର୍ବାଚନୀ ଲାଞ୍ଚର ପ୍ରତିବାଦ କରାଗଲା ନାହିଁ, ଭୋଟ୍ ବି ମିଳିଲା ନାହିଁ।
ବିଜେଡିର ଏହି ରେକର୍ଡ଼ ବିଜୟ ଆଦୌ ରହସ୍ୟଜନକ ନୁହେଁ। ଭାରତୀୟ ଭୋଟରଙ୍କର ପାରମ୍ପାରିକ ମାନସିକତା ଓ ଶାସକ ଦଳର ଭୋଟ୍ ପରିଚାଳନା ଯାହା, ସେଥିରେ ବିଜେଡିର ଏହି ବିଜୟକୁ ମଧ୍ୟ ରକେଟ୍ ସାଇନ୍ସ କୁହାଯାଇପାରିବ ନାହିଁ। ନିର୍ବାଚନ ସମୟରେ ଓଡ଼ିଶାରେ ଶାସକ ଦଳ ଓ ଶାସନ କଳ ଏକ ଓ ଅଭିନ୍ନ ଭଳି କାର୍ଯ୍ୟ କରୁଥିବାର ଅଭିଯୋଗ ମଧ୍ୟ ବହୁ ପୁରୁଣା। ଏହି ନିର୍ବାଚନ ଜିତିବାକୁ ବିଜେଡି ନେତାମାନେ ହିନ୍ଦୀରେ ଯାହା କୁହାଯାଏ ଜୀ ଜାନ୍ ଲଗେଇ ଦେଇଥିଲେ, ମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଦଳର ପ୍ରାୟ ୪୦ ଜଣ ବିଧାୟକ ଓ ଡଜନେ ସରିକି ମନ୍ତ୍ରୀ ପଦ୍ମପୁରର ବିଭିନ୍ନ ପଞ୍ଚାୟତ ଓ ୱାର୍ଡ଼ ଦାୟିତ୍ୱରେ ରହି ସେଇଠାରେ ଶିବିର ପକାଇଥିଲେ। ଲୋକଙ୍କ ସହ ପ୍ରତ୍ୟକ୍ଷ ସଂପର୍କ ରଖିଥିଲେ। ସେମାନଙ୍କର ମାନ, ଅଭିମାନ, କ୍ରୋଧ ଓ ଅଭିଯୋଗର ସମାଧାନ କରିଥିଲେ। ତା ସତ୍ତ୍ୱେ କାଳେ ଭୋଟ୍ କମିଯିବ ସେଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଚାର ମଇଦାନକୁ ଟାଣିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ବିଧାନସଭା ଅଧିବେଶନକୁ ପ୍ରଥମ ଦିନ ଯାଇ ସ୍ୱାସ୍ଥ୍ୟଗତ କାରଣରୁ ବାକି ଦିନ ଭିଡିଓ କନ୍ଫରେନ୍ସରେ ଭାଗନେବାକୁ ଅନୁମତି ନେଇଥିଲେ ମଧ୍ୟ ପଦ୍ମପୁର ଯାଇଥିଲେ ଓ ଦଳ ପାଇଁ ପ୍ରଚାର କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ଦଳର ନେତାମାନେ ନିର୍ବାଚନ ପରିଚାଳନାର ଏଭଳି ମାଇକ୍ରୋ ପ୍ଲାନିଂ ବା ସୂକ୍ଷ୍ମ ଯୋଜନା କଥା ହୁଏତ ଚିନ୍ତା କରିନଥିଲେ ବା ଚିନ୍ତା କରିଥିଲେ ବି ତାହାର କାର୍ଯ୍ୟାନ୍ୱୟନ କରିବାରେ ବିଫଳ ହୋଇଥିଲେ। ଅନେକ ଦଳୀୟ ନେତା ପଦ୍ମପୁର ସୀମା ବାହାରେ ରହି ନିର୍ବାଚନ ପରିଚାଳନା କରୁଥିଲେ କି ନାହିଁ ତାହା ଏଇ ଦୁଇ ବିରୋଧୀ ଦଳର ନେତାମାନେ ଜାଣିଛନ୍ତି।
ନିର୍ବାଚନ ସମୟରେ ହିଂସାକାଣ୍ଡ, ମଦ ଓ ମାଂସର ଭୋଜି, ଅର୍ଥ କାରବାର ନେଇ ମଧ୍ୟ ବହୁ ଅଭିଯୋଗ ଉଠିଥିଲା। ଏଭଳି କାମ ଆଜିକାଲି ପ୍ରାୟ ସବୁ ଦଳ କରୁଛନ୍ତି। ଶାସନ କ୍ଷମତାରେ ଥିବା ଦଳ ଅଧିକ କରୁଛି, ବିପକ୍ଷକୁ ଅଧିକ କରିବାକୁ ସୁଯୋଗ ଓ ସୁବିଧା ମିଳୁ ନାହିଁ, କାରଣ ଶାସନ କଳ ପ୍ରତିବନ୍ଧକ ସାଜୁଛି। ଜିତିବା ପାଇଁ ବା ଅଧିକ ଭୋଟ୍ ପାଇବାର ଲୋଭ ଏହି ପ୍ରକ୍ରିୟାରେ ଭାରତୀୟ ନିର୍ବାଚନକୁ ‘ମୁକ୍ତ ଓ ଅବାଧ’ ରଖିନାହିଁ। ଅନେକ ସମୟରେ ନିର୍ବାଚନ କମିଶନ ଓ ନିର୍ବାଚନ ଅଧିକାରୀମାନେ ମଧ୍ୟ ପକ୍ଷପାତ ଆଚରଣ ପ୍ରଦର୍ଶନ କରୁଛନ୍ତି। ତାହାର କାରଣ ହେଉଛି ବାସ୍ତବରେ ନିର୍ବାଚନ କମିଶନଙ୍କର ରାଜ୍ୟ ସ୍ତରରେ କୌଣସି କର୍ମଚାରୀ ନାହାନ୍ତି। ରାଜ୍ୟ ସରକାରଙ୍କ କର୍ମଚାରୀମାନେ ହିଁ ନିର୍ବାଚନ ପରିଚାଳନା କରିଥାନ୍ତି। ରାଜ୍ୟ ପ୍ରଶାସନ ଯଦି କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରେ ତେବେ, ନିର୍ବାଚନ ମୁକ୍ତ ଓ ଅବାଧ ହୋଇପାରେ ନାହିଁ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଧିକାରୀମାନେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ବହୁତ ପୁରୁଣା। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଓଡ଼ିଶା ସରକାରଙ୍କର ଏକ ବିଭାଗର ସଚିବ ଭାବେ କାର୍ଯ୍ୟ କରନ୍ତି।
ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇ ବିଜୁ ଜନତା ଦଳ ନିଶ୍ଚୟ ସିକନ୍ଦର ସାବ୍ୟସ୍ତ ହୋଇଛି। ତେବେ, ଏହି ଉପନିର୍ବାଚନରେ ଭାରତୀୟ ଗଣତନ୍ତ୍ରର ଉପରୋକ୍ତ ବିଷୟଗୁଡ଼ିକ ମଧ୍ୟ ସବୁଥର ପରି ପୁଣି ଥରେ ସ୍ୱଚ୍ଛ ଗଣତନ୍ତ୍ର ଓ ମୁକ୍ତ ଓ ଅବାଧ ନିର୍ବାଚନ ଚାହୁଁଥିବା ଲୋକଙ୍କ ପାଇଁ ଚିନ୍ତାର ଖୋରାକ ଯୋଗାଇଛି।