- ଦେବେନ୍ଦ୍ର ପୃଷ୍ଟି
୨୦୨୨ ପଞ୍ଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ। ଦଳୀୟ ସଙ୍କେତରେ ଲଢ଼ାଯାଇଥିବା ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜୁ ଜନତା ଦଳର ପ୍ରାର୍ଥୀମାନେ ପ୍ରାୟ ୭୫୦ ଆସନ ଜିତିନେବେ ବୋଲି ଫେବୃଆରୀ ୨୮ ତାରିଖ ଶେଷ ପର୍ଯ୍ୟାୟ ଭୋଟ ଗଣତିର ଟ୍ରେଣ୍ଡରୁ ନିଶ୍ଚିତ ହୋଇଯାଇଛି। ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଓ ଦ୍ୱିତୀୟ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାର୍ଟିର ମୋଟ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୧୦୦ ଟପିବ କି ନାହିଁ ସନ୍ଦେହ।
ବିଜେଡିର ଏହି ଅପୂର୍ବ ସଫଳତା ପାଇଁ ଦଳ ତରଫରୁ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ ବା କଳାଯାଦୁ, ଲୋକପ୍ରିୟତା, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ, ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ଆଦିକୁ ଶ୍ରେୟ ଦିଆଯାଉଛି। ବିରୋଧୀ ଦଳଗୁଡ଼ିକ ଏହାକୁ ଶାସକ ଦଳର ଅର୍ଥ ଓ ବାହୁ ବଳର ବିଜୟ ବୋଲି ସମାଲୋଚନା କରୁଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହା ଜନାଦେଶ ନୁହେଁ ଧନାଦେଶ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ପୂର୍ବତନ ରାଜ୍ୟ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ନବୀନ ପଟ୍ଟନାୟକ ସରକାରଙ୍କ ଭୋଟର ସନ୍ତୁଷ୍ଟୀକରଣ କାର୍ଯ୍ୟକ୍ରମ ପ୍ରତି ତେର୍ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି ଯେ ପ୍ରତି ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦରିଦ୍ର ଲୋକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଘୋଷଣା କରି ନିଜର ଏକ ସୁଦୃଢ଼ ଭୋଟବ୍ୟାଙ୍କ ସୃଷ୍ଟି କରିଛନ୍ତି ବୋଲି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି।
ଏଭଳି ଅଭିଯୋଗ ସଂପୂର୍ଣ୍ଣ ଅମୂଳକ ନୁହେଁ। ୨୦୧୫-୧୬ ବର୍ଷରେ ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ ଓ କଲ୍ୟାଣମୂଳକ ଯୋଜନାରେ ୪୨,୬୩୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କର ୩୧,୬୯୫ କୋଟି ଟଙ୍କା ଓ କେନ୍ଦ୍ରୀୟ ଅଂଶ ୧୦,୯୪୩ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷରେ ଦାରିଦ୍ର୍ୟ ଦୂରୀକରଣ ଓ କଲ୍ୟାଣମୂଳକ ଯୋଜନା ବାବଦରେ ବଜେଟ ଆକଳନ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ନିଜସ୍ୱ ଯୋଜନା ବାବଦରେ ୨୦୧୫-୧୬ ବର୍ଷରେ ୨୬,୬୩୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଚଳିତ ବର୍ଷକୁ ତାହା ୪୨,୮୭୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢ଼ି ଚାଲିଥିବାବେଳେ ବିଜୁ ଜନତା ଦଳର ସରକାର ଖାସ୍ ରାଜନୀତିକ ଉଦ୍ଦେଶ୍ୟରେ ଦାରିଦ୍ର୍ୟ ଦୂରୀକରଣ ଓ କଲ୍ୟାଣମୂଳକ ଯୋଜନା ବାବଦରେ ବ୍ୟୟଭାର ବଢ଼େଇ ଚାଲିଛନ୍ତି। ଏହିସବୁ ଯୋଜନାକୁ ଭିତ୍ତିକରି ସରକାର ଏକ ସୁଦୃଢ଼ ଓ ପ୍ରତିଶ୍ରୁତିବଦ୍ଧ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ଏହି ଭୋଟ୍ ବ୍ୟାଙ୍କ ହିଁ ବିଜୁ ଜନତା ଦଳର କ୍ରମାଗତ ଆଶ୍ଚର୍ଯ୍ୟଜନକ ସଫଳତାର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ।
ଶସ୍ତା ଚାଉଳ ବଣ୍ଟନ, ବିଜୁ ପକ୍କା ଘର, କାଳିଆ, ବଳିଆ, ପିଠା, ଘର ମରାମତି ଅନୁଦାନ, କ୍ଲବ ଓ ଯୁବକ ସଂଘକୁ ଅନୁଦାନ, ବିଜୁ ଯୁବ ବାହିନୀ, କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ଜୋତା, ଶୀତ ଦିନିଆ କମ୍ବଳ ବଣ୍ଟନ, ମଧୁବାବୁ ପେନ୍ସନ୍ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଦି ଅନେକ ଯୋଜନା କେବଳ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହି ହିତାଧିକାରୀମାନେ ଦଳର କମିଟେଡ୍ ବା ପ୍ରତିଶ୍ରୁତିବଦ୍ଧ ଭୋଟର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ। ରାଜ୍ୟ ସରକାର ଯେଉଁ ଋଣ କରୁଛନ୍ତି ସେଥିରେ ରାଜ୍ୟବାସୀଙ୍କର ସାମୂହିକ ସ୍ୱାର୍ଥ ପାଇଁ ସ୍ଥାୟୀ ସଂପତ୍ତି ସୃଷ୍ଟି କରୁ ନାହାନ୍ତି। ବରଂ ଋଣ କରି ଘିଅ ପିଅ ନୀତିରେ ଋଣ ଟଙ୍କାରେ ଭୋଟରଙ୍କୁ ତୁଷ୍ଟ କରାଯାଉଛି। ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନର ଠିକ ପୂର୍ବରୁ ବି ଏହି ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି।
୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୨ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ସେତେବେଳେ ବିଜେଡି-ବିଜେପି ମେଣ୍ଟ ସରକାରରେ ଥିଲେ। ବିଜେପିର ମନମୋହନ ସାମଲ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ। ମାତ୍ର, ଏହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ଓ ବିଜେପି ଏଥିରୁ କୌଣସି ଫାଇଦା ଉଠାଇପାରି ନଥିଲା। ୨୦୧୪ ନିର୍ବାଚନର କିଛି ମାସ ପୂର୍ବରୁ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାରିଦ୍ର୍ୟ ଭରପୂର ମାଲକାନଗିରି ଜିଲ୍ଲାରୁ ଟଙ୍କିକିଆ ଚାଉଳ ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ରେ ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ଯୋଡ଼ା ଯାଇଥିଲା। ୨୦୨୦ ଓ ୨୦୨୧ ମସିହାରେ କରୋନା ଆଳରେ ସମସ୍ତ ହିତାଧିକାରୀଙ୍କୁ ମୋଟ ଉପରେ ପ୍ରାୟ ବର୍ଷକର ଚାଉଳ ମାଗଣା ମିଳିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ରାଜ୍ୟରେ ଅଧିକ ତିନି ମାସ ପାଇଁ ମାଗଣା ଚାଉଳ କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ କେନ୍ଦ୍ର ସରକାର ତାହା ମଞ୍ଜୁର କରିଥିଲେ।
ବିଜେପି ମେଣ୍ଟରୁ ଓହରିବା ସମୟରୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପ୍ରାୟ ପ୍ରତି ନିର୍ବାଚନ ପୂର୍ବରୁ ଏହିପରି ଭାବେ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଓ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଥାନ୍ତି। ତେବେ, ଏସବୁ ଯୋଜନା ଓ କାର୍ଯ୍ୟକ୍ରମ ସତ୍ତ୍ୱେ ଓଡ଼ିଶାର ଦରିଦ୍ର ହିତାଧିକାରୀଙ୍କ ସଂଖ୍ୟା କମିନାହିଁ, ଯଦିଓ ଦାରିଦ୍ର୍ୟ ହାର ୪୭ ପ୍ରତିଶତରୁ ୨୯ ପ୍ରତିଶତକୁ କମିଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ରାଜ୍ୟରେ ଏବେ ପ୍ରାୟ ୩.୫ କୋଟି ଲୋକ ଟଙ୍କିକିଆ ଚାଉଳର ହିତାଧିକାରୀ। ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୪.୩ କୋଟି। ଆବାସ, ବିଜୁ ପକ୍କା ଘର, ସାମାଜିକ ନିରାପତ୍ତା ଭତ୍ତା, ଏସଏଚଜି ସଦସ୍ୟ ଆଦି ସବୁ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫ କୋଟି ଉପରେ ହେବ। ଜଣେ ଜଣେ ଲୋକ ଏକାଧିକ ଯୋଜନାର ହିତାଧିକାରୀ। ଗୋଟେ ଗୋଟେ ପରିବାର ପ୍ରାୟ ସବୁ ଯୋଜନାର ଲାଭ ଉଠାଉଛନ୍ତି।
ଅନେକ ହିତାଧିକାରୀ ଜାଲ୍ ଓ ଅଯୋଗ୍ୟ ବୋଲି ଖୋଦ୍ ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ଏହି ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଧମକ୍ ଦେଇ ସରକାର ମଝିରେ ମଝିରେ ସ୍ୱଚ୍ଛତାର ପ୍ରମାଣ ଦିଅନ୍ତି। ବାସ୍ତବରେ ଏହା ଭୋଟରମାନଙ୍କ ପାଇଁ ଚେତାବନୀ ଭାବେ କାର୍ଯ୍ୟ କରେ। ଏହାକୁ କେହି କେହି ଭୋଟର୍ଙ୍କୁ ବ୍ଲାକ୍ମେଲ୍ ଭାବେ ବର୍ଣ୍ଣନା କରିଥାନ୍ତି। ଏହି ଭଳି ହିତାଧିକାରୀମାନେ ହିଁ ବିଜେଡିର ଭୋଟ୍ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଲକ୍ଷଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି, କୃଷି ଦୁର୍ନୀତି, ଲଘୁ ଖଣିଜ ଦୁର୍ନୀତି, ଜମି ଦୁର୍ନୀତି, ସରକାରୀ ପ୍ଲଟ୍ ଓ ଘର ଦୁର୍ନୀତି, ଶ୍ରୀମନ୍ଦିର କେଳେଙ୍କାରୀ, ନବକଳେବର ବିଭ୍ରାଟ ଆଦି ବହୁ ଦୁର୍ନୀତି ଓ ବିଭ୍ରାଟ ଘଟିଥିଲେ ବି ତାହା ଓଡ଼ିଶାର ଭୋଟରମାନଙ୍କୁ ବିଶେଷ ପ୍ରଭାବିତ କରିନାହିଁ। ସେମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିନେଇଛନ୍ତି।
ରାଜ୍ୟରେ ବିଜୁ ଜନତା ଦଳର ଶାସନ କାଳରେ ୨୦୦୦ରୁ ୨୦୨୧ ମଧ୍ୟରେ ଓଡ଼ିଶାର ମୁଣ୍ଡ ପିଛା ଋଣଭାର ତିନି ଗୁଣ ବୃଦ୍ଧି ପାଇଛି। ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଋଣଭାର ୫ ହଜାର ଟଙ୍କା ଥିଲା। ୨୦୦୦-୨୦୨୧ ବର୍ଷର ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୩୭୫ ପ୍ରତିଶତ ବୃଦ୍ଧି ପାଇଁ ୨୩,୭୬୧.୮୩ ଟଙ୍କାରେ ପହଞ୍ଚିଛି। ୨୦୧୧-୧୨ ବର୍ଷର ଏହି ପରିମାଣ ୯,୧୪୪.୪୦ ଟଙ୍କା ଥିଲା। ତେଣୁ ଗତ ୧୦ ବର୍ଷ ଭିତରେ ଏହି ପରିମାଣ ଦୁଇ ଗୁଣରୁ ଅଧିକ ହାରରେ ବୃଦ୍ଧି ପାଇଛି ବୋଲି ମଧ୍ୟ କୁହାଯାଇ ପାରେ। ଓଡ଼ିଶାର ମୋଟ ଋଣ ବୋଝ ଏବେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା। ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦର ୧୫.୭ ପ୍ରତିଶତ। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଏହି ପରିମାଣ ୧.୨୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।
ଏସବୁ ହିସାବ ସହିତ ସାଧାରଣ ଭୋଟରମାନଙ୍କର କୌଣସି ସଂପର୍କ ନାହିଁ। ସେମାନେ ରାଜ୍ୟ ଅର୍ଥନୀତି କଥା ବୁଝନ୍ତି ନାହିଁ। ରାଜ୍ୟର ସାଧାରଣ ସଂପଦ ହେରଫେର ଯୋଗୁଁ ତାଙ୍କର କ’ଣ କ୍ଷତି ହେଉଛି ହିସାବ କରନ୍ତି ନାହିଁ। ସରକାରୀ ଅଧିକାରୀମାନେ ଲାଞ୍ଚ ନେଇ କାମ କଲେ ସେମାନଙ୍କର ମୁଣ୍ଡ ବିନ୍ଧୁ ନାହିଁ। ଜଗନ୍ନାଥ ସଂପତ୍ତି ଲୁଟ୍ ହୋଇଗଲେ ମଧ୍ୟ ସେମାନଙ୍କର କିଛି ଯାଏଆସେ ନାହିଁ। ସେମାନେ ନିଜେ କେଉଁ ସରକାରରୁ କେତେ ଫାଇଦା ପାଉଛନ୍ତି ତାହା ହିଁ ସେମାନଙ୍କର ମୁଖ୍ୟ ଚିନ୍ତା। ସେମାନଙ୍କ ପାଇଁ ଯେଉଁ ସରକାର ଅଧିକରୁ ଅଧିକ ମାଗଣା ଯୋଜନା କାର୍ଯ୍ୟକାରୀ କରୁଛି ସେମାନେ ସେହି ସରକାରକୁ ମା’ବାପ ସରକାର ଭାବେ ଗ୍ରହଣ କରି ଭୋଟ୍ ଦେଇଚାଲିଛନ୍ତି।
ଏହି ଭୋଟ୍ ଯୋଜନା ବାଦ୍ ରାଜନୀତିକ ଉଦ୍ଦେଶ୍ୟରେ ଶାସନ କଳର ବ୍ୟାପକ ବ୍ୟବହାର, ବିରୋଧୀ ଦଳର ରାଜନୀତିକ ଅପରିପକ୍ୱତା, ଅନେକ ବିପକ୍ଷ ନେତାଙ୍କର ଶାସକ ଦଳ ସହିତ ଅଭିସନ୍ଧିମୂଳକ ସଂପର୍କ, ତୃଣମୂଳ ସ୍ତରରେ ବିପକ୍ଷ ଦଳର କର୍ମୀଙ୍କର ଅନୁପସ୍ଥିତି ବା ନିଷ୍କ୍ରିୟତା, ଦୁଇ ଜାତୀୟ ମେଣ୍ଟ ଉପା ଓ ଏନଡିଏ ନେତାମାନଙ୍କ ସହିତ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସମୀକରଣ ଆଦି ଯୋଗୁଁ ଓଡ଼ିଶା ବିଜେଡିର ଅପରାଜୟ ଓ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଏବଂ ରାଜ୍ୟ ରାଜନୀତି ସଂପୂର୍ଣ୍ଣ ଭାବେ ଏହି ଦଳର ନିୟନ୍ତ୍ରଣକୁ ଚାଲି ଯାଇଛି ବୋଲି କୁହାଯାଇପାରେ। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ବିଜେପି ଭଳି ଦଳ ବିଜେଡିକୁ ଶକ୍ତ ଚାଲେଞ୍ଜ ଦେଇ କିଛି ସଫଳତା ପାଇଥିଲେ ମଧ୍ୟ ପରେ ଏହି ଜାତୀୟ ସ୍ତରରେ ଏହି ଦଳ ସହିତ ବିଜେଡିର ରାଜନୀତିକ ସଂପର୍କ କିଛିଟା ବଦଳିଛି ଓ ତାହା ମଧ୍ୟ ବିଜେଡି ସପକ୍ଷରେ କାର୍ଯ୍ୟ କରିଥିବା ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନର ଫଳାଫଳରୁ ସ୍ପଷ୍ଟ।