୫୦୦ କୋଟି ବଜେଟ୍‌ରେ କରୁଛି କ’ଣ ବିଏମସି?

  • ଦେବେନ୍ଦ୍ର ପୃଷ୍ଟି

ଦିନ ଅଧିକିଆ ଘଟଣା ନୁହେଁ। ଏମିତି ଘଟିଚାଲିଛି ୭ ବର୍ଷ ହେଲା। ପ୍ରାୟ ପ୍ରତିବର୍ଷ ବର୍ଷା ଦିନେ ଭୁବନେଶ୍ୱର ମହାନଗର ନିଗମ ଡ୍ରେନରେ କେହି ନା କେହି ଭାସିଯାଇ ମୃତ୍ୟୁବରଣ କରୁଛି। ଗଲା ୭ ବର୍ଷ ଭିତରେ ୬ ଜଣ ଲୋକଙ୍କର ଏହିପରି ଭାବରେ ମୃତ୍ୟୁ ହୋଇଗଲାଣି। ପ୍ରଥମ ଓ ଦ୍ୱିତୀୟ ମୃତ୍ୟୁ ପରେ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ରାଜଧାନୀ ସହରର ସମସ୍ତ ମୁକୁଳା ଡ୍ରେନ ଉପରେ କଂକ୍ରିଟ ସ୍ଲାବ ପକେଇ ବନ୍ଦ କରାଯିବ। ସେଥିପାଇଁ ୩ ବର୍ଷ ତଳେ ଟଙ୍କା ମଞ୍ଜୁର ହେଲା ବୋଲି ମଧ୍ୟ ଶୁଣାଗଲା। ମାତ୍ର, ଏଯାଏଁ ସହରର ସଂଖ୍ୟାଧିକ ଡ୍ରେନ ସେହିପରି ମୁକୁଳା ପଡ଼ିଛି। ଅଥଚ ଡ୍ରେନ କାମ ପ୍ରତି ବର୍ଷ ଚାଲିଛି। ଦିନକ ତଳେ ରାଜଧାନୀର ଶତାବ୍ଦୀ ନଗର ଅଞ୍ଚଳରେ ଏକ ଖୋଲା ଡ୍ରେନରେ ବହୁଥିବା ବର୍ଷାଜଳରେ ଭାସି ଯାଇ ଜ୍ୟୋତିପ୍ରକାଶ ବେହେରା ନାମକ ଜଣେ ୧୫ ବର୍ଷ ବୟସ୍କ ବାଳକର ମୃତ୍ୟୁ ଘଟିଛି। ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲା।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଅଧିକାଂଶ ୱାର୍ଡରେ ଥିବା ଜଳ ନିଷ୍କାସନ ନଳା ବା ଡ୍ରେନଗୁଡ଼ିକ ମୁକୁଳା। ରାଜପଥ ଓ ଜନପଥ ପରି ସହରର ପ୍ରମୁଖ ସଡ଼କ ଦୁଇ କଡ଼େ ଥିବା ନଳାଗୁଡ଼ିକ ଉପରେ କଂକ୍ରିଟ ଢାଙ୍କୁଣି ଅଛି। ମାତ୍ର, ୱାର୍ଡ଼ ଭିତରେ ଦେଇ ଯାଇଥିବା ରାସ୍ତାକଡ଼ ଡ୍ରେନଗୁଡ଼ିକ ପ୍ରାୟତଃ ମୁକୁଳା ପଡ଼ିଛି। ସତେ ଯେମିତି ଡ୍ରେନ୍‌ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!

୨୦୧୫ ମସିହା ଅଗଷ୍ଟ ମାସରେ ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା ନୂଆପଲ୍ଲୀରେ ଡ୍ରେନରେ ଭାସିଯାଇ ଜଣେ ବାଳକର ମୃତ୍ୟୁ ହୋଇଥିଲା। ପୁପୁନ ବିଶ୍ୱାଳ ନାମକ ଏହି ପିଲାଟି ପାଠପଢ଼ି ଘରକୁ ଫେରିବାବେଳେ ବର୍ଷା ହୋଇ ଡ୍ରେନ ଉପରେ ପାଣି ଚାଲୁଥିଲା। ରାସ୍ତାର ପାଣିସୁଅରେ ଭାସି ଯାଇ ପିଲାଟି ଡ୍ରେନରେ ପଡ଼ିଯାଇଥିଲା। ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଦୁଇ ଜଣଙ୍କର ଏହପରି ଭାବରେ ମୃତ୍ୟୁ ହୋଇଥିଲା। ୨୦୧୮ରେ ୬ ନମ୍ବର ୟୁନିଟ ଅଞ୍ଚଳରେ ହରି ପଟ୍ଟନାୟକ ନାମକ ଜଣେ ଟ୍ୟୁସନ ମାଷ୍ଟର ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିଲେ। ୨୦୧୯ରେ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କର ମଧ୍ୟ ଡ୍ରେନପାଣିରେ ମୃତ୍ୟୁ ହୋଇଥିଲା।

ବର୍ଷା ଦିନେ ରାଜଧାନୀ ଭୁବନେଶ୍ୱରର ପ୍ରାୟ ସବୁ ଡ୍ରେନ ଉଚ୍ଛୁଳି ପଡ଼େ। ଡ୍ରେନଗୁଡ଼ିକ ଜଳ ନିଷ୍କାସନ ପାଇଁ ତିଆରି ନହୋଇ ଟଙ୍କା ନିଷ୍କାସନ ପାଇଁ ତିଆରି ହୋଇଥିବା ପରି ଲାଗେ। ନହେଲେ ପ୍ରତି ବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଡ୍ରେନ ମରାମତି ହେଲେ ମଧ୍ୟ ବର୍ଷ ଜଳ ଉଚ୍ଛୁଳେ ଓ ସହରରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରେ। ସେହି ବନ୍ୟାସୁଅରେ ଭାସିଯାଇ ପ୍ରାଣ ହରାଇବା ଅସ୍ୱାଭାବିକ ନୁହେଁ।

ଏହିପରି ଘଟିଥିବା ପ୍ରଥମ ଦୁଇଟି ମୃତ୍ୟୁ ପରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ମୁକୁଳା ଡ୍ରେନ ବନ୍ଦ କରିବାକୁ ଘୋଷଣା ହୋଇଥିଲା। ସେ ବାବଦରେ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା ବୋଲି ମଧ୍ୟ ଶୁଣିବାକୁ ମିଳିଲା। ଇତିମଧ୍ୟରେ ୩ ବର୍ଷ ବିତିଗଲାଣି। ମାତ୍ର, ଡ୍ରେନସବୁ ପୂର୍ବପରି ମୁକୁଳା ପଡ଼ିଛି। ବର୍ଷା ସମୟରେ ଜାଣି ନପାରି ମୁକୁଳା ଡ୍ରେନକୁ ଖସିପଡ଼ିବା ଆଦୌ ବିଚିତ୍ର ନୁହେଁ।

ରାଜଧାନୀର ଡ୍ରେନଗୁଡ଼ିକ ଉପରେ ସିନା କଂକ୍ରିଟ ଚାଦର ପଡ଼ୁନାହିଁ କିନ୍ତୁ ଡ୍ରେନ କାମ କେବେ ବନ୍ଦ ହେଉନାହିଁ। ମାଷ୍ଟରକେଣ୍ଟିନରୁ ରାମ ମନ୍ଦିର ମଧ୍ୟରେ ଜନପଥର ଉଭୟ ପାର୍ଶ୍ୱରେ ଥିବା ଡ୍ରେନକାମ ଗଲା କିଛି ବର୍ଷ ଧରି ବନ୍ଦ ହେବାର ନାଁ ଧରୁନାହିଁ। ଗଲା ଦି’ ତିନି ବର୍ଷ ଭିତରେ ସେଠା ଡ୍ରେନ ଦି’ ତିନି ଥର ତିଆରି ହେଲାଣି। ଥରେ ଲୁହାଛଡ଼ ବାନ୍ଧି କଂକ୍ରିଟ ଢଳେଇ ପକେଇ ଡ୍ରେନ କାନ୍ଥ ତିଆରି ହେଲା। ଛଅ ମାସ ଯାଇନାହିଁ ତାକୁ ପୁଣି ମେସିନ ଲଗେଇ ଭାଙ୍ଗି ଦିଆଗଲା, ଆଉ ଥରେ ତିଆରି ହେଲା।

ଭୁବନେଶ୍ୱର ପୌର ସଂସ୍ଥା ଇତିମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ନାମରେ ନାମିତ ହୋଇଛି। ଏହାର ବାର୍ଷିକ ବଜେଟ ବହୁ ଗୁଣରେ ବୃଦ୍ଧି ପାଇଛି। ପୌର କାର୍ଯ୍ୟାଳୟ ଓ ପରିଚାଳନାର ମଧ୍ୟ ରୂପାନ୍ତରଣ ଘଟିଛି। ମାତ୍ର, ଭୁବନେଶ୍ୱର ଜଳ ନିଷ୍କାସନ ସମସ୍ୟା ଦୂର ହୋଇନାହିଁ। ବିଏମସିର ବାର୍ଷିକ ବଜେଟ ପରିମାଣ ୨୦୧୮-୧୯ ବର୍ଷ ଥିଲା ପ୍ରାୟ ୪୬୦ କୋଟି ଟଙ୍କା। ୨୦୧୫-୧୬ ବର୍ଷ ଏହି ପରିମାଣ ଥିଲା ପ୍ରାୟ ୫୦୦ କୋଟି ଟଙ୍କା। ମଝି ବର୍ଷଗୁଡ଼ିକରେ ହାରାହାରି ବଜେଟ ପରିମାଣ ଥିଲା ୪୦୦ କୋଟି ଟଙ୍କା। ୱାର୍ଡ଼ ପିଛା ହିସାବ କଲେ ବଜେଟ ପରିମାଣ ହାରାହାରି ୭-୮ କୋଟି ଟଙ୍କା। ଏ ଟଙ୍କାରେ କି କି ବାବଦରେ ଖର୍ଚ୍ଚ ହେଉଛି? ସେହି ଖର୍ଚ୍ଚର ଫଳ କ’ଣ?

ଭୁବନେଶ୍ୱରର ସ୍ଥାୟୀ ବାସିନ୍ଦାମାନେ ହୋଲ୍ଡିଂ ଟିକସରୁ ଆରମ୍ଭ କରି ନାନାଦି ପ୍ରକାର ଟିକସ ଦେଉଛନ୍ତି। ବିଏମସି ସହରରେ ଲାଗିଥିବା ବିଜ୍ଞାପନରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଆଦାୟ କରୁଛି। ବିଭିନ୍ନ ପ୍ରକାର ଲାଇସେନ୍ସ ଓ ୟୁଜର ଫି ବାବଦରେ କୋଟିକୋଟି ଟଙ୍କା ଆଦାୟ ହେଉଛି। ସହରର ଅଧିକାଂଶ ପାର୍କିଂ ବେଆଇନ ହୋଇଥିଲେ ମଧ୍ୟ ବିଏମସି ସେଥିରୁ ମୋଟା ପାର୍କିଂ ଫି ଆଦାୟ କରୁଛି। ଭୁବନେଶ୍ୱର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ଆକାରରେ କୋଟିକୋଟି ଟଙ୍କା ଦେଉଛନ୍ତି। ତା’ ଛଡ଼ା ଅନେକ ସହରୀ ବିକାଶ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ସେ ବାବଦରେ ଶହଶହ କୋଟି ଟଙ୍କା ଆସୁଛି। ସବୁ ନଳାରେ ବହିଗଲା ପରି ଲାଗୁଛି।

ମୋ ସାଇକେଲ କିଣାଗଲା। କବାଡ଼ିବାଲା ପୋଷିହେଲେ। ସିଟି ବସ୍‌ କିଣାଗଲା। କବାଡ଼ିବାଲାଙ୍କୁ ବିକ୍ରି ହେଲା। ସେଥିରୁ ଦୁଇ ଶହ ଉପରେ ବସ୍‌ କିଣିଲା ଦିନରୁ ଚାଲିଲା ନାହିଁ। ପକେଇ ରଖାଗଲା। ଠିକ ସେହିପରି ମୋ ବସ୍‌। ତାହା ବି କେବେ କବାଡ଼ିବାଲାକୁ ବିକ୍ରି ହେଇପାରେ।

ରାସ୍ତାରେ ଆଲୁଅ ଜଳୁଛି। ଖୁଣ୍ଟ ପୋତା ଯାଇଛି। ଖୁଣ୍ଟ ଓ ଆଲୁଅ କିଛି ଖରାପ ହୋଇନଥିବା ଦି’ ତିନି ବର୍ଷରେ ବଦଳାଯାଉଛି। ବାହାରୁଥିବା ଖୁଣ୍ଟ ଓ ବଲ୍‌ ଆଦିକୁ ସ୍କ୍ରାପ ଦରରେ ବିକ୍ରି ହେଉଛି। କବାଡ଼ିବାଲା କିଣୁଛି। ଏହି ଦାୟିତ୍ୱରେ ଥିବା ବିଏମସିର ଜଣେ କିରାଣୀଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କର କୋଟିକୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଧରା ପଡ଼ିଥିଲା।

ବର୍ଷା ଦିନେ ଟିଫା ମେସିନ ଚାଲୁନାହିଁ କି ଧୂଆଁ ଦିଆଯାଉ ନାହିଁ। ଡେଙ୍ଗୁରେ ବହୁ ଲୋକ ଆକ୍ରାନ୍ତ ହେବା ପରେ କାଁ ଭାଁ ମଶାଧୂଆଁ ବୁଲିଲା। କରୋନା କାଳରେ ଥରେ ଅଧେ ସାନିଟାଇଜେସନ କରାଗଲା। ଅଧିକାଂଶ ଲୋକେ ଘରେ ରହି ସୁସ୍ଥ ହେଲେ। ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ନାଁରେ ମେଡିକାଲ୍‌କୁ ବିଲ୍‌ ପଇଠ ହେଲା। ଏମିତି ଅଭିଯୋଗ ଅନେକ। ବିଏମସି କିଛି ନେତା ଓ ବାବୁଙ୍କ ବ୍ୟାବସାୟିକ କମ୍ପାନୀ ଭାବରେ ଚାଲିଛି। ସତ୍ୟନଗର ମଶାଣି ସାମ୍ନାରେ ନଅ ନମ୍ବରରେ ବିଏମସିର ନୂଆ ମୁଖ୍ୟାଳୟର ନିର୍ମାଣ ଚାଲିଛି। ତା’ର ପ୍ଲାନିଂ ଅନୁମୋଦନ ନାହିଁ। ଏଇଥିରୁ ବିଏମସିର କାର୍ଯ୍ୟକଳାପ ଅନୁମେୟ।

ସହର ଭିତରେ ଥିବା ପ୍ରାକୃତିକ ଜଳ ନିଷ୍କାସନ ନଳା ସବୁ ଶାସନ କଳର ସହଯୋଗରେ ପ୍ରଭାବଶାଳୀ ଲୋକମାନେ ଅକ୍ତିଆର କରିଗଲେଣି। କେଉଁଠି ବିଲ୍ଡର ନଳାକୁ ମାଡ଼ି ହୋଟେଲ କରିଛି ତ କେଉଁଠି ଆପାର୍ଟମେଣ୍ଟ। କେଉଁଠି ସୋ ରୁମ୍‌ ତ କେଉଁଠି ମଲ୍‌। କେଉଁଠି ନଳା ପୋତି ପାର୍କ ତିଆରି ହେଲାଣି ତ କେଉଁଠି ଆଶ୍ରମ। ସରକାରୀ କଳକୁ ଦେଖି ଲୋକେ ମଧ୍ୟ ନାଳନର୍ଦ୍ଦମା ଅବରୋଧ କରୁଛନ୍ତି। ବର୍ଷା ହେଲେ ଜଳ ନିଷ୍କାସନ ହେବ କେମିତି? ତେଣୁ ସହରର ବହୁ ଅଞ୍ଚଳ ବୁଡ଼ି ଯାଉଛି। ସେଥିକୁ ମୁକୁଳା ଡ୍ରେନ ଭୟଙ୍କର ବନ୍ୟା ପରି ପିଲା ଓ ବୁଢ଼ାଙ୍କର ମୃତ୍ୟୁର କାରଣ ହେଉଛି। ଲୋକେ ଯେମିତି ନିରବ ଓ ନିଷ୍କ୍ରିୟ ସରକାର ଠିକ ସେହିପରି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।