ବଲାଙ୍ଗିର ଚାଉଳ ହଡପ ଘଟଣାରେ ୩ ଅଧିକାରୀ ନିଲମ୍ବିତ: ମୁଖ୍ୟ ଅଭିଯୁକ୍ତ ଏବେ ବି ପରଦା ପଛରେ

ବଲାଙ୍ଗିର: ସାଧାରଣ ବଣ୍ଟନ ଯୋଜନାରେ ଗରିବ ଲୋକଙ୍କ ପାଇଁ ଆସିଥିବା ଚାଉଳ ବାଟମାରଣା ଘଟଣାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତୁଷୁରା ରାଇସ୍ ରିସିଭିଂ ସେଣ୍ଟରରୁ ତେନ୍ତୁଲିଖୁଣ୍ଟି ପଞ୍ଚାୟତକୁ ପଠାଯାଇଥିବା ୧୧୯.୯୦ କୁଇଣ୍ଟାଲ ଚାଉଳ ଗାଏବ ହେବା ନେଇ ଓଟିଭିରେ ରିପୋର୍ଟ ପ୍ରସାରଣ ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଭିଜିଲାନ୍ସ ବିଭାଗ ରିପୋର୍ଟ ଦେଇ ସାରିଥିବା ବେଳେ ଯୋଗାଣ ବିଭାଗର ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳ ତିନି ଜଣ ଅଧିକାରୀଙ୍କୁ […]

bolangiri

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 02:42 PM IST

ବଲାଙ୍ଗିର: ସାଧାରଣ ବଣ୍ଟନ ଯୋଜନାରେ ଗରିବ ଲୋକଙ୍କ ପାଇଁ ଆସିଥିବା ଚାଉଳ ବାଟମାରଣା ଘଟଣାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତୁଷୁରା ରାଇସ୍ ରିସିଭିଂ ସେଣ୍ଟରରୁ ତେନ୍ତୁଲିଖୁଣ୍ଟି ପଞ୍ଚାୟତକୁ ପଠାଯାଇଥିବା ୧୧୯.୯୦ କୁଇଣ୍ଟାଲ ଚାଉଳ ଗାଏବ ହେବା ନେଇ ଓଟିଭିରେ ରିପୋର୍ଟ ପ୍ରସାରଣ ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଭିଜିଲାନ୍ସ ବିଭାଗ ରିପୋର୍ଟ ଦେଇ ସାରିଥିବା ବେଳେ ଯୋଗାଣ ବିଭାଗର ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳ ତିନି ଜଣ ଅଧିକାରୀଙ୍କୁ ନିଳମ୍ୱନ କରିଛନ୍ତି । ନିଲମ୍ବିତ ତିନି ଅଧିକାରୀ ହେଲେ ତୁଷୁରା ଆରଆରସିର ପିଓ ରୂପକ କୁମାର ସାହୁ, ତେନ୍ତୁଲିଖୁଣ୍ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ବାଗ ଏବଂ ପରିବହନ ଠିକାଦାର ମୋତିଲାଲ ଜୈନ । ତେବେ ଏହି ଚାଉଳ ଗାଏବ ଘଟଣାରେ ସମ୍ପୃକ୍ତ ଅନ୍ୟମାନେ ଏପର୍ଯ୍ୟନ୍ତ ପରଦା ପଛରେ ରହିଛନ୍ତି । ଘଟଣାରେ ସମ୍ପୃକ୍ତ ପ୍ରକୃତ ଦୋଷୀଙ୍କ ବିରୋଧରେ ଏଯାଏଁ ମାମଲା ରୁଜୁ ହୋଇ ନ ଥିବା ଅଭିଯୋଗ ହେଉଛି ।

ସୂଚନାଯୋଗ୍ୟ, ଜୁଲାଇ ୨୮ ତାରିଖରେ ତୁଷୁରା ଆରଆରସିରୁ ଏକ ଟ୍ରକ (ନଂ. ଓଆର୦୪ବି୧୭୪୯)ରେ ୧୧୯.୯୦ କୁଇଣ୍ଟାଲ ଚାଉଳ ଉଠାଣ ହୋଇ ତେନ୍ତୁଳିଖୁଣ୍ଟି ପଞ୍ଚାୟତକୁ ଯାଇଥିବା ରେକର୍ଡ ରହିଛି । ମାତ୍ର ଏହି ଚାଉଳ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ନ ପହଞ୍ଚି ବାଟରୁ ଗାଏବ ହୋଇଯାଇଥିଲା । ଏ ସମ୍ପର୍କରେ ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା । ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ଏସପିଙ୍କୁ ରିପୋର୍ଟ ଦେଇଥିଲା । ସେପଟେ ଯୋଗାଣ ବିଭାଗ ଘଟଣାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେଲା ପରେ ଜିଲ୍ଲାପାଳ ଏହି ତିନି ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।

ଅନ୍ୟପକ୍ଷେ ତିନି ଅଧିକାରୀଙ୍କ ନିଳମ୍ୱନ ପରେ ଏବେ ଏହି ଚାଉଳ ଗାଏବ ଘଟଣା ଭିନ୍ନମୋଡ ନେଇଛି । ଭିଜିଲାନ୍ସ ଓ ବିଭାଗୀୟ ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ମିଳିଥିବା ତଥ୍ୟ ଅନୁସାରେ ଗତ ଜୁଲାଇ ୨୮ ଅପରାହ୍ନ ୪ଟା ୪୫ରେ ତୁଷୁରା ଆରଆରସିରୁ ପରିବହନ ଠିକାଦାର ମୋତିଲାଲ୍ ଜୈନ ଟ୍ରକ (ନଂ. ଓଆର୦୪ଜେଡସି୭୦୪୯)ରେ ଜାମୁଟ ପଞ୍ଚାୟତ ପାଇଁ ୧୨୪.୯୫ କୁଇଣ୍ଟାଲ ଚାଉଳ ଲୋଡ୍ କରିଥିଲେ । ମାତ୍ର ୧୦ ମିନିଟ ପରେ ସମାନ ନମ୍ବର ଗାଡିରେ ପରିବହନ ଠିକାଦାର ତେନ୍ତୁଲିଖୁଣ୍ଟି ପଞ୍ଚାୟତ ପାଇଁ ୧୧୯.୯୦ କୁଇଣ୍ଟାଲ ଚାଉଳ ଲୋଡ କରିଥିବା ଆରଆରସିରେ ରେକର୍ଡ ହୋଇଛି। ଦଶ ମିନିଟ ବ୍ୟବଧାନରେ କେମିତି ଗୋଟିଏ ଗାଡିରେ ଦୁଇଟି ପଞ୍ଚାୟତ ପାଇଁ ଚାଉଳ ଲୋଡ ଓ ଅନଲୋଡ ହେଲା ତାହା ଏବେ ତଦନ୍ତ ସାପେକ୍ଷ । ଭିଜିଲାନ୍ସ ତଦନ୍ତ ବେଳେ ଭୁଲ କ୍ରମେ ଗାଡି ନମ୍ୱର ପଡିଯାଇଛି, ତେନ୍ତୁଲିଖୁଣ୍ଟି ପାଇଁ ଓଆର୦୪ବି୧୭୪୯ ନମ୍ବର ଗାଡିରେ ଚାଉଳ ଲୋଡ ହୋଇଥିବା ଆରଆରସି ଅଧିକାରୀ କହିଛନ୍ତି । ଏପରି ସ୍ଥିତିରେ କାଗଜକଲମରେ କୌଣସି ଏକ ମିଲରୁ ଚାଉଳ ଆସୁଥିବା ଅଭିଯୋଗ ହେଉଛି । ତୁଷୁରାର କେଉଁ ମିଲ ସହ ସଲାସୁତରାରେ ଏପରି ଚାଲିଥିଲା ତାହା ତଦନ୍ତ ହେବା ଦରକାର । ଏପଟେ ତେନ୍ତୁଳିଖୁଣ୍ଟି ପଞ୍ଚାୟତରେ ଚାଉଳ ପହଞ୍ଚି ନ ଥିଲେ ବି ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କିପରି ରିସିଭ ଲେଟରରେ ଦସ୍ତଖତ କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

Related story