boudh
ବୌଦ୍ଧ: ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ବିକାଶ ସହ ଗମନାଗମନ ସୁବିଧା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳାରୁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏପରି ସମସ୍ୟା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର କୁଶଙ୍ଗ ପଞ୍ଚାୟତରେ। ଏହି ପଞ୍ଚାୟତର ଅଧିକାଂଶ ଗାଁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଅଞ୍ଚଳବାସୀ ଗରିବ ଓ ପ୍ରାୟତଃ ଅଶିକ୍ଷିତ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ବିଶେଷ କରି ଗମନାଗମନ ସୁବିଧା ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି। ଏହି ଅଞ୍ଚଳରେ ଥିବା କରଡାକୋଠା ନାଳ ଲୋକଙ୍କ ସମସ୍ୟାର କାରଣ ପାଲଟିଛି। ନାଳ ଯୋଗୁଁ ବର୍ଷା ୪ମାସ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁଗୁଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି । ନାଳ ଉପରେ ଏକ ପୋଲ କାମ ହେଉଛି । ମାତ୍ର ଏହା ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପୋଲ କାମ ଶେଷ କରିବାକୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
କୁଶଙ୍ଗ ଓ ତଳଗାଁକୁ ସଂଯୋଗ କରୁଛି ରାସ୍ତାଟି କରଡାକୋଠା ନାଳ ଉପରେ ଯାଇଛି । ଏହି ରାସ୍ତା ଉପରେ କୁଶଙ୍ଗ ପଞ୍ଚାୟତର ଧାଡିଆମ୍ୱ, କୁଟିବାରୀ, ସାତଖଣ୍ଡ, ହିନ୍ଦୋଳ, କରଡାକୋଠା ଓ ତଳଗାଁ ପଞ୍ଚାୟତର ରାଣୀସାହି, ସାନଭରୁତା, ବଡଭୁରୁତା, ଖଳିସାହି, ସିତକାବାରୀ, ଗେରେଡିସାହି, ତଇଳାସାହି ଗାଁର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି। ରାସ୍ତାରେ ଅଞ୍ଚଳବାସୀ ନିତିଦିନିଆ ସଉଦାଠାରୁ ଆରମ୍ଭ କରି ପିଲାମାନେ ପାଠ ପଢିବା ପାଇଁ ଯିବା ଆସିବା କରିଥାନ୍ତି। ଏହି ପୋଲ ଅଞ୍ଚଳବାସୀଙ୍କ ଲାଇଫ୍ ଲାଇନ୍ ବୋଲି କୁହାଯାଇଥାଏ। ମାତ୍ର ଏବେ ନାଳଟି ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ବର୍ଷାଦିନ ଆସିଗଲେ ନାଳ ଯୋଗୁ ଲୋକଙ୍କ ଦୁଃଖ ବଢିଯାଉଛି। ସାମାନ୍ୟ ବର୍ଷା ହେଲେ ନାଳ ଦୁଇ କୂଳ ଖାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାଏ। ଫଳରେ ଲୋକେ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି ।
ଦୀର୍ଘବର୍ଷ ହେବ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଳ ଉପରେ ଏକ ପୋଲ ନିର୍ମାଣ ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୧ରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ପୋଲ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ। ଆରଡି ବିଭାଗ ଏହି ପୋଲ ନିର୍ମାଣ କାମ କରୁଛି । ଏଥିପାଇଁ ବିଜୁ ସେତୁ ଯୋଜନାରେ ୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ୨୦୧୩ରେ କାମ ସରିବା କଥା। ହେଲେ ଏହା ମଧ୍ୟରେ ଅଧିକ ୨ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲ କାମ ଶେଷ ହେବାର ନାଁ ଧରୁନାହିଁ ବୋଲି କରଡାକୋଠା ଗ୍ରାମର ନରେଶ ବେହେରା, ସାତଖଣ୍ଡ ଗାଁର ବୃନ୍ଦାବନ ବେହେରା ଓ ଅନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ପୋଲ କାମ କାମ ଶେଷ କରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବୌଦ୍ଧ ଆରଡି ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ତ୍ରୀପାଠୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ପୋଲ କାମ ଲାଗି ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ତ୍ରୁଟି ଥିଲା। ତେଣୁ କାମ ଶେଷ ହେବାରେ ବିଳମ୍ୱ ହେଉଥିଲା । ଏବେ ଏହି ସମସ୍ୟା ଦୂର କରାଯାଇଛି । ଆସନ୍ତା ଜୁନ ଶେଷ ସୁଦ୍ଧା ପୋଲ କାମ ସରିଯିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/08/vlcsnap-2015-08-10-16h12m37s91.png)
/odisha-reporter/media/post_attachments/wp-content/uploads/2015/08/boudh12-1024x768.jpg)
/odisha-reporter/media/post_attachments/wp-content/uploads/2015/08/boudh13-1024x768.jpg)