Advertisment

ଓଡ଼ିଆ ଭାଷା ସହ 'ଆମାଜନ' କଲା ପାତରଅନ୍ତର

ଓଡ଼ିଶା ରିପୋର୍ଟର(ପ୍ରଜ୍ଞା ଚୌଧୁରୀ): ଲକଡାଉନ ପରିସ୍ଥିତି ବେଳେ ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା: ଦି ଲଷ୍ଟ ଆଇଡିଆ’ ରିଲିଜ ହେବା ପରେ ଓଡ଼ିଆ ଚଳଚ୍ଚିତ୍ରପ୍ରେମୀ ବିଶେଷ କରି ଯୁବ ଦର୍ଶକ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ହେଲେ ରିଲିଜର ମାତ୍ର ଦୁଇ ଦିନ ପରେ କେବଳ ଓଡ଼ିଆ ଫିଲ୍ମ ବୋଲି ଏହାକୁ ହଟାଇ ଦିଆଯାଇଥିଲା। ଏନେଇ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ପୂରା ଟିମ୍ ସମେତ ତମାମ ଓଡ଼ିଆ ସିନେପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି। ଭାରତର ଅନ୍ୟତମ […]

ଓଡ଼ିଆ ଭାଷା ସହ 'ଆମାଜନ' କଲା ପାତରଅନ୍ତର

OR Special

Advertisment

ଓଡ଼ିଶା ରିପୋର୍ଟର(ପ୍ରଜ୍ଞା ଚୌଧୁରୀ): ଲକଡାଉନ ପରିସ୍ଥିତି ବେଳେ ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଚଳଚ୍ଚିତ୍ର 'କ୍ଷଣିକା: ଦି ଲଷ୍ଟ ଆଇଡିଆ' ରିଲିଜ ହେବା ପରେ ଓଡ଼ିଆ ଚଳଚ୍ଚିତ୍ରପ୍ରେମୀ ବିଶେଷ କରି ଯୁବ ଦର୍ଶକ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ହେଲେ ରିଲିଜର ମାତ୍ର ଦୁଇ ଦିନ ପରେ କେବଳ ଓଡ଼ିଆ ଫିଲ୍ମ ବୋଲି ଏହାକୁ ହଟାଇ ଦିଆଯାଇଥିଲା। ଏନେଇ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ପୂରା ଟିମ୍ ସମେତ ତମାମ ଓଡ଼ିଆ ସିନେପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି। ଭାରତର ଅନ୍ୟତମ ଶାସ୍ତ୍ରୀୟ ଭାଷା ଭାବେ ଲୋକପ୍ରିୟ ଓଡ଼ିଆ ଭାଷା ପ୍ରତି ଏଭଳି ଅପମାନକୁ ସହଜରେ ଗ୍ରହଣ କରାଯାଇପାରୁ ନାହିଁ।

Advertisment

ସୂଚନାଯୋଗ୍ୟ, ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବାର ମାତ୍ର ଦୁଇଦିନ ପରେ ଓଡ଼ିଆ ଫିଲ୍ମ 'କ୍ଷଣିକା: ଦି ଲଷ୍ଟ ଆଇଡିଆ'କୁ ହଟାଇ ଦିଆଯାଇଛି। ଜୁନ୍ ୬ରେ ଫିଲ୍ମଟି ଆମାଜାନ ପ୍ରାଇମ୍ ଭିଡିଓ ଇଣ୍ଡିଆରେ ଷ୍ଟ୍ରିମିଂ ହୋଇଥିଲା। ତେବେ ଏନେଇ ଆମାଜନ ପକ୍ଷରୁ ଯୁକ୍ତି ରଖାଯାଇଛି ଯେ, ସେମାନେ କେବଳ ୯ଟି ଭାରତୀୟ ଭାଷା ଯଥା- ବଙ୍ଗାଳୀ, ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ, ପଞ୍ଜାବୀ, କନ୍ନଡ, ମାଲାୟଲମ ଏବଂ ଗୁଜରାଟୀ ଚଳଚ୍ଚିତ୍ରକୁ ହିଁ ଷ୍ଟ୍ରିମିଂ କରିପାରିବେ।

ଅନ୍ୟପଟେ 'କ୍ଷଣିକା: ଦି ଲଷ୍ଟ ଆଇଡିଆ'କୁ ପୁଣିଥରେ ଆମାଜନ-ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ କରାଯାଉ ବୋଲି ଫିଲ୍ମ ନିର୍ମାତା ଦାବି କରିଛନ୍ତି। ହେଲେ ଏହାର ଉତ୍ତରରେ ଆମାଜନ କହିଛି ଯେ, ବିତରକମାନଙ୍କ ଦ୍ୱାରା ଏହା ଅଜାଣତରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହୋଇଯାଇଥିଲା। ଏଭଳି ଭୁଲ୍ ପାଇଁ ଆମାଜନ କ୍ଷମା ମାଗି କଥା ସେଇଠି ସମାପ୍ତ କରିଦେଇଛି, ଯାହା ପ୍ରକୃତରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ଚର୍ଚ୍ଚା ହେଉଛି।

Advertisment

ଆମାଜନ୍ ଭଳି ଏକ ବହୁ ଲୋକପ୍ରିୟ ସଂସ୍ଥା ପକ୍ଷରୁ ଓଡ଼ିଆ ଭଳି ଏକ ଶାସ୍ତ୍ରୀୟ ଭାଷା ପ୍ରତି ଏହା ଏକ ଅପମାନ ବୋଲି ସୋଶାଲ ମିଡିଆଠାରୁ ଆରମ୍ଭ କରି ଚାରିଆଡ଼େ ଚର୍ଚ୍ଚା ହେଉଛି। କନ୍ନଡ଼, ତେଲୁଗୁ, ମାଲାୟଲମ, ସଂସ୍କୃତ, ତାମିଲ ସମେତ ଓଡ଼ିଆ ହେଉଛି ଦେଶର ୬ଟି ଶାସ୍ତ୍ରୀୟ ଭାଷା। ଏହି ଭାଷା ପ୍ରତି ସମ୍ମାନ ଦେବା ଓ ଏହାର ପ୍ରଚାର ପ୍ରସାର ଲାଗି ନିଜ ନିଜ ସ୍ତରରେ ଉଦ୍ୟମ କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଭାଷାର ଉନ୍ନତିରେ ସମୁହର ଉନ୍ନତି ଓ ସେହିପରି ଦେଶର ଉନ୍ନତି ସମ୍ଭବ। ଏଭଳି କ୍ଷେତ୍ରରେ କେବଳ ଓଡ଼ିଆ ଚଳଚ୍ଚିତ୍ର ବୋଲି ଓଟିଟି ପ୍ଲାଟଫର୍ମରୁ ଅନ୍ତର୍ଜାତୀୟ ସ୍ତରର ଫିଲ୍ମ 'କ୍ଷଣିକା: ଦି ଲଷ୍ଟ ଆଇଡିଆ'କୁ ରିଲିଜ୍ କରି ହଟାଇଦେବା ଏକ ସାଧାରଣ ଘଟଣା ନୁହେଁ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ, 'କ୍ଷଣିକା: ଦି ଲଷ୍ଟ ଆଇଡିଆ' ହେଉଛି ଏକ ସ୍ୱାଧୀନ ଓଡ଼ିଆ ଚଳଚ୍ଚିତ୍ର, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତନାମା ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ। ଫିଲ୍ମର ପ୍ରଯୋଜନା କରିଛନ୍ତି ସ୍ୱସ୍ତିକ ଚୌଧୁରୀ। ୮୯ ମିନିଟ୍ ଅବଧି ବିଶିଷ୍ଟ ଏହି ଫିଲ୍ମରେ ଅମ୍ରିତା ଚୌଧୁରୀ, ଅନୁ ଚୌଧୁରୀ, ସୁଶାନ୍ତ ମିଶ୍ର, ଚୌଧୁରୀ ବିକାଶ ଦାସ, ହୃଷିକେଶ ଭୋଇ, ଦ୍ୱିପନ୍ୱୀତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ଭାସ୍ୱତୀ ବସୁଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀ ଉପରେ ଆଧାରିତ 'କ୍ଷଣିକା: ଦି ଲଷ୍ଟ ଆଇଡିଆ'। ଫିଲ୍ମର ଶୁଟିଂ ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯାଇଛି।

ଫିଲ୍ମକୁ ଆମାଜନ ପ୍ରାଇମ୍ ଭିଡିଓରୁ ହଟାଇ ଦିଆଯିବା ନେଇ ନିର୍ମାତା କହିଛନ୍ତି ଯେ, ଜୁନ୍ ୮ରେ ଆମାଜନର ଜଣେ ଅଧିକାରୀ 'କ୍ଷଣିକା: ଦି ଲଷ୍ଟ ଆଇଡିଆ'କୁ ଆମାଜନ ପ୍ରାଇମ୍ ଭିଡିଓରୁ ତୁରନ୍ତ ହଟାଇବାକୁ ବିତରକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆମାଜନ ବିତରକ ତାଙ୍କୁ ଏନେଇ ଅବଗତ କରାଇଥିଲେ। ତଦ୍ଦନୁଯାୟୀ, 'କ୍ଷଣିକା: ଦି ଲଷ୍ଟ ଆଇଡିଆ'ର ଟାଇଟେଲ୍ ଆମାଜନ୍ ପ୍ରାଇମରେ ରିଲିଜ୍ ହେବା ନେଇ ସମସ୍ତ ସର୍ତ୍ତ ପୂରଣ କରୁଥିଲେ ହେଁ ଓଡ଼ିଆ ଫିଲ୍ମକୁ କୌଣସି ମତେ ରିଲିଜ୍ ନ କରିବାକୁ ସେମାନଙ୍କୁ ଚେତାବନୀ ଦିଆଯାଇଛି।

ଏହାପରେ ଫିଲ୍ମ ନିର୍ମାତା ଆମାଜନଠାରୁ ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ଚାହିଁଥିଲେ। ଏନେଇ ଆମାଜନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପ୍ରଥମେ କୌଣସି ଉତ୍ତର ଆସି ନ ଥିଲା। ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଇମେଲ୍, ଫଲୋ-ଅପ୍ କରାଯିବା ପରେ ଆମାଜନ ପକ୍ଷରୁ ଉତ୍ତର ମିଳିଥିଲା। ଆମାଜନ ଏନେଇ ପ୍ରତିକ୍ରିୟା ଦେଇ କହିଛି, ସେମାନେ କେବଳ ୯ଟି ଭାରତୀୟ ଭାଷାର ଚଳଚ୍ଚିତ୍ରକୁ ସ୍ଥାନ ଦେଉଛନ୍ତି ଏବଂ ଓଡ଼ିଆ ଭାଷା ବର୍ତ୍ତମାନ ତାଙ୍କ ତାଲିକାରେ ନାହିଁ।

ଅନ୍ୟପଟେ ଫିଲ୍ମ ବାବଦରେ ଆମାଜନ ବିତରକଙ୍କ ସହ ଯେତେବେଳେ ନିର୍ମାତା ପ୍ରଥମେ ଆଲୋଚନା କରିଥିଲେ, ସେହି ସମୟରେ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ କରିବା ଲାଗି ଏଭଳି କୌଣସି ନିର୍ଦ୍ଦେଶାବଳୀ ବିଷୟରେ ତାଙ୍କୁ କୁହାଯାଇ ନ ଥିଲା। ସେମାନେ ଆମାଜନ ପୋର୍ଟାଲରେ ଭାଷା ଏକ ଅବରୋଧ ନୁହେଁ ବୋଲି କହିଥିଲେ। ତେବେ ଯଦି ପ୍ରକୃତରେ ଏଭଳି କୌଣସି ନିର୍ଦ୍ଦେଶାବଳୀ ରହିଛି, ତେବେ କାହିଁକି ସେମାନେ କେବଳ ଦୁଇ ଦିନ ଲାଗି 'କ୍ଷଣିକା: ଦି ଲଷ୍ଟ ଆଇଡିଆ'କୁ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ କଲେ ବୋଲି ନିର୍ମାତା ପ୍ରଶ୍ନ ଉଠାଇଛନ୍ତି।

'କ୍ଷଣିକା: ଦି ଲଷ୍ଟ ଆଇଡିଆ'ର ନିର୍ମାତା ଆହୁରି ମଧ୍ୟ କହିଛନ୍ତି ଯେ, ଆମାଜନ କଷ୍ଟମର କେୟାର ଏନେଇ ଦର୍ଶକଙ୍କୁ ବିଭ୍ରାନ୍ତ କରୁଛି। ଏହି ପରିପ୍ରେକ୍ଷୀରେ ସେମାନେ କିଛି ଅବାନ୍ତର ତର୍କ ଦେଇ ଭ୍ରମ ସୃଷ୍ଟି କରୁଛନ୍ତି। ଫିଲ୍ମ ଲାଇସେନ୍ସ ଶେଷ ହୋଇଯାଇଥିବା, ଫିଲ୍ମ ୟୁଏସରେ ରିଲିଜ୍ ହୋଇଛି ଭାରତରେ ନୁହେଁ, ଆମାଜନରେ କୌଣସି ଭାଷାଗତ ଅବରୋଧ ନାହିଁ। ଆମାଜନ ପକ୍ଷରୁ ଏଭଳି କେତେକ ମିଛ କୈଫିୟତ ଦିଆଯାଉଥିବା ଫିଲ୍ମ ନିର୍ମାତା କହିଛନ୍ତି।

ତେବେ ଏ ସମସ୍ତ କୈଫିୟତ ମିଛ ଆଉ ଆମାଜନ ଦର୍ଶକମାନଙ୍କୁ ବିଭ୍ରାନ୍ତ କରୁଛି। କାରଣ ବର୍ତ୍ତମାନ ସୁଦ୍ଧା ଫିଲ୍ମର ୯.୪ ଆଇଏମଡିବି ରେଟିଂ ରହିଛି। ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବା ପରେ କେବଳ ଭାଷା ଆଧାରରେ ଏଭଳି ଏକ ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ସହ ଭେଦଭାବ କରିବା ସହ ଅନ୍ୟ ୯ଟି ଭାଷାର ଚଳଚ୍ଚିତ୍ରକୁ ପ୍ରାଥମିକତା ଦେଇ ବର୍ତ୍ତମାନ ସୁଦ୍ଧା ଷ୍ଟ୍ରିମିଂ କରୁଛନ୍ତି। ଏହା ବାସ୍ତବରେ ନିନ୍ଦନୀୟ ବୋଲି ଫିଲ୍ମ ନିର୍ମାତା କହିଛନ୍ତି।

ଫିଲ୍ମ ନିର୍ମାତା ଅଧିକ ସୂଚନା ଦେଇ କହିଛନ୍ତି ଯେ, ଫିଲ୍ମଟି କେବଳ ଭାରତ ବ୍ୟତୀତ ଅନ୍ୟ ଅଞ୍ଚଳରେ ଆମାଜନ ପ୍ରାଇମରେ ଉପଲବ୍ଧ ରହିଛି। ତେବେ ଏହି ଘଟଣାକୁ ଏବେ ସୋଶାଲ ମିଡିଆରେ ଖୁବ୍ ନିନ୍ଦା କରାଯାଉଛି। ଏହା ସହ 'କ୍ଷଣିକା: ଦି ଲଷ୍ଟ ଆଇଡିଆ'କୁ ପୁଣିଥରେ ଆମାଜନ ପ୍ରାଇମ୍ ଭିଡିଓରେ ସ୍ଥାନ ଦିଆଯାଉ ବୋଲି #BringKhyanikaaBack ସହ ଲୋକେ ଦାବି କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe