କେହି ଶୁଣୁ ନାହାନ୍ତି, ଭାଗ୍ୟକୁ ଆଦରି ପାଇଖାନା ଘରେ ରହୁଛନ୍ତି ବୁଧନି

ଜଳେଶ୍ୱର (ଅଜିତ ଦାସ): ଅଧା ବୟସରେ ଆରପାରିକୁ ଚାଲିଗଲେ ସ୍ୱାମୀ। ମୁଣ୍ଡ ଗୁଞ୍ଜିବାକୁ ଥିବା ଝାଟିମାଟି ଘର ବି ବେଶି ଦିନ ରହିଲା ନାହିଁ। ତାହା ବି ମାଟିରେ ମିଶିଗଲା। ପୁଅ ଯେଉଁ ରୋଜଗାର କରୁଛି ତାକୁ ନିଅଣ୍ଟ। ଏପରି ସ୍ଥିତିରେ ୭୦ ବର୍ଷର ବୁଧନି ମହାକୁଡ଼ଙ୍କ ଠିକଣା ପାଲଟିଛି ପାଇଖାନା ଘର, ଯେଉଁଠି କଡ଼ ବୁଲାଇବାକୁ ଜାଗା ନାହିଁ। ପାଇଖାନା ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରଖିବା ସହ ମାସ ମାସ ଧରି ରହି ଆସୁଛନ୍ତି […]

Budhani

Tapaswini Nayak
  • Published: Monday, 17 January 2022
  • , Updated: 17 January 2022, 02:40 PM IST

ଜଳେଶ୍ୱର (ଅଜିତ ଦାସ): ଅଧା ବୟସରେ ଆରପାରିକୁ ଚାଲିଗଲେ ସ୍ୱାମୀ। ମୁଣ୍ଡ ଗୁଞ୍ଜିବାକୁ ଥିବା ଝାଟିମାଟି ଘର ବି ବେଶି ଦିନ ରହିଲା ନାହିଁ। ତାହା ବି ମାଟିରେ ମିଶିଗଲା। ପୁଅ ଯେଉଁ ରୋଜଗାର କରୁଛି ତାକୁ ନିଅଣ୍ଟ। ଏପରି ସ୍ଥିତିରେ ୭୦ ବର୍ଷର ବୁଧନି ମହାକୁଡ଼ଙ୍କ ଠିକଣା ପାଲଟିଛି ପାଇଖାନା ଘର, ଯେଉଁଠି କଡ଼ ବୁଲାଇବାକୁ ଜାଗା ନାହିଁ। ପାଇଖାନା ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରଖିବା ସହ ମାସ ମାସ ଧରି ରହି ଆସୁଛନ୍ତି ବୁଧନି। ପ୍ରଶାସନ ଦୁଃଖ ଶୁଣୁ ନ ଥିବା ବେଳେ ଭାଗ୍ୟକୁ ଆଦରି ପାଇଖାନା ଘରେ ପଡ଼ି ରହିଛନ୍ତି ବୁଧନି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଦୁଧିଆଶୂଳ ଗାଁରେ।

ପୁଅ, ବୋହୂ ଓ ନାତିନାତୁଣୀଙ୍କୁ ନେଇ ବୁଧନିଙ୍କ ସଂସାର। ଏକ ମାଟି ଘରେ ସେମାନେ ରହୁଥିଲେ। ସେହି ମାଟି ଘର ଭାଙ୍ଗିଯାଇଛି। ଆଉ ତା’ପରଠାରୁ ବୁଧନିଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ମିଳି ନଥିଲା। ଗାଁରେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଉଥିଲେ। ପୁଅ,ବୋହୂ ଓ ନାତିନାତୁଣୀ ଜରି ଟାଣି ରହୁଛନ୍ତି। କୌଣସି ଆବସ ଯୋଜନାରେ ଘରଟିଏ ପାଇ ନଥିବା ବୁଧନିଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଛି ପାଇଖାନାଟିଏ। ପାଇଖାନା ଗୃହ ମିଳିବା ପରେ ସେ ସେଠାରେ ରହି ଆସୁଛନ୍ତି। ତାଙ୍କର ଖାଇବା, ଶୋଇବା ଓ ବସାଉଠା- ସବୁକିଛି ହେଉଛି ଏହି ପାଇଖାନା ଘରେ।

[caption id="attachment_706968" align="aligncenter" width="650"] ବୁଧନି[/caption]

ବୁଧନିଙ୍କୁ ୫୦୦ ଟଙ୍କା ବିଧବା ଭତ୍ତା ଓ  ୫ କେଜି ଚାଉଳ ମିଳୁଛି। ତାଙ୍କ ପୁଅ ଯେତିକି ରୋଜଗାର କରେ ସେଥିରେ ତାଙ୍କ ନିଜ ପିଲାଛୁଆଙ୍କ ପେଟକୁ ନିଅଣ୍ଟ ହୋଇଥାଏ। ଘର ଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ ଠାରୁ ନେଇ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଧନି ଗୁହାରି କରିଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

୨୨ବର୍ଷ ତଳେ ବୁଧନିଙ୍କ ସ୍ଵାମୀ ଜଗନ୍ନାଥ ମହାକୁଡ଼ଙ୍କ ମୃତ୍ୟୁ ଘଟିଥିଲା। ବୁଧନି ଭୂମିହୀନ। ସରକାର ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନାରେ ପଟ୍ଟା ଦେବାର ବନ୍ଦୋବସ୍ତ କରିଛନ୍ତି। ହେଲେ ବୁଧନିଙ୍କ ପାଇଖାନା ଘରେ ରହିବାର ଦୃଶ୍ୟ ଦେଖିଲେ ସରକାରଙ୍କ ଯୋଗ୍ୟ ହିତାଧିକାରୀ ଚୟନରେ ତ୍ରୁଟି ରହୁଥିବା ସ୍ପଷ୍ଟ ବାରି ହୋଇପଡୁଛି। ପଟ୍ଟା ଖଣ୍ଡିଏ ପାଇଁ ରାଜସ୍ୱ ନିରୀକ୍ଷକ ଓ ତହସିଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି ବୁଧନି। ମାତ୍ର ଫଳ ଶୂନ।

ଅର୍ଜୁନ ମହାକୁଡ଼ ନାମକ ଜଣେ ଗ୍ରାମବାସୀ କହିଛନ୍ତି, ବୁଧନିଙ୍କ ପୁଅ ଓ ବୋହୂ  ଜରି ଟାଣି ରହୁଛନ୍ତି। ସେଠାରେ ସେ ରହିବା ସମ୍ଭବପର ନୁହେଁ। ସେଥିପାଇଁ ସେ ପାଇଖାନା ଘରେ ରହୁଛନ୍ତି।  ସରକାରଙ୍କ ପକ୍ଷରୁ ତାଙ୍କୁ ଘର ଖଣ୍ଡେ ମିଳୁ ନାହିଁ। ନିର୍ବାଚନ ଆସିଲେ ନେତାଙ୍କ ସୁଅ ଛୁଟେ, କେତେ କ’ଣ କରିଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ହେଲେ ପରେ ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟି ଯାଏ।

Related story