ବ୍ୟୁରୋକ୍ରାଟିକ୍‌ ଜନତା ଦଳ!

ଦେବେନ୍ଦ୍ର ପୃଷ୍ଟି କିଛି ବର୍ଷ ଧରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଝିରେ ମଝିରେ ରାଜନୀତିକ ମହଲରେ ଉଠୁଛି, ପୁଣି ଉଭେଇ ଯାଉଛି। କେହି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି କି କେହି ପାଉନାହାନ୍ତି। ତଥାପି ପ୍ରଶ୍ନଟି ଉଠିବା ପାଇଁ ଅନେକ ଘଟଣା ମଝିରେ ମଝିରେ ଘଟି ଚାଲିଛି। ଓଡ଼ିଶାରେ କିଏ କରୁଛି ରାଜନୀତି, ନେତା ନା ଅଫିସର? ଏ ପ୍ରଶ୍ନ ଉପରେ ସବୁ ସଂପୃକ୍ତ ପକ୍ଷ ଆଲୋଚନା ଓ ଅନୁଶୀଳନ କରିବା ଉଚିତ। ଏବେ ସାରା ରାଜ୍ୟରେ ପଞ୍ଚାୟତ […]

Image

Debendra Prusty
  • Published: Tuesday, 15 February 2022
  • , Updated: 15 February 2022, 02:27 PM IST
  • ଦେବେନ୍ଦ୍ର ପୃଷ୍ଟି

କିଛି ବର୍ଷ ଧରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଝିରେ ମଝିରେ ରାଜନୀତିକ ମହଲରେ ଉଠୁଛି, ପୁଣି ଉଭେଇ ଯାଉଛି। କେହି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି କି କେହି ପାଉନାହାନ୍ତି। ତଥାପି ପ୍ରଶ୍ନଟି ଉଠିବା ପାଇଁ ଅନେକ ଘଟଣା ମଝିରେ ମଝିରେ ଘଟି ଚାଲିଛି। ଓଡ଼ିଶାରେ କିଏ କରୁଛି ରାଜନୀତି, ନେତା ନା ଅଫିସର? ଏ ପ୍ରଶ୍ନ ଉପରେ ସବୁ ସଂପୃକ୍ତ ପକ୍ଷ ଆଲୋଚନା ଓ ଅନୁଶୀଳନ କରିବା ଉଚିତ।

ଏବେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନର ବ୍ୟସ୍ତତା। ନେତା ଓ ଜନତା ସମସ୍ତେ ବ୍ୟସ୍ତ। ସରକାରୀ କର୍ମଚାରୀମାନେ ମଧ୍ୟ ବହୁତ ବ୍ୟସ୍ତ। ନେତା ପ୍ରଚାରରେ ବ୍ୟସ୍ତ। ଭୋଟ ଯୋଗାଡ଼ରେ ବ୍ୟସ୍ତ। ଜନତା ନେତାଙ୍କ ପାଇଁ ବ୍ୟସ୍ତ। ତାଙ୍କ ସାଜସଜା ଓ ଭୋଜିଭାତରେ ବ୍ୟସ୍ତ। ସରକାରୀ କର୍ମଚାରୀଙ୍କ ମଧ୍ୟରୁ କିଛି ନିର୍ବାଚନ ପରିଚାଳନାରେ ବ୍ୟସ୍ତ, ଅନେକ ଶାସକ ଦଳ ସପକ୍ଷରେ ପ୍ରଚାର କରିବାରେ ବ୍ୟସ୍ତ। ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଆରମ୍ଭ କରି ଆଶା ଦିଦି, ଶିକ୍ଷକ ଆଦି ଅନେକ ବର୍ଗର କର୍ମଚାରୀ ଏବେ ନିର୍ବାଚନ ପ୍ରଚାର କରୁଥିବାର ଅନେକ ଅଭିଯୋଗ ଆସିଲାଣି। ଜଣେ ଶିକ୍ଷକ ନିଜ ପତ୍ନୀଙ୍କ ପାଇଁ ପ୍ରଚାର କରି ସସ୍‌ପେଣ୍ଡ ମଧ୍ୟ ହେଲେଣି। ଅନ୍ୟ ଆଡ଼େ ଗଦା ଗଦା ଅଭିଯୋଗ। ରାଜନୀତିକ ସଭାରେ ମିଶନ ଶକ୍ତି ବିଭାଗ ସହ ସଂପୃକ୍ତ ମହିଳା, ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିମାନଙ୍କୁ ଦେଖିବାକୁ ମିଳୁଛି। ସରକାରୀ ସ୍କୁଲର ଶିକ୍ଷକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଶାସକ ଦଳ ସପକ୍ଷରେ ଭୋଟରମାନଙ୍କୁ ମନେଇବାରେ ଲାଗିଛନ୍ତି। ବ୍ଲକ ଓ ପଞ୍ଚାୟତ କର୍ମଚାରୀ ମଧ୍ୟ ସେଇ କାମରେ ବ୍ୟସ୍ତ। ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର କର୍ମଚାରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହିଭଳି ଅନେକ ଅଭିଯୋଗ ପହଞ୍ଚିଲାଣି। ବିରୋଧୀଙ୍କ ଦାବି ଯେ ଅନେକ ଅଞ୍ଚଳରେ ସରକାରୀ କର୍ମଚାରୀ ଶାସକ ଦଳ ପାଇଁ କାମ କରୁଛନ୍ତି। ଏପରିକି ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ନିରପେକ୍ଷ ନରହି ପକ୍ଷପାତ କରୁଥିବାର ଅଭିଯୋଗ ବି ରହିଛି।

ତେବେ ଏଭଳି ଅଭିଯୋଗ ନୂଆ ନୁହେଁ। ୨୦୦୪ ନିର୍ବାଚନ ସମୟରୁ ଏପରି ଅଭିଯୋଗ ହୋଇ ଆସୁଛି। ସେତେବେଳେ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ ହେଉଥିଲା। ୨୦୦୯ ନିର୍ବାଚନ ସମୟରୁ ବିଜେଡିର ପୂର୍ବତନ ସହଯୋଗୀ ବିଜେପି ପକ୍ଷରୁ ମଧ୍ୟ ସମାନ ପ୍ରକାର ଅଭିଯୋଗ ହୋଇ ଆସୁଛି। ଜିଲ୍ଲାପାଳ ଓ ଏସ୍‌ପିମାନେ ଶାସକ ଦଳର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି ବୋଲି ବି ଅଭିଯୋଗ ହୋଇଛି। ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହୁଥିବା ଅଫିସର ଓ କର୍ମଚାରୀମାନେ ଶାସକ ଦଳର ମୁଖ୍ୟ ପରିଚାଳକଙ୍କ ନିର୍ଦ୍ଦେଶରେ କାମ କରୁଥିବା ନେଇ ଶାସକ ଦଳ ଭିତରୁ ବି ଅଭିଯୋଗ ହୋଇଛି। ଏବେକାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଏପରି ତିକ୍ତ ଅଭିଜ୍ଞତା ରହିଛି। ତାଙ୍କ ଆଠଗଡ଼ର ତତ୍କାଳୀନ ରିଟର୍ଣ୍ଣି ଅଫିସର ଶାସକ ଦଳର ତତ୍କାଳୀନ ମୁଖ୍ୟ ପରିଚାଳକ ବା ମାର୍ଗ ଦର୍ଶକ ବା ଚାଣକ୍ୟଙ୍କ ନିର୍ଦ୍ଦେଶରେ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିଦେଇଥିଲେ ବୋଲି ରାଜ୍ୟ ରାଜନୀତିରେ ଖୁବ ଆଲୋଚନା ହୋଇଥିଲା। ରଣେନ୍ଦ୍ର ନ୍ୟାୟ ପାଇଁ ସୁପ୍ରିମ କୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ନ୍ୟାୟ ପାଇବା ପରେ ପୁଣି ଥରେ ବିଧାନସଭାକୁ ଫେରିଥିଲେ।

ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ମଧ୍ୟ ଏହିପରି ଅଭିଯୋଗ କରିଥିଲେ। ଅନେକ ଜିଲ୍ଲାରେ ପୁଲିସ ଶାସକ ଦଳ ପାଇଁ କାମ କରୁଥିବା ଜାଣିବା ପରେ ସେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେଥିପାଇଁ ସେ ସରକାରଙ୍କ ରୋଷର ଶିକାର ହୋଇଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହୋଇଥିଲେ। ସେ ମଧ୍ୟ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ଯାଇ ତାଙ୍କ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି ପ୍ରମାଣ କରିଥିଲେ।

ଏଭଳି ଅଭିଯୋଗକୁ ମଝିରେ ମଝିରେ ଅନ୍ୟ କିଛି ଘଟଣା ମଧ୍ୟ ବଳିଷ୍ଠ କରିଛି। ଜଣେ ଯନ୍ତ୍ରୀଙ୍କୁ ବାରମ୍ବାର ନିୟମ ଉଲ୍ଲଙ୍ଘନ କରି ପଦୋନ୍ନତି ଦିଆଗଲା। ଗୋଟେ ବିଭାଗର ସଚିବ କରାଗଲା। ଅବସର ପରେ ପୁନଃ ନିଯୁକ୍ତି ଦିଆଗଲା। ଶେଷରେ ସେ ଚାକିରି ଛାଡ଼ିବା ପରେ ଶାସକ ଦଳର ପ୍ରାର୍ଥୀ ହେଲେ। ଏହିପରି ଉଦାହରଣ ଅନେକ ଅଛି। ଇତିମଧ୍ୟରେ ଅନେକ ଅଫିସର ଅବସର ନେବା ପରେ ଶାସକ ଦଳରେ ମିଶିଛନ୍ତି। ପଦପଦବୀ ପାଇଛନ୍ତି। ଏବେ ଯେଉଁ ପଞ୍ଚାୟତ ନିର୍ବାଚନ ଚାଲିଛି ସେଥିରେ ମଧ୍ୟ ଅନେକ ପୂର୍ବତନ ଅଫିସର ଶାସକ ଦଳ ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ରାଜ୍ୟରେ ଗଲା କିଛି ବର୍ଷ ଧରି ଅଫିସରମାନେ ଜନ ପ୍ରତିନିଧିମାନଙ୍କୁ ଖାତିର କରୁନାହାନ୍ତି ବୋଲି ଅଭିଯୋଗ ରହିଛି। ଏ ବିଷୟରେ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ପ୍ରଶାସନକୁ ବାରମ୍ବାର ନିର୍ଦ୍ଦେଶ ଦେଇଛନ୍ତି। ତଥାପି କିଛି ବଦଳି ନାହିଁ। ଏପରିକି ଶାସକ ଦଳର ଅନେକ ବିଧାୟକ ମଧ୍ୟ ରାଜ୍ୟରେ ଅଫିସରରାଜ୍‌ ଚାଲିଛି ବୋଲି ସନ୍ତର୍ପଣରେ ମନର ବେଦନା ପ୍ରକାଶ କରିଛନ୍ତି।

ଏଭଳି ଅନେକ ଘଟଣାକୁ ତର୍ଜମା କଲେ ଓଡ଼ିଶାରେ ଯେ ଅଫିସରମାନେ ରାଜନୀତି ନିୟନ୍ତ୍ରଣ କରୁଛନ୍ତି ତାହା ସ୍ପଷ୍ଟ ହୁଏ। ଆଗରୁ କୁହାଯାଉଥିଲା ପ୍ୟାରୀବାବୁଙ୍କ ପରାମର୍ଶକ୍ରମେ ପ୍ରଶାସନକୁ ଶାସକ ଦଳର କ୍ୟାଡରରେ ପରିଣତ କରାଯାଇଥିଲା। ସେତେବେଳେ ଥାର୍ଡ଼ ଫ୍ଲୋର ବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ରାଜନୀତି ନିୟନ୍ତ୍ରିତ ହେଉଥିଲା ବୋଲି ଅଭିଯୋଗ ଉଠୁଥିଲା। ୨୦୧୨ ମେ ୨୯ ତାରିଖରେ ପ୍ୟାରୀବାବୁଙ୍କ ବିଦ୍ରୋହ ପରେ ପ୍ରଶାସନ ଉପରୁ ତାଙ୍କ ନିୟନ୍ତ୍ରଣ ହଟିଗଲା। ମାତ୍ର, ଥାର୍ଡ଼ ଫ୍ଲୋରର ରାଜନୀତିକ ଭୂମିକା ହ୍ରାସ ପାଇଲା ନାହିଁ। ବରଂ ସେତେବେଳେ ଯାହା ଲୁଚାଚୋରାରେ ହେଉଥିଲା ତାହା ପ୍ରକାଶ୍ୟରେ ହେଲା। ଏବେ କିଛି ବର୍ଷ ଧରି ବିରୋଧୀ ଅଭିଯୋଗ କରୁଛନ୍ତି ଯେ ତୃତୀୟ ମହଲାର ଦୁଇ ଜଣ ବାବୁ ରାଜ୍ୟ ସରକାର ଓ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣରେ ରଖିଛନ୍ତି।

ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟ ରାଜନୀତିରେ କ୍ରମଶଃ ସୁଦୃଢ଼ ହୋଇଚାଲିଥିବା ଏହି ପରମ୍ପରା ଏବେ କେବଳ ଥାର୍ଡ଼ ଫ୍ଲୋର ବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ସୀମୀତ ରହିନାହିଁ। ଏହା ତୃଣମୂଳ ସ୍ତରକୁ ମଧ୍ୟ ମାଡ଼ିଗଲାଣି। ସେଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରୀୟ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ନିଜ ନିଜ ଅଞ୍ଚଳର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ଚାକିରି କାଳର କ୍ଷମତା ଓ ପ୍ରତିପତ୍ତିକୁ ଚାକିରି ପରେ ମଧ୍ୟ ଉପଭୋଗ କରିବାର ଲାଳସା ରହୁଛି। ପଞ୍ଚାୟତଗୁଡ଼ିକ ଗ୍ରାମ ବିକାଶର ପ୍ରଧାନ ବ୍ୟବସ୍ଥା ହୋଇଥିବାରୁ ସେଠାକୁ ବର୍ଷକୁ କୋଟିଏରୁ ଅଧିକ ଟଙ୍କା ଯାଉଛି। ତା’ ଛଡ଼ା ପଞ୍ଚାୟତର ସାଧାରଣ ସଂପତ୍ତି ମଧ୍ୟ ଏକ ଆକର୍ଷଣ। ଜମି, ଜଳ, ଜଙ୍ଗଲ, ବାଲି, ଗୋଡ଼ି, ମୋରମ, ପାହାଡ଼ ଆଦିରୁ ସରକାର କିଛି ରାଜସ୍ୱ ପାଉଥିବାବେଳେ ତାହାର ଶହଶହ ଗୁଣ ହଡ଼ପ ହେଉଛି। ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ବିପୁଳ କମିଶନ ବା ପିସି କାରବାର ହେଉଛି। ଇନ୍ଦିରା ଆବାସ ଗୋଟା ପିଛା ୨୦-୨୫ ହଜାର ଆଦାୟ ହେଉଛି। ପାଇଖାନାରୁ ଗୋଟା ପିଛା ୪-୫ ହଜାର। ସେହିପରି ଅନ୍ୟ ସବୁ ଯୋଜନା। ପ୍ରଶାସନ ସଂପୃକ୍ତ ନହେଲେ ନିରୋଳା ନେତାମାନେ ଏସବୁରୁ ଆର୍ଥିକ ଫାଇଦା ପାଇବା କଷ୍ଟକର। ପ୍ରଶାସନ ସହ ସଂପୃକ୍ତ ଅଧିକାରୀମାନେ ଏହା ଜାଣିଛନ୍ତି। ତେଣୁ, ନେତାଙ୍କ ଜରିଆରେ ହଡ଼ପ ପ୍ରକ୍ରିୟାରେ ସାମିଲ ହେବା ଅପେକ୍ଷା ସିଧସଳଖ ମହୁ ଚୋଷିବାକୁ ଆଗ୍ରହୀ ହେଉଛନ୍ତି।

ଏବେ ଗୋଟେ ନୂଆ ପରମ୍ପରା ଦେଖିବାକୁ ମିଳୁଛି। ଭୋଟରଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଛି। ତମେ ଆମକୁ ଭୋଟ୍‌ ନଦେଲେ ତମ ରାସନ କାର୍ଡ଼ କଟିଯିବ, ଇନ୍ଦିରା ଆବାସ ମିଳିବ ନାହିଁ। ଭତ୍ତା ତାଲିକାରୁ ନାଁ ବି ଲିଭିବ। ଏମିତି କେତେ କ’ଣ ଧମକ୍‌। ଏପରି ଧମକ୍‌ ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରମିଳା ମଲ୍ଲିକଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ନୋଟିସ ଜାରି କରିଛନ୍ତି। କୋରେଇରେ ମଧ୍ୟ ଏଭଳି ଧମକ୍‌ ଦିଆଯାଇଥିବା ଖବର ପ୍ରକାଶ ପାଇଛି। ରାଜ୍ୟର ଅନ୍ୟ ଆଡ଼େ ଯେ ଏପରି ହେଉନାହିଁ ତାହା କୁହାଯାଇ ନପାରେ। ଏହା ଯଦି ଏକ ରାଜନୀତିକ କୌଶଳ ତେବେ ନିଶ୍ଚୟ ରାଜ୍ୟ ସାରା ଭୋଟରଙ୍କୁ ଏହିପରି ଧମକ୍‌ ଦିଆଯାଉଥିବ। ଭୋଟ୍‌ ପାଇଁ ଏହା ବ୍ଲାକ୍‌ମେଲ୍‌। ସବୁ ହିତାଧିକାରୀ ସ୍ୱଚ୍ଛ ନୁହନ୍ତି। କେତେକ ଲୋଭର ବଶବର୍ତ୍ତୀ ହୋଇ ଅଭାବ ନଥିଲେ ମଧ୍ୟ ସରକାରୀ ସହାୟତା ହାତେଇବାକୁ ହିତାଧିକାରୀ ହୋଇଛନ୍ତି। ସେମାନେ ପ୍ରଶାସନର କ୍ଷମତା ଓ କୌଶଳ କ’ଣ ବୁଝିଛନ୍ତି। ତେଣୁ ଅଯଥା ହଇରାଣ ହରକତରୁ ବଞ୍ଚିବା ପାଇଁ ଶାସକ ଦଳକୁ ଭୋଟ୍‌ ଦେଇ ସବୁଦିନିଆ ହିତାଧିକାରୀ ହୋଇ ସରକାରୀ ଯୋଜନା ଜରିଆରେ ଧନ କମେଇବାରେ ବ୍ୟସ୍ତ।

ଏଭଳି ଲୋକଙ୍କ ନାଡ଼ି ଚିପି ଅଫିସରମାନେ ଭୋଟ୍‌ ରାଜନୀତିକୁ ଏକପାଖିଆ କରିବାରେ ସଫଳ ହୋଇଛନ୍ତି। ପୂରା ପ୍ରଶାସନିକ କଳ ଯଦି ଗୋଟିଏ ପଟେ କାମ କରେ ତେବେ ତାହା ନିଶ୍ଚୟ ଏକ ଦଳ ବା ପାର୍ଟି ବୋଲି କୁହାଯିବାରେ ଅସଙ୍ଗତି ନାହିଁ। ଏହାକୁ ବ୍ୟୁରୋକ୍ରାଟ ଜନତା ଦଳ କୁହାଯାଇପାରେ। ଏହି ଦଳର ପ୍ରକୃତ ନେତା ହେଲେ ବ୍ୟୁରୋକ୍ରାଟ୍‌। ନାମ୍‌ କେ ବାସ୍ତେ ନେତାମାନେ ପଦପଦବୀ ଲୋଭରେ ସେମାନଙ୍କ କଥାରେ ଉଠୁବସ୍‌ ହେବା ସ୍ୱାଭାବିକ କଥା। ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କ୍ରମାଗତ ଭାବେ ଆଡ଼େଇ ଦେଇ, ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ସଂପର୍କରେ ଅଜ୍ଞ ଓ ଅନଭିଜ୍ଞ ଅନେକ ଯୁବକ ବ୍ୟୁରୋକ୍ରାଟ୍‌ଙ୍କ ସ୍ୱାର୍ଥ ପାଇଁ କାମ କରି ଯଦି କିଛି ସରକାରୀ ପଦପଦବୀ ପାଉଛନ୍ତି ଓ କିଛି ଅର୍ଥ ଓ କ୍ଷମତାର ଅଂଶୀଦାର ହେଉଛନ୍ତି, ତାହା ସେମାନଙ୍କ ପାଇଁ ଲାଭଦାୟକ ବୋଧ ହେଉଛି। ନେତା କ୍ୟାରିୟର୍‌ରେ ଉନ୍ନତି ହେଉଛି। ସୁପ୍ରିମୋ ନିଜେ କିଛି ବୁଝୁ ନଥିବାରୁ ଅଫିସରଙ୍କ ଜରିଆରେ ହେଲେ ବି କିଛି କିଛି ଭାଗ ମିଳୁଥିବାରୁ ସେଇ ଆଡ଼କୁ ସୁଅ ବୋହୁଛି। ଅଫିସରଙ୍କ ଦଳରେ ନେତାମାନେ ଯେ ରାଜନୀତିକ ଶ୍ରମିକ ହୋଇଯାଇଛନ୍ତି, ସେ କଥା କିଏ ହୃଦବୋଧ କରୁଛି? ସେଥିପାଇଁ କାହାର ବେଳ ନାହିଁ କି ବଳ ନାହିଁ। ଏକଥା ଏବେ ରାଜନୀତିକ ଶ୍ରମିକରେ ପରିଣତ ହୋଇଥିବା ତଥାକଥିତ ନେତାମାନେ ନବୁଝିଲା ଯାଏଁ ଏହି ପରମ୍ପରା ବଳବତ୍ତର ରହିବା ସୁନିଶ୍ଚିତ। ସେମାନେ ନଚେତିଲେ ପଞ୍ଚାୟତ ସରକାରରୁ ରାଜ୍ୟ ସରକାର ଯାଏଁ ସବୁଠି ଏହିପରି ଅମଲାତାନ୍ତ୍ରିକ ସରକାର ଦୀର୍ଘସ୍ଥାୟୀ ହେବା ଅସ୍ୱାଭାବିକ ନୁହେଁ।

ତେବେ, ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦିଆଯିବା ଦରକାର ଯେ ଗଣତନ୍ତ୍ରର ଅମଲାତାନ୍ତ୍ରିକ ଉତ୍ତରଣ, କେବଳ ଓଡ଼ିଶାରେ ବର୍ତ୍ତମାନର ଶାସକ ଦଳର ପ୍ରତିଷ୍ଠିତ ପରମ୍ପରା ନୁହେଁ। ଭାରତବର୍ଷର ଅନ୍ୟାନ୍ୟ ଅନେକ ପ୍ରକାର ଗଣତାନ୍ତ୍ରିକ ଅବକ୍ଷୟ ପାଇଁ ଦାୟୀ କଂଗ୍ରେସ ଦଳ ତରଫରୁ ହିଁ ଏପରି ପରମ୍ପରା ଆରମ୍ଭ ହୋଇଥିଲା। ଏହି ଦଳ ବହୁ ପୂର୍ବରୁ ଅନେକ ଆଇଏଏସ, ଆଇପିଏସ, ଆଇଏଫଏସ, ଏପରିକି ବିଚାରପତି ପ୍ରମୁଖଙ୍କୁ ଦଳୀୟ ପ୍ରାର୍ଥୀ କରି ଏହି ପରମ୍ପରା ଆରମ୍ଭ କରିଥିଲା। ପରେ ଅନ୍ୟ ଦଳଗୁଡ଼ିକ ଏହି ରାସ୍ତାରେ ଚାଲିଛନ୍ତି। କେନ୍ଦ୍ରରେ ଏବେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିରେ ମଧ୍ୟ ବହୁ ପୂର୍ବତନ ବ୍ୟୁରୋକ୍ରାଟ୍‌ ଯୋଗ ଦେଇ ଏହି ପରମ୍ପରାକୁ ସୁଦୃଢ଼ କରିଛନ୍ତି। ଭାରତବର୍ଷର ପ୍ରତ୍ୟେକ ନାଗରିକ ନିର୍ବାଚନ ରାଜନୀତିରେ ଯୋଗଦେବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ଯେଉଁମାନେ ପାରୁଛନ୍ତି, ସେମାନେ ରାଜନୀତିକୁ ନିଜ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ଏଥିରେ ମଧ୍ୟ କିଛି ଅସ୍ୱାଭାବିକତା ନାହିଁ।

Related story