ରବି ଦାସ
୧୯୯୦ରେ ଭି.ପି. ସିଂହଙ୍କ ସରକାର ମଣ୍ଡଳ କମିଶନ ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ତାହାକୁ ନେଇ ଦେଶରେ ପ୍ରବଳ ଆନ୍ଦୋଳନ ହୋଇଥିଲା। ବିଶେଷ ଭାବରେ ଛାତ୍ର ଓ ଯୁବକମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେହି ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ମଧ୍ୟ ବେଶ ପଡ଼ିଥିଲା। ଯେହେତୁ ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନେ ପାଠ ପଢ଼ିଲା ପରେ ସରକାରୀ ଚାକିରି ଉପରେ ଅଧିକ ନିର୍ଭର କରନ୍ତି ତେଣୁ ମଣ୍ଡଳ କମିଶନ ସୁପାରିଶ୍ ଦ୍ୱାରା ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହୋଇଯିବେ ବୋଲି ବିଚାର କରାଯାଇ ଏହି ଆନ୍ଦୋଳନ ହୋଇଥିଲା। ସେତେବେଳେ ବିରୋଧୀ ପକ୍ଷରେ ଥିବା କଂଗ୍ରେସ ଏହି ଆନ୍ଦୋଳନକୁ ପରୋକ୍ଷ ସମର୍ଥନ କରିଥିବା ସମୟରେ ବିଜେପି ରାମମନ୍ଦିର ଆନ୍ଦୋଳନକୁ ପ୍ରାଧାନ୍ୟ ଦେଇ ମଣ୍ଡଳ ରାଜନୀତିକୁ ଗୌଣ କରିଦେଇଥିଲା। ୧୯୯୨ରେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ବେଞ୍ଚ ଏକ ଐତିହାସିକ ରାୟରେ ମଣ୍ଡଳ କମିଶନ ସୁପାରିଶର ବୈଧତାକୁ ସ୍ୱୀକାର କରିବା ସହିତ ସର୍ବାଧିକ ୫୦ ଭାଗରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ମତ ଦେଇଥିଲେ।
୧୯୯୧ରେ ନରସିଂହ ରାଓଙ୍କ ସରକାର ଆର୍ଥିକ ସଂସ୍କାର କାର୍ଯ୍ୟକାରୀ କରି ବଜାର ଅର୍ଥନୀତି ଓ ଲାଇସେନ୍ସ ପରମିଟ୍ ରାଜର ଅବସାନ କରିଥିଲେ। ୧୯୯୧ ନିର୍ବାଚନରେ ଉତ୍ତରପ୍ରଦେଶ ରାଜନୀତି ଉପରେ ରାମ ଜନ୍ମଭୂମି ଆନ୍ଦୋଳନର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା। ତଥାପି ମଣ୍ଡଳ ରାଜନୀତିର ପ୍ରଭାବ ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ମଣ୍ଡଳ କମଣ୍ଡଳ ପ୍ରତିଯୋଗିତାରେ କଂଗ୍ରେସ ଦଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ନରସିଂହ ରାଓଙ୍କ ସରକାର ମଣ୍ଡଳ କମିଶନ ବୈଧତାକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ଏହି ସୁପାରିଶକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ୧୯୯୦ରେ ଭି.ପି. ସିଂହ ମଣ୍ଡଳ ସୁପାରିଶ ପାଇଁ ବିଜ୍ଞପ୍ତି ଜାରି କରିବା ସମୟରେ ଓଡ଼ିଶାରେ ସେହି ଦଳର ସରକାର ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ରହିଥିଲା। କିନ୍ତୁ ମଣ୍ଡଳ କମିଶନ ସୁପାରିଶ ପ୍ରତି ଛାତ୍ର ଓ ଯୁବକମାନଙ୍କର ଅସନ୍ତୋଷକୁ ଦେଖି ବିଜୁ ପଟ୍ଟନାୟକ ଗରିବର ଜାତି ନାହିଁ ବୋଲି ଏକ ମନ୍ତବ୍ୟ ଦେଇ ଆନ୍ଦୋଳନର ଉଗ୍ରତାକୁ କମାଇ ଦେଇଥିଲେ। ତଥାପି ଦଳ ଭିତରେ ଚାପ ଯୋଗୁ ୧୯୯୫ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପଛୁଆ ଜାତିମାନଙ୍କର ତାଲିକା ପ୍ରସ୍ତୁତ ପାଇଁ ଜଷ୍ଟିସ୍ ନବକୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢ଼ିଥିଲେ। ଏହାକୁ ଭିତ୍ତିକରି ୧୯୯୫ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଛୁଆବର୍ଗ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଘୋଷଣା କରାଗଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। କଂଗ୍ରେସ ସରକାର ସମୟରେ ମଧ୍ୟ ଏ ଦିଗରେ ବିଶେଷ ଧ୍ୟାନ ଦିଆଗଲା ନାହିଁ।
ଓଡ଼ିଶା ଭଳି ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ସମ୍ବିଧାନ ଆଧାରରେ ୩୮ ଭାଗ ସ୍ଥାନ ସଂରକ୍ଷଣ ଥିବାରୁ ଓଡ଼ିଶାରେ ପଛୁଆବର୍ଗ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ସମ୍ଭବ ନୁହେଁ ବୋଲି ଜାଣିବା ସତ୍ତ୍ୱେ ଓଡ଼ିଶାରେ ପଛୁଆ ବର୍ଗରେ ଅଧିକ ଲୋକଙ୍କୁ ସାମିଲ କରି ଏମାନଙ୍କ ସଂଖ୍ୟା ରାଜ୍ୟରେ ୫୨ ଭାଗ ବୋଲି କୁହାଗଲା। ବିଜେଡି ଓ ବିଜେପିର ମିଳିତ ସରକାର ୨୦୦୮ରେ ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ କରି ଏକ ଆଇନ ପ୍ରଣୟନ କଲେ। ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ସେହି ଅନୁସାରେ ବିଜ୍ଞପ୍ତି ଦେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପରେ ଏହା ଉପରେ ପ୍ରଥମେ ଟ୍ରିବ୍ୟୁନାଲରେ ଓ ପରେ ହାଇକୋର୍ଟରେ ମାମଲା ହୋଇ ଏହି ଆଇନକୁ ରଦ୍ଦ କରିଦିଆଗଲା। ଯଦିଓ ସେତେବେଳେ ରାଜ୍ୟ ସରକାର ଏହି ଆଇନକୁ ସମ୍ବିଧାନରେ ନବମ ସିଡୁଲରେ ରଖିବା ପାଇଁ କେନ୍ଦ୍ରକୁ ପତ୍ର ଲେଖିଥିଲେ କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ରାଜ୍ୟ ସରକାର ହାଇକୋର୍ଟ ରାୟ ବିରୋଧରେ ୨୦୧୭ରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ୍ ଦାୟର କରିଥିଲେ ମଧ୍ୟ ୨୦୧୯ରେ ତାହା ଗୃହୀତ ହେବାପରେ ଏପର୍ଯ୍ୟନ୍ତ ତାହାର ଶୁଣାଣି ହୋଇନାହିଁ। ଫଳରେ ରାଜ୍ୟରେ ୫୨ ଭାଗ ତଥାକଥିତ ପଛୁଆ ବର୍ଗ ପାଇଁ ମାତ୍ର ଶତକଡ଼ା ୧୧.୨୫ ଭାଗ ସଂରକ୍ଷଣ ରହିଛି। ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ନାହିଁ।
ନରେନ୍ଦ୍ର ମୋଦିଙ୍କ ସରକାର ଦିଲ୍ଲୀରେ କ୍ଷମତାସୀନ ହେବା ସମୟରେ ଉତ୍ତର ପ୍ରଦେଶ ରାଜନୀତିକୁ ଅନୁଧ୍ୟାନ କରି ସେ ଜଣେ ପଛୁଆ ବର୍ଗର ନେତା ଓ ଅନ୍ୟମାନେ ପଛୁଆ ବର୍ଗ ପାଇଁ ସମ୍ବେଦନଶୀଳ ନୁହଁନ୍ତି ବୋଲି ଦର୍ଶାଇଥିଲେ। ଏହି କ୍ରମରେ ସେଠାରେ ପଛୁଆ ବର୍ଗ ଭିତରୁ କେବଳ ଯାଦବମାନେ ଅଧିକ ଉପକୃତ ହୋଇଥିବା ସମୟରେ ଅନ୍ୟ ପଛୁଆବର୍ଗମାନଙ୍କୁ ବିଜେପି ପ୍ରକୃତ ମାନ୍ୟତା ଦେବ ବୋଲି କହିବା ଫଳରେ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଥିଲା। ହିନ୍ଦୁତ୍ୱ ସ୍ଲୋଗାନ ସହିତ ଅଣଯାଦବ ଓ ମାୟାବତୀଙ୍କର ଜାତି ଚାତଭମାନଙ୍କୁ ଛାଡ଼ି ଅନ୍ୟ ପଛୁଆ ବର୍ଗ ଓ ଦଳିତମାନଙ୍କୁ ଏକତ୍ର କରିବାର ଯେଉଁ ଉଦ୍ୟମ ନରେନ୍ଦ୍ର ମୋଦି ଗ୍ରହଣ କଲେ ତାହା ଫଳପ୍ରଦ ହେଲା। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ତାହା ଅଧିକ ପ୍ରତିଫଳିତ ହେବାରୁ ସେଠାରେ ୪୦୪ ସଂଖ୍ୟାର ବିଧାନସଭାରେ ବିଜେପିର ସଂଖ୍ୟା ୩୨୫ରେ ପହଁଚିଥିଲା। ଏବେ ପୁଣି ଛ’ ମାସ ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ପଛୁଆ ବର୍ଗର ଅନେକ ଯେଉଁ ଆଶାପୋଷଣ କରିଥିଲେ ତାହା ଠିକ୍ ଭାବରେ ରୂପାନ୍ତରିତ ହୋଇନଥିବାରୁ ପଛୁଆବର୍ଗ ରାଜନୀତିକୁ ଏବେ ନୂଆ ରୂପ ଦିଆଯାଉଛି। ମହାରାଷ୍ଟ୍ରରେ ମରାଠାମାନଙ୍କର ଓ ହରିଆଣାରେ ଜାଠମାନଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ ରହିଥିବା ସମୟରେ ପ୍ରଥମେ ବିଜେପି ସରକାର ଓ ବର୍ତ୍ତମାନର ମହାମେଣ୍ଟ ସରକାର ଯେଉଁ ଜାଠ ସଂରକ୍ଷଣ ଆଇନ କରିଥିଲେ ତାହାକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଦେଇ ପଛୁଆ ଜାତି ନେଇ କେନ୍ଦ୍ର ସରକାର କେବଳ ତାଲିକା ପ୍ରକାଶ କରିପାରିବେ ବୋଲି କହିବା ସହିତ ୫୦ ଭାଗ ସୀମାକୁ ପୁଣି ଥରେ ମନେ ପକାଇଦେଇଛନ୍ତି।
ଏହି ସମୟରେ ୫୦ ଭାଗ ସୀମା ବଢ଼ିବାର ଆବଶ୍ୟକତା ନେଇ ସୁପ୍ରିମକୋର୍ଟ ରାଜ୍ୟମାନଙ୍କର ମତାମତ ଚାହିଁଥିଲେ ମଧ୍ୟ ଓଡ଼ିଶା ସରକାର ସେଥିରେ ହାଜର ହୋଇ କୌଣସି ମତ ଦେଇନଥିଲେ। ଏବେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରି ପଛୁଆ ଜାତି ତାଲିକା ପ୍ରସ୍ତୁତ କରିବା ଦାୟିତ୍ୱ ପୁଣିଥରେ ରାଜ୍ୟମାନଙ୍କୁ ଦେଇଛନ୍ତି। ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସଂରକ୍ଷଣ ସୁବିଧା ପାଉନଥିବା ଅର୍ଥାତ୍ ଉଚ୍ଚ ଜାତିମାନଙ୍କର ଗରିବ ଲୋକମାନଙ୍କ ପାଇଁ ୧୦ ଭାଗ ସ୍ଥାନ ସଂରକ୍ଷଣ ନିମନ୍ତେ ପାର୍ଲାମେଣ୍ଟ ଏକ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି। ଏହି ୧୦ ଭାଗ ସ୍ଥାନ ସଂରକ୍ଷଣ ୫୦ ଭାଗ ସୀମା ଉପରେ ହେବ ବୋଲି କୁହାଯାଇଛି। ଅର୍ଥାତ୍ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ମୋଟ ସଂରକ୍ଷଣ ୬୦ ଭାଗକୁ ଅତିକ୍ରମ କରିବ। କିନ୍ତୁ ନିକଟରେ ରାଜ୍ୟମାନଙ୍କୁ ପଛୁଆବର୍ଗ ତାଲିକା ପ୍ରସ୍ତୁତ ଅଧିକାର ଦିଆଯିବା ସମୟରେ ପାର୍ଲାମେଣ୍ଟରେ ବିଜେଡି ଓ ବିଜେପି ଭିତରେ ତୀବ୍ର ବାକ୍ୟ ବିନିମୟ ହୋଇଥିଲା। ରାଜ୍ୟ ସରକାର ଜାଣିଶୁଣି ପଛୁଆ ବର୍ଗ ପ୍ରତି ଅବହେଳା କରି ସେମାନଙ୍କୁ ଚାକିରି କ୍ଷେତ୍ରରେ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇନାହାନ୍ତି ବୋଲି ଅଭିଯୋଗ କଲେ। ଏହାପରେ ବିଜେଡି ସାଂସଦମାନେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ୫୦ ଭାଗ ସୀମା ରାଜ୍ୟ ପାଇଁ ଉଠିବା ସହିତ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କଲେ।
ବିଜେଡି ପଛୁଆବର୍ଗ ରାଜନୀତିରେ ପଛରେ ପଡ଼ିଯାଇଛି ବୋଲି ଚିନ୍ତାକରି ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ଶତକଡ଼ା ୨୭ ଭାଗ ଟିକେଟ ଦିଆଯିବ ବୋଲି ଘୋଷଣା କରିଛି। ବାସ୍ତବରେ ଦେଖିବାକୁ ଗଲେ ୫୨ ଭାଗ ଜନସଂଖ୍ୟା କହୁଥିବା ଓବିସି ବର୍ଗଙ୍କ ହାତରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାୟ ୫୫ ଭାଗରୁ ଊର୍ଦ୍ଧ୍ୱ ଆସନ ରହିଛି। ଏପରିକି ଶାସକ ବିଜେଡିର ବିଧାୟକମାନଙ୍କ ଭିତରୁ ୪୮ ଜଣ ଓବିସି ବର୍ଗର ଅଛନ୍ତି। ଏପରି ଅବସ୍ଥାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଶତକଡ଼ା ୨୭ ଭାଗ ଟିକେଟ ଘୋଷଣା ଏକ ଠକାମୀ ବ୍ୟତୀତ ଆଉକିଛି ନୁହେଁ। ଅସଲକଥା ହେଉଛି ୫୦ ଭାଗ ସୀମା ବାହାରେ ଯେଉଁ ୧୦ ଭାଗ ସଂରକ୍ଷଣର ସୁବିଧା ରହିଛି ଉଭୟଙ୍କୁ ନଜରରେ ରଖି ରାଜ୍ୟ ଓବିସି ତାଲିକାକୁ ସଂଶୋଧନ କରିବା ଉଚିତ। କାରଣ କେବଳ ଓବିସି ବର୍ଗର ଯଦି ୫୨ ଭାଗ ଲୋକଙ୍କୁ ନିଆଯାଏ ତେବେ ଶତକଡ଼ା ୧୦ ଭାଗ ସଂରକ୍ଷଣ ପାଇବା ପାଇଁ ଓଡ଼ିଶାରେ ୫ ଭାଗ ଲୋକ ମାତ୍ର ରହିବେ। ଓବିସି ତାଲିକାରେ ସଂଶୋଧନ କରି ଏହି ବର୍ଗର ଆଗୁଆ ଶ୍ରେଣୀକୁ ଯଦି ୧୦ ଭାଗ ସଂରକ୍ଷଣ ଭିତରକୁ ଅଣାଯାଏ ତେବେ ଅନ୍ୟ ପଛୁଆବର୍ଗ ୧୧.୨୫ ସଂରକ୍ଷଣ ପାଇବା ସୁବିଧାଜନକ ହେବ।
ଅସଲକଥା ହେଉଛି ଯେ, ରାଜ୍ୟରେ ନିଯୁକ୍ତି ସଂକୁଚିତ ହୋଇଛି। ସରକାରୀ ଚାକିରିରେ ଲକ୍ଷ ଲକ୍ଷ ସ୍ଥାନ ଖାଲି ପଡ଼ିଥିବା ସମୟରେ ଚୁକ୍ତିଭିତ୍ତିକ ଚାକିରି ଠିକା କମ୍ପାନୀମାନଙ୍କରେ ସୃଷ୍ଟି କରାଯାଉଛି, ଯେଉଁଠାରେ ସଂରକ୍ଷଣ ନାହିଁ। କରୋନା ଯୋଗୁ ଦାରିଦ୍ର୍ୟ ଓ ବେକାରୀ ସଂଖ୍ୟା ବଢ଼ୁଥିବା ସମୟରେ ଭୋଟ୍ ରାଜନୀତି ପାଇଁ ଯେଉଁ ପଛୁଆବର୍ଗ ରାଜନୀତି ଚାଲିଛି ତାହା ନଗ୍ନ ଜାତିଆଣ ରାଜନୀତି ବ୍ୟତୀତ ଅନ୍ୟକିଛି ନୁହେଁ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫