ଏ ଲୁହ କହୁଛି, ଝିଅ ଓ ଜ୍ୱାଇଁଙ୍କ ନିର୍ଯାତନା ଥିଲା କେତେ ଯନ୍ତ୍ରଣାଦାୟକ?

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଛାତି ଭିତରେ ଜଳୁଥିବା କୋହକୁ ସମ୍ଭାଳି ପାରୁନାହାନ୍ତି ୮୦ ବର୍ଷୀୟ ବୃଦ୍ଧ ମୁରଲୀ ବେହେରା। ଯାହାକୁ ଦେଖୁଛନ୍ତି, ବୁକୁ ଫଟାଇ କାନ୍ଦି ପକାଉଛନ୍ତି। ଆଉ ତାଙ୍କ ଦୁଇ ଆଖିରୁ ବୋହି ଯାଉଛି ଲୁହର ଧାର। ଏ ଲୁହ ବର୍ଣ୍ଣନା କରୁଛି, ଝିଅ ଓ ଜ୍ୱାଇଁଙ୍କ ନିର୍ଯାତନା କେତେ ଯନ୍ତ୍ରଣାଦାୟକ ଥିଲା? ସବୁ ସମ୍ପତ୍ତି ହାତେଇବା ପରେ ଝିଅ ଓ ଜ୍ୱାଇଁ ବୃଦ୍ଧଙ୍କୁ ମାଡ଼ ମାରି ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି। […]

Ganjam

  • Published: Friday, 16 December 2022
  • , Updated: 16 December 2022, 07:31 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଛାତି ଭିତରେ ଜଳୁଥିବା କୋହକୁ ସମ୍ଭାଳି ପାରୁନାହାନ୍ତି ୮୦ ବର୍ଷୀୟ ବୃଦ୍ଧ ମୁରଲୀ ବେହେରା। ଯାହାକୁ ଦେଖୁଛନ୍ତି, ବୁକୁ ଫଟାଇ କାନ୍ଦି ପକାଉଛନ୍ତି। ଆଉ ତାଙ୍କ ଦୁଇ ଆଖିରୁ ବୋହି ଯାଉଛି ଲୁହର ଧାର। ଏ ଲୁହ ବର୍ଣ୍ଣନା କରୁଛି, ଝିଅ ଓ ଜ୍ୱାଇଁଙ୍କ ନିର୍ଯାତନା କେତେ ଯନ୍ତ୍ରଣାଦାୟକ ଥିଲା? ସବୁ ସମ୍ପତ୍ତି ହାତେଇବା ପରେ ଝିଅ ଓ ଜ୍ୱାଇଁ ବୃଦ୍ଧଙ୍କୁ ମାଡ଼ ମାରି ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ ଝାଲିଆଗୋଛା ଗାଁର ବାସିନ୍ଦା ହେଉଛନ୍ତି ମୁରଲୀ ବେହେରା। ପତ୍ନୀ, ତିନି ଝିଅ ଓ ଏକମାତ୍ର ପୁଅକୁ ନେଇ ଥିଲା ତାଙ୍କ ପରିବାର। ଦୋକାନଟିଏ କରିଥିଲେ। ତା’ସହିତ ଚାଷବାସ କରୁଥିଲେ। ସେଥିରୁ ଯାହା ଆୟ ହେଉଥିଲା ସେଥିରେ ପରିବାର ଚଳାଉଥିଲେ। ତେବେ ପୁଅ ବାଲ୍ୟ ବେହେରାକୁ ଯେତେବେଳେ ୨୦ ବର୍ଷ ହୋଇଥିଲା, ସେ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିଲେ ନାହିଁ। ବାପା-ମାଆଙ୍କ କଥା ବୁଝିଲେ ନାହିଁ। ନାଗାଲାଣ୍ଡରେ ଘର ସଂସାର କରି ରହିଗଲେ।

ପୁଅକୁ ଚାହିଁଚାହିଁ ଦୁଃଖ କଷ୍ଟରେ ଚଳୁଥିବା ମୁରଲୀ ବେହେରା ଘରେ ଥିବା ବଢ଼ିଲା ଝିଅଙ୍କୁ ବାହା କରାଇଦେଲେ। ବଡ଼ ଝିଅ କୁନି ଓ ଜ୍ୱାଇଁ ଗୋପୀ ଡାକୁଆଙ୍କୁ ପାଖରେ ରଖିଲେ। ଭାବିଥିଲେ, ବାର୍ଦ୍ଧକ୍ୟରେ ବଡ଼ ଝିଅ ଓ ଜ୍ୱାଇଁ ଆଶ୍ରା ହେବେ। କୋଭିଡ୍‌ରେ ପତ୍ନୀଙ୍କ ମୃତ୍ୟୁ ପରେ ମୁରଲୀଙ୍କର ସବୁ ଆଶା ଓ ଭରସା ମାଟିରେ ମିଶିଗଲା। ତେବେ ଯାହାଙ୍କୁ ଭରସା କରିଥିଲେ, ସେମାନେ ଧୋକା ଦେଲେ।

ମୁରଲୀଙ୍କ ସମ୍ପତ୍ତି ଉପରେ ପଡ଼ିଲା ବଡ଼ ଝିଅ ଓ ଜ୍ୱାଇଁଙ୍କ ନଜର। ମୁରଲୀଙ୍କ ନାଁରେ ଥିବା ଦୋକାନ ଓ ଜମିବାଡ଼ି ସବୁ ସେମାନଙ୍କ ନାଁରେ କରିଦେବାକୁ କହିଲେ। ଝିଅ ଓ ଜ୍ୱାଇଁଙ୍କ କଥାରେ ରାଜି ହୋଇଯାଇଥିଲେ ମୁରଲୀ। ୨୦୨୦ ମସିହା ସେପ୍ଟେମ୍ୱର ମାସରେ ଝିଅ ଓ ଜ୍ୱାଇଁଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ। ଏପରିକି ପାଖରେ ଥିବା ସବୁ ଟଙ୍କା ମଧ୍ୟ ଦେଇଥିଲେ। ଏହା ପରେ ସବୁ କିଛି ଠିକ୍‌ଠାକ୍‌ ହୋଇଯିବ ବୋଲି ସେ ଭାବିଥିଲେ।

ଜମିବାଡ଼ି ହାତେଇବା ପରେ ଝିଅ ଓ ଜ୍ୱାଇଁଙ୍କ ସ୍ୱଭାବ ବଦଳି ଗଲା। ଆଉ ବାପାଙ୍କୁ ଭଲ ପାଇଲେ ନାହିଁ। ବାର୍ଦ୍ଧକ୍ୟର ଏ ଦାରୁଣ ବୟସରେ ତାଙ୍କୁ ଘରୁ ମାଡ଼ ମାରି ବିଦା କରିଦେଲେ। ଝିଅ ଓ ଜ୍ୱାଇଁ ମିଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନିଜ ଘରୁ ତଡ଼ା ଖାଇବା ପରେ ମୁରଲୀ ବେହେରା ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବସି କାନ୍ଦୁଥିଲେ। ସନ୍ତୋଷ ପାଳ ନାମକ ଜଣେ ଆଇନଜୀବୀ ତାଙ୍କ ପାଖକୁ ଆସି ସବୁ କଥା ପଚାରି ବୁଝିଥିଲେ। ଏଥିସହ ସାହାଯ୍ୟର ହାତ ବଢାଇ ଥିଲେ। ଖାଇବାକୁ କେକ ଓ ପାଣି ବୋତଲ ଦେଇଥିଲେ। ପରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନ୍ୟପଟେ ବୃଦ୍ଧଙ୍କ ଦୁଃଖ ଶୁଣିବା ପରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସାମାଜିକ ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ପୁରୁଷୋତ୍ତମପୁରଠାରେ ଥିବା ବୃଦ୍ଧାଶ୍ରମରେ ଥଇଥାନ କରିବାର ବ୍ୟବସ୍ଥା କରିଛନ୍ତି। ଝିଅ ଓ ଜ୍ୱାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Related story