Advertisment

୩ ବର୍ଷ ହେବ ମୋଫତରେ ଦରମା ନେଉଛନ୍ତି ୯ ସରକାରୀ ଶିକ୍ଷକ ଓ କଲେଜ ଅଧ୍ୟକ୍ଷ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ନାମ ଲେଖା ହେଉନି, ପାଠପଢ଼ା ବି ଚାଲିନି, କିନ୍ତୁ ମୋଫତରେ ଦରମା ନେଉଛନ୍ତି ୯ ଜଣ ଶିକ୍ଷକ ଓ ଜଣେ କଲେଜ ଅଧ୍ୟକ୍ଷ। ସରକାରୀ କଲେଜର ଏଭଳି ଅବସ୍ଥାକୁ ନେଇ ଏବେ ସବୁଠି ଅଲୋଚନା। ଯେଉଁ କଲେଜରୁ ପ୍ରତିବର୍ଷ ପ୍ରାୟ ଶହେ ବିଇଡ୍ ଡିଗ୍ରୀଧାରୀ ପାଶ କରୁଥିଲେ, ଏବେ ଏହି ସଂଖ୍ୟା ଶୂନ। କୋରାପୁଟ ସହର ଛାତି ଉପରେ ରହିଛି ଏହି ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ। ଏଠାରେ ପ୍ରାୟ ତିନି ବର୍ଷ ହେବ […]

author-image
Niranjan Mishra
ଅଦ୍ୟତନ ହୋଇଛି
୩ ବର୍ଷ ହେବ ମୋଫତରେ ଦରମା ନେଉଛନ୍ତି ୯ ସରକାରୀ ଶିକ୍ଷକ ଓ କଲେଜ ଅଧ୍ୟକ୍ଷ

coll

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ନାମ ଲେଖା ହେଉନି, ପାଠପଢ଼ା ବି ଚାଲିନି, କିନ୍ତୁ ମୋଫତରେ ଦରମା ନେଉଛନ୍ତି ୯ ଜଣ ଶିକ୍ଷକ ଓ ଜଣେ କଲେଜ ଅଧ୍ୟକ୍ଷ। ସରକାରୀ କଲେଜର ଏଭଳି ଅବସ୍ଥାକୁ ନେଇ ଏବେ ସବୁଠି ଅଲୋଚନା। ଯେଉଁ କଲେଜରୁ ପ୍ରତିବର୍ଷ ପ୍ରାୟ ଶହେ ବିଇଡ୍ ଡିଗ୍ରୀଧାରୀ ପାଶ କରୁଥିଲେ, ଏବେ ଏହି ସଂଖ୍ୟା ଶୂନ। କୋରାପୁଟ ସହର ଛାତି ଉପରେ ରହିଛି ଏହି ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ। ଏଠାରେ ପ୍ରାୟ ତିନି ବର୍ଷ ହେବ ନାମ ଲେଖା ବନ୍ଦ ଅଛି।

Advertisment

ଫଳରେ ଶିକ୍ଷକ ଶିକ୍ଷା ତାଲିମ ଗ୍ରହଣ କରିବାରୁ ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଏହି କଲେଜରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରାଯାଇ ପାରୁ ନ ଥିବାରୁ ନାମ ଲେଖା ପାଇଁ ଦିଲ୍ଲୀ ଏନସିଆର୍ ପକ୍ଷରୁ ଅନୁମୋଦନ ମିଳିପାରି ନାହିଁ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଫାଙ୍କା ପଦବୀଗୁଡିକ ପୂରଣ ପାଇଁ ପରୀକ୍ଷା ସରି ଫଳ ମଧ୍ୟ ପ୍ରକାଶିତ ହୋଇ ସାରିଛି। ହେଲେ ନିଯୁକ୍ତି ପ୍ରକ୍ରିୟା ବିଳମ୍ୱ ହେଉଛି। ଯାହା ଫଳରେ ଶିକ୍ଷା କ୍ଷେତ୍ରକୁ ଭବିଷ୍ୟତ ଭାବେ ଚୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛି।

Advertisment

କୋରାପୁଟ ସହରରେ ୧୯୮୧ ମସିହାରେ ଏହି ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୧୯୯୦ ସେପ୍ଟେମ୍ବରରୁ ସରକାର ଏହାକୁ ନିଜ ଅଧୀନକୁ ନେଇଥିଲେ। ପାଠପଢ଼ା ମଧ୍ୟ ଠିକ୍‌ଠାକ୍ ଚାଲିଥିଲା। ହେଲେ ୨୦୨୦-୨୧ ଶିକ୍ଷା ବର୍ଷ ଠାରୁ ଏହି ମହାବିଦ୍ୟାଳୟରେ ନାମ ଲେଖା ପାଇଁ ଦିଲ୍ଲୀ ଏନସିଆର୍ ଅନୁମତି ଦେଲା ନାହିଁ। ଶହେ ସିଟ୍ ବିଶିଷ୍ଟ ଏହି ମହାବିଦ୍ୟାଳୟରେ ନାମଲେଖା ନିମନ୍ତେ ୧୫ ଜଣ ଶିକ୍ଷକ ଓ ଜଣେ ଅଧ୍ୟକ୍ଷ ପୂରଣ ହେବା ନିହାତି ଜରୁରୀ।

ଆବଶ୍ୟକ ଶିକ୍ଷକ ନିଯୁକ୍ତ ନ ଥିବାରୁ ୩ ବର୍ଷ ହେବ ନାମ ଲେଖା ଅନୁମୋଦନକୁ ବାତିଲ କରି ଦିଆଯାଇଛି। ଏବେ ଏହି ମହାବିଦ୍ୟାଳୟରେ ୯ ଜଣ ଶିକ୍ଷକ ଓ ଜଣେ ଅଧ୍ୟକ୍ଷ ଅଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ମହାବିଦ୍ୟାଳୟରେ ନାମ ଲେଖା ଅନୁମତି ପ୍ରଦାନ ପାଇଁ ଦିଲ୍ଲୀରେ ବୈଠକ ହୋଇଥିଲା। ଏଥିରେ ଶିକ୍ଷକ ଅବସ୍ଥିତିକୁ ନେଇ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଅନୁମତି ପ୍ରଦାନ ନିମନ୍ତେ ଆଲୋଚନା ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ନାମ ଲେଖା ପାଇଁ ଅନୁମୋଦନ ବାତିଲ କରାଯାଇଛି।

ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଡ଼ାଙ୍ଗ ମୁହଁ ଖୋଲୁ ନାହାନ୍ତି।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗରେ ସରକାରଙ୍କ ଦାୟିତ୍ୱହୀନତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା। ୧୯୮୧ ମସିହାରେ ଲୋକେ ଟଙ୍କା ଏକାଠି କରି କଲେଜ ଖୋଲିଥିଲେ। ଏବେ ଏଠାରେ ପାଠାପଢ଼ା ବନ୍ଦ ନେଇ କରାଯାଉଥିବା ଦାୟିତ୍ୱହୀନତା ସମ୍ପର୍କରେ ସରକାରଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ବିଧାନସଭାରେ ଏନେଇ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

ଏନେଇ ଅବସରପ୍ରାପ୍ତ ବିଇଓ ଶିବଶଙ୍କର ପଟ୍ଟନାୟକ କହିଛନ୍ତି, ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ଏହି କଲେଜ ବନ୍ଦ ହୋଇଛି। ଫଳରେ ଗୋଟାଏ ପଟେ ନା ପାଠପଢ଼ି ଶିକ୍ଷକ ବାହାରି ପାରୁଛନ୍ତି, ନା ଶିକ୍ଷକ ପଦବୀ ପୂରଣ ହୋଇପାରୁଛି। ସେପଟେ ଅଯଥାରେ କଲେଜରେ ନିଯୁକ୍ତ କର୍ମଚାରୀଙ୍କୁ ସରକାରୀ ରାଜକୋଷରୁ ଦରମା ଦିଆଯାଉଛି। ତେଣୁ ସରକାର ତୁରନ୍ତ ଏହି କଲେଜରେ ପାଠପଢ଼ା ଚାଲୁ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେନ ନିଅନ୍ତୁ।