ଧାମନଗର- ଧର୍ମନଗର ନା ବେଇନାମ୍‌ନଗର?

ଦେବେନ୍ଦ୍ର ପୃଷ୍ଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ ହାରିବେ ବୋଲି ତଥାପି ଲଢ଼ୁଥିଲେ, ଜଣେ ମହିଳାଙ୍କୁ ଧାମନଗରର ବିଧାୟକ ଭାବେ ଦେଖିବେ ବୋଲି ଆଶା କରୁଥିଲେ। ଏହାର ଅର୍ଥ କ’ଣ? କାହିଁକି ମୁଖ୍ୟମନ୍ତ୍ରୀ ଏମିତି କହିଲେ? ଯେଉଁ ମୁଖ୍ୟମନ୍ତ୍ରୀ ସବୁବେଳେ ବିଜୟ ଉପରେ ଗୁରୁତ୍ୱ ଦିଅନ୍ତି, ପରାଜୟ କ’ଣ ଜାଣନ୍ତି ନାହିଁ, ପ୍ରତି ଥର ଅଧିକରୁ ଅଧିକ ଆସନ ଜିତିବାକୁ କୌଶଳ କରନ୍ତି, ସେଥିପାଇଁ ଦରକାର ହେଲେ ଅନ୍ୟ ଦଳର ନେତାମାନଙ୍କୁ ବି ନିଜ ଦଳକୁ ଟାଣି […]

Dhamnagar

Dhamnagar

Debendra Prusty
  • Published: Tuesday, 08 November 2022
  • Updated: 08 November 2022, 05:54 PM IST
  • ଦେବେନ୍ଦ୍ର ପୃଷ୍ଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ ହାରିବେ ବୋଲି ତଥାପି ଲଢ଼ୁଥିଲେ, ଜଣେ ମହିଳାଙ୍କୁ ଧାମନଗରର ବିଧାୟକ ଭାବେ ଦେଖିବେ ବୋଲି ଆଶା କରୁଥିଲେ। ଏହାର ଅର୍ଥ କ’ଣ? କାହିଁକି ମୁଖ୍ୟମନ୍ତ୍ରୀ ଏମିତି କହିଲେ? ଯେଉଁ ମୁଖ୍ୟମନ୍ତ୍ରୀ ସବୁବେଳେ ବିଜୟ ଉପରେ ଗୁରୁତ୍ୱ ଦିଅନ୍ତି, ପରାଜୟ କ’ଣ ଜାଣନ୍ତି ନାହିଁ, ପ୍ରତି ଥର ଅଧିକରୁ ଅଧିକ ଆସନ ଜିତିବାକୁ କୌଶଳ କରନ୍ତି, ସେଥିପାଇଁ ଦରକାର ହେଲେ ଅନ୍ୟ ଦଳର ନେତାମାନଙ୍କୁ ବି ନିଜ ଦଳକୁ ଟାଣି ଆଣନ୍ତି, ଓଡ଼ିଶା ବିଧାନସଭାରେ ରେକର୍ଡ଼ କରିବାକୁ ଚାହାନ୍ତି, ଏମିତିକି ରାଜ୍ୟର ୧୪୭ରୁ ୧୪୭ ବିଧାନସଭା ଆସନ ବି ଜିତିବା ସମ୍ଭବ ହୁଏ ତାହା ମଧ୍ୟ ହାସଲ କରିବାକୁ ଯାହା କିଛି କରିବା ଦରକାର ତାହା କରିବାକୁ ବଦ୍ଧ ପରିକର, ସେ କାହିଁକି କହିଲେ, ଯେ ଧାମନଗରରେ ତାଙ୍କ ଦଳ ପ୍ରାର୍ଥୀ ହାରିବ ବୋଲି ସେ ଆଶା କରୁଥିଲେ?

ତାଙ୍କର ଏଇ କଥା ପଦକ ପଛରେ ବିଭିନ୍ନ ଇଙ୍ଗିତ ଥାଇପାରେ। ଏଇ କଥାରୁ ରାଜ୍ୟ କଂଗ୍ରେସ ନେତାମାନେ ଗୋଟେ ବାର୍ତ୍ତା ପାଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ‘ଇଏ ଏଠି ଜିତେଇବେ, ସିଏ ସେଠି ଜିତେଇବେ’ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାର ଅନ୍ୟ ଏକ ଶବ୍ଦରୂପ ବୋଲି କୁହାଯାଇପାରେ। ତାଙ୍କ କଥାକୁ ଅଧିକ ସରଳରେ ବୁଝେଇ ଦେଇଛନ୍ତି ତାଙ୍କ ଦଳର ଗଣେଶ୍ୱର ବେହେରା। ମୁଖ୍ୟମନ୍ତ୍ରୀଙ୍କ କଥାରୁ ସେ ବୋଧହୁଏ ବୁଝିଲେ ଯେ ସେଠି ହାରିବା ପାଇଁ ବିଜେଡି ଡିଲ୍‌ କରିଥିଲା।

ଧାମନଗର ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କେବଳ କଂଗ୍ରେସ ନେତାମାନେ ଏଭଳି ସନ୍ଦେହ କରୁଥିବେ କି ଅନ୍ୟ ଦଳର କେତେକ କର୍ମୀ ମଧ୍ୟ ଏଇ ଆକଳନ କରୁଥିବେ ତାହା ଅଲଗା କଥା। ମାତ୍ର, ଧାମନଗର ଫଳାଫଳ ଶାସକ ବିଜୁ ଜନତା ଦଳ ପାଇଁ ଯେପରି ଆତ୍ମସମୀକ୍ଷାର ସୁଯୋଗ ଆଣି ଦେଇଛି ବିଜୟୀ ବିଜେପି ପାଇଁ ମଧ୍ୟ ସେହିପରି ଚିନ୍ତାର ଖୋରାକ ଯୋଗାଇଛି। ଉଭୟ ଦଳ ନିଜନିଜର ପ୍ରଦର୍ଶନ ଉପରେ ସମୀକ୍ଷା କରିବା ଉଚିତ। ବିଜେପି ଜିତିଛି ସତ, ମାତ୍ର ସେ ବିଜୟ କେତେ ଶକ୍ତିଶାଳୀ ତାହା ସେହି ଦଳର ନେତାମାନେ ହିସାବ କରିବା କଥା। ବିଜେଡି ନେତା ମଧ୍ୟ ସମୀକ୍ଷା କରିବା ଦରକାର ଯେ ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ କରି ମଧ୍ୟ ତାଙ୍କ ଦଳ କାହିଁକି ହାରିଲା?

ଏହି ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପାଇଁ ପ୍ରଥମ ଧକ୍କା ଥିଲା ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ। ସେ ଧାମନଗରର ପୂର୍ବତନ ବିଧାୟକ। ୨୦୦୯ ନିର୍ବାଚନରେ ସେ ମୋଟ ମତର ୩୯ ପ୍ରତିଶତ ବା ୪୮,୪୨୧ ଭୋଟ ପାଇ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୪ରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ତାଙ୍କ ସ୍ଥାନରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଟିକେଟ ଦେଇଥିଲା। ମୁକ୍ତିକାନ୍ତ ମୋଟ ମତର ୪୮ ପ୍ରତିଶତ ବା ୭୧,୫୩୮ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ରେ ବିଜେଡି ପୁଣି ଥରେ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କଲା ଓ ସେ ୪୫ ପ୍ରତିଶତ ବା ୭୫,୪୮୬ ଭୋଟ ପାଇ ମଧ୍ୟ ପରାସ୍ତ ହେଲେ। ସେଥର ଜିତିଥିଲେ ବିଜେପିର ବିଷ୍ଣୁ ସେଠୀ। ତାଙ୍କ ଭୋଟ ହାର ଥିଲା ୪୭ ପ୍ରତିଶତ ଓ ଭୋଟ ସଂଖ୍ୟା ଥିଲା ୮୦,୧୧୧। ବିଜୟ ବ୍ୟବଧାନ ୫ ହଜାରରୁ କମ୍‌ ଥିଲା।

୨୦୧୪ ନିର୍ବାଚନରେ ରାଜେନ୍ଦ୍ର ଦାସ ବିଦ୍ରୋହ କରିନଥିଲେ। ତେଣୁ ସ୍ୱାଭାବିକ ଭାବେ ଗତ ତିନିଟି ନିର୍ବାଚନରେ ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତା କରି ଓ ଥରେ ଦଳୀୟ ଶୃଙ୍ଖଳା ଭଙ୍ଗ ନକରି ନିଜର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନ କରିଥିବା ରାଜେନ୍ଦ୍ର ଦାସଙ୍କୁ ଦଳ ଏଥର ପ୍ରାର୍ଥୀ କରିବା କଥା। ମାତ୍ର, ସଙ୍ଗଠନର ସ୍ୱାର୍ଥରେ କି ବ୍ୟକ୍ତିଗତ ସ୍ୱାର୍ଥରେ କେଜାଣି, ଦଳର ମଙ୍ଗୁଆଳମାନେ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ନକରି ତାଙ୍କରି ବଳରେ ତିହିଡ଼ି ବ୍ଲକର ଅଧ୍ୟକ୍ଷ ହୋଇଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲେ। ଏଭଳି ପରିସ୍ଥିତିରେ ରାଜେନ୍ଦ୍ର ଦାସ ବିଦ୍ରୋହ କରିବା ସ୍ୱାଭାବିକ। ସେ ବିଦ୍ରୋହ କରି ନଥିଲେ ସେ ଯେ ଜଣେ ସ୍ୱାଭିମାନୀ ନେତା ନୁହନ୍ତି, ଦଳୀୟ ମାଲିକମାନଙ୍କର ନୌକର ସେହି ବାର୍ତ୍ତା ଯାଇଥାନ୍ତା। ତା’ ଛଡ଼ା ଏ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ ଆଗାମୀ ନିର୍ବାଚନ ବେଳକୁ ଲୋକେ ତାଙ୍କ କଥା ଭୁଲି ଯାଇଥାନ୍ତେ। ଜଣେ ରାଜନୀତିକ କର୍ମୀ ପାଇଁ ନିର୍ବାଚନ ଲଢ଼େଇ ହିଁ ପରିଚୟ ଆଣିଦେଇଥାଏ। ତାଙ୍କୁ ଟିକେଟରୁ ବଂଚିତ କରିବାକୁ ଧାମନଗର ନିର୍ବାଚନ ମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କାରଣ ଅବନ୍ତୀ ଦାସ କୌଣସି ଗୁଣରେ ରାଜେନ୍ଦ୍ର ଦାସଙ୍କଠାରୁ ଅଧିକ ଦକ୍ଷ, ଯୋଗ୍ୟ ଓ କର୍ମଠ ପ୍ରାର୍ଥୀ ନୁହନ୍ତି। ଏହା ତାଙ୍କ ପ୍ରତି ଗୋଟେ ପ୍ରକାର ଆବେଗର ବାତାବରଣ ସୃଷ୍ଟି କରିଥିଲା।

ରାଜେନ୍ଦ୍ରଙ୍କର ଏହି ବିଦ୍ରୋହ ବିଜେପିକୁ ସୁହାଇବା ସ୍ୱାଭାବିକ। ଏକେ ତ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଜନିତ ଉପନିର୍ବାଚନରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରି ଅନୁକମ୍ପା ନିଜ ସପକ୍ଷରେ ନେବା ପାଇଁ କୌଶଳ ପ୍ରୟୋଗ କରିଥିଲା। ଦ୍ୱିତୀୟରେ ବିଜେଡିର ରାଜେନ୍ଦ୍ର ଦାସଙ୍କ ବିଦ୍ରୋହୀ ଭୂମିକା ମଧ୍ୟ ନିର୍ବାଚନ ରଣାଙ୍ଗନକୁ ବିଜେପି ପାଇଁ ଅଧିକ ସହଜ ଓ ସୁଗମ କରିଦେଲା। ବିଜେଡିର ଅବନ୍ତୀଙ୍କଠାରୁ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଶିକ୍ଷା ଓ ସଂସ୍କାରରେ ଯଥେଷ୍ଟ ଆଗରେ। ସେ ଆଇଟିଇଆରରୁ ଇଂଜିନିଅରିଂ କରି ଟାଟା କନ୍‌ସଲ୍‌ଷ୍ଟାନ୍ସି ସର୍ଭିସରେ ଚାକିରି କରିଥିଲେ। ସେଠାରୁ ପୁଣି ଘର ପାଖ ଧାମରା ବନ୍ଦରରେ ଉଚ୍ଚ ବେତନରେ ନିଯୁକ୍ତ ଥିଲେ। ପରେ ଚାକିରି ଛାଡ଼ି ଜନସେବାରେ ନିୟୋଜିତ ଥିଲେ ଓ ଗତ ବନ୍ୟା ସମୟରେ ନିଜେ କାନ୍ଧରେ ଚୂଡ଼ାଚାଉଳ ବସ୍ତା ଧରି ବନ୍ୟା ପ୍ଲାବିତ ଅନେକ ଗାଁରେ ପହଞ୍ଚିଥିଲେ। ତେଣୁ ଲୋକେ ତାଙ୍କୁ ଜାଣି ସାରିଥିଲେ। ତାଙ୍କ କଥାବାର୍ତ୍ତା ମଧ୍ୟ ସାଧାରଣ ଅର୍ଦ୍ଧଶିକ୍ଷିତ ବା ଅଳ୍ପଶିକ୍ଷିତ ନେତାଙ୍କ ପରି ଉଦବେଗ, ଉତ୍ତେଜନା, କ୍ରୋଧ ଓ ଆବେଗପୂର୍ଣ୍ଣ ନହୋଇ ଭଦ୍ର, ନମ୍ର ଓ ଶାଳୀନ ଥିଲା।

ତାଙ୍କ ସପକ୍ଷରେ ତୃତୀୟ ରାଜନୀତିକ ସୁବିଧା ହେଲା ଧାମନଗରରେ ଯାଜପୁର-ଭଦ୍ରକ ଆଞ୍ଚଳିକ ଭେଦ। ଏହି ନିର୍ବାଚନରେ ପଡ଼ୋଶୀ ଯାଜପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ମାମଲତି କରୁଥିଲେ। ଏହାକୁ ଧାମନଗରବାସୀ ସହଜରେ ଗ୍ରହଣ କରୁନଥିଲେ ବୋଲି ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରରୁ ସ୍ପଷ୍ଟ ଜଣାପଡ଼ୁଥିଲା। ଏହା ସତ୍ତ୍ୱେ ଦଳ କୌଶଳ ପରିବର୍ତ୍ତନ କରିନଥିଲା କି ସ୍ଥାନୀୟ ନେତାଙ୍କ ଉପରେ ନିର୍ବାଚନ ପରିଚାଳନାର ଦାୟିତ୍ୱ ଅର୍ପଣ କରି ନଥିଲା।

ବିଜେପି ସପକ୍ଷରେ ଚତୁର୍ଥ ରାଜନୀତିକ ସୁବିଧା ହେଲା, ସରକାରଙ୍କ ସହିତ ସଂପୃକ୍ତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଜରିଆରେ ଟଙ୍କା ବଣ୍ଟନ ଓ ନିର୍ବାଚନ ପ୍ରଚାର। ଏ ସଂପର୍କୀତ କିଛି ଭିଡ଼ିଓ ଭାଇରାଲ ହେବା ଫଳରେ ଏହିପରି ବହୁ ଏସଏଚଜି ସଦସ୍ୟଙ୍କ ମନରେ ଛନକା ପଶିବା ସ୍ୱାଭାବିକ। ଏହା ଆସନ ବିଜେପି ପାଖରେ ଥିବାରୁ ଯଦି ସେହି ଦଳ ପୁଣି ଜିତିଯାଏ ତେବେ ଏସଏଚଜି ସଦସ୍ୟମାନେ ନାନାଦି ହଇରାଣର ସମ୍ମୁଖୀନ ହୋଇପାରନ୍ତି, ଏପରି ଆଶଙ୍କା ବଢ଼ିଯାଇଥିଲା।

ପଞ୍ଚମ ନିର୍ଣ୍ଣାୟକ ସୁବିଧା ହେଲା, ପ୍ରଥମ ଥର ପାଇଁ ବିଜେଡିର ନିର୍ବାଚନୀ ପାଣ୍ଠି ଭୋଟରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହଡ଼ପ ହେବାର ଅଭିଯୋଗ। ଦଳର କେତେକ ଛାମୁଆ କର୍ମୀ ପ୍ରଚାର ଓ ବଣ୍ଟନ ପାଇଁ ପାଇଥିବା ପାଣ୍ଠିର ସିଂହଭାଗ ହଡ଼ପ କରିଥିଲେ ବୋଲି ଚର୍ଚ୍ଚା ଜୋର ଧରିଲା। ଏହାର କାରଣ ହେଲା, ଏସଏଚଜି ସଦସ୍ୟାମାନେ ଭୋଟ ପାଇଁ ପରିବାର ପିଛା ୩୦୦-୪୦୦ ଟଙ୍କା ବାଣ୍ଟିବାର ପ୍ରଚାର। ଏହା ଲୋକଙ୍କୁ କମ୍‌ ଲାଗିଲା। କାରଣ ଲୋକେ ଜାଣିଛନ୍ତି ଏପରି ଦଳମାନେ ଭୋଟ ପିଛା ୨୦୦୦-୩୦୦୦ ଦେଉଥିଲେ। ଏଥର ତାହା ୧୦ ଭାଗରୁ ଭାଗେକୁ କମିଯିବାରୁ ଲୋକଙ୍କ ମନରେ ସନ୍ଦେହ ବୃଦ୍ଧି ପାଇଲା।

ତଥାପି ଏହି ପରିସ୍ଥିତିରେ ଅବନ୍ତୀଙ୍କ ଭଳି ଦଳୀୟ ପ୍ରାର୍ଥୀ ୭୦,୪୭୦ ଖଣ୍ଡ ଭୋଟ ପାଇବା କିଛି ଛୋଟ କଥା ନୁହେଁ। ବିଜେଡିର ନିଷ୍ଠାପର କର୍ମୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସକ ଭାବେ ପରିଚିତ ମହିଳାମାନଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ନିଃସନ୍ଦେହରେ କୁହାଯାଇପାରେ।

ତେବେ, ଏତେ ପ୍ରକାର ରାଜନୀତିକ ସୁବିଧା ସତ୍ତ୍ୱେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପାଇଛନ୍ତି ମାତ୍ର ୮୦,୩୫୧ ଖଣ୍ଡ ଭୋଟ୍‌। ଏହା ତାଙ୍କ ବାପା ପାଇଥିବା ଭୋଟ୍‌ଠାରୁ ମାତ୍ର ୨୪୦ ଖଣ୍ଡ ଅଧିକ। ଏହି ନିର୍ବାଚନରେ ରାଜ୍ୟ ବିଜେପିର ତୁଙ୍ଗନେତାଙ୍କ ସମେତ ଦଳର ବହୁ ଦ୍ୱିତୀୟ ଧାଡ଼ିର ନେତା ପ୍ରାଣମୂର୍ଚ୍ଛା ଲଢ଼େଇ କରିଥିଲେ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କର ୭୦,୪୭୦ ଓ ବିଦ୍ରୋହୀ ରାଜେନ୍ଦ୍ର ଦାସଙ୍କର ୮,୧୫୩ ଖଣ୍ଡ ଭୋଟ୍‌ ମିଶି ହେଉଛି ୭୮,୬୨୩। ଅର୍ଥାତ ଗତ ନିର୍ବାଚନରେ ବିଜେଡି ପାଇଥିବା ୭୫,୪୮୬ ଭୋଟ୍‌ଠାରୁ ଏହା ପ୍ରାୟ ୩ ହଜାର ଅଧିକ। ୨୦୧୯ ନିର୍ବାଚନଠାରୁ ୨୦୨୨ ନିର୍ବାଚନ ବେଳକୁ ଧାମନଗର ଭୋଟର ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନରେ ମୋଟ ଭୋଟରଙ୍କ ମଧ୍ୟରୁ ୭୨ ପ୍ରତିଶତ ମତଦାନ କରିଥିଲାବେଳେ ୨୦୨୨ ନିର୍ବାଚନରେ ୬୯ ପ୍ରତିଶତ ମତଦାନ କରିଛନ୍ତି। ପ୍ରତିଶତ ଦୃଷ୍ଟିରୁ ଭୋଟହାର କମିଥିଲେ ବି ଭୋଟସଂଖ୍ୟା ସେତେ କମିନାହିଁ। ଏଥର ମୋଟ ୧ ଲକ୍ଷ ୬୪ ହଜାର ଭୋଟର ମତଦାନ କରିଥିଲେ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ତଥାପି, ଯୋ ଜିତା ୱହି ସିକନ୍ଦର। ଏହା ମାନିବାକୁ ପଡ଼ିବ। ଧାମନଗର ଧର୍ମନଗର ହେଲା ବୋଲି ବିଜେପି କର୍ମୀମାନେ ପ୍ରଚାର ଚଳାଇବା ଯେମିତି ସ୍ୱାଭାବିକ, ଧାମନଗର ବିଜେଡି ସହିତ ବେଇମାନୀ କରିଥିବା ଦଳୀୟ ନେତାଙ୍କ ପାଇଁ ବେ-ଇନାମନଗର ହେଲା ବୋଲି କୁହାଯିବା ମଧ୍ୟ ସେମିତି ସ୍ୱାଭାବିକ। ସେଥିପାଇଁ ଭୋଟ ଗଣତିର ଶେଷ ଆଡ଼କୁ ବିଜେଡିର ଅନେକ ଯୁବକର୍ମୀ କହିଛନ୍ତି, ଯାହା ହେଲା ଭଲ ହେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos