ସୃଷ୍ଟି ପାଇଁ କ’ଣ ଆଖପାଖରେ ହଷ୍ଟେଲ ନାହିଁ?

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କେଚ୍ଚାପଙ୍କା ଗାଁର ସୃଷ୍ଟି ଶବର। ସେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ତେବେ ଜନ୍ମରୁ ତାଙ୍କର ଦୁଇ ଗୋଡ଼ ଅଚଳ ହୋଇ ପଡ଼ିଥିବାରୁ ଦୁଇ ହାତ ସାହାଯ୍ୟରେ ସେ ଚଲାବୁଲା କରନ୍ତି। ଏମିତିକି ସେ କଥା ମଧ୍ୟ ସ୍ପଷ୍ଟ ଭାବେ କହି ପାରନ୍ତି ନାହିଁ। ହେଲେ ପାଠ ପଢ଼ିବା ପ୍ରତି ତାଙ୍କର ଇଚ୍ଛା ଥିବାରୁ  ଗାଁଠୁ ୨ କିଲୋମିଟର ମାଟି ଓ ଘାଟି ରାସ୍ତାରେ ହାତରେ ଚାଲି ଚାଲି […]

student

Jyoshna Pradhan
  • Published: Saturday, 15 February 2020
  • , Updated: 15 February 2020, 01:23 PM IST

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କେଚ୍ଚାପଙ୍କା ଗାଁର ସୃଷ୍ଟି ଶବର। ସେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ତେବେ ଜନ୍ମରୁ ତାଙ୍କର ଦୁଇ ଗୋଡ଼ ଅଚଳ ହୋଇ ପଡ଼ିଥିବାରୁ ଦୁଇ ହାତ ସାହାଯ୍ୟରେ ସେ ଚଲାବୁଲା କରନ୍ତି। ଏମିତିକି ସେ କଥା ମଧ୍ୟ ସ୍ପଷ୍ଟ ଭାବେ କହି ପାରନ୍ତି ନାହିଁ। ହେଲେ ପାଠ ପଢ଼ିବା ପ୍ରତି ତାଙ୍କର ଇଚ୍ଛା ଥିବାରୁ  ଗାଁଠୁ ୨ କିଲୋମିଟର ମାଟି ଓ ଘାଟି ରାସ୍ତାରେ ହାତରେ ଚାଲି ଚାଲି ବହୁ କଷ୍ଟରେ ସ୍କୁଲ ଯାଉଛନ୍ତି।

ସୃଷ୍ଟିଙ୍କ ବାପା-ମାଆ ଦିନ ମଜୁରିଆ ଶ୍ରେଣୀର। ହେଲେ ଝିଅର ପାଠ ପଢ଼ା ପ୍ରତି ଆଗ୍ରହ ଦେଖି ତାଙ୍କ ବାପା ପ୍ରଥମେ ଗାଁଠୁ ଦୁଇ କିମି ଦୂର ଲୁହାଗୁଡ଼ିରେ ଥିବା ଏକ ଆବାସିକ ବିଦ୍ୟାଳୟରେ ତାଙ୍କ ନାଁ ଲେଖାଇ ଦେଇଥିଲେ। ଆଉ ସୃଷ୍ଟି ସେଠାରେ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିଲେ। ହେଲେ ଅଷ୍ଟମ ଶ୍ରେଣୀ ପାସ୍‌ କରିବା ପରେ ତାଙ୍କୁ ହଷ୍ଟେଲ୍‌ ଥିବା ସ୍କୁଲ୍‌ରେ ପଢ଼ାଇବାକୁ ତାଙ୍କ ବାପା ଚେଷ୍ଟା କରିଥିଲେ। ହେଲେ କୌଣସି ସ୍ଥାନରେ ହଷ୍ଟେଲ ସୁବିଧା ନ ପାଇବାରୁ ଶେଷରେ ନିରାଶ ହୋଇ ସେହି ଲୁହାଗୁଡ଼ିରେ ଥିବା ଉଚ୍ଚ ଆଦିବାସୀ ବିଦ୍ୟାଳୟରେ ତାଙ୍କ ନାଁ ଲେଖାଇ ଥିଲେ। ହେଲେ ଗାଁଠାରୁ ସ୍କୁଲ ଯିବାକୁ ଭଲ ରାସ୍ତା ନଥିବାରୁ ସେ ପଥୁରିଆ ରାସ୍ତାରେ ହାତ ସାହାଯ୍ୟରେ ଚାଲି ଚାଲି ପ୍ରତିଦିନ ସ୍କୁଲ ଆସିଥାନ୍ତି।

ଏନେଇ ଦିବ୍ୟାଙ୍ଗ ଛାତ୍ରୀ ସୃଷ୍ଟି ଶବର କହିଛନ୍ତି, “ହଷ୍ଟେଲ ଥିବା ସ୍କୁଲ୍‌ରେ ମୋର ଆଡମିଶନ୍‌ ହୋଇଥିଲେ ଭଲ ହୁଅନ୍ତା। ମୁଁ ହଷ୍ଟେଲରେ ରହି ପାଠ ପଢ଼ି ପାରିଥାନ୍ତି।”

ସୃଷ୍ଟିଙ୍କ ବାପା ଲାବଣ୍ୟ ଶବର କହିଛନ୍ତି, “ଝିଅ ମୋର ହାତରେ ଚାଲି ଚାଲି ସ୍କୁଲ ଯାଉଛି ଦେଖିଲେ କଷ୍ଟ ଲାଗୁଛି। ହଷ୍ଟେଲ ଥିବା ସ୍କୁଲ ମିଳିଲେ ଭଲ ହୁଅନ୍ତା।”

ସୃଷ୍ଟିର ଏହି ଭଳି ଅବସ୍ଥା ଦେଖି ଗାଁ ଲୋକେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଆଉ ସରକାରଙ୍କ ତରଫରୁ ସୃଷ୍ଟିକୁ କୌଣସି ସରକାରୀ ଆଶ୍ରମ ବିଦ୍ୟାଳୟରେ ସୁବିଧା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

ସୃଷ୍ଟିଙ୍କ ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର କହିଛନ୍ତି, “ସୃଷ୍ଟି ରେଗୁଲାର ସ୍କୁଲ ଆସେ। ତାର ପାଠ ପଢ଼ିବାରେ ଆଗ୍ରହ ରହିଛି। ତାକୁ ସ୍କୁଲ ତରଫରୁ ବହି ଦିଆଯାଇଛି। ତେବେ ହଷ୍ଟେଲ ଥିବା ସ୍କୁଲ୍‌ରେ ସେ ପାଠ ପଢ଼ିଲେ ଭଲ ହୋଇଥାନ୍ତା।”

ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ କହିଛନ୍ତି, “ସୃଷ୍ଟିଙ୍କ ବିଷୟରେ ଅବଗତ ଅଛୁ। ଖୁବ୍‌ଶୀଘ୍ର କୌଣସି ଏକ ଆଶ୍ରମ ବିଦ୍ୟାଳୟରେ ତାକୁ ଥଇଥାନ ବ୍ୟବସ୍ଥା କରାଯିବ।”

Related story