ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ପାଇଁ ‘ଚ୍ୟାରିଟି’ ବା ‘ଦାନ’ର ଅର୍ଥ ଭିନ୍ନ। କିନ୍ତୁ ଲୋକନାଥନ୍ଙ୍କ ପାଇଁ ଦାନର ଅର୍ଥ ଥିଲା ବେଶ୍ ସରଳ। ଆଉ ସେଇଟା ହେଉଛି, କିଛି ଭଲ କାମ କରିବାର ଏ ହେଉଛି ଏକ ମାଧ୍ୟମ ନହେଲେ ଜଣେ ଅସହାୟ ଓ ଗରିବକୁ ସାହାଯ୍ୟ କରିବାର ଏକ ଛୋଟ ପ୍ରୟାସ। ଯେଉଁଥିରୁ ସେ କେବେ ବି ନିଜକୁ ବଞ୍ଚିତ ରଖିବାକୁ ଚାହୁଁନଥିଲେ। ତେଣୁ ଦାନ କରିବା ପାଇଁ ପ୍ରତିଦିନ ଅନ୍ୟର ପାଇଖାନା ସଫା କରନ୍ତି ଲୋକନାଥନ୍। ଆଉ ସେଥିରୁ ଯାହା ଯେତିକି ମିଳେ ସେସବୁ ସେ ଅନାଥ ଆଶ୍ରମର ପିଲାମାନଙ୍କ ପଢ଼ା ଖର୍ଚ୍ଚ ପାଇଁ ଦେଇଦିଅନ୍ତି।
ତାମିଲ୍ନାଡୁ କୋଏମ୍ବାଟୁରର କନ୍ନମ୍ପଲାୟମରେ ରୁହନ୍ତି ଲୋକନାଥନ୍। ବୃତ୍ତିରେ ସେ ଜଣେ ଝଳେଇ ମିସ୍ତ୍ରୀ। ବାପା ବି ଝଳେଇ ମିସ୍ତ୍ରୀ କାମ କରୁଥିଲେ। ପିଲାଦିନେ ଲୋକନାଥନ୍ଙ୍କୁ ପାଠ ପଢ଼ିବାର ଭାରି ଇଚ୍ଛା ଥିଲା। କିନ୍ତୁ ଆର୍ଥିକ ଅଭାବ ତାଙ୍କୁ ସ୍କୁଲ୍ ଯିବା ବାଟରେ ପ୍ରତିବନ୍ଧକ ସାଜିଲା। ୧୨ ବର୍ଷ ବୟସରେ ସେ ସ୍କୁଲ୍ ତ ଯାଇପାରିଲେନି କିନ୍ତୁ ପହଞ୍ଚିଯାଇଥିଲେ ଗୋଟେ ପେପର ମିଲ୍ରେ।
ସେଠାରେ ସେ ଝଳେଇମିସ୍ତ୍ରୀ ଭାବେ କାମ ଆରମ୍ଭ କଲେ। ପ୍ରଥମେ ପ୍ରଥମେ ଲୋକନାଥନ୍ ଆଦୌ ପେପର୍ ମିଲ୍କୁ ଯାଇ କାମ କରିବାକୁ ଚାହୁଁ ନଥିଲେ। ସେ ସ୍କୁଲ୍ ଯିବାକୁ ଚାହୁଁଥିଲେ। କିନ୍ତୁ ଘର ଲୋକ ତାଙ୍କୁ ଟଙ୍କା ରୋଜଗାର କରିବାକୁ ବାଧ୍ୟ କରୁଥିଲେ। କାରଣ ସେତେବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା।
ଏବେ ଲୋକନାଥନ୍ଙ୍କ ବୟସ ୫୨ ବର୍ଷ । ଗତ ୧୭ ବର୍ଷ ହେବ ସେ ପାଇଖାନା ସଫା କରୁଛନ୍ତି। ପେପର ମିଲ୍ କାମ ସରିବା ପରେ ସବୁଦିନ ଲୋକନାଥନ କୋଏମ୍ବାଟୁରର ବିଭିନ୍ନ ପ୍ରାଇଭେଟ୍ କମ୍ପାନୀ ବୁଲି ପାଇଖାନା ସଫା କରନ୍ତି।
ତାଙ୍କ କହିବା ଅନୁଯାୟୀ, ଲୋକମାନଙ୍କୁ ପାଇଖାନା ସଫା କରିବାକୁ ଲାଜ ଲାଗେ। ତେଣୁ ସେମାନେ ଏହି କାମ କରିବାକୁ ଚାହାନ୍ତି ନାହିଁ। ପାଇଖାନା ସଫା କରୁଥିବା ଲୋକମାନଙ୍କୁ ମଧ୍ୟ କିଛି ଲୋକ ନୀଚ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ମତେ ଏହି କାମ କରିବାକୁ ଲାଜ ଲାଗେନି। ମୁଁ ବିନା ସର୍ତ୍ତରେ ପାଇଖାନା ସଫା କରେ।
ଲୋକନାଥନ୍ ୨୦୦୨ରେ ପାଇଖାନା ସଫା କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଟେ ଘଣ୍ଟା ପାଇଖାନା ସଫା କରିବା ପାଇଁ ସେ ୫୦ ଟଙ୍କା ନିଅନ୍ତି। ପାଇଖାନା ସଫା କରି ସେ ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରିନିଅନ୍ତି। ଆଉ ସେହି ଟଙ୍କାରେ ସେ ବହି ଏବଂ ଡ୍ରେସ୍ କିଣି ଅନାଥ ଆଶ୍ରମରେ ବାଣ୍ଟନ୍ତି। ଏଥିସହ ପ୍ରତିବର୍ଷ ସେ ସରକାରୀ ଅନାଥ ଆଶ୍ରମକୁ ୧୦,୦୦୦ ଟଙ୍କା ଦେଉଛନ୍ତି। ତାଙ୍କର ଏହି ପ୍ରୟାସ ଦ୍ୱାରା ଅନାଥ ଆଶ୍ରମର ପାଖାପାଖି ୧୬୦୦ ପିଲାଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରାପ୍ତ ହେଉଛି।
ଲୋକନାଥନ୍ଙ୍କ କହିବା ଅନୁଯାୟୀ, ମତେ ଏହି କାମ କରିବାକୁ ଲାଜ ଲାଗେନି ବରଂ ଖୁସି ଲାଗେ। କମ୍ ପରିଶ୍ରମ, କମ ସମୟ ମଧ୍ୟରେ ମୁଁ ଏଥିରୁ ଅଥିକ ଟଙ୍କା ରୋଜଗାର କରିପାରୁଛି।
ଭବିଷ୍ୟତରେ ଲୋକନାଥନ୍ ତାମିଲନାଡୁର ଅନାଥ ପିଲାମାନଙ୍କ ପାଇଁ ଗୋଟେ ଚ୍ୟାରିଟେବଲ୍ ଏଜୁକେସନାଲ୍ ଟ୍ରଷ୍ଟ ଗଢ଼ିବାକୁ ଚାହାନ୍ତି।