Advertisment

ବାଲାସାହେବ ଠାକରେଙ୍କ ଶିବସେନା

ସ୍ୱାତୀ ଜେନା ଶିବସେନା କାହାର ? ଶିବସେନାର ପ୍ରକୃତ ଦାୟଦ କିଏ? ତାକୁ ନେଇ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦଳର  ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇ ଯାଇଛି । କାରଣ ଏକନାଥ ସିନ୍ଦେ ନିଜ ସମର୍ଥକଙ୍କ ସହ ଅନ୍ୟ ଏକ ଦଳ ‘ଶିବସେନା ବାଲା ସାହେବ ଠାକରେ’ କରିବାକୁ ଘୋଷଣା କରିଛନ୍ତି। ସେପଟେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ଉଭୟ ‘ଶିବସେନା ’ଓ […]

ଅଦ୍ୟତନ ହୋଇଛି
ବାଲାସାହେବ ଠାକରେଙ୍କ ଶିବସେନା

bala-saheb-siv-sena

Advertisment
  • ସ୍ୱାତୀ ଜେନା

ଶିବସେନା କାହାର ? ଶିବସେନାର ପ୍ରକୃତ ଦାୟଦ କିଏ? ତାକୁ ନେଇ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦଳର  ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇ ଯାଇଛି । କାରଣ ଏକନାଥ ସିନ୍ଦେ ନିଜ ସମର୍ଥକଙ୍କ ସହ ଅନ୍ୟ ଏକ ଦଳ ଶିବସେନା ବାଲା ସାହେବ ଠାକରେ କରିବାକୁ ଘୋଷଣା କରିଛନ୍ତି। ସେପଟେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ଉଭୟ ଶିବସେନା ’ଓ ‘ବାଲା ସାହେବ ଠାକରେ’ ନାଁକୁ ବିଦ୍ରୋହୀ ବ୍ୟବହାର କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏ ପରିସ୍ଥିତିରେ ମହାରାଷ୍ଟ୍ରରେ ମରାଠୀଙ୍କ ସୁରକ୍ଷା ପାଇଁ ଗଢ଼ା ହୋଇଥିବା ଶିବ ସେନାର ବର୍ତ୍ତମାନ ଓ ଭବିଷ୍ୟତ ଏବେ ପ୍ରଶ୍ନ ଘେରରେ ରହି ଯାଇଛି ।

Advertisment

ଶିବାସେନାର ଜନ୍ମ

ମୁମ୍ବାଇରେ ମରାଠୀଙ୍କ ହକ୍ ଓ ଅଧିକାରର ଲଢେଇରୁ ୧୯୬୬ ମସିହାରେ ଜନ୍ମ ନିଏ ‘ଶିବ ସେନା ଦଳ । ବିଶିଷ୍ଟ କାର୍ଟୁନିଷ୍ଟ ବାଲା ସାହେବ ଠାକରେ ନିଅନ୍ତି ଏହାର ନେତୃତ୍ୱ । ପିତା କେଶବ ଶିବାରାମ୍ ଠାକରେ ସାମୁଖ୍ୟ ମହାରାଷ୍ଟ୍ରର ଅଗ୍ରଣୀ ନେତା ଥିଲେ । ଯେ କି ମରାଠୀ ଭାଷାର ସୁରକ୍ଷା ସହ ମରାଠୀଙ୍କ ଅଧିକାର ପାଇଁ ଲଢ଼େଇ କରୁଥିଲେ । ତେଣୁ ଫ୍ରି ପ୍ରେସ ଜର୍ନାଲରେ ଜଣେ କ୍ଷାତାନାମା କାର୍ଟୁନିଷ୍ଟ ଥିବା ବାଲା ସାହେବ ଠାକରେ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ମରାଠୀଙ୍କ ପାଇଁ ମହାସଂଗ୍ରାମ ଜାରି ରଖିଲେ । ଆଉ ଧୀରେ ଧୀରେ ପୂରା ମହାରାଷ୍ଟ୍ର ଉପରେ ତାଙ୍କର କର୍ତ୍ତୃତ୍ୱ ବଢ଼ିବାକୁ ଲାଗିଥିଲା ।

ଶିବସେନା-ବିଜେପି ମେଣ୍ଟ

ଶିବସେନା ଗଠନର ବହୁ ବର୍ଷ ପରେ(୧୯୮୦) ହିନ୍ଦୁତ୍ୱ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନୀତି ଆଦର୍ଶରେ ଗଢ଼ା ଭାରତୀୟ ଜନତା ପାର୍ଟିର ଜନ୍ମ । ତେବେ ସମାନ ମନୋଭାବ ରଖୁଥିବା ବିଜେପି ସହ ୧୯୮୯ରେ ହାତ ମିଳାଏ ଶିବସେନା। ବିଜେପି-ଶିବାସେନା ମେଣ୍ଟ ମହାରାଷ୍ଟ୍ରରେ ଉଭୟ ଲୋକସଭା ଓ ମ୍ୟୁନିସିପାଲିଟି ନିର୍ବାଚନ ଲଢ଼ନ୍ତି । ୧୯୯୫ରେ ପ୍ରଥମ ଥର ପାଇଁ ମରହାରାଷ୍ଟ୍ରରେ ଶିବସେନା ବିଜେପି ସହ ସରକାର ଗଠନ କରେ । ମୁଖ୍ୟମନ୍ତ୍ରୀ ହୁଅନ୍ତି ମନୋହର ଯୋଶୀ । ୧୯୯୮ରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ବିଜେପି ନେତୃତାଧୀନ ଏନଡିଏ ସରକାର କ୍ଷମତାକୁ ଆସିଥିଲା । ଯେଉଁଥିରେ ମୁଖ୍ୟ ସହଯୋଗୀ ଦଳ ଥିଲା ବାଲ ଠାକରେଙ୍କ ଶିବସେନା ।୨୦୧୪ରେ ଯଦିଓ ଉଭୟଙ୍କ ମଧ୍ୟରେ ସାମାନ୍ୟ ମତଭେଦ ହୋଇଥିଲା, କିନ୍ତୁ ଉଭୟଙ୍କ ସଂପର୍କ ୨୦୧୯ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା।

Advertisment

ଶିବସେନାରେ ବିଦ୍ରୋହ

ଶିବସେନାର ମୁଖ୍ୟ ଯଦିଓ ବାଲା ସାହେବ ଠାକରେ ଥିଲେ, କିନ୍ତୁ ଏହାର ସବୁ କିଛି ପୁତୁରା ରାଜ ଠାକରେ ହିଁ ବୁଝାବୁଝି କରୁଥିଲେ । ରାଜ ଠାକରେ ଛାତ୍ର ଜୀବନରୁ ହିଁ ରାଜନୀତି ଆରମ୍ଭ କରିଥିଲେ । ରାଜ ଠାକରେ ନିଜକୁ ବାଲା ଠାକରେଙ୍କ ଉତ୍ତରାଧିକାରୀ ଭାବୁଥିଲେ । କିନ୍ତୁ ଉଦ୍ଧବ ଠାକରେଙ୍କୁ ଶିବାସେନା ଦାୟିତ୍ୱ ଦେବାକୁ ବାଲା ସାହେବ ନିଷ୍ପତ୍ତି ନେବାରୁ ରାଜ ଠାକରେ ୨୦୦୫ରେ ଦଳରୁ ବାହାରି ଯାଇଥିଲେ । ୨୦୦୬ରେ ସେ ମହାରାଷ୍ଟ୍ର ନବ ନିର୍ମାଣ ସେନା’ ନାମକ ଅନ୍ୟ ଏକ ପାର୍ଟି ଗଠନ କରିଥିଲେ। କିନ୍ତୁ ତାହା ପ୍ରଭାବଶାଳୀ ହୋଇପାରିନି।

ଶିବ ସେନା ଓ ବିବାଦ

ଶିବସେନାର ବିଚାରଧାରା ଚରମପନ୍ଥୀ ଥିଲା । ହିନ୍ଦୁତ୍ୱ ବିଚାରଧାରାକୁ ସମର୍ଥନ ସହ ମୁସଲିମ୍ ବିରୋଧୀ ଗୋଷ୍ଠୀ ଭାବେ ଶିବସେନା  ମହାରାଷ୍ଟ୍ରରେ ଉଭା ହୋଇଥିଲା । ମୁମ୍ବାଇରେ ହୋଇଥିବା ବିଭିନ୍ନ ସାମ୍ପ୍ରଦାୟିକ ଦଙ୍ଗାରେ ଶିବସେନାରେ ମୁଖ୍ୟ ଭୂମିକା ଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ର ଭିୱନ୍ଦିରେ ୧୯୭୦ ଓ ୧୯୮୪ ଦଙ୍ଗା ଶିବସେନା ହିଁ କରାଇଥିବା ଅଭିଯୋଗ ହୋଇଥିଲା । ୧୯୯୨-୯୩ରେ ମୁମ୍ବାଇରେ ଘଟିଥିଲା ସବୁଠାରୁ ଭୟଙ୍କର ଦଙ୍ଗା ଯେଉଁଥିରେ, ପ୍ରାୟ ଏକ ହଜାର ଲୋକ ପ୍ରାଣ ହରାଇଥିଲେ । ଏହା ପଛରେ ମଧ୍ୟ ଶିବସେନାର ହାତ ଥିଲା। ବିଭିନ୍ନ ଅଣ୍ଡର ୱାର୍ଲଡ ମାଫିଆଙ୍କ ସହ ଶିବାସେନାର ସଂପର୍କ ଥିଲା ବୋଲି କୁହାଯାଏ। କେବଳ ସେତିକି ନୁହେଁ, ମୁମ୍ବାଇ ସିନେ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଶିବସେନାର ବେଶ ଦବଦବା ଥିଲା।

କ୍ଷମତା କେନ୍ଦ୍ରରେ ନ ରହି ମଧ୍ୟ ପ୍ରଭାବଶାଳୀ ଥିଲେ ବାଲ୍‌ ଠାକରେ

୧୯୨୬ରେ ଜନ୍ମ ନେଇଥିବା ବାଲା ସାହେବ ଠାକରେ କୌଣସି  କ୍ଷମତା କେନ୍ଦ୍ରରେ ନ ରହି ମଧ୍ୟ ଦେଶର ଜଣେ ଲୋକପ୍ରିୟ ଜନନେତା ଭାବେ ପରିଚିତ ଥିଲେ । ଅସମ୍ଭବ କାମକୁ ସମ୍ଭବ କରି ପାରୁଥିବା ଶକ୍ତିଶାଳୀ ବ୍ୟକ୍ତି ଭାବେ ବାଲା ସାହେବଙ୍କୁ ଗଣାଯାଏ । ଯଦିଓ ସେ ଦଳର ମୁଖ୍ୟ ଥିଲେ, କିନ୍ତୁ କେବେ କୌଣସି ନିର୍ବାଚନ ଲଢି ନଥିଲେ । ୧୯୯୯ ମସିହାରେ ନିର୍ବାଚନ କମିଶନର ତାଙ୍କୁ ୬ ବର୍ଷ ପାଇଁ ମତଦାନ ଦେବାର ଅଧିକାରରୁ ମଧ୍ୟ ବ୍ୟାନ କରିଥିଲେ । ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେବା ସହ ଦକ୍ଷିଣ ଭାରତୀୟଙ୍କୁ ମହାରାଷ୍ଟ୍ରରେ ବିରୋଧ କରିବା ଭଳି ସଂଗୀନ ଆରୋପ ତାଙ୍କ ନାଁରେ ଥିଲା। ଏସବୁ ସତ୍ତ୍ୱେ ୨୦୧୨ ନଭେମ୍ବରରେ ହୃତଘାତରେ ପ୍ରାଣ ହରାଇଥିବା ବାଲାସାହେବଙ୍କୁ ପୂରା ଭାରତ ବର୍ଷ ଶ୍ରଦ୍ଧାଞ୍ଜଳି ଦେଇଥିଲା । ୨୧ ତୋପର ସାଲାମି ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା।

ବିଜେପି ସହ ସଂପର୍କ ଛିନ୍ନ

୨୦୧୯ରେ ବିଜେପି ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଝାମେଲାର ଅନ୍ତ ନ ହେବାରୁ ଶିବସେନା ନିଜର ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ କଂଗ୍ରେସ ଓ ଏନସିପି ସହ ‘ମହା ବିକାଶ ଅଘାଡିମେଣ୍ଟ କରି ପୁଣି ଥରେ କ୍ଷମତାକୁ ଆସିଥିଲା। ଆଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଏବେ କିନ୍ତୁ ସେହି ଆଦର୍ଶର ଦ୍ୱାହି ଦେଇ ଦଳ ଭିତରେ ସୃଷ୍ଟି ହୋଇଛି ବିଦ୍ରୋହର ବହ୍ନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe