Advertisment

ଦେଶରେ ବାପ-ପୁଅ ମୁଖ୍ୟମନ୍ତ୍ରୀ ଯୋଡ଼ି

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ବଂଶବାଦ ବିରୋଧରେ ଅନେକ ସମୟରେ ସ୍ୱର ଉଠିଥିଲେ ବି ଅନେକ ଦଳ ଓ ଅନେକ ରାଜ୍ୟରେ ରାଜନୀତିକ ବଂଶବାଦ କାୟମ ରହିଛି। ଅନେକ ଦଳର ଅନେକ ନେତା ଉତ୍ତରାଧିକାରୀ ସୂତ୍ରରେ ହେଉ ବା ଦୃଢ଼ ନେତୃତ୍ୱ ଯୋଗୁଁ ହେଉ ବାପାଙ୍କ ପଦବୀ ଅଳଂକୃତ କରିଛନ୍ତି। ଏହି କ୍ରମରେ ଜଣେ ନେତା ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ତାଙ୍କ ପୂର୍ବରୁ ତାଙ୍କ ବାପା ଏସଆର ବୋମାଇ ଜନତା ଦଳ ନେତା ଭାବେ […]

ଅଦ୍ୟତନ ହୋଇଛି
ଦେଶରେ ବାପ-ପୁଅ ମୁଖ୍ୟମନ୍ତ୍ରୀ ଯୋଡ଼ି

father-son-duo

Advertisment

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ବଂଶବାଦ ବିରୋଧରେ ଅନେକ ସମୟରେ ସ୍ୱର ଉଠିଥିଲେ ବି ଅନେକ ଦଳ ଓ ଅନେକ ରାଜ୍ୟରେ ରାଜନୀତିକ ବଂଶବାଦ କାୟମ ରହିଛି। ଅନେକ ଦଳର ଅନେକ ନେତା ଉତ୍ତରାଧିକାରୀ ସୂତ୍ରରେ ହେଉ ବା ଦୃଢ଼ ନେତୃତ୍ୱ ଯୋଗୁଁ ହେଉ ବାପାଙ୍କ ପଦବୀ ଅଳଂକୃତ କରିଛନ୍ତି। ଏହି କ୍ରମରେ ଜଣେ ନେତା ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ତାଙ୍କ ପୂର୍ବରୁ ତାଙ୍କ ବାପା ଏସଆର ବୋମାଇ ଜନତା ଦଳ ନେତା ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

Advertisment

କର୍ଣ୍ଣାଟକ

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବାସବରାଜ ବୋମାଇ। ୨୩ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ଏହି ନେତାଙ୍କ ବାପା ଏସଆର ବୋମାଇ ମଧ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୋମାପ୍ପା ରୟପ୍ପା ବୋମାଇ ୧୯୮୮ରୁ ୮୯ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ।

ଏହା ପୂର୍ବରୁ ମଧ୍ୟ କର୍ଣ୍ଣାଟକରେ ବାପ-ପୁଅ ମୁଖ୍ୟମନ୍ତ୍ରୀ ଯୋଡ଼ି ରହିଛନ୍ତି। ଜନତା ଦଳ ନେତା ଏଚଡି ଦେବଗୌଡା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୪ରୁ ୧୯୯୬ରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ସେ ଜୁନ୍ ୧୯୯୬ରୁ ଏପ୍ରିଲ ୧୯୯୭ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ପୁଅ କୁମାରସ୍ୱାମୀ ଦୁଇ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Advertisment

ଓଡ଼ିଶା

ସେହିପରି ଓଡ଼ିଶାରେ ମଧ୍ୟ ବାପ-ପୁଅ ଯୋଡ଼ି ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ୧୯୬୧-୬୩ ଏବଂ ୧୯୯୦-୯୫ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ରହିଛନ୍ତି।

ଝାଡ଼ଖଣ୍ଡ

ଝାଡ଼ଖଣ୍ଡରେ ଏବେର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ୍। ୨୦୧୯ରୁ ସେ ଏହି ପଦରେ ରହିଛନ୍ତି। ଏହା ପୂର୍ବରୁ ତାଙ୍କ ବାପା ଶିବୁ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

ତାମିଲନାଡୁ

ସ୍ୱର୍ଗତ ଡିଏମକେ ନେତା କରୁଣାନିଧି ୧୯୬୯ରୁ ୨୦୧୧ ମଧ୍ୟରେ ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ପୁଅ ଏମ୍ କେ ଷ୍ଟାଲିନ ୨୦୨୧ରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି।

ଆନ୍ଧ୍ରପ୍ରଦେଶ

ଆନ୍ଧ୍ରପ୍ରଦେଶରେ ଏବେ ଓ୍ୱାଇ ଏସ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହା ପୂର୍ବରୁ ତାଙ୍କ ବାପା ଓ୍ୱାଇ ଏସ ରାଜଶେଖର ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୪-୨୦୦୯ ମଧ୍ୟରେ ଦୁଇ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ସେହିପରି ଏନଟି ରାମାରାଓ ମୁଖ୍ୟମନ୍ତ୍ରୀ ଥିଲେ। ଏହାପରେ ତାଙ୍କ ଜ୍ୱାଇଁ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ।

ୟୁପି

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। ଦେଶର ସବୁଠୁ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ପୁଅ ଅଖିଳେଶ ଯାଦବ ୨୦୧୨-୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ଦେଶର ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଲୋକପ୍ରିୟତା ହାସଲ କରିଥିଲେ।

ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶର ଏବେର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ରହିଛନ୍ତି। ଏହା ପୂର୍ବରୁ ତାଙ୍କ ବାପା ଦୋର୍ଜି ଖାଣ୍ଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଯିଏକି ୨୦୧୧ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପ୍ରେମା ଖାଣ୍ଡୁ ରାଜ୍ୟ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ମେ ୨୯,୨୦୧୯ରେ ଶପଥ ଗ୍ରହଣ କରିଥିଲେ।

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଶଙ୍କରରାଓ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ପୁଅ ଅଶୋକ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡରେ ବିଜୟ ବହୁଗୁଣା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ତାଙ୍କ ବାପା ହେମବତୀ ନନ୍ଦନ ବହୁଗୁଣା ୟୁପିର ମୁଖ୍ୟମନ୍ତ୍ରୀ ଥିଲେ।

ହରିଆଣା

ହରିଆଣାରେ ଦେବି ଲାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ପୁଅ ଓମ୍ ପ୍ରକାଶ ଚୌଟାଲା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯିଏକି ନିକଟରେ ଜେଲ ଦଣ୍ଡାଦେଶ ସାରି ଘରକୁ ଫେରିଛନ୍ତି।

ଜମ୍ମୁ କଶ୍ମୀର

ଜମ୍ମୁ କଶ୍ମୀରରେ ଶେଖ୍ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ତାଙ୍କ ପୁଓ ଫାରୁକ ଅବଦୁଲ୍ଲା ଏବଂ ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ମୁଫତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ଝିଅ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବାପା ମୁଖ୍ୟମନ୍ତ୍ରୀ ପୁୁଅ ଉପ ମୁଖ୍ୟମନ୍ତ୍ରୀ

ଏହାବାଦ ବିହାରରେ ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ କିନ୍ତୁ ତାଙ୍କ ପୁଅ ତେଜସ୍ୱୀ ଯାଦବ ଜେଡିୟୁ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ପଞ୍ଜାବରେ ପ୍ରକାଶ ସିଂ ବାଦଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ତାଙ୍କ ପୁଅ ସୁଖବୀର ସିଂହ ବାଦଲ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe