କୋଟିଆ ବିବାଦ- ବିଲେଇ ଅଣପୁରୁଷା ଦେଖି, ମୂଷା କରମ କରୁଛି ବସି!

ସେହି ସନ୍ଦର୍ଭ ପାଠକଲେ ଯେକେହି ବୁଝିପାରିବେ ଯେ ଓଡ଼ିଶା ସରକାରଙ୍କ ଅବହେଳା ଓ ଅପାରଗତା କାରଣରୁ ହିଁ କୋଟିଆ ଉପରେ ଆନ୍ଧ୍ରର କବ୍ଜା କ୍ରମଶଃ ଦୃଢ଼ ହୋଇଚାଲିଛି। ସେହି ସନ୍ଦର୍ଭ ଅନୁସାରେ ୧୯୩୬ ଏପ୍ରିଲ ପହିଲା ପୂର୍ବରୁ କୋଟିଆ ଗ୍ରାମପୁଞ୍ଜ ଜୟପୁର ଇଷ୍ଟେଟ୍‌ରେ ଥିଲା।

  • ଦେବେନ୍ଦ୍ର ପୃଷ୍ଟି

କୋରାପୁଟର କୋଟିଆ ଗ୍ରାମପୁଞ୍ଜ ବିବାଦ ନେଇ ଓଡ଼ିଶାର ସ୍ଥିତି ଠିକ ଏଇଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶା ସରକାରଙ୍କ ଅପାରଗତା ଓ ଉଦାସୀନତା ଏବଂ ଓଡ଼ିଆ ଲୋକଙ୍କ ବିମୁଖତା ଯୋଗୁଁ କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ର ପ୍ରଦେଶ କବ୍ଜା କରିଗଲାଣି କହିଲେ ଚଳେ। ଯେତେବେଳେ ଏନେଇ କୌଣସି ଓଡ଼ିଶାପ୍ରେମୀ ପ୍ରସଙ୍ଗ ଉଠାଉଛନ୍ତି ବା ଏହାକୁ ନେଇ ରାଜନୀତିକ ବିବାଦ ସୃଷ୍ଟି ହେଉଛି ସେତେବେଳେ ଓଡ଼ିଶା ସରକାର ଓ ଶାସକ ଦଳର ସହଯୋଗୀ ଦଳଗୁଡ଼ିକ ବିବାଦର ସ୍ଥାୟୀ ସମାଧାନ ନକରି କଥା ବାଆଁରେଇବା ପାଇଁ ଅଯଥା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ଯେମିତି ପୁଣି ଥରେ ଏହି ବିବାଦ ଉଠିଛି ଓ ରାଜ୍ୟ ସରକାର କହୁଛନ୍ତି ସୁପ୍ରିମ କୋର୍ଟ ଯିବେ ସେଥିରୁ କିଛି ଫଇସଲା ହେବାର ନାହିଁ। କାରଣ ଏଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଅମଳରେ ହିଁ ସୁପ୍ରିମ କୋର୍ଟ ଏହି ମାମଲାରୁ ନିଜକୁ ମୁକ୍ତ କରିସାରିଛନ୍ତି। ସେହି ବର୍ଷ ସୁପ୍ରିମ କୋର୍ଟ ବୋରା କେଭ୍‌ ବା ବଡ଼ ଗୁମ୍ଫା ଆନ୍ଧ୍ରର ବୋଲି ରାୟ ଦେବା ସହିତ କୋଟିଆ ବିବାଦର ସମାଧାନ କ୍ଷମତା କେନ୍ଦ୍ର ସରକାରଙ୍କଠାରେ ନ୍ୟସ୍ତ ଅଛି ବୋଲି କହିସାରିଛନ୍ତି। ଓଡ଼ିଶା ସରକାର ସମ୍ଭବତଃ ଏ ବିଷୟରେ ଏଯାଏଁ ଅବଗତ ନାହାନ୍ତି ବା ଭୁଲି ଯାଇଛନ୍ତି।

ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକ ରାଜନ୍ନା ଓଡ଼ିଶାର ଓଟିଭିକୁ ଯେଉଁ ବୟାନ ଦେଇଛନ୍ତି ଯେ କୋଟିଆ ଗ୍ରାମପୁଞ୍ଜ ଉପରେ ସୁପ୍ରିମ କୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି ତାହା ସଂପୂର୍ଣ୍ଣ ସତ ନହେଲେ ମଧ୍ୟ ଆଂଶିକ ସତ। ୨୦୧୧ ମସିହା ମେ ୨୩ ତାରିଖରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆ ଓ ବୋରା କେଭ୍‌ ମାମଲା ପରିଚାଳନା କରିଥିବା ସ୍ୱତନ୍ତ୍ର ଓକିଲ ଭିଆରଏମ ରାଜୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ୨୦୧୦ ମସିହା ମେ ମାସରେ ସୁପ୍ରିମ କୋର୍ଟଙ୍କ ତତ୍କାଳୀନ ପ୍ରଧାନ ବିଚାରପତି କେଜି ବାଳକୃଷ୍ଣନ ବୋରା କେଭ୍‌ ଉପରେ ଓଡ଼ିଶାର ଦାବିକୁ ଖାରଜ କରିଦେଇଥିଲେ। ତେବେ ୨୮ଟି କୋଟିଆ ଗ୍ରାମକୁ ନେଇ ଲାଗି ରହିଥିବା ବିବାଦର ସମାଧାନ କେବଳ କେନ୍ଦ୍ର ସରକାର କରିପାରିବେ ବୋଲି ସେ ରାୟ ଦେଇଥିଲେ। କେନ୍ଦ୍ର ସରକାର ଅର୍ଥ ଏହି ବିବାଦର ସମାଧାନ କ୍ଷମତା ସଂସଦର ଅଛି, ସୁପ୍ରିମ କୋର୍ଟଙ୍କର ନାହିଁ ବୋଲି ସେ ତାଙ୍କ ରାୟରେ ଉଲ୍ଲେଖ କରିଥିବା କଥା ରାଜୁ କହିଥିଲେ।

ଭିଆରଏମ ରାଜୁ ଯାହା କହିଥିଲେ ସେନେଇ ଦ ହିନ୍ଦୁରେ ପ୍ରକାଶ ପାଇଥିଲା। ତାଙ୍କ କଥା ଅନୁସାରେ ଓଡ଼ିଶା ତରଫରୁ ସୁପ୍ରିମ କୋର୍ଟରେ ହୋଇଥିବା ଦାବି ହେଲା ବୋରା କେଭ୍‌କୁ ଜୟପୁର ରାଜା ୧୯୨୦ ଦଶନ୍ଧିରେ ନିଲାମ ମାଧ୍ୟମରେ କିଣିଥିଲେ। ତେଣୁ ତାହା ଜୟପୁର ରାଜ୍ୟ ଅଧୀନରେ ଥିଲା। ୧୯୩୬ ମସିହାରେ ଗଠିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ଜୟପୁର ରାଜ୍ୟର ମିଶ୍ରଣ ହୋଇଥିବାରୁ ବୋରା କେଭ୍‌ ମଧ୍ୟ ଓଡ଼ିଶାର ମାଲିକାନାକୁ ଆସିଯିବା ସ୍ୱାଭାବିକ। ମାତ୍ର ସୁପ୍ରିମ  କୋର୍ଟ ଓଡ଼ିଶାର ଏହି ଦାବିକୁ ଖରାଜ କରିଦେଇଥିଲେ। ସେହି ରାୟରେ ପ୍ରଧାନ ବିଚାରପତି ପତି କେଜି ବାଲକୃଷ୍ଣନ ୨୮ କୋଟିଆ ଗ୍ରାମପୁଞ୍ଜି ବିବାଦର ସମାଧାନ କ୍ଷମତା କୋର୍ଟଙ୍କର ନାହିଁ ବୋଲି ସ୍ୱୀକାର କରି ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ରାୟ ଦେଇଥିଲେ। କେନ୍ଦ୍ର ସରକାର ଏହି ବିବାଦ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଯାଏଁ କୋଟିଆ ଗ୍ରାମପୁଞ୍ଜ ଉପରେ ସୁପ୍ରିମ କୋର୍ଟ ସ୍ଥିତାବସ୍ଥା ଜାରି କରିଥିବା କଥା ରାଜୁ କହିଥିଲେ।

ଦ ହିନ୍ଦୁରେ ଏହି ବିଷୟ ପ୍ରକାଶ ପାଇବା ପରେ ଏହି ସାମ୍ବାଦିକ ସେ ସଂପର୍କରେ ଏକ ସନ୍ଦର୍ଭ ଲେଖିଥିଲେ। କିନ୍ତୁ ଓଡ଼ିଶା ସରକାର ସେତେବେଳେ ତାହା ଉପରେ ଦୃଷ୍ଟି ନିକ୍ଷେପ କଲେ ନାହିଁ କି ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କଲେ ନାହିଁ। ଇତିମଧ୍ୟରେ ଆଉ ୧୦ ବର୍ଷ ବିତିଗଲା। ଓଡ଼ିଶା ସରକାର କେବଳ ନୀରବ ରହିନାହାନ୍ତି, ନିଷ୍କ୍ରିୟ ମଧ୍ୟ ଅଛନ୍ତି, ଠିକ ମହାନଦୀ ବିବାଦ ପରି।

କୋଟିଆ ବିବାଦ ସଂପର୍କରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରକାଶ ପାଉଥିବା ଇଂରାଜୀ ପତ୍ରିକା ଓଡ଼ିଶା ରିଭ୍ୟୁର ୨୦୧୩ ଏପ୍ରିଲ ସଂସ୍କରଣରେ ଏକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଥିଲା। ତାହାକୁ ଲେଖିଥିଲେ ଉତ୍କଳ ସମ୍ମିଳନୀର ଜଣେ ଆଗଧାଡ଼ିର କର୍ମକର୍ତ୍ତା ଦିଲ୍ଲୀପ ଦାଶଶର୍ମା। ସେହି ସନ୍ଦର୍ଭ ପାଠକଲେ ଯେକେହି ବୁଝିପାରିବେ ଯେ ଓଡ଼ିଶା ସରକାରଙ୍କ ଅବହେଳା ଓ ଅପାରଗତା କାରଣରୁ ହିଁ କୋଟିଆ ଉପରେ ଆନ୍ଧ୍ରର କବ୍ଜା କ୍ରମଶଃ ଦୃଢ଼ ହୋଇଚାଲିଛି। ସେହି ସନ୍ଦର୍ଭ ଅନୁସାରେ ୧୯୩୬ ଏପ୍ରିଲ ପହିଲା ପୂର୍ବରୁ କୋଟିଆ ଗ୍ରାମପୁଞ୍ଜ ଜୟପୁର ଇଷ୍ଟେଟ୍‌ରେ ଥିଲା। ୧୯୩୬ର ଓଡ଼ିଶା ପ୍ରଦେଶ ଗଠନ ଆଦେଶ ଅନୁସାରେ ଜୟପୁର ଇଷ୍ଟେଟ୍‌ ଅନ୍ତର୍ଗତ ବିଶାଖାପାଟଣା ଜିଲ୍ଲାର କେତେକ ଅଞ୍ଚଳ ସମେତ ପଟ୍ଟାଙ୍ଗି ତାଲୁକ ମଧ୍ୟ ଓଡ଼ିଶାରେ ମିଶିଥିଲା। କୋଟିଆ ଅଞ୍ଚଳର ୨୮ ଗାଁ ପଟ୍ଟାଙ୍ଗି ତାଲୁକ ମଧ୍ୟରେ ଆସୁଥିଲା।

୧୯୪୨ ମସିହାରେ ଓଡ଼ିଶା, ବିହାର ଓ ମଧ୍ୟ ପ୍ରଦେଶ ରାଜ୍ୟଗୁଡ଼ିକ ତରଫରୁ ସୀମାନ୍ତବର୍ତ୍ତୀ ଇଲାକାର ସର୍ବେକ୍ଷଣ କରାଯାଇଥିଲା। ସେହି ସର୍ବେକ୍ଷେଣରେ କୋଟିଆ ଗ୍ରାମପୁଞ୍ଜର ୭ଟି ଗାଁ ସାମିଲ ଥିଲା। ସର୍ଭେ ଦାୟିତ୍ୱରେ ଥିବା ଅଧିକାରୀମାନେ ଜାଣିଶୁଣି ହେଉ ବା ଭୁଲବଶତଃ ବାକି ୨୧ଟି କୋଟିଆ ଗାଁରେ ସର୍ଭେ କରି ନଥିଲେ। ସର୍ଭେ ହୋଇଥିବା କୋଟିଆ ଗ୍ରାମ ପଞ୍ଚାୟତର ୭ ଗାଁ ହେଲା ତୁରିଆ, ବଡ଼ବନ୍ଧ, ତଳକାନ୍ତି, ଗୁମେଲପଦର, ମାଥାଲମ୍ବା, ସୁଲିଆମାରି ଏବଂ କାତ୍ରାଗୁଡ଼ା। ଏବେ ଏହି ଗାଁଗୁଡ଼ିକ ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଛି। ସେଠାରୁ ଓଡ଼ିଶା ସରକାର ରାଜସ୍ୱ ଆଦାୟ କରିବା ସହିତ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୧୯୫୬ ମସିହାରେ ଭାରତର ଅନ୍ୟତମ ପ୍ରଦେଶର ମାନ୍ୟତା ପାଇଲା ଆନ୍ଧ୍ର ପ୍ରଦେଶ। ଆନ୍ଧ୍ର ସରକାର ମଧ୍ୟ ସର୍ଭେ ହୋଇନଥିବା ଅନ୍ୟ ୨୧ କୋଟିଆ ଗାଁରେ ସର୍ଭେ କଲେ ନାହିଁ। ତେଣୁ ୧୯୩୬ ମସିହାର ଓଡ଼ିଶା ପ୍ରଦେଶ ଗଠନ ଆଦେଶ ଅନୁସାରେ ଏହି ୨୧ ଗାଁ ମଧ୍ୟ ଆଇନ ଅନୁସାରେ ଓଡ଼ିଶା ଅଧୀନରେ ରହିବା କଥା।

ଏହି ବିବାଦୀୟ ଗାଁଗୁଡ଼ିକରେ ଓଡ଼ିଶା ସରକାର ୧୯୬୩-୬୪ରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ୧୯୬୭-୬୮ ମସିହାରେ ସ୍ୱାସ୍ଥ୍ୟ କେନ୍ଦ୍ର, ୧୯୬୮ରେ ପୁଲିସ ଫାଣ୍ଡି ଓ ପର୍ଯ୍ୟାୟକ୍ରମେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମ୍ୟ କୃଷି କେନ୍ଦ୍ର, ଶାଖା ଡାକଘର, ବୋର୍ଡିଂ ସ୍କୁଲ, ଗ୍ରାମ ପଞ୍ଚାୟତ ଷ୍ଟକୟାର୍ଡ଼, ପ୍ରାଣୀଧନ କେନ୍ଦ୍ର, ଅଙ୍ଗନବାଡ଼ି ଆଦି ପ୍ରତିଷ୍ଠା କରିଥିଲେ। ଓଡ଼ିଶା ସରକାରଙ୍କ ଉଦ୍ୟମରେ ଏହିସବୁ ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସଂପୃକ୍ତ ଅଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ଜବକାର୍ଡ଼ ବା କର୍ମପତ୍ର ଓ ବିପିଏଲ କାର୍ଡ଼ ମିଳିଛି। ତେବେ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଏହି ଅଞ୍ଚଳକୁ ମଧ୍ୟ ଅଣଦେଖା କରାଯାଇଛି। ଏଠାରେ ବହୁଦିନ ଧରି ତହସିଲଦାର ପଦ ଫାଙ୍କା ପଡ଼ିଥିଲା। ୨୦୦୪ ମସିହାରେ ଓଡ଼ିଶା ସରକାର କୋଟିଆର ପୁଲିସ ଫାଣ୍ଡିକୁ ପଟ୍ଟାଙ୍ଗି ସ୍ଥାନାନ୍ତର କରିଥିଲେ। ସେହ ଅଞ୍ଚଳର ମୋଟ ୩୬ ଗାଁରୁ ମାତ୍ର ୭ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ଏକ ସମୟରେ ସେଠାରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୪ ଜଣ ଶିକ୍ଷକ ଥିଲେ।

ଓଡ଼ିଶା ରିଭ୍ୟୁର ଏହି ସନ୍ଦର୍ଭ ଅନୁସାରେ ସେତେବେଳେ ଆନ୍ଧ୍ର ସରକାର ସେହି ଅଞ୍ଚଳରେ ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଘର ପିଛା ୮୦ ହଜାର ଟଙ୍କା ଦେଉଥିବାବେଳେ ଓଡ଼ିଶା ସରକାର ୪୫ ହଜାର ଟଙ୍କା ଦେଉଥିଲେ। ଏବେ ମଧ୍ୟ ଆନ୍ଧ୍ର ସରକାର ସାମାଜିକ ଭତ୍ତା ବାବଦରେ ମାସିକ ୨୨୫୦ ଟଙ୍କା ଦେଉଥିବାବେଳେ ଓଡ଼ିଶା ସରକାର ୫୦୦ ଟଙ୍କା ମାତ୍ର ଦେଉଛନ୍ତି। ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆ ଅଞ୍ଚଳରେ ବ୍ୟାପକ ଜନକଲ୍ୟାଣ ତଥା ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଯାହା ସଂପୃକ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଓଡ଼ିଶା ସରକାରଙ୍କ ତୁଳନାରେ ଆନ୍ଧ୍ର ସରକାରଙ୍କୁ ଅଧିକ ଲୋକପ୍ରିୟ କରିପାରିଛି।

୧୯୬୨-୬୩ ମସିହାରେ ଜଣାପଡ଼ିଥିଲା ଯେ କୋଟିଆ ଅଞ୍ଚଳରେ ରହିଥିବା ପାହାଡ଼ପର୍ବତ ଓ ଜଙ୍ଗଲାଞ୍ଚଳରେ ବହୁ ପରିମାଣର ସୁନା, ପ୍ଲାଟିନମ୍‌, ମାଙ୍ଗାନିଜ୍‌, ବକ୍ସାଇଟ୍‌, ଗ୍ରାଫାଇଟ୍‌ ଓ ଚୂନ ଖଣି ରହିଛି। ଏହା ପରଠାରୁ ଏହି ଅଞ୍ଚଳ ଅକ୍ତିଆର କରିବା ପାଇଁ ଆନ୍ଧ୍ର ସରକାରଙ୍କ ତରଫରୁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଓଡ଼ିଶା ସରକାର ଏସବୁ ଜାଣି ମଧ୍ୟ ଏହି ଅଞ୍ଚଳର ଲୋକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ସେଭଳି କୌଣସି ଆକର୍ଷଣୀୟ ପଦକ୍ଷେପ ଗ୍ରହଣ କରିନାହାନ୍ତି। ବିବାଦ ବଢ଼ିବାରୁ ଓଡ଼ିଶାର ସରକାର ୧୯୬୮ ମସିହା ଡିସେମ୍ବର ପହିଲାରେ ଏନେଇ ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର କରିଥିଲେ।

୧୯୮୮ ମସିହାରେ ସୁପ୍ରିମ କୋର୍ଟ ଏହି ମାମଲାରେ ଏକ ଅସ୍ଥାୟୀ ସ୍ଥଗିତାଦେଶ ଜାରି କରିଥିଲେ। ପରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ବିବାଦର ସମାଧାନ ଦିଗରେ ପ୍ରମାଣପତ୍ର ସଂଗ୍ରହ ଓ ପଇଠ କରିବାକୁ କୋରାପୁଟ ଜିଲ୍ଲା ଜଜ୍‌ଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ସେହି ଅନୁସାରେ ଜିଲ୍ଲା ଜଜ୍‌ ମୁକୁନ୍ଦ ମିଶ୍ର ଉଭୟ ପକ୍ଷର ପ୍ରମାଣ ଦାଖଲ କରିଥିଲେ। କିନ୍ତୁ ୨୦୦୬ ମାର୍ଚ୍ଚ ୩୦ ତାରିଖରେ ସୁପ୍ରିମ କୋର୍ଟ ମନ୍ତବ୍ୟ ଦେଲେ ଯେ ଭାରତୀୟ ସମ୍ବିଧାନର ୧୩୧ ଧାରା ଅନୁଯାୟୀ ରାଜ୍ୟ ସୀମା ବିବାଦ ଉପରେ ବିଚାର କରିବାର କ୍ଷମତା ସୁପ୍ରିମ କୋର୍ଟଙ୍କର ନାହିଁ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ସଂସଦରେ ଗ୍ରହଣ କରାଯାଇ ପାରିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଯାଏଁ ସୁପ୍ରିମ କୋର୍ଟ ଏହି ଅଞ୍ଚଳ ଉପରେ ନିଷେଧାଜ୍ଞା ଜାରି କରିଥିଲେ। ଏହା ସତ୍ତ୍ୱେ ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜରେ ରାସ୍ତାଘାଟ, ସ୍କୁଲ ଓ ଅଙ୍ଗନବାଡ଼ି ଆଦି ନିର୍ମାଣ ଜାରି ରଖିଛନ୍ତି।

ଆଇନତଃ ଓଡ଼ିଶାର ଇଲାକାରେ ଆନ୍ଧ୍ର ସରକାର ଏପରି ଜୋରଜବରଦସ୍ତି ଚଳାଇଥିଲେ ବି ଓଡ଼ିଶା ସରକାରଙ୍କ ତୃଣମୂଳ ସ୍ତରୀୟ ନେତା ଓ ବାବୁମାନେ ଏହା ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି। ସେହିପରି ସୁପ୍ରିମ କୋର୍ଟଙ୍କ ରାୟ ପରେ ମଧ୍ୟ ଓଡ଼ିଶାର ରାଜନୀତିକ ଦଳଗୁଡ଼ିକ ମିଳିମିଶି ଏ ପ୍ରସଙ୍ଗ ଲୋକସଭା ଓ ରାଜ୍ୟସଭାରେ ଉଠାଇନାହାନ୍ତି। ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୨୦୦୦ ମସିହାରୁ ଦାୟିତ୍ୱରେ ଅଛନ୍ତି ଓ ତାଙ୍କର କେନ୍ଦ୍ରୀୟ ନେତାମାନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ରହିଛି। ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ଚୂଡ଼ାନ୍ତ ନେତୃତ୍ୱ ସହିତ ତାଙ୍କର ନିବିଡ଼ ସଂପର୍କ ଥିବା କାହାକୁ ଅଛପା ନୁହେଁ। ସେହିପରି ପଶ୍ଚିମ ବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ର ନେତାମାନଙ୍କ ସହିତ ମଧ୍ୟ ତାଙ୍କର ଉତ୍ତମ ରାଜନୀତିକ ସଂପର୍କ ଅବ୍ୟାହତ ରହିଛି। ତଥାପି ସେ ନିଜେ କେବେ ଏ ବିଷୟ ଉତ୍ଥାପନ କରିନାହାନ୍ତି କି କେନ୍ଦ୍ରଠାରୁ କୋଟିଆ ବିବାଦର ସମାଧାନ ଲୋଡ଼ି ନାହାନ୍ତି।

୨୦୦୦-୨୦୦୯ ମଧ୍ୟରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ଥିଲା। ସେହି ମେଣ୍ଟ ୨୦୦୪ ଯାଏଁ କେନ୍ଦ୍ରରେ ଓ ୨୦୦୯ ଯାଏଁ ରାଜ୍ୟରେ କ୍ଷମତାରେ ଥିଲା। ସେହିପରି ୨୦୦୪-୧୪ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଥିବା ଉପା ସରକାର ଏବଂ ୨୦୧୪ ପରଠାରୁ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରକୁ ମଧ୍ୟ ବିଜୁ ଜନତା ଦଳ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଯୋଗାଇ ଚାଲିଛି। କେନ୍ଦ୍ରର ବହୁ ବିଲ୍‌କୁ ବିଜେଡି ସାଂସଦମାନେ ସମର୍ଥନ କରି ଆସୁଛନ୍ତି। ଏଭଳି ସ୍ଥିତିରେ କୋଟିଆ ଓ ରାଜ୍ୟର ଅନ୍ୟ ସୀମା ବିବାଦର ସମାଧାନ ପାଇଁ ବିଜେଡି, କଂଗ୍ରେସ କି ଭାଜପା ନେତାମାନେ କେବେ ବି ମିଳିତ ଭାବେ ଦାବି ଉପସ୍ଥାପନ କରିନାହାନ୍ତି।

ଏହି ଦୁର୍ଦ୍ଦଶାକୁ ଓଡ଼ିଆ ରୁଢ଼ି ଆକାରରେ ପ୍ରକାଶ କଲେ କହିବାକୁ ହେବ ଯେ ବିଲେଇ ଅଣପୁରୁଷା ଦେଖି ମୂଷା କରମ କରୁଛି ବସି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।