Advertisment

ରାଜନୀତିରେ ବଢ଼ିଲା ଉଚ୍ଚତା, ହେଲେ ବଦଳିଲାନି ନନାଙ୍କ ଘରର ନକ୍ସା

ନୀଳଗିରି (ଓଡ଼ିଶା ରିପୋର୍ଟର): ଦୁଇ ଦୁଇ ଥର ବିଧାୟକ, ଥରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏବେ ବାଲେଶ୍ୱର ସାଂସଦ ଅଛନ୍ତି ପ୍ରତାପ ଷଡଙ୍ଗୀ। ହେଲେ ବଦଳିଲାନି ତାଙ୍କ ଜୀବନ ଶୈଳୀ ଓ ଘରର ନକ୍ସା। ପକ୍କା ହୋଇପାରିଲାନି ମାଟି ଘର। ଏବେବି ରହୁଛନ୍ତି ସେହି ଭଙ୍ଗା ଚାଳ ଛପର ନୂଆଁଣିଆ ଘରେ। ସେହିଠାରେ ଶୋଉଛନ୍ତି ଓ ନିଜ କର୍ମୀଙ୍କୁ ଭେଟୁଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀଙ୍କର ସେହି ଚାଳ ଛପର ଘର!! ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଜନୀତିରେ ବଢ଼ିଲା ଉଚ୍ଚତା, ହେଲେ ବଦଳିଲାନି ନନାଙ୍କ ଘରର ନକ୍ସା

Pratap Sarangi

ନୀଳଗିରି (ଓଡ଼ିଶା ରିପୋର୍ଟର): ଦୁଇ ଦୁଇ ଥର ବିଧାୟକ, ଥରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏବେ ବାଲେଶ୍ୱର ସାଂସଦ ଅଛନ୍ତି ପ୍ରତାପ ଷଡଙ୍ଗୀ। ହେଲେ ବଦଳିଲାନି ତାଙ୍କ ଜୀବନ ଶୈଳୀ ଓ ଘରର ନକ୍ସା। ପକ୍କା ହୋଇପାରିଲାନି ମାଟି ଘର। ଏବେବି ରହୁଛନ୍ତି ସେହି ଭଙ୍ଗା ଚାଳ ଛପର ନୂଆଁଣିଆ ଘରେ। ସେହିଠାରେ ଶୋଉଛନ୍ତି ଓ ନିଜ କର୍ମୀଙ୍କୁ ଭେଟୁଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀଙ୍କର ସେହି ଚାଳ ଛପର ଘର!!

Advertisment

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗାଁ ଲୋକେ ତାଙ୍କୁ ନନା ବୋଲି ଡାକନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ସଦର ମହକୁମାଠାରୁ ୩ କିମି ଗଲେ ପଡ଼ିଥାଏ ଗୋପୀନାଥପୁର ଶାସନରେ ତାଙ୍କ ଜନ୍ମ।ସିଏ ଜଣେ ଭାରି ସାଦାସିଧା ମଣିଷଟିଏ। ରୋକଠୋକ କଥା କୁହନ୍ତି। ଅତି ସରଳ ତାଙ୍କର ଜୀବନ ଶୈଳୀ। ୪ ବଖରା ଚାଳ ଛପର ଘରେ ନବ ଭାରତର ସ୍ୱପ୍ନ ଦେଖୁଥିବା ଏହି ସାଦାସିଧା ମଣିଷଟି ୨୦୦୪ ମସିହାରେ ନୀଳଗିରି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାକୁ ଆସିଥିଲେ। ତା’ପରେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ। ଶାଣିତ ସ୍ୱରରେ ନିଜ ଅଞ୍ଚଳର ଦାବି ଉପସ୍ଥାପନ କରୁଥିଲେ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତାପ ନନା ଦୁଇ ଜଣ କୋଟିପତି ନେତାଙ୍କୁ ପରାଜିତ କରି ଦିଲ୍ଲୀ ଦରବାରରେ ପହଞ୍ଚି ଥିଲେ। ସେହି ସମୟରେ ନନା ସୋଶାଲ ମିଡ଼ିଆର ସେନ୍‌ସେସନ୍‌ ପାଲଟି ଯାଇଥିଲେ। ନନାଙ୍କ ସାଧାରଣ ଜୀବନ ଶୈଳୀ ଓ ନିଜ ଚାଳ ଛପର ଘରଟି ବେଶ୍‌ ଚର୍ଚ୍ଚାରେ ଥିଲା। ବହୁ ଟୁଇଟାଳି ଓ ଫେସ୍‌ବୁକ୍‌ ୟୁଜର୍ସ ନନାଙ୍କ ଫଟୋ ସହ ତାଙ୍କ ଚାଳ ଛପର ଘରକୁ ସେୟାର କରି କିଏ ସାଧୁସନ୍ଥ ବୋଲି ଲେଖୁଥିଲା ତ ଆଉ କିଏ ତାଙ୍କୁ ଓଡ଼ିଶାର ମୋଦିଙ୍କ ସହ ତୁଳନା କରୁଥିଲେ। ଏହା ପରେ ନନାଙ୍କର ରାଜନୀତିର ଉଚ୍ଚତା ବଢ଼ିଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ମଧ୍ୟ ହୋଇଥିଲେ। ଆଉ ବନି ଯାଇଥିଲେ କେନ୍ଦ୍ରମନ୍ତ୍ରୀ।

Advertisment

ପ୍ରତାପ ନନା ମନ୍ତ୍ରୀ ହେବା ପରେ ଓଡ଼ିଶା ରିପୋର୍ଟର ନୀଳଗିରି ପ୍ରତିନିଧି ବିଶ୍ୱମ୍ଭର ଦାସ ତାଙ୍କୁ ପଚାରିଥିଲେ, ନନା ମନ୍ତ୍ରୀ ହେଲେ ପକ୍କା ଘର କେବେ ହେବ? ନନା ହସିକି କହିଥିଲେ- ଘର କରିବା ପାଇଁ ଚେଷ୍ଟା କରୁଛି। ଆଶା କରୁଛି ୨୦୨୦ରେ ଘର ଖଣ୍ଡିଏ କରିଦେବି। କଣ କରିବି ସବୁ ଖର୍ଚ୍ଚ ହୋଇଯାଉଛି। ପଇସା ସଞ୍ଚୟ କରିପାରୁ ନାହିଁ ବୋଲି ନନା କହିଥିଲେ। ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲାଣି। ପ୍ରତାପ ନନା ଆଉ କେନ୍ଦ୍ରମନ୍ତ୍ରୀ ନାହାନ୍ତି। କିନ୍ତୁ ଘରର ନକ୍‌ସା ବଦଳି ପାରିଲା ନାହିଁ। ଘରଟି ଯେମିତି ଥିଲା, ତା’ଠାରୁ ଆହୁରି ଖରାପ ହେବାରେ ଲାଗିଛି। ଘର କାନ୍ଥ ଭାଙ୍ଗି ଆଁ କରିଥିବା ବେଳେ ଛଣ ନଷ୍ଟ ହୋଇଗଲାଣି। ତଥାପି ନନା ସେହି ଘରକୁ ଛାଡ଼ି ପାରିନାହାନ୍ତି। ସେହି ଘରେ ରହୁଛନ୍ତି ଓ କର୍ମୀଙ୍କୁ ଭେଟୁଛନ୍ତି। କାମ ପଡ଼ିଲେ ବାଲେଶ୍ୱର ଯାଉଛନ୍ତି ଆଉ ସଞ୍ଜ ହେଲେ ଗାଁକୁ ଫେରିଆସି ସେହି ଚାଳ ଛପର ନୂଆଁଣିଆ ଚାଳ ଘରେ ରହୁଛନ୍ତି ନନା।

ଅଧିକ ପଢ଼ନ୍ତୁ: ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ

ନନା ଅବିବାହିତ ଥିବାରୁ ସେହି ଘରେ ଏବେ ତାଙ୍କର ଭଉଣୀ ଓ ଭିଣୋଇ ରହୁଛନ୍ତି। ତାଙ୍କ ଭଉଣୀ ବିଳାସିନୀ କୁହନ୍ତି, ଘର ଛପର କରିବା ପାଇଁ କୁଟା(ନଡ଼ା) ନାହିଁ। ଛପର କେମିତି ହେବ ବୋଲି ନନାଙ୍କୁ କହିଥିଲେ? ନନା ଜବାବ ଦେଇଥିଲେ ହଉ ଦେଖିବା କଣ ଗୋଟିଏ କରିବା।