ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନରେ ଯେତେ ଜଟିଳତା ଥାଉ ନା କାହିଁକି, ଜ୍ଞାନ ଦ୍ୱାରା ସମସ୍ତ ଜଟିଳତା ଦୂର କରି ସଠିକ୍ ରାସ୍ତା ଖୋଜିବା ସମ୍ଭବପର। ଆଉ ଏହାକୁ ହିଁ ସଦଜ୍ଞାନ କୁହାଯାଏ। ଜ୍ଞାନର ବାହକ ବୁଦ୍ଧି ଅଟେ। ଆମେ ସମସ୍ତେ ବୁଦ୍ଧି ଦ୍ୱାରା ପରିଚାଳିତ। ବୁଦ୍ଧି ଦ୍ୱାରା ହିଁ ଜଗତର ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ସେଥିପାଇଁ କୁହାଯାଏ, "ବୁଝି, ବିଚାରି କାମ କଲେ, ପ୍ରମାଦ ନ ପଡ଼ଇ ଭଲେ।" ଅର୍ଥାତ୍ ବୁଦ୍ଧି ପ୍ରୟୋଗ କରି କୌଣସି କର୍ମ କରିବାକୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।
ହୁଏତ ଏହି କାରଣରୁ ଇଶ୍ୱର ମନୁଷ୍ୟର ମସ୍ତିଷ୍କକୁ ଶରୀର ସବୁଠାରୁ ଶୀର୍ଷ ଭାଗରେ ସ୍ଥାନ ଦେଇଛନ୍ତି। ଆଉ ଏହା ମଧ୍ୟ କୁହାଯାଇପାରେ ଯେ, ସମ୍ଭବତଃ ଏହି କାରଣରୁ ବୁଦ୍ଧିର ଦେବତା ଶ୍ରୀଗଣେଶଙ୍କୁ ମଧ୍ୟ ଅଗ୍ରପୂଜ୍ୟ ଭାବେ ପ୍ରାଧାନ୍ୟ ଦିଆଯାଇଛି। ହିନ୍ଦୁ ପରମ୍ପରାରେ ଶିବ ପୂତ୍ର ଗଜାନନଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି। ଏଥିରୁ ବୁଝିବାକୁ ହେବ ଯେ, ଆଧ୍ୟାତ୍ମିକ ଜୀବନଧାରା ଲାଗି ବୁଦ୍ଧିର ମହତ୍ୱ କେତେ ମାତ୍ରାରେ ରହିଛି।
ବୁଦ୍ଧିର ମହତ୍ୱ ଏବଂ ଏହାର ସଠିକ୍ ବିନିଯୋଗ କିଭଳି କରାଯିବ ଶ୍ରୀଗଣେଶ ଆମକୁ ସେହି ଶିକ୍ଷା ଦେଇଥାନ୍ତି। ଯଦି ଆମ ଭିତରେ ସଦବୁଦ୍ଧି ରହିଛି, ତେବେ ଆମେ ଭଲ କାମ କରିବା ଦିଗରେ ଅଗ୍ରସର ହୋଇଥାଉ। ଆଉ ଯଦି ଆମ ଭିତରେ ମନ୍ଦବୁଦ୍ଧି ରହିଥାଏ, ତେବେ ଏହା ଆମକୁ ଖରାପ କର୍ମ କରିବାକୁ ପ୍ରୋତ୍ସାହିତ କରିଥାଏ। ବୁଦ୍ଧି ହିଁ ଭଲ କାମ ଏବଂ ଖରାପ କାମ କରିବାକୁ ରାସ୍ତା ଦେଖାଏ। ଏଣୁ ଖରାପ କର୍ମ ମଧ୍ୟ ବୁଦ୍ଧି ଦ୍ୱାରା ପରିଚାଳିତ ହୋଇଥିଲେ ହେଁ ଏହାର ଖରାପ ପରିଣାମ ଆମକୁ ଭୋଗିବାକୁ ପଡ଼ିଥାଏ। ଖରାପ କର୍ମ କରୁଥିବା ଲୋକଙ୍କ ଜୀବନରେ ଶାନ୍ତି ନ ଥାଏ। ଏଣୁ ଗୁରୁଜନମାନେ ସବୁବେଳେ ପିଲାମାନଙ୍କୁ ସୁକର୍ମ, ସୁଚିନ୍ତା ଏବଂ ସଦବୁଦ୍ଧି ପାଇଁ ପରାମର୍ଶ ଏବଂ ଆଶୀର୍ବାଦ ଦେଇଥାନ୍ତି।
ଗଣେଶ ପୂଜା ପାଳନର ନିହିତ ଅର୍ଥ ହେଉଛି, ଆମେ ବୁଦ୍ଧିକୁ ସର୍ବୋପରି ମାନି କର୍ମ କରିବା। ହେଲେ ଆମ କର୍ମ ଏବଂ ବ୍ୟବହାରରେ ସଦବୁଦ୍ଧିର ଛାପ ରହିବା ଆବଶ୍ୟକ। କେବଳ ବୁଦ୍ଧିର ବ୍ୟବହାର ଯୋଗୁ ଆଜି ବିଜ୍ଞାନ ସମୃଦ୍ଧ ହୋଇଛି ଏବଂ ଟେକ୍ନୋଲୋଜୀ ଆମ ଜୀବନକୁ ସରଳ ଓ ସହଜ ବନେଇପାରିଛି। କିନ୍ତୁ ଆମକୁ ଟେକ୍ନୋଲୋଜୀର ବ୍ୟବହାର ଏଭଳି ଭାବେ କରିବା ଉଚିତ୍, ଯଦ୍ଦ୍ବାରା ଆମର ଏବଂ ଅନ୍ୟମାନଙ୍କ ଜୀବନରେ ସୁଖ ସମୃଦ୍ଧି ଆସିପାରିବ। ଅଗ୍ରପୂଜ୍ୟ ଶ୍ରୀଗଜାନନ ଆମକୁ ଶିକ୍ଷା ଦିଅନ୍ତି ଯେ, ସର୍ବଦା ଆମେ ଆମ ବୁଦ୍ଧିକୁ ସକରାତ୍ମକ ଏବଂ ସୃଜନଶୀଳ କାର୍ଯ୍ୟରେ ଲଗାଇବା ଉଚିତ।
ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ବା ଅଗ୍ରପୂଜ୍ୟ ଦେବତା କୁହାଯାଏ। ଏହାର ଭାବାର୍ଥ ହେଲେ, କୌଣସି ବ୍ୟକ୍ତି ଯଦି ନିଜ କର୍ମକୁ ସଫଳ କରିବାକୁ ଚାହେଁ, ତାକୁ ସର୍ବପ୍ରଥମେ ନିଜ ବୁଦ୍ଧି ପରୀକ୍ଷା କରିବାକୁ ହେବ। ନିଜ ବୁଦ୍ଧି ଉପରେ ବିଶ୍ୱାସ ରଖିବାକୁ ହେବ। ଆଉ ବୁଦ୍ଧି ଖଟାଇ ହିଁ ସଫଳତା ପ୍ରାପ୍ତ କରିବାକୁ ହେବ। ଶ୍ରୀଗଣେଶ ହେଉଛନ୍ତି ମଙ୍ଗଳକର୍ତ୍ତା ଏବଂ ବିଘ୍ନବିନାଶକ। ଅର୍ଥାତ୍ ବୁଦ୍ଧିର ସଦୁପୋଯୋଗ ଦ୍ବାରା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ। ଶ୍ରୀଗଣେଶଙ୍କ ପ୍ରତିମା ମଧ୍ୟ ପ୍ରେରଣାଦାୟୀ। ତାଙ୍କ ବିଶାଳ ଗଜମୁଖ ହେଉଛି ବିଶାଳ ବୁଦ୍ଧିର ପ୍ରତିଫଳନ। ପ୍ରଭୁ ଗଜାନନ ମସ୍ତକରେ ଚନ୍ଦ୍ରମା ମଧ୍ୟ ଧାରଣ କରିଥାନ୍ତି। ଚନ୍ଦ୍ରମା ଶୀତଳତାର ପ୍ରତୀକ। ଯେତେବେଳେ ମସ୍ତିଷ୍କ ଥଣ୍ଡା ରୁହେ, ସେତେବେଳେ ବୁଦ୍ଧି ଠିକ୍ ଭାବରେ କାମ କରିଥାଏ। ଥଣ୍ଡା ମୁଣ୍ଡରେ ଅର୍ଥାତ୍ ଚିତ୍ତ ସ୍ଥିର କରି କରାଯାଇଥିବା କାମଗୁଡ଼ିକର ଗୁଣବତ୍ତା ଅଧିକ ରହିଥାଏ। ଏଣୁ, ଯେତେବେଳେ ଜୀବନରେ କଠିନ ପରିସ୍ଥିତି ଆସିଥାଏ, ସେତେବେଳେ ଆମେ ଆମ ମସ୍ତିଷ୍କକୁ ଚାପ ନ ଦେଇ ଥଣ୍ଡା, ଶାନ୍ତ ରଖିବା ଆବଶ୍ୟକ। ଥଣ୍ଡା ମୁଣ୍ଡରେ ସମାଧାନ ଖୋଜିବା ସରଳ ହୋଇଥାଏ। ଏଣୁ ସ୍ଥିର ଚିତ୍ତରେ ବୁଦ୍ଧିର ସଠିକ୍ ବ୍ୟବହାର ଦ୍ୱାରା ସମସ୍ତ ବିଘ୍ନର ସମାଧାନ ସମ୍ଭବ। ଏଣୁ ଶ୍ରୀଗଣେଶଙ୍କୁ ବିଘ୍ନବିନାଶକ ମଧ୍ୟ କୁହାଯାଇଥାଏ।
ଶ୍ରୀଗଣେଶଙ୍କ କାନ ଓ ଶୁଣ୍ଢ ବିଶାଳ ହୋଇଥାଏ। ଏହା ତୁଳନାରେ ମୁହଁ କିନ୍ତୁ ଛୋଟ ହୋଇଥାଏ। ଏହା ପଛରେ ମଧ୍ୟ ଗଭୀର ଅର୍ଥ ଲୁଚି ରହିଛି। ମଣିଷକୁ ସମସ୍ତଙ୍କ କଥା ଶୁଣିବା ଉଚିତ୍। ଆମକୁ ଜଣେ ଭଲ ଶ୍ରୋତା ହେବା ଆବଶ୍ୟକ। ଏହାସହ ଶୁଙ୍ଘିକି ପରିସ୍ଥିତିର ଆକଳନ କରିନେବା ଉଚିତ୍। ହେଲେ କଥା କହିଲା ବେଳେ ଆମକୁ ଭାବି ଚିନ୍ତି, ମାପି ଚୁପି କଥା କହିବା ଆବଶ୍ୟକ। ଯିଏ ବୁଦ୍ଧିର ସମ୍ମାନ କରିଥାଏ, ନିଜ ବୁଦ୍ଧିକୁ ସଦକର୍ମରେ ଲଗାଇଥାଏ। ତାଙ୍କୁ ବୁଦ୍ଧିମାନ ଏବଂ ବୁଦ୍ଧିଜୀବୀ କୁହାଯାଏ। ଏଭଳି ବ୍ୟକ୍ତିମାନେ ନିଜ ବିଚାରଧାରା ଅନୁସାରେ ମାନବୀୟ ଚେତନାର ଅନ୍ବେଷଣ କରିଥାନ୍ତି।
ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ଆବିର୍ଭାବ ହୋଇଥିଲା। ଏଣୁ ଏହି ଦିନକୁ ଗଣ ମାନଙ୍କ ଇଶ ଶ୍ରୀଗଣେଷ ପୂଜା ଭାବେ ପାଳନ କରାଯାଇଥାଏ। ଆଜି ହେଉଛି ସେହି ପବିତ୍ର ଦିନ। ଆପଣ ସମସ୍ତ କାର୍ଯ୍ୟ ଆରମ୍ଭ ପୂର୍ବରୁ ଅଗ୍ରପୂଜ୍ୟଙ୍କୁ ଧ୍ୟାନ କରି ଆଗକୁ ବଢ଼ନ୍ତୁ, ଦେଖିବେ ସଫଳତା ନିଶ୍ଚୟ ଆପଣଙ୍କର ହେବ।