Advertisment

ମାଲବାହୀ ଟ୍ରେନ୍‌ର ଶେଷ ବଗିରେ ଓଏଏସ୍‌ ସ୍ୱପ୍ନ ସାକାର

ଯାଜପୁର(ଅଭୟ ପତି): ମାଲବାହୀ ଟ୍ରେନ୍‌ର ଛୁକ୍‌ ଛୁକ୍‌ ଶବ୍ଦ ଓ ଗୁରୁଗମ୍ଭୀର ଲମ୍ୱା ହର୍ଣ୍ଣ। ତାହାରି ଭିତରେ ଟ୍ରେନ୍‌ର ଶେଷ ବଗିରେ ବସିଥିଲେ ଗାର୍ଡ ବିଶ୍ୱଜିତ ସାହୁ। ଆଉ ବୁଡ଼ି ଯାଇଥିଲେ ଓଏଏସ୍‌ ହେବାର ନିଶାରେ। ରାତି ପରେ ରାତି ଦିନ ପରେ ଦିନ ବିତି ଚାଲିଥିଲା। ତାହାରି ଭିତରେ ବିଶ୍ୱଜିତ ଦେଖିବା ସ୍ୱପ୍ନ ସାକାର ହୋଇଛି। ନିଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗ ବଳରେ ସେ ଆଜି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ତାଲିକାର […]

ଅଦ୍ୟତନ ହୋଇଛି
ମାଲବାହୀ ଟ୍ରେନ୍‌ର ଶେଷ ବଗିରେ ଓଏଏସ୍‌ ସ୍ୱପ୍ନ ସାକାର

Biswajit-Sahoo

Advertisment

ଯାଜପୁର(ଅଭୟ ପତି): ମାଲବାହୀ ଟ୍ରେନ୍‌ର ଛୁକ୍‌ ଛୁକ୍‌ ଶବ୍ଦ ଓ ଗୁରୁଗମ୍ଭୀର ଲମ୍ୱା ହର୍ଣ୍ଣ। ତାହାରି ଭିତରେ ଟ୍ରେନ୍‌ର ଶେଷ ବଗିରେ ବସିଥିଲେ ଗାର୍ଡ ବିଶ୍ୱଜିତ ସାହୁ। ଆଉ ବୁଡ଼ି ଯାଇଥିଲେ ଓଏଏସ୍‌ ହେବାର ନିଶାରେ। ରାତି ପରେ ରାତି ଦିନ ପରେ ଦିନ ବିତି ଚାଲିଥିଲା। ତାହାରି ଭିତରେ ବିଶ୍ୱଜିତ ଦେଖିବା ସ୍ୱପ୍ନ ସାକାର ହୋଇଛି। ନିଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗ ବଳରେ ସେ ଆଜି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ତାଲିକାର ଉନବିଂଶତମ ସ୍ଥାନ ହାସଲ କରି ଯାଜପୁରପାଇଁ ଗୌରବ ଆଣିଛନ୍ତି।

Advertisment

ଦାନଗଦୀ ବ୍ଲକ ଚିତ୍ରୀ ଗାଁର ରବୀନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁଅ ବିଶ୍ୱଜିତ ସାହୁ। ପରିବାର କହିଲେ ପତ୍ନୀ, ପୁଅ ଓ ଦୁଇ ଝିଅ। ଗାଡ଼ି ଚଳାଇ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ରବୀନ୍ଦ୍ରଙ୍କ ପରିବାର। ପିଲା ବେଳୁ କିନ୍ତୁ ବିଶ୍ୱଜିତ ମେଧାବୀ ଥିଲେ। ପ୍ରଥମିକ ଶିକ୍ଷା ଶେଷ ହେବା ପରେ ସେ ଗାଁ ପାଖ ଟୋଲକାନୀ ହାଇସ୍କୁଲରେ ମାଟ୍ରିକ ପଢ଼ୁଥିଲେ। ୨୦୦୭ ମସିହାରେ ସେ ମାଟ୍ରିକ୍‌ ପାସ କରିଥିଲେ। ମାଟ୍ରିକ୍‌ ପାସ କରିବା ପରେ ସେ କଟକରେ ଏକ ପ୍ରାଇଭେଟ୍‌ କଲେଜରେ ବିଜ୍ଞାନରେ ନାମ ଲେଖାଇଥିଲେ।

ଯୁକ୍ତ ଦୁଇ ପାସ୍‌ କରିବା ପରେ ସେ କଳାହାଣ୍ଡି ସ୍ଥିତ ସରକାରୀ ବୈଷୟିକ ମହାବିଦ୍ୟାଳୟରେ ମେକାନିକାଲ୍‌ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଗେଟ୍‌ ପରୀକ୍ଷାରେ ସଫଳତା ପାଇଥିଲେ। ମାତ୍ର ଅର୍ଥ ଅଭାବରୁ ସ୍ନାତକୋତ୍ତର ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ବାପା ଗାଡ଼ି ଚଳାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପରିବାର। ତେଣୁ ବିଶ୍ୱଜିତଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ କରିପାରିନଥିଲା। ଯେଉଁଥିପାଇଁ ବିଶ୍ୱଜିତ କିଛି ମାସ ଧରି ଘରୋଇ ବୈଷୟିକ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।

Advertisment

ତେବେ ୨୦୧୮ ସେପ୍ଟେମ୍ବର ୩୦ ତାରିଖରେ ଚଢ଼େଇଧରାଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଶ୍ୱଜିତଙ୍କ ବାପା ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାରର ସବୁ ବୋଝ ବିଶ୍ୱଜିତଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ମସ୍ତିଷ୍କ ମ୍ୟାଲେରିଆରେ ଜଣେ ସାନ ଭଉଣୀର ମୃତ୍ୟୁ ଓ ପରେ ବାପାଙ୍କ ମୃତ୍ୟୁ ତାଙ୍କୁ ମାନସିକ ଆଘାତ ଦେଇଥିଲା। ଘରେ ବିଧବା ମାଆ ଓ ଅନ୍ୟଜଣେ ସାନ ଭଉଣୀର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ପାଠ ପଢ଼ୁଥିବା ବେଳେ ହଠାତ୍‌ ପରିବାରର ବୋଝ ମୁଣ୍ଡାଇବା ତାଙ୍କ ପାଇଁ କଷ୍ଟକର ହେଉଥିଲା। ଏପରି ସ୍ଥିତି କଣ କରିବେ ବିଶ୍ୱଜିତ? କିନ୍ତୁ ସମୟ ଆଗରେ ହାର ମାନିନଥିଲେ। ଚଟ୍ଟାଣ ପରି ସମୟ ଓ ପରିସ୍ଥିତିକୁ ସାମ୍ନା କରିଥିଲେ।

ପରିବାର ଚଳାଇବା ପାଇଁ ରୋଜଗାରର ପନ୍ଥା ଖୋଜିଥିଲେ। ଆଇଏଏସ୍‌ ହେବାର ଲକ୍ଷ୍ୟ ରଖିଥିବା ବିଶ୍ୱଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ପାଇଁ ଇଣ୍ଟରଭ୍ୟୁ ଦେଲେ। ଆଉ ସଫଳ ମଧ୍ୟ ହେଲେ। ୨୦୧୮ ନଭେମ୍ବରରେ ପାରାଦୀପ ଗୁଡ୍‌ସ ଟ୍ରେନ୍‌ର ଗାର୍ଡ଼ ଭାବେ ଚାକିରି ପାଇଥିଲେ। ଗତ ୩ ବର୍ଷ ଧରି ସେ ଏବେ ପୂର୍ବତଟ ରେଳବାଇର ଗୁଡ୍‌ସ ଟ୍ରେନ୍‌ର ଗାର୍ଡ ଭାବେ କାମ କରୁଛନ୍ତି। ଆଉ ନିଜ କର୍ତ୍ତବ୍ୟକୁ ସଠିକ୍‌ ଭାବେ ସମ୍ପାଦନ କରୁଛନ୍ତି। ଚାକିରି ଭିତରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଆଶା କିନ୍ତୁ ଛାଡ଼ି ନାହାନ୍ତି ବିଶ୍ୱଜିତ। ଚାକିରି ଭିତରେ ସମୟ ମିଳିଲେ ବହି ଧରି ବସି ଯାଉଥିଲେ। ଆଉ ମନ ଦେଇ ପାଠ ପଢ଼ିବାରେ ଲାଗି ଯାଉଥିଲେ। ଯାହା ତାଙ୍କୁ ସଫଳତା ଦେଇଛି। ଆଉ ଓଏଏସ୍‌ ଅଫିସର ବନିଛନ୍ତି।

OR Special Inspiration Story OAS Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe