କୋଲକାତା: ଆସନ୍ତା ୨୭ ତାରିଖରୁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ୧୭ଶ ବିଧାନସଭା ପାଇଁ ଲୋକମାନେ ଚଳିତ ବର୍ଷ ୮ଟି ପର୍ଯ୍ୟାୟରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୧୫ଶ ଓ ୧୬ଶ ବିଧାନସଭାରେ ଟିଏମସି କ୍ଷମତା ଦଖଲ କରିବା ସହ ମମତା ବାନାର୍ଜୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।
ତେବେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ୧୯୫୨ ମସିହାରେ ପ୍ରଥମେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପୂର୍ବରୁ ଏଠାରେ ପ୍ରାଦେଶ ବିଧାନସଭା ଚାଲିଥିଲା। ୧୯୪୬ରୁ ୧୯୫୦ ଯାଏ ପଶ୍ଚିମବଙ୍ଗରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରାଦେଶିକ ବିଧାନସଭାର ନେତୃତ୍ୱ ନେଉଥିବା ରାଜନେତାଙ୍କୁ ୧୯୫୦ ଯାଏ ମୁଖ୍ୟମନ୍ତ୍ରୀ ବଦଳରେ ପ୍ରଧାନମନ୍ତ୍ରୀ କୁହାଯାଉଥିଲା।
ଏହିକ୍ରମରେ ଜାତୀୟ କଂଗ୍ରେସର ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ପଶ୍ଚିମବଙ୍ଗର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଏହି ପଦରେ ୧୬୦ ଦିନ କାର୍ଯ୍ୟ କରିଥିଲେ। ୧୫ ଅଗଷ୍ଟ ୧୯୪୭ରୁ ୨୨ ଜାନୁଆରୀ ୧୯୪୮ ଅର୍ଥାତ ୧୬୦ ଦିନ ସେ ଏହି ପଦରେ ରହିଥିଲେ। ଏହାପରେ ୨୩ ଜାନୁଆରୀ ୧୯୪୮ରୁ ୨୫ ଜାନୁଆରୀ ୧୯୫୦ ଯାଏ ବିଧାନ ଚନ୍ଦ୍ର ରୟ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ହୋଇଥିଲେ।
୧୯୫୨ ମସିହାରେ ପ୍ରଥମଥର ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସ ଏକାକୀ ବାଜିମାତ କରିଥିଲା। ଦଳ ୨୩୮ ଆସନ ବିଶିଷ୍ଟ ବିଧାନସଭାରୁ ୧୫୦ଟିରେ ବାଜିମାତ କରିଥିଲା। କିଷାନ ମଜଦୂର ପ୍ରଜା ପାର୍ଟି ୧୫ଟି, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୨୮ଟି, ଭାରତୀୟ ଜନସଂଘ ୯ଟି, ଫରୱାର୍ଡ ବ୍ଲକ ୧୧ଟି, ଅଖିଳ ଭାରତୀୟ ହିନ୍ଦୁ ମହାସଭା ୪ଟି, ଫରୱାର୍ଡ ବ୍ଲକ(ରୁଇକର)୨ଟି ଓ ସ୍ୱାଧୀନ ପ୍ରାର୍ଥୀ ୧୯ଟି ଆସନରେ ଜିତିଥିଲେ। କଂଗ୍ରେସ ୧୫୦ଟି ଆସନ ଜିତିଥିବାରୁ ଡ ବିଧାନ ଚନ୍ଦ୍ର ରୟ ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ।
୧୯୫୨ ମସିହା ମାର୍ଚ୍ଚ ୩୧ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ୧୯୫୭ ଏପ୍ରିଲ ୫ ଯାଏ ସେ କାର୍ଯ୍ୟ କରିଥିଲେ। ୧୮୮୨ ମସିହା ଜୁଲାଇ ୧ରେ ଜନ୍ମ ଗ୍ରହଣ କରିଥିବା ଡ ରୟ ବଞ୍ଚିଥିବା ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ତାଙ୍କର ଦେହାନ୍ତ ୧୯୬୨ ମସିହା ଜୁଲାଇ ୧ରେ ହୋଇଥିଲା।
ତାଙ୍କ ବାପା ଅବକାରୀ ବିଭାଗ ଇନସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ବିହାରର ବାଙ୍କିପୋରାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ଦୁଇ ଭାଇ ଓ ଦୁଇ ଭଉଣୀ। ଘରର ସବୁଠାରୁ ସାନ ହେଉଛନ୍ତି ବିଧାନ ଚନ୍ଦ୍ର ରୟ। ୧୯୦୧ରେ ସେ ପାଟନା ଛାଡ଼ି କ୍ୟାଲକାଟା ମେଡିକାଲ କଲେଜଜଜକୁ ପାଠ ପଢ଼ିବାକୁ ଆସିଥିଲେ। କଲେଜରେ ଥିବା ବେଳେ ବେଙ୍ଗଲ ବିଭାଜନ ହୋଇଥିଲା।
୧୯୨୫ରେ ବିଧାନ ଚନ୍ଦ୍ର ରୟ ରାଜନୀତିରେ ପ୍ରବେଶ କରିଥିଲେ। ବେଙ୍ଗଲ ବିଧାନ ପରିଷଦ ପାଇଁ ସେ ବାରାକପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ଓ ପରାସ୍ତ ହୋଇଥିଲେ। ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କୁ ସ୍ୱରାଜ ପାର୍ଟି ସମର୍ଥନ କରିଥିଲା। ୧୯୨୮ରେ ସେ ସର୍ବଭାରତୀୟ କଂଗ୍ରେସ କମିଟିକୁ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟ ଶୈଳୀ ପଣ୍ଡିତ ମୋତିଲାଲ ନେହରଙ୍କୁ ପ୍ରଭାବିତ କରିଥିଲା। ଏଥିପାଇଁ ସେ ବିଧାନ ଚନ୍ଦ୍ର ରୟଙ୍କୁ ୧୯୩୦ରେ କଂଗ୍ରେସ ୱାର୍କିଂ କମିଟିକୁ ମନୋନୀତ କରିଥିଲେ। ତେବେ ବ୍ରିଟିଶ ସରକାର ସିଡବ୍ଲ୍ୟୁସିକୁ ବେଆଇନ ଦର୍ଶାଇଥିଲା ଓ ୧୯୩୦ ଅଗଷ୍ଟ ୨୬ରେ ଶ୍ରୀ ରୟଙ୍କ ସହ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା।
ସମସ୍ତଙ୍କୁ ଅଲୀପୁର କେନ୍ଦ୍ର ଜେଲରେ ବନ୍ଦୀ କରାଯାଇଥିଲା। ୧୯୩୧ ମସିହା ଦାଣ୍ଡି ଯାତ୍ରା ସମୟରେ କ୍ୟାଲକାଟା କର୍ପୋରେସନର ଅନେକ ସଦସ୍ୟଙ୍କୁ ଜେଲ୍ ପଠା ଯାଇଥିଲା। ଏହି ସମୟରେ କଂଗ୍ରେସ ଶ୍ରୀ ରୟଙ୍କୁ ଜେଲ୍ ବାହାରେ ରହିବା ସହ କର୍ପୋରେସନ ସହ ସମସ୍ତ ସମ୍ପର୍କଚ୍ଛିନ୍ନ କରିବାକୁ କହିଥିଲା।
ସେ କର୍ପୋରେସନର Alderman ଭାବେ ୧୯୩୦-୩୧ରେ କାର୍ଯ୍ୟ କରିଥିଲେ। Alderman ଅର୍ଥ ମ୍ୟୁନିସିପାଲ କର୍ପୋରେସନର ସଦସ୍ୟ। ସେ ୧୯୩୧ରୁ ୩୩ ଯାଏ କ୍ୟାଲକାଟାର ମେୟର ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ କର୍ପୋରେସନ ମାଗଣା ଶିକ୍ଷା, ମାଗଣା ମେଡିକାଲ ସହାୟତା, ଉନ୍ନତ ଧରରଣ ରାସ୍ତା, ବିଜୁଳି ଓ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଥିଲା।
ସ୍ୱାଧୀନତା ପରେ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଭାବେ ୧୯୪୮ରେ କଂଗ୍ରେସ ଶ୍ରୀ ରୟଙ୍କ ନାଁ ସୁପାରିସ କରିଥିଲା। ସେ ପ୍ରଥମେ ଏହାକୁ ଗ୍ରହଣ କରି ନଥିଲେ। କିନ୍ତୁ ଗାନ୍ଧିଜୀଙ୍କ ଅନୁରୋଧକ୍ରମେ ୧୯୪୮ ଜାନୁଆରୀ ୨୩ରେ ସେ ପଦ ସମ୍ଭାଳିଥିଲେ। ଏହି ସମୟରେ ବେଙ୍ଗଳରେ ଖାଦ୍ୟାଭାବ, ସାଂପ୍ରଦାୟିକ ହିଂସା, ବେକାର ଓ ଶରଣାର୍ଥୀ ସମସ୍ୟା ଦେଖାଦେଇଥିଲା। ତଥାପି ସେ ସବୁ କିଛିକୁ ସଫଳତାର ସହ ମୁକାବିଲା କରି ବେଙ୍ଗଲକୁ ଆଗକୁ ନେଇଥିଲେ।
୧୯୫୨ରେ ପ୍ରଥମଥର ବିଧାନସଭା ଗଠନ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥିରେ କଂଗ୍ରେସ ବାଜିମାତ କରିଥିଲା ଓ ବିଧାନ ଚନ୍ଦ୍ର ରୟ ପ୍ରଥମ ବିଧାନସଭାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଜିତିଥିଲା। ସେହିପରି ୧୯୫୭ରୁ ୧୯୬୨ ଜୁଲାଇ ୧ ଯାଏ ଶ୍ରୀ ରୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଜୁଲାଇ ୧ରେ ତାଙ୍କର ୮୦ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ତାଙ୍କୁ ଭାରତ ସରକାର ୧୯୬୧ ମସିହା ଫେବୃଆରୀ ୪ରେ ଭାରତ ରତ୍ନରେ ସମ୍ମାନିତ କରିଥିଲେ।
୧୯୫୬ ନଭେମ୍ବର ୧ରେ ପୁର୍ଣ୍ଣିଆ ଜିଲ୍ଲାର କିଛି ଅଂଶ ଓ ମନଭୂମି ଜିଲ୍ଲାର ପୁରୁଲିଆ ସବ୍ ଜିଲ୍ଲା ବିହାରରୁ ପଶ୍ଚିମବଙ୍ଗରେ ସାମିଲ ହୋଇଥିଲା। ଫଳରେ ପଶ୍ଚିମବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୩୮ରୁ ୨୫୨କୁ ବୃଦ୍ଧି ପାଇଥିଲା। କଂଗ୍ରେସ ଏହି ନିର୍ବାଚନରେ ୧୫୨ଟି ଆସନ ଜିତି ପୁଣି ସରକାର ଗଠନ କରିଥିଲା।
ଏକାଧିକ ରାଜନୀତିକ ଦଳ ମିଳିତ ଭାବେ ୟୁନାଇଟେଡ ଲେଫ୍ଟ ଇଲେକସନ କମିଟି ଗଠନ କରିଥିଲେ। ହେଲେ ଏହି କମିଟି ୮୦ଟି ଆସନ ଜିତି ପାରିଥିଲା। ଶ୍ରୀ ରୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ଯାଏ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ।