କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜିମାତ କରିବାକୁ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଆସନ୍ତା ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ ହେବ। ତେବେ ପଶ୍ଚିମବଙ୍ଗ ନିର୍ବାଚନର ଇତିହାସ ବେଶ ରୋଚକ। ପୂର୍ବରୁ ଆମେ ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ନିର୍ବାଚନ ସମ୍ପର୍କରେ ଆପଣମାନଙ୍କୁ ଅଗତ କରାଇଥିଲୁ। ଆଜି ତୃତୀୟ ତଥା ୧୯୬୨ ବିଧାନସଭା ନିର୍ବାଚନ ବିଷୟରେ ଆସନ୍ତୁ ଜାଣିବା।
୧୯୫୨ ଓ ୧୯୫୭ ଭଳି ୧୯୬୨ରେ ଜାତୀୟ କଂଗ୍ରେସ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା। ଅର୍ଥାତ ବେଙ୍ଗଲରେ କଂଗ୍ରେସ ହ୍ୟାଟ୍ରିକ ବିଜୟ ହାସଲ କରିଥିଲା। ୧୦ ବର୍ଷ କାଳ ମୁଖ୍ୟନ୍ତ୍ରୀ ଥିବା ବିଧାନ ଚନ୍ଦ୍ର ରୟ ୧୯୬୨ ଜୁଲାଇ ୧ରେ ପ୍ରାଣ ହରାଇଥିବାରୁ କଂଗ୍ରେସ ବେଙ୍ଗଲର ଶାସନ ମଙ୍ଗ ପ୍ରଫୁଲ ଚନ୍ଦ୍ର ସେନ୍ଙ୍କୁ ଧରାଇଥିଲା।
ପୂର୍ବ ଅରମବାଗ ଆସନରୁ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ସେନ ୯ ଜୁଲାଇ ୧୯୬୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେ ୧୯୬୭ ଫେବୃଆରୀ ୨୮ ଯାଏ ଏହି ପଦରେ ରହିଥିଲେ। ୪ ବର୍ଷ ୨୩୪ ଦିନ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହି ଶ୍ରୀ ସେନ ଅନେକ ବିକାଶମୂଳକ କାର୍ଯ୍ୟ ନିଜ ହାତକୁ ନେଇଥିଲେ।
୧୯୫୭ ଭଳି ୧୯୬୨ ବିଧାନସଭା ନିର୍ବାଚନ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ମାର୍କସବାଦୀ ଫରୱାର୍ଡ ବ୍ଲକ, ରିଭ୍ୟୁଲେସନାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, ବୋଲଶେଭିକ ପାର୍ଟି ଅଫ ଇଣ୍ଡିଆ ଓ ରିଭ୍ୟୁଲେସନାରୀ ସୋସିଆଲିଷ୍ଟ ପାର୍ଟି ମଳିତ ଭାବେ ୟୁନାଇଟେଡ୍ ଲେଫ୍ଟ ଫ୍ରଣ୍ଟ ଗଠନ କରିଥିଲେ।
କଂଗ୍ରେସକୁ ପରାସ୍ତ କରିବା ପାଇଁ ଏହି ମେଣ୍ଟ ଗଠନ ହୋଇଥିଲେ ହେଁ କିଛି ବି ଲାଭ ମିଳି ନଥିଲା। କଂଗ୍ରେସ ଏକାକୀ ୨୫୨ଟି ବିଧାନସଭା ଆସନରୁ ୧୫୨ଟିରେ ବାଜିମାତ କରିଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଏକାକୀ ୫୦ଟି, ପ୍ରଜା ସୋସିଆଲିଷ୍ଟ ପାର୍ଟି ଅଫ ଇଣ୍ଡିଆ ୫ଟି, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ୧୩ଟି, ରିଭ୍ୟୁଲେସନାରୀ ସୋସିଆଲିଷ୍ଟ ପାର୍ଟି ୯ଟି, ଲୋକ ସେବକ ସଂଘ ୪ଟି, ସଂଯୁକ୍ତ ବିପ୍ଳବ ପରିଷଦ ୧ ଓ ଅଲ ଇଣ୍ଡିଆ ଗୋର୍ଖା ଲିଗ୍ ୨ଟି ଆସନରେ ଜିତିଥିଲେ।
କଂଗ୍ରେସ ପାଖକୁ ରାଜ୍ୟରେ ୪୭.୨୯% ଭୋଟ ଯାଇଥିଲା। କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିଥିବାରୁ ପ୍ରଫୁଲ୍ଲଙ୍କ ହାତରେ ଶାସନ ଡୋରି ଧରାଇ ଦିଆଯାଇଥିଲା। ସେ ବେଙ୍ଗଲର ତୃତୀୟ ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।
୧୮୯୭ ମସିହା ୧୦ ଏପ୍ରିଲରେ ପ୍ରଫୁଲ୍ଲ ଚନ୍ଦ୍ର ସେନ ବେଙ୍ଗଲର ଖୁଲନା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିଲା ବେଳର ଅଧିକାଂଶ ସମୟ ସେ ବିହାରରେ ବିତାଇଥିଲେ। ବିହାରରେ ପାଠପଢ଼ା ଆରମ୍ଭ କରି ସେ ଦେଓଗଡ଼ରେ ଥିବା ଆର ମିତ୍ର ଇନଷ୍ଟିଚ୍ୟୁଟରେ ଆଡମିସନ ନେଇଥିଲେ। ଏହାପରେ କ୍ୟାଲକାଟାର ସ୍କଟିଶ ଚର୍ଚ୍ଚ କଲେଜ୍ରେ ସେ ବିଜ୍ଞାନ ପାଠକ୍ରମ୍ୟରେ ଡିଗ୍ରୀ ହାସଲ କରିଥିଲେ।
ସେ ଇଂଲଣ୍ଡ ଯାଇ ସେଠାରେ ଭଲ ଚାକିରି ଓ ପାଠପଢ଼ିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ କ୍ୟାଲକାଟା ସେସନର ଭାଷଣ ଶୁଣି ସେ ନିଜର ମନ ବଦଳାଇ ଦେଇଥିଲେ। ସେ ବିଦେଶ ଯିବାକୁ ଅନିଚ୍ଛା ପ୍ରକାଶ କରି ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ।
୧୯୨୩ରେ ସେ ହୁଗୁଳି ଜିଲ୍ଲାର ଅରମବାଗକୁ ଯାଇ ସେଠାରେ ଗାନ୍ଧିଙ୍କ ସ୍ୱଦେଶୀ ଓ ସତ୍ୟାଗ୍ରହ ଅଭିଯାନକୁ ଆଗକୁ ନେଇଥିଲେ। ସେ ବ୍ରିଟିଶରମାନଙ୍କ ବିରୋଧରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ଓ ଜାତୀୟ କଂଗ୍ରେସର ସମର୍ଥକ ସାଜିଥିଲେ। ସେ ଗାନ୍ଧିଜୀଙ୍କ କଥାରେ ଅନୁପ୍ରାଣିତ ହୋଇ ତୃଣମୂଳ ସ୍ତରରେ ଗଣତନ୍ତ୍ର ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଅରମବାଗ ବେଶ ଜଣାଶୁଣା ଥିଲା।
କିନ୍ତୁ ସେନ ଏହାକୁ ଖାତିର ନ କରି ଆଗକୁ ବଢ଼ି ସେଠାକାର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତାଙ୍କ କାର୍ଯ୍ୟ ଶୈଳୀ ଓ ନିଷ୍ଠାପରତା ତାଙ୍କୁ ଅରମବାଗର ଗାନ୍ଧି ବୋଲି ମଧ୍ୟ ଅବିହିତ କରାଇଥିଲା।୧୯୩୦ରୁ ୧୯୪୨ ମଧ୍ୟରେ ଶ୍ରୀ ସେନ ବ୍ରିଟିଶରଙ୍କ ବିରୋଧରେ ଲଢ଼େଇ କରି ଅନେକ ସମୟ ଜେଲ୍ରେ କାଟିଛନ୍ତି।
୧୯୪୮ରେ ବେଙ୍ଗଲର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରୟ ତାଙ୍କୁ ନିଜ କ୍ୟାବିନେଟ୍ରେ କୃଷିମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏହି ମନ୍ତ୍ରୀ ପଦ ସେ ୧୯୬୭ ଯାଏ ନିଜ ପାଖରେ ରଖିଥିଲେ। ସେ ବିଧାନ ଚନ୍ଦ୍ର ରୟଙ୍କ ଡେପୁଟି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରୟଙ୍କ ମୃତ୍ୟୁ ପରେ ସେନ ବେଙ୍ଗଲର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ୩ ବର୍ଷ ପରେ ଦେଶର ଦୁର୍ଭିକ୍ଷ ଦେଖାଯାଇଥିଲା। ବେଙ୍ଗଲ ମଧ୍ୟ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିଲା। ଦିଲ୍ଲୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀମାନଙ୍କ କନଫରେନ୍ସ ବେଳେ ଶ୍ରୀ ସେନ ସହରାଞ୍ଚଳରେ ମଧ୍ୟ ରାସନ ଦ୍ୱାରା ଖାଦ୍ୟ ପଦାର୍ଥ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ସେ ପଶ୍ଚିମବଙ୍ଗରେ ରାସନ ବ୍ୟବସ୍ଥା କରିଥିଲେ। ଆଜି ଯାଏ ଏହି ବ୍ୟବସ୍ଥା ସାମାନ୍ୟ ସଂଶୋଧିତ ହୋଇ ସମଗ୍ର ଦେଶରେ କାର୍ଯ୍ୟ କରୁଛି।
ଖାଦ୍ୟ ଗଚ୍ଛିତ କରି ରଖିବା ପାଇଁ ସେ ରାଇସ ମିଲ୍ ଉପରେ ଅଧିକ ପରିମାଣର ଟିକସ ବ୍ୟବସ୍ଥା ଲାଗୁ କରିଥିଲେ। ଏପରି କି ସେ ନିଜର ନିଷ୍ପତ୍ତି ଦ୍ୱାରା ବ୍ୟବସାୟୀ ଗୋଷ୍ଠୀଙ୍କୁ ଦୋହଲାଇ ଦେଇଥିଲେ। ବ୍ୟବସାୟୀମାନେ ଅସହଯୋଗ କରିବାରୁ ରାଜ୍ୟରେ ଜରୁରୀ ସାମଗ୍ରୀର ଅଭାବ ଦେଖାଦେଇଥିଲା। ଏହାକୁ ଆଧାର କରି କଂଗ୍ରେସ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ରାଜନୀତିକ ହିଂସା ଓ ବିରୋଧ ଯୋଗୁ କଂଗ୍ରେସ ପାର୍ଟି ଏକଘରିକିଆ ହୋଇଯାଇଥିଲା।
୧୯୬୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଶେଷରେ ମାର୍କସବାଦୀ ଠାରୁ ହାରିଥିଲା। ସେନ୍ ମଧ୍ୟ ଅରମବାଗ ଆସନରେ ପରାସ୍ତ ହୋଇଥିଲେ। ମାର୍କସବାଦୀ ଚିନ୍ତାଧାରାକୁ ସେ ପ୍ରବଳ ବିରୋଧ କରୁଥିଲେ। ତାଙ୍କ ଭାଇ ମନିନ୍ଦ୍ର ନାଥ ସେନଗୁପ୍ତା ଦକ୍ଷିଣ କୋଲକାତାରୁ ଅନଡିଭାଇଡେଡ୍ କମ୍ୟୁନିଷ୍ଟ ପାର୍ଟିର ନେତା ଥିଲେ। ଏହି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। କିନ୍ତୁ ଉଭୟ ଭାରତର ଗରିବ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିଲେ।
ଗୋଟିଏ ଦିନ ସେନଗୁପ୍ତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଫୁଲ୍ଲ ଚନ୍ଦ୍ର ସେନ ମୁଖ୍ୟମନ୍ତ୍ରୀ ଥିବାରୁ ତାଙ୍କ ପରିବାର ଲୋକ ସେନଗୁପ୍ତାଙ୍କ ଚିକିତ୍ସା ସରକାରୀ ହସ୍ପିଟାଲ୍ରେ ବ୍ୟବସ୍ଥା କରାଇ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ବହୁ ଅନୁରୋଧ ପରେ ରାଜି ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଭାବେ ସେ କରୁଥିବା ରୋଜଗାରକୁ ମଧ୍ୟ ଗରିବଙ୍କ ଭିତରରେ ବାଣ୍ଟି ଦେଉଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ବି ସେ ଲୋକଙ୍କ ସେବା କରୁଥିଲେ। ଶେଷରେ ୧୯୯୦ ମସିହା ସେପ୍ଟେମ୍ବର ୨୫ରେ କ୍ୟାଲକାଟାରେ ତାଙ୍କର ଦେହାନ୍ତ ହୋଇଥିଲା।
ରସଗୋଲା ଉପରେ ଲଗାଇଥିଲେ ରୋକ
୧୯୬୫ ମସିହାରେ ପଶ୍ଚିମବଙ୍ଗ ସରକାର ରସଗୋଲା ଓ ସନ୍ଦେଶ ଭଳି ମିଠା ଉପରେ ବ୍ୟାନ ଲଗାଇଥିଲେ। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ସେନ୍। ହଠାତ୍ ଏହି ନିଷ୍ପତ୍ତି ଅତ୍ୟନ୍ତ ଏକଛତ୍ରବାଦୀ ଭଳି ମନେ ହେଉଥିବ। କିନ୍ତୁ ଏହି ନିଷ୍ପତ୍ତି ପଛରେ ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କ ଉଦ୍ଦେଶ୍ୟ ବି ଆପଣଙ୍କୁ ଜାଣିବାକୁ ପଡ଼ିବ। ୧୯୬୫ ମସହାରେ ରାଜ୍ୟରେ ଦୁଗ୍ଧଜାତ ଦ୍ରବ୍ୟର ଅଭାବ ଦେଖାଯାଇଥିଲା। ଯଦି ଛେନାରୁ ତିଆରି ହେଉଥିବା ରସଗୋଲା ଓ ସନ୍ଦେଶ ଭଳି ମିଠା ଉପରେ ବ୍ୟାନ୍ ଲାଗୁ କରିଦିଆଯାଏ, ତା’ହେଲେ ମା’ ଓ ନବଜାତ ଶିଶୁମାନଙ୍କ ପାଇଁ ଦୁଗ୍ଧ ପ୍ରଚୁର ପରିମାଣରେ ଉପଲବ୍ଧ ହେବ ବୋଲି ସରକାର ଭାବିଥିଲେ। ଏଥିପାଇଁ ରସୋଗଲାର ବିକ୍ରି ଓ ତିଆରି ଉପରେ ରୋକ ଲାଗିଥିଲେ।
ମଠା ପାଇଁ ବଙ୍ଗଳା ପ୍ରସିଦ୍ଧ। ହେଲେ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ଏହାର ଅବସ୍ଥା କେବେ ବି ଭଲ ନାହିଁ। ଷାଠିଏ ଦଶକରେ ଅବସ୍ଥା ଆହୁରି ଖରାପ ଥିଲା ଓ ଏହାକୁ ଦୃଷ୍ଟିରେ ରଖି ୧୯୬୫ରେ ପ୍ରଫୁଲ୍ଲ ଚନ୍ଦ୍ର ସେନ୍ ରସଗୋଲା ଉପରେ ରୋକ ଲଗାଇଥିଲେ। ପ୍ରଫୁଲ୍ଲ ଭଲ ଭାବେ ଏଭଳି ନିଷ୍ପତ୍ତି ଦ୍ୱାରା ସରକାର ଭାଙ୍ଗି ଯାଇପାରେ ବୋଲି ଜାଣିଥିଲେ। ତଥାପି ସେ ରସଗୋଲା ଉପରେ ବ୍ୟାନ୍ ଲଗାଇଥିଲେ। ସତକୁ ସତ ୧୯୬୭ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।