ଭାରତରେ କୃଷି ଓ କୃଷକ ସମସ୍ୟା ଏକ ବାରମାସି ପ୍ରସଙ୍ଗ। ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ବିଲ୍ ଏବଂ ଏମଏସପିର ଆଇନଗତ ପ୍ରତିଶ୍ରୁତି ବିବାଦ ଜୋର୍ ଧରିଛି। ହେଲେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି, ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଦେଶରେ ନଷ୍ଟ ହେଉଥିବା ଫସଲ ଉତ୍ପାଦ। ଯାହାକି କାଳକ୍ରମେ ବର୍ଜ୍ୟବସ୍ତୁରେ ପରିଣତ ହେଉଛି। ଅନେକ ଦେଶରେ ଖାଦ୍ୟ ନଷ୍ଟକୁ ନେଇ ସର୍ଭେ କରାଯାଇଥିବା ବେଳେ ଭାରତରେ କିନ୍ତୁ କୌଣସି ପ୍ରାମାଣିକ ସର୍ବେକ୍ଷଣ ହୋଇନାହିଁ।
ଭାରତରେ ଲୁଧିଆନାସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ହାର୍ଭେଷ୍ଟ ଇଞ୍ଜିନିୟରି ଆଣ୍ଡ ଟେକ୍ନୋଲୋଜି ଏନେଇ ଦୁଇଟି ଗବେଷଣା କରିଛି। ପ୍ରଥମଟି ୨୦୦୫ରୁ ଫେବୃୟାରୀ ୨୦୦୭ ମଧ୍ୟରେ କୃଷି ମନ୍ତ୍ରାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ କ୍ରମେ କରାଯାଇଥିଲା। ଯାହାର ରିପୋର୍ଟ ୨୦୧୦ରେ ଦାଖଲ କରାଗଲା ଏବଂ ଅଗଷ୍ଟ ୨୦୧୨ରେ ପ୍ରକାଶ ପାଇଲା। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ପକ୍ଷରୁ ପ୍ରାୟୋଜିତ ଦ୍ୱିତୀୟ ସର୍ଭେଟି ୪୩ଟି ଶସ୍ୟ, ୨୦୧୨-୧୨ର ପଶୁପାଳନ ଉତ୍ପାଦନ ଏବଂ ୨୦୧୪ର ହୋଲସେଲ ମୂଲ୍ୟ ଉପରେ ଆଧାରିତ ଥିଲା। ୧୪ଟି ଏଗ୍ରୋ-କ୍ଲାଇମେଟ୍- ଜୋନରେ ଥିବା ୧୨୦ଟି ଜିଲ୍ଲାରେ ଏହି ସର୍ବେକ୍ଷଣ କରାଯାଇଥିବା ବେଳେ ଏହାର ରିପୋର୍ଟ ୨୦୧୫ ମାର୍ଚ୍ଚରେ ପ୍ରକାଶ କରାଯାଇଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ପ୍ରତିବର୍ଷ ସର୍ବମୋଟ ପ୍ରାୟ ୯୨,୬୫୧ କୋଟି ଟଙ୍କାର କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଥିବା ସର୍ଭେରୁ ଜଣାପଡ଼ିଛି।
ଶସ୍ୟ, ଡାଲି, ତୈଳବୀଜ, ମଞ୍ଜି, ପନିପରିବା, ଫଳ, କ୍ଷୀର, ମତ୍ସ୍ୟଚାଷ, କୁକୁଡ଼ା ଏବଂ ମାଂସ ତଥା ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟରେ ହେଉଥିବା ଖାଦ୍ୟଦ୍ରବ୍ୟ ନଷ୍ଟକୁ ନେଇ ଏହି ସର୍ଭେ ହୋଇଥିଲା। ଏହାସହ କ୍ଷେତ ସ୍ତରରେ, ଗୋଦାମ ବା ଶୀତଳଭଣ୍ଡାର, ହୋଲସେଲର୍, ରିଟେଲର୍ ଏବଂ ପ୍ରକ୍ରିୟାକରଣ ବେଳେ ହେଉଥିବା ନଷ୍ଟକୁ ମଧ୍ୟ ସାମିଲ କରାଯାଇଥିଲା।
ତେବେ କ୍ଷେତ ସ୍ତରରେ ସର୍ବାଧିକ କୃଷି ଉତ୍ପାଦନ ନଷ୍ଟ ହେଉଥିବା ରିପୋର୍ଟ କହୁଛି। ଧାନ ୪.୬୭ ପ୍ରତିଶତ ଏବଂ ଗହମ ୪.୦୭ ପ୍ରତିଶତ ନଷ୍ଟ ହେଉଥିବା ବେଳେ ଗୋଦାମରେ ମାତ୍ର ୦.୮୬ ପ୍ରତିଶତ ଧାନ ଓ ଗହମ ନଷ୍ଟ ହେଉଥିବା ଜଣାପଡ଼ିଥିଲା।
ଶୀଘ୍ର ନଷ୍ଟ ହେଉଥିବା ଫଳ ଭଳି ଉତ୍ପାଦନ କ୍ଷେତ୍ରରେ ଆମ୍ବ ମୋଟ ୯.୧୬ ପ୍ରତିଶତ ନଷ୍ଟ ହେଉଛି। ଏଠାରେ ବି ସର୍ବାଧିକ ନଷ୍ଟ କ୍ଷେତରେ ହୋଇଥିବା ବେଳେ ଗୋଦାମରେ ୨.୨୪ ପ୍ରତିଶତ ଆମ୍ବ ନଷ୍ଟ ହେଉଥିବା ଜଣାପଡ଼ିଥିଲା। ସେହିପରି ୧୫.୮୮ ପ୍ରତିଶତ ପିଜୁଳି ଏବଂ ୧୦.୩୯ ପ୍ରତିଶତ ସେଓ ନଷ୍ଟ ହୋଇଥିବା ରିପୋର୍ଟ କହୁଛି।
ସେହିପରି ଏହି ସର୍ଭେରେ ପନିପରିବା କ୍ଷେତ୍ରରେ, ୭.୩୨ ଆଳୁ ପ୍ରତିଶତ ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ଏଠାରେ ମଧ୍ୟ ଚାଷ କାର୍ଯ୍ୟ ସ୍ତରରେ ୬.୫୪ ପ୍ରତିଶତ ଏବଂ ଭଣ୍ଡାରରେ ମାତ୍ର ୦.୭୮ ପ୍ରତିଶତ ଆଳୁ ନଷ୍ଟ ହୋଇଥିଲା। ଅନ୍ୟପଟେ ୧୨.୪୪ ପ୍ରତିଶତ ଟମାଟୋ କ୍ଷତିରୁ ୯.୪୧ ପ୍ରତିଶତ କ୍ଷେତ ସ୍ତରରେ ଏବଂ ୩.୦୩ ପ୍ରତିଶତ ହୋଲସେଲ୍ ଷ୍ଟୋରେଜ୍, ରିଟେଲ୍ ଏବଂ ପ୍ରକ୍ରିୟାକରଣ ବେଳେ ନଷ୍ଟ ହୋଇଛି।
ମଧୁରଜଳ ମତ୍ସ୍ୟ ଉତ୍ପାଦରେ ସର୍ବମୋଟ ୫.୨୩ ପ୍ରତିଶତ ନଷ୍ଟ ହୋଇଛି। ଏଥିରୁ ୧.୦୫ ପ୍ରତିଶତ ଭଣ୍ଡାର ସ୍ତରରେ ନଷ୍ଟ ହୋଇଛି। ସେହିପରି କୁକୁଡ଼ା ମାଂସରେ ମୋଟ ୬.୭୪ ପ୍ରତିଶତ ନଷ୍ଟ ହୋଇଥିଲା। ତେବେ ଏଥିରେ କିନ୍ତୁ ପ୍ରାୟ ୪ ପ୍ରତିଶତ ଷ୍ଟୋରେଜ୍ ଚ୍ୟାନେଲରେ ନଷ୍ଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଅନ୍ୟପଟେ କ୍ଷୀର ଉତ୍ପାଦନ କ୍ଷେତ୍ରରେ ମୋଟ ୦.୯୨ କ୍ଷତିରୁ ମାତ୍ର ୦.୨୧ ପ୍ରତିଶତ ଭଣ୍ଡାରରେ କ୍ଷତି ହୋଇଥିବା ଜଣାପଡ଼ିଛି। ଏହି ଅଧ୍ୟୟନ କହୁଛି, ସର୍ବମୋଟ ପ୍ରାୟ ୯୨,୬୫୧ କୋଟି ଟଙ୍କାର ଖାଦ୍ୟ ଦ୍ରବ୍ୟ ନଷ୍ଟ ହୋଇଛି। ତେଣୁ କୃଷି ଉତ୍ପାଦର କ୍ଷତିକୁ ହ୍ରାସ କରିବା ଲାଗି ଶୀତଳିକରଣ ପ୍ରକ୍ରିୟା ସହ ସଂରକ୍ଷଣ ବ୍ୟବସ୍ଥା ଏବଂ କୃଷିକ୍ଷେତ୍ର ସ୍ତରରେ ମଧ୍ୟ ଉନ୍ନତି ଆବଶ୍ୟକ।
୨୦୧୪ ପରଠାରୁ ଅନେକ ରାଜ୍ୟ ଏପିଏମସି ଆକ୍ଟ ବାହାରେ ଫଳ ଏବଂ ପନିପରିବା ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି। ଏହାର ଅର୍ଥ କୌଣସି ମାର୍କେଟ ଫି ଏବଂ ଅନ୍ୟାନ୍ୟ ଦେୟ ନ ଦେଇ ଏପିଏମସି ବାହାରେ ଫଳ ଏବଂ ପନି ପରିବା ବିକ୍ରି କରିହେବ। ହେଲେ ଅନେକ ଷ୍ଟାର୍ଟଅପ୍ ଏବଂ ଇ-କମର୍ସ କମ୍ପାନୀ ଏବେ ଫଳ ଏବଂ ପନି ପରିବା କିଣୁଛନ୍ତି। କିନ୍ତୁ ଏହା ଚାଷୀଙ୍କୁ ଲାଭ ଦେଉନି। ଏବେ ବି ବଡ଼ ସହରରେ ଏପିଏମସି ଜରିଆରେ ଫଳ ଏବଂ ପନି ପରିବା ବିକ୍ରି କରୁଛନ୍ତି ଚାଷୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।