କାନପୁର: ବର୍ତ୍ତମାନ ସମୟରେ ପୃଥିବୀର ଗତି ୩୭ ସେକେଣ୍ଡ ମନ୍ଥର ହୋଇଯାଇଛି। ତେବେ ଏହା ପଛରେ ଥିବା କାରଣକୁ ଖୋଜିବାକୁ ଚେଷ୍ଟା କରୁଛି ଆଇଆଇଟି କାନପୁର। ଏନେଇ ଆଇଆଇଟି କାନପୁର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାସହ ଭୂମିକମ୍ପ, ସୁନାମୀ, ଉଲକାପିଣ୍ଡ, ସମୁଦ୍ର ପତ୍ତନ ବୃଦ୍ଧି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ତଥ୍ୟ ମିଳିପାରିବ।
ଆଇଆଇଟି କାନପୁର ପରିସରରେ ଗ୍ଲୋବାଲ ନେଭିଗେସନ ସେଟେଲାଇଟ୍ ସିଷ୍ଟମ (ଜିଏନଏସଏସ) ସ୍ଥାପନ କରାଯାଉଛି। ଏହା ଦ୍ୱାରା ପୃଥିବୀ ପୃଷ୍ଠର ପରିବର୍ତ୍ତନ ଉପରେ ନଜର ରଖାଯାଇପାରିବ। ଏହା ସହ ଦିନକୁ ଦିନ ମନ୍ଥର ହେଉଥିବା ପଥିବୀର ଗତି ପଛର ରହସ୍ୟର ବି ଖୁଲାସା ହେବ। ଏଠାରେ ହିଁ ଦେଶର ସର୍ବପ୍ରଥମ ଭେରି ଲଙ୍ଗ୍ ବେସଲାଇନ୍ ଇଣ୍ଟରଫେରୋମେଟ୍ରି (ଭିଏଲବିଆଇ) ସିଷ୍ଟମ ଲଗାଯିବ, ଯଦ୍ଦ୍ୱାରା ଗ୍ୟାଲେକ୍ସି ତାରକାଗୁଡ଼ିକୁ ତଥା ଅନ୍ୟ ଗ୍ରହଗୁଡ଼ିକର ଗତି ଉପରେ ମଧ୍ୟ ନଜର ରଖାଯାଇପାରିବ।
କେବଳ ଚୀନ, ଜାପାନ, ୟୁଏସ୍, ଜର୍ମାନୀ, ଅଷ୍ଟ୍ରେଲିୟା ଭଳି ବିକଶିତ ଦେଶ ହିଁ ଏହି ଭିଏଲବିଆଇ ପ୍ରଣାଳୀ ବ୍ୟବହାର କରୁଛି। ୟୁଏସରେ ୪୦, ଜାପାନରେ ୧୦, ଚୀନରେ ୫ ଭିଏଲବିଆଇ ଲାଗିଛି। ତେବେ ଆଇଆଇଟି କାନପୁରରେ ଏହା ସ୍ଥାପନ କରାଯିବା ପରେ ଭାରତ ଆଉ ପାଦେ ଆଗେଇବ। ଏହା ପରେ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକୁ ମଧ୍ୟ ଏହି ଟେକ୍ନୋଲୋଜି ଭାରତ ଯୋଗେଇ ଦେଇପାରିବ। ସୂଚନା ଥାଉ କି, ଏନେଇ ଆଇଆଇଟି କାନପୁର କ୍ୟାମ୍ପସ ପରିସରରେ ସ୍ଥାନ ଚିହ୍ନଟ ହୋଇସାରିଛି।
ନ୍ୟାଶନାଲ ଜିଓଡେସି ପ୍ରୋଗ୍ରାମ ଅଧ୍ୟକ୍ଷ ମେଜର ଜେନେରାଲ ଡା. ବି. ନାଗରାଜନଙ୍କ ଅନୁସାରେ, ୯୮୦ ମସିହା ତୁଳନାରେ ୩୭ ସେକେଣ୍ଡ ମନ୍ଥର ଗତିରେ ବର୍ତ୍ତମାନ ପୃଥିବୀ ଗତି କରୁଛି। ତେବେ ଏହା ଦ୍ୱାରା ପୃଥିବୀର ମନ୍ଥର ଗତି ପଛର କାରଣ କ'ଣ? ଆଗକୁ ଆହୁରି ଗତି କମିପାରେ କି? ପୃଥିବୀର ଗତି ପରିବର୍ତ୍ତନ କାରଣରୁ କୌଣସି ପ୍ରଭାବ ପଡ଼ିଛି ବା ପଡ଼ିପାରେ ଜଣାପଡ଼ିବ। ଏହାସହ ପୃଥିବୀ ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ଭୂମିକମ୍ପ, ଲାର୍ଭାର ସକ୍ରୀୟତା, ସମୁଦ୍ର ପତ୍ତନ ନେଇ ତଥ୍ୟ ମିଳିପାରିବ। ଏପରି କି ଋତୁ ପରିବର୍ତ୍ତନ ନେଇ ମଧ୍ୟ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି।
ଆଇଆଇଟି କାନପୁର ପରେ ଗୁଜରାଟ ଏବଂ ଆସାମରେ ମଧ୍ୟ ଭିଏଲବିଆଇ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ତେବେ ଆଇଆଇଟି କାନପୁର ମୁଖ୍ୟାଳୟ ରହିବ। ଏଠାରେ ତରଙ୍ଗ ମାଧ୍ୟମରେ ଅନ୍ତରୀକ୍ଷର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ। ତେବେ ତିନୋଟି ଯାକ ଷ୍ଟେସନ ଗୋଟିଏ ଦ୍ରାଘିମା ରେଖାରେ ଥିବାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ। ଏଥିରେ ନାଭିଗେଟର ସେଟେଲାଇଟରେ ବ୍ୟବହୃତ ପରମାଣୁ ଘଡ଼ି ଲଗାଯିବ। ଫଳରେ ସୂଚନାଗୁଡ଼ିକ ଠିକ୍ ସମୟରେ ମିଳିପାରିବ ବୋଲି ଏକ ଜାତୀୟ ଗଣମାଧ୍ୟମର ତଥ୍ୟରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭିଏଲବିଆଇ ଏକ ବଡ଼ ଏଣ୍ଟିନା ସିଷ୍ଟମ ଅଟେ। ଏହା ହଜାର ହଜାର ଆଲୋକ ବର୍ଷରୁ ଆସୁଥିବା ରେଡିଓ ତଥା ଅନ୍ୟ ତରଙ୍ଗଗୁଡ଼ିକୁ ଟାଣିପାରିବ। ଭାରତୀୟ ଟେକ୍ନୋଲୋଜି ବ୍ୟବହାର କରି ଏହି ଏଣ୍ଟିନା ପ୍ରସ୍ତୁତ କରାଯାଇଛି। ଭାଭା ଏଣ୍ଟିମିକ୍ ରିସର୍ଚ୍ଚ ସେଣ୍ଟର, ଇଲେକ୍ଟ୍ରୋନିକ୍ସ କୋ-ପରେସନ ଅଫ୍ ଇଣ୍ଡିଆ ଲିମିଟେଡ୍, ନ୍ୟାସନାଲ ଫିଜିକାଲ ଲେବୋରେଟ୍ରି ଏବଂ ଅନ୍ୟ କିଛି ସଂସ୍ଥା ମିଶି ଏହାର ଡିଜାଇନ ଏବଂ ନିର୍ମାଣ କରିଛନ୍ତି।