ବିଶ୍ୱ ମହାମାରୀ ନୋଭେଲ କରୋନା ଭୂତାଣୁ ଲାଗି ଚିନ୍ତାରେ ମନୁଷ୍ୟ ସମାଜ। ଭାରତ ସମେତ ଅନେକ ଦେଶ ଲକଡାଉନ ଥିବାରୁ ଲୋକେ ଘରେ ରହି ଏହି ସଂକ୍ରମଣ ସହ ଲଢ଼େଇ କରୁଛନ୍ତି। ଆଜିର ସମୟରେ ଆମକୁ ସତର୍କ ରହି କରୋନା ଭୂତାଣୁ ସଙ୍କଟ ସହ ଜୀବନଯାପନ କରିବାକୁ ହେବ, ଆଉ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ସମାପନ କରିବାକୁ ହେବ। ତେବେ ଏଭଳି ଅନେକ ଛୋଟ ଛୋଟ ବିଷୟ ରହିଛି, ଯାହାକୁ ବିଚାରକୁ ନେଇ ଦୈନନ୍ଦିନ ଜୀବନରେ କାମରେ ଲଗାଇଲେ ସଂକ୍ରମଣରୁ ହୁଏତ ଆମେ ରକ୍ଷା ପାଇଯାଇପାରିବା।
ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଖାଦ୍ୟପେୟକୁ ନେଇ କିଛି ବିଶେଷ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ସବୁ ପରାମର୍ଶକୁ ଆପଣାଇ ଆମେ କରୋନା ସଙ୍କଟରେ ଏବଂ ଏହି ପରିସ୍ଥିତି ସୁଧୁରିବା ପରେ ମଧ୍ୟ ଯେକୌଣସି ସଂକ୍ରମଣକୁ ଘର ଦ୍ୱାରଠାରେ ହିଁ ରୋକିଦେଇ ପାରିବା।
- ଯେକୌଣସି ଅଣ୍ଡା, କଞ୍ଚା ମାଂସ ଏବଂ ସାମୁଦ୍ରିକ ଖାଦ୍ୟ ବା ସି-ଫୁଡକୁ ଅନ୍ୟ ଖାଦ୍ୟ ସାମଗ୍ରୀଠାରୁ ଦୂରରେ ଅଲଗା କରି ରଖିବାକୁ ହେବ। ଏହାସହ କଞ୍ଚା ମାଂସକୁ କାଟିବା ପାଇଁ ଭିନ୍ନ ଚାକୁ, ରଖିବାକୁ ଭିନ୍ନ ପାତ୍ର ବ୍ୟବହାର କରିବା ଉଚିତ। ଆପଣଙ୍କ ଦ୍ୱାରା ପ୍ରସ୍ତୁତ ଭୋଜନ କୌଣସି କଞ୍ଚା ମାଂସ ବା କଞ୍ଚା ଖାଦ୍ୟ ସାମଗ୍ରୀ ସଂସ୍ପର୍ଶରେ ଯେପରି ନ ଆସେ, ସେନେଇ ବିଶେଷ ଭାବେ ଧ୍ୟାନ ରଖନ୍ତୁ।
- କଞ୍ଚା ଖାଦ୍ୟ ବିଶେଷ କରି ମାଂସ, କୁକୁଡ଼ା ଅଣ୍ଡା, ସାମୁଦ୍ରିକ ଖାଦ୍ୟ ବା ସି-ଫୁଡ୍ ଆଦିରେ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ସୂକ୍ଷ୍ମଜୀବ ଥାଇପାରନ୍ତି, ଯାହା ସିଧାସଳଖ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିପାରେ।
- ଡବ୍ଲୁଏଚଓ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନୁସାରେ, ଆପଣଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ଖାଦ୍ୟ ତିଆରି କରିବା ସମୟରେ ନିଜ ହାତକୁ ବାରମ୍ବାର ଧୋଇବା ଆବଶ୍ୟକ। ପରିବା କିଣି ଆଣିବା ପରେ, ସେଗୁଡ଼କୁ ବାରମ୍ବାର ଭଲ ଭାବରେ ପରିସ୍କାର ପାଣିରେ ଧୋଇବା ପରେ ବ୍ୟବହାର କରିବା ଉଚିତ୍। ଏହା ବ୍ୟତୀତ ଶୌଚ ପରେ ଭଲ ଭାବରେ ହାତ, ଗୋଡ଼ ସଫା କରିବା ଆବଶ୍ୟକ।
- ବିଶେଷ ଭାବରେ ନିଜ ରୋଷେଇ ଘର, ଗ୍ୟାସ ଚୂଲା ବା ଇଣ୍ଟକଂସନ ତଥା ବାସନଗୁଡ଼ିକୁ ଭଲ ଭାବରେ ଧୋଇ ପରିସ୍କାର ରଖନ୍ତୁ। ଏହାସହ ରୋଷେଇ ଘରକୁ କୀଟ, ପତଙ୍ଗ ବା ଅନ୍ୟ ଜୀବଜନ୍ତୁଠାରୁ ଦୂରେଇ ରଖନ୍ତୁ।
- ଆମ ପିନ୍ଧା ବସ୍ତ୍ର, ବାସନକୁସନ ଆଦିରେ ସୂକ୍ଷ୍ମଜୀବ ବାସ କରିଥାନ୍ତି। ଯଦି ଏମାନେ ଖାଦ୍ୟ ସାମଗ୍ରୀ ସଂସ୍ପର୍ଶରେ ଆସନ୍ତି, ତେବେ ଏହାଦ୍ୱାରା ରୋଗ ବ୍ୟାଧି ହେବାର ସମ୍ଭାବନା ରହିଛି।
- ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ଭଲ ଭାବରେ ସିଝିବାକୁ ଦିଅନ୍ତୁ। ସୁପ୍ ଆଦି ପ୍ରସ୍ତୁତ କରିବା ସମୟରେ ୭୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରାରେ ରାନ୍ଧିବା ଜରୁରୀ ଅଟେ। ସେହିପରି ମାଂସ, ଅଣ୍ଡା, ବା ସାମୁଦ୍ରିକ ଖାଦ୍ୟକୁ ଭଲ ଭାବରେ ସିଝିବା ପର୍ଯ୍ୟନ୍ତ ରାନ୍ଧି ଖାଇବା ଉଚିତ୍। ଗରମ ଗରମ ଖାଦ୍ୟ ଖାଆନ୍ତୁ। ଯଦି ରନ୍ଧା ଖାଦ୍ୟ ପରେ ଖାଉଛନ୍ତି, ଏହାକୁ ଭଲ ଭାବରେ ଗରମ କରି ଖାଆନ୍ତୁ।
- ଖାଦ୍ୟକୁ ନିଆଁରେ ଭଲ ଭାବରେ ରାନ୍ଧିବା ଦ୍ୱାରା ଏଥିରେ ଥିବା ସୂକ୍ଷ୍ମଜୀବମାନେ ନଷ୍ଟ ହୋଇଯାଆନ୍ତି। ଯଦି ଆପଣ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତେବେ ଏହା ଖାଦ୍ୟୋପଯୋଗୀ ବିଚାର କରାଯାଏ। ଅନେକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି।
- ରନ୍ଧା ଖାଦ୍ୟକୁ ଘରର ତାପମାତ୍ରାରେ ଦୁଇ ଘଣ୍ଟାରୁ ଅଧିକ ସମୟ ରଖନ୍ତୁ ନାହିଁ। ପ୍ରସ୍ତୁତ ଖାଦ୍ୟ କିମ୍ବା ଶୀଘ୍ର ନଷ୍ଟ ହୋଇଗଲା ଭଳି ଖାଦ୍ୟକୁ ୫ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଫ୍ରିଜ୍ ଭିତରେ ରଖିବା ଉଚିତ୍। ରନ୍ଧା ଖାଦ୍ୟ ବାଢ଼ିବା ପୂର୍ବରୁ ଏହାକୁ ପୁଣି ୬୦ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଅଧିକ ତାପମାତ୍ରାରେ ଗରମ କରିନେବା ଉଚିତ୍। ଏହା ସହ ଫ୍ରିଜରେ ଅଧିକ ସମୟ ଧରି ଖାଦ୍ୟ ସଞ୍ଚୟ କରି ରଖିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଫ୍ରିଜରୁ ଜିନିଷ ତରଳାଇବା ଲାଗି ଏହାକୁ ନିଜ ରୁମ୍ ଭିତରେ ରଖନ୍ତୁ ନାହିଁ।
- ଯଦି ଆପଣ ରନ୍ଧା ଖାଦ୍ୟକୁ ସାମାନ୍ୟ ତାପମାତ୍ରା କରିବାକୁ ରୁମ୍ ଭିତରେ ରଖିବେ, ତେବେ ସୂକ୍ଷ୍ମଜୀବ ଖୁବଶୀଘ୍ର ଏଥିରେ ବଢ଼ିବାର ଆଶଙ୍କା ରହିଥାଏ। ୫ ଡିଗ୍ରୀରୁ କମ୍ ତାପମାତ୍ରାରେ ରଖିଲେ ଏବଂ ୬୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଗରମ କରିବା ଦ୍ୱାରା ସୂକ୍ଷ୍ମଜୀବ ବ୍ୟାପିପାରନ୍ତି ନାହିଁ। ସେମାନେ ନିଷ୍କ୍ରିୟ ହୋଇପଡ଼ନ୍ତି। ତେବେ ଅନେକ ପରିସ୍ଥିତି କ୍ଷତିକାରକ ସୂକ୍ଷ୍ମଜୀବ ୫ ଡିଗ୍ରୀରୁ କମ୍ ତାପମାତ୍ରାରେ ସକ୍ରୀୟ ଥିବା ମଧ୍ୟ ନଜୀର ରହିଛି।
- ପିଇବା ପାଣିର ବିଶୁଦ୍ଧତା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତୁ। ଆପଣ ଯେଉଁ ପାଣି ପିଉଛନ୍ତି, ତାହା ବିଶୁଦ୍ଧ କି ନୁହେଁ ସୁନିଶ୍ଚିତ କରନ୍ତୁ। ତାଜା, ତଟକା ପନିପରିବା ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ସେବନ କରନ୍ତୁ। ଫଳ, ଏବଂ କଞ୍ଚାରେ ଖାଉଥିବା ପନିପରିବାକୁ ଖାଇବା ପୂର୍ବରୁ ସୁନିଶ୍ଚିତ ହେବା ଯାଏ ଧୋଇ ପରିସ୍କାର କରନ୍ତୁ।
- ସୂକ୍ଷ୍ମଜୀବ ବରଫ ଏବଂ ପାଣିରେ ଜମା ହୋଇ ରହିଥାଇ ପାରନ୍ତି, ଯାହା ଶରୀରକୁ ଯାଇ ଉପଦ୍ରବ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରନ୍ତି। ସେହି ଭଳି ବାସି ଖାଦ୍ୟ ଶରୀରରେ ବିଶାକ୍ତ ରସାୟନ ସୃଷ୍ଟି କରିପାରେ। ଏଣୁ ଖାଦ୍ୟକୁ ଭଲ ଭାବରେ ରାନ୍ଧିବା ପୂର୍ବରୁ ପ୍ରଥମେ ଭଲ ଭାବରେ ଧୋଇ, ପରିସ୍କାର କରିବା ଉଚିତ। ବାସି ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ।