୧୯୬୭ରୁ ୧୯୭୨ ଯାଏ ବେଙ୍ଗଲରେ କାହାକୁ ମିଳି ନଥିଲା ମ୍ୟାଜିକ ନମ୍ବର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେ ଆସୁଛି ଏହାର ଇତିହାସ ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସେତିକି ଆଗ୍ରହ ଦେଖିବାକୁ ମିଳିଛି। ବିଧାନସଭା ଗଠନ ହେବା ଠାରୁ କ୍ଷମତା ଦଖଲ କରି ସରକାର ଗଠନ କରି ଆସୁଥିବା ଜାତୀୟ କଂଗ୍ରେସକୁ ୧୯୬୭ ନିର୍ବାଚନରେ ବଡ଼ ଝଟକା ଲାଗିଥିଲା।

ଲଗାତର ବିଜୟ ହାସଲ କରି ୧୫ ବର୍ଷ କାଳ ସରକାର ଗଠନ କରିଥିବା କଂଗ୍ରେସକୁ ନିଜ ଦଳର ଲୋକ ହିଁ ଗାଦିଚ୍ୟୁତ କରିଥିଲେ। ଏଥିସହ ପ୍ରଥମଥର ବେଙ୍ଗଲରେ ଅଣକଂଗ୍ରେସ ସରକାର ୧୯୬୭ରେ ଗଠନ ହୋଇଥିଲା। ତେବେ ଏହି ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳି ନଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରି ଦଳ ଛାଡ଼ିଥିବା ଅଜୟ କୁମାର ମୁଖାର୍ଜୀଙ୍କ ବେଙ୍ଗଲ କଂଗ୍ରେସ ମିଳିତ ଭାବେ ରାଜ୍ୟରେ ସରକାର ଗଠନ କରିଥିଲେ। ଅଜୟ ମୁଖାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୬୭ ମସିହାରେ ୨୮୦ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସ ୧୨୭ଟି, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ଏମ୍‌) ୪୩, ବେଙ୍ଗଲ କଂଗ୍ରେସ ୩୪, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୧୬ଟି, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ୧୩ଟି, ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି ୭ଟି, ପ୍ରଜା ସୋସିଆଲିଷ୍ଟ ପାର୍ଟି ୭ଟି, ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ ୪ଟି, ଫରୱାର୍ଡ ବ୍ଲକ(ଏମ) ୧ଟି, ରିଭ୍ୟୁଲେସନନାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୧ଟି, ଭାରତୀୟ ଜନ ସଂଘ ୧ଟି, ସ୍ୱତନ୍ତ୍ର ପାର୍ଟି ୧ଟି ଓ ସ୍ୱାଧୀନ ପ୍ରାର୍ଥୀ ୩୧ଟି ଆସନରେ ଜିତିଥିଲେ।

ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ କୌଣସି ରାଜନୀତିକ ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା। ଏହି କାରଣରୁ ବେଙ୍ଗଲ କଂଗ୍ରେସର ଅଜୟ କୁମାର ମେଣ୍ଟ ପାଇଁ ଗୋଟି ଚାଳନା ଆରମ୍ଭ କରିଥିଲେ। କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ବେଙ୍ଗଲ କଂଗ୍ରେସ କମ୍ୟୁନିଷ୍ଟ ଓ ଅନ୍ୟ ଛୋଟ ଦଳଙ୍କ ସହ ମିଶି ୟୁନାଇଟେଡ ଫ୍ରଣ୍ଟ ଗଠନ କରିଥିଲେ। ଏମାନେ ସମସ୍ତେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିଥିଲେ ଓ ଅଜୟ କୁମାର ବାନାର୍ଜୀ ପ୍ରଥମ ଅଣ କଂଗ୍ରେସ ନେତା ଭାବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୬୭ ମସିହା ମାର୍ଚ୍ଚ ୧ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେଁ ୧୯୬୭ ମସିହା ନଭେମ୍ବର ୨୧ରେ ଏହା ଭାଙ୍ଗି ଯାଇଥିଲା। ଅଜୟ କୁମାର ମୁଖାର୍ଜୀ କେବଳ ୨୬୫ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ୨୦ ଫେବୃଆରୀ ୧୯୬୮ରୁ ୧୯୬୯ ମସିହା ଫେବୃଆରୀ ଯାଏ ଏଠାରେ କେହି ବି ମୁଖ୍ୟମନ୍ତ୍ରୀ ନଥିଲେ।

ପଶ୍ଚିମବଙ୍ଗର ୫ମ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ଏହି ନିର୍ବାଚନରେ ମଧ୍ୟ କୌଣସି ରାଜନୀତିକ ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ମିଳି ନଥିଲା। ବେଙ୍ଗଲ କଂଗ୍ରେସ ନେତୃତ୍ୱରେ ପୁଣିଥରେ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟାନ୍ୟ ଦଳ ୟୁନାଇଟେଡ୍‌ ଫ୍ରଣ୍ଟ ଗଠନ କରି ଶାସନ ମଙ୍ଗ ଧରିଥିଲେ। ତାମଲୁକ ଆସନରୁ ଜିତିଥିବା ଅଜୟ କୁମାର ମୁଖାର୍ଜୀ ପୁଣିଥରେ ୧୯୬୯ ମସିହା ଫେବୃଆରୀ ୨୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ୧୯୭୦ ମସିହା ୧୬ ମାର୍ଚ୍ଚରେ ଶେଷ ହୋଇ ଯାଇଥିଲା।

ଏହି କାରଣରୁ ପ୍ରଥମେ ୧୯୭୦ ମାର୍ଚ୍ଚ ୧୯ରୁ ଜୁଲାଇ ୩୦ ଓ ୧୯୭୦ ଜୁଲାଇ ୩୦ରୁ ୧୯୭୧ ମସିହା ଏପ୍ରିଲ ୨ ଯାଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଏହି ନିର୍ବାଚନରେ ୟୁନାଇଟେଡ୍‌ ଫ୍ରଣ୍ଟ ୨୮୦ଟି ଆସନରୁ ୨୧୪ଟିରେ ଜିତିଥିଲା।
ସିପିଆଇଏମ ୮୦ଟି, ସିପିଆଇ ୩୦ଟି, କଂଗ୍ରେସ ୫୫ଟି, ଏଆଇଏଫବି ୨୧ଟି, ବେଙ୍ଗଲ କଂଗ୍ରେସ ୩୩ଟି, ଆରଏସ୍‌ପି ୧୨ଟି ଆସନ ଜିତିଥିଲେ।

ମୋଟ ଉପରେ ଅଜୟ କୁମାର ମୁଖାର୍ଜୀ ପ୍ରଥମେ ୧୯୬୭ ମାର୍ଚ୍ଚ ୧ରୁ ୧୯୬୭ ମସିହା ନଭେମ୍ବର ୨୧, ଦ୍ୱିତୀୟ ଥର ୧୯୬୯ ମସିହା ଫେବୃଆରୀ ୨୫ରୁ ୧୯୭୦ ମସିହା ମାର୍ଚ୍ଚ ୧୬ ଓ ତୃତୀୟ ଥର ପାଇଁ ୧୯୭୧ ମସିହା ଏପ୍ରିଲ ୨ରୁ ୧୯୭୧ ମସିହା ଜୁନ୍‌ ୨୮ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

୧୯୬୭ରୁ ୧୯୭୨ ମଧ୍ୟରେ ୩ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜୟ କୁମାର ମୁଖାର୍ଜୀ ୧୯୦୧ ମସିହା ୧୫ ଏପ୍ରିଲରେ ପୂର୍ବ ମେଦିନିପୁର ଜିଲ୍ଲାର ତମଲୁକରେ ଜନ୍ମ ଗ୍ରହଣ କରିଥିଲେ। ସେ ତମ୍ରାଲିପଟ ଜାତୀୟ ସରକାରର ଜଣେ ନେତା ଥିଲା। ଏହି ସଂଗଠନ ବ୍ରିଟିଶ ସରକାରଙ୍କ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ଲୋକ ଲୋଚନକୁ ଆସିଥିଲା। ୧୯୪୨ ମସିହା ଡିସେମ୍ବର ୧୭ରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଥିଲା।

ଅଜୟ କୁମାର ସବୁବେଳେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଥିଲେ। ପ୍ରଥମେ ଜାତୀୟ କଂଗ୍ରେସର ସଦସ୍ୟ ଥିବା ଅଜୟ କୁମାର ପରେ ବେଙ୍ଗଲ କଂଗ୍ରେସ ଗଠନ କରିଥିଲେ। ୧୯୬୭ରେ ଅଜୟ କୁମାର ମୁଖାର୍ଜୀ ଅରମବାଗର ଗାନ୍ଧି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଫ୍ରପୁଲ ଚନ୍ଦ୍ର ସେନଙ୍କୁ ପରାସ୍ତ କରି ରାଜ୍ୟର ଶାସନ ମଙ୍ଗ ଧରିଥିଲେ।

ଅରମବାଗର ଛାତ୍ର ନେତା ନାରାୟଣ ଚନ୍ଦ୍ର ଘୋଷଙ୍କ ପାଇଁ ଅଜୟ କୁମାର ବିଜୟ ହୋଇପାରିଥିଲେ। ୧୯୬୮ ମସିହାରେ ଅଜୟଙ୍କ ସହ ନାରାୟରଣ ହିଁ ଡଙ୍ଗାରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ। ଏହି ଭ୍ରମଣ ସମୟରେ ସେ ଲୋକଙ୍କର ନିକଟବର୍ତ୍ତୀ ହୋଇଥିଲେ। ସେ ୧୯୬୭ରୁ ୧୯୭୨ ମଧ୍ୟରେ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ କାର୍ଯ୍ୟକାଳ ପୂରଣ କରିପାରି ନଥିଲେ। ସେ ମେଣ୍ଟ କରିଥିବା ସରକାର ବାରମ୍ବାର ଭାଙ୍ଗିବାରୁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉଥିଲା।

ଏପରି କି ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ଫ୍ରପୁଲ ଚନ୍ଦ୍ର ଘୋଷ କିଛି ଦିନ ପାଇଁ ରାଜ୍ୟର କମାଣ ମଧ୍ୟ ସମ୍ଭାଳିଥିଲେ। ଅଜୟ ମୁଖାର୍ଜୀଙ୍କୁ ଭାରତ ସରକାର ୧୯୭୭ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ। ତାଙ୍କ ଭାଇ ବିଶ୍ୱନାଥ ମୁଖାର୍ଜୀ ହେଉଛନ୍ତି କମ୍ୟୁନିଷ୍ଟ ସାଂସଦ ଗୀତା ମୁଖାର୍ଜୀଙ୍କ ସ୍ୱାମୀ। ଅଜୟ ମୁଖାର୍ଜୀ ୧୯୮୬ ମସିହା ମେ’ ୨୭ରେ କ୍ୟାଲକାଟାରେ ପ୍ରାଣ ହରାଇଥିଲେ।

ଅଜୟ କୁମାର ମୁଖାର୍ଜୀ ରାଜ୍ୟପାଳଙ୍କ ବିରୋଧରେ ୧୯୬୭ରେ ବିକ୍ଷୋଭ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସେହିପରି ୧୯୬୯ରେ ସେ ନିଜ ସରକାର ବିରୋଧରେ ଧାରଣାରେ ବସିଥିଲେ। ଅଜୟ କୁମାର ମୁଖ୍ୟମନ୍ତ୍ରୀ ଥିଲେ ହେଁ ସିପିଆଇ ସବୁ କଥାରେ ହସ୍ତକ୍ଷେପ କରୁଥିଲା। ଏହି କାରଣରୁ ବେଙ୍ଗଲରେ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏହାକୁ ବିରୋଧ କରି ନିଜ ସରକାର ବିରୋଧରେ ସେ ଧାରଣା ଦେବା ଆରମ୍ଭ କରିଥିଲା। ସ୍ଥିତି ଏପରି ହୋଇଥିଲା ଯେ ସେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।