ରୋମିଓ ଡାକ୍ତରଙ୍କ ୧୮ ସ୍ତ୍ରୀ
୨୦୨୨ ମସିହାରେ ୧୮ ପତ୍ନୀକୁ ନେଇ ଚର୍ଚ୍ଚାରେ ଥିଲେ ରୋମିଓ ନକଲି ଡାକ୍ତର ରମେଶ ସ୍ୱାଇଁ। ମାଟ୍ରିକ୍ ଫେଲ୍ ହୋଇଥିଲେ ମଧ୍ୟ ନିଜକୁ ଡାକ୍ତର ଭାବେ ପରିଚୟ ଦେଉଥିଲେ। ଛଳନା କରି ବିଭିନ୍ନ ହାଇଫାଇ ଯୁବତୀ ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରେମ ଜାଲ୍ରେ ଫସାଉଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କଚ ବାହା ହୋଇ ଘର ସଂସାର କରିବାର ଅଭିନୟ କରୁଥିଲେ। କାଇଦା କରି ଟଙ୍କା ହଡ୍ପ କରି ଚମ୍ପଟ ମାରୁଥିଲା ରମେଶ। ନୂଆଦିଲ୍ଲୀରେ ଜଣେ ମହିଳା ରମେଶଙ୍କ ଜାଲରେ ଫସି ଥାନାର ଦ୍ୱରସ୍ଥ ହୋଇଥିଲା। ଦିଲ୍ଲୀ ପୁଲିସ୍ର ଅଭିଯୋଗ କ୍ରମେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ରମେଶକୁ ଗିରଫ କରିଥିଲା। ଏହା ପରେ ଜଣେ ପରେ ଜଣେ ମହିଳା ସାମ୍ନାକୁ ଆସିଥିଲେ। ଆଉ ସମସ୍ତେ ନିଜକୁ ରମେଶଙ୍କ ପତ୍ନୀର ପରିଚୟ ଦେଇଥିଲେ। ସବୁଠାରୁ ମଜା କଥା ହେଉଛି ରମେଶଙ୍କ ଏହି ମାୟା ଜାଲରେ ଗୋଟିଏ ଗୋଟିଏ ଖିଅ ଥିଲେ ତାଙ୍କ ପ୍ରଥମ ପତ୍ନୀ ଓ ଭଉଣୀ। ଛଳନା କରି ରମେଶ ଯେଉଁମାନଙ୍କୁ ବାହା ହୋଇ ରୋଜଗାର କରୁଥିଲେ, ସେଥିରେ ସେମାନେ ଭାଗିଦାର ଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ରମେଶ ଏବେ ଜେଲ୍ରେ ଥିବା ବେଳେ ଏହି ମାମଲାଟି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ରହିଥିଲା।
[caption id="attachment_723219" align="aligncenter" width="650"] ମୃତ କ୍ୟାମେରାମ୍ୟାନ୍ ମାନସ ଓ ଶର୍ମିଷ୍ଠା (ଫାଇଲ ଫଟୋ)[/caption]
କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା
ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ରହିଥିଲା ରହିଥିଲା ୱେବ୍ ଚ୍ୟାନେଲ୍ ପୋର୍ଟାଲର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା। ମାନସଙ୍କୁ ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କରାଯାଇଥିଲା। ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସମର୍ଥକମାନେ ଏହି କାଣ୍ଡ ଭିଆଇ ଥିଲେ। ପରେ ମୃତଦେହକୁ କାର୍ରେ ନେଇ ନୟାଗଡ଼ରେ ଦରପୋଡା ଅବସ୍ଥାରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କୁ ବହୁ ଖୋଜାଖୋଜି ପରେ ଭଦ୍ରକରୁ ଗିରଫ କରାଯାଇଥିଲା। ସେ ବସ୍ରେ ପଶ୍ଚିମବଙ୍ଗକୁ ଚମ୍ପଟ ମାରୁଥିବା ବେଳେ ପୁଲିସ୍ ମାଡ଼ି ବସିଥିଲା। ଏବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଜେଲ୍ରେ ରହିଛନ୍ତି।
[caption id="attachment_686610" align="aligncenter" width="650"] ଗୋବିନ୍ଦ ସାହୁ[/caption]
ମମିତା ହତ୍ୟା ପରେ ହୋଇଥିଲା ମହାଭାରତ
ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ହେଉଛନ୍ତି ମମିତା ମେହେର ହତ୍ୟାକୁ ନେଇ ହୋଇଥିଲା ମହାଭାରତ! ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ମମିତା। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏତଲା ଗ୍ରହଣ କରୁନଥିଲା। ପରେ ପୁଲିସ୍ ଏଫ୍ଆଇଆର୍ ଗ୍ରହଣ କରି ଗୋବିନ୍ଦ ସାହୁକୁ ଥାନାକୁ ଆଣି ଜେରା କରିଥିଲା। ହେଲେ ରାତିରେ ପୁଲିସ୍କୁ ଚକ୍ମା ଦେଇ ଗୋବିନ୍ଦ ଥାନାରୁ ଫେରାର ହୋଇଯାଇଥିଲା। ତା’ପରେ ପୁଲିସ୍ ତାକୁ ଖୋଜିଥିଲା। ମାତ୍ର ପାଇନଥିଲେ। ପୁଲିସ୍ ସମାଲୋଚନାର ଶିକାର ହେବା ପରେ ଗୋବିନ୍ଦକୁ ଧରିବା ପାଇଁ ପୁରସ୍କାର ଘୋଷଣା କରିଥିଲା। ପୁରସ୍କାର ଘୋଷଣାର କେଇ ଘଣ୍ଟା ପରେ ଠାବ ହେଲା ଗୋବିନ୍ଦ। ତାକୁ ଗିରଫ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ କରିଥିଲା। ମମିତାଙ୍କୁ ଗୋବିନ୍ଦ ଅତି ନିର୍ଦ୍ଦୟ ଭାବେ ହତ୍ୟା କରି ମହାଲିଙ୍ଗ କଲେଜ ଖେଳ ପଡ଼ିଆରେ କାର୍ଡବୋର୍ଡରେ ପୋଡ଼ି ଦେଇଥିଲା। ତା’ପର ଦିନ ଦରପୋଡ଼ା ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲା। ଦୋଷ ସ୍ୱୀକାର କରିବା ପରେ ପୁଲିସ ଗୋବିନ୍ଦକୁ ଗିରଫ କରିଥିଲା। ପରେ ପୁଲିସ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମକୁ ମଧ୍ୟ ଗିରଫ କରିଥିଲା। ଉଭୟ କଣ୍ଟାବାଞ୍ଜି ଜେଲ୍ରେ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଆତ୍ମହତ୍ୟା କରିଥିଲା। ଅନ୍ୟପକ୍ଷରେ ଗୋବିନ୍ଦଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପାଖରୁ ମନ୍ତ୍ରୀ ପଦ ଚାଲି ଯାଇଥିଲା।
ହାତୀ ମାରି ପୋତି ଦେଇଥିଲେ
୨୦୨୨ରେ ହାତୀ ହୋଇଛନ୍ତି ଅସୁରକ୍ଷିତ। ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍ସନରେ ଶିକାରୀ ଗୁଳିରେ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା। ବନ ବିଭାଗ ହାତୀକୁ ଚିକିତ୍ସା କରିଥିଲା। ଆପ୍ରାଣ ଉଦ୍ୟମ ସତ୍ତ୍ୱେ ହାତୀର ଜୀବନ ବଞ୍ଚାଇ ପାରିନଥିଲେ ବନ ବିଭାଗ। ପୂର୍ବରୁ ସେହି ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା। ସେହିପାରି କେନ୍ଦୁଝର ଜିଲ୍ଲାରେ ଗୋଟିଏ ଗର୍ଭବତୀ ହାତୀର ମୃତ୍ୟୁ ଘଟିଥିଲା। ଶିକାରୀମାନେ ଗର୍ଭବତୀ ହାତୀକୁ ତୀର ମାଡ଼ କରିଥିଲେ। ତୀରଟି ହାତୀର ଶରୀରରେ ପଶି ଗର୍ଭସ୍ଥ ଛୁଆ ଦେହରେ ବାଜିଥିଲା। ଯାହାଫଳରେ ମାଆ ଓ ଗର୍ଭସ୍ଥ ଛୁଆର ମୃତ୍ୟୁ ଘଟିଥିଲା। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ହାତୀକୁ ମାରି ପୋଡ଼ି ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ପାଉଁଶ ଓ ଦେହାବଶେଷକୁ ନଦୀକୁ ଫିଙ୍ଗି ଦେଇଥିଲେ। ହାତୀ ପରେ ଶିମିଳିପାଳରୁ ମହାବଳ ବାଘ ଚମଡ଼ା ଧରା ପଡ଼ିଥିଲା। ବାଘଛାଲ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍।
ରାଗିଂ ଯନ୍ତ୍ରଣା ଭୋଗିଥିଲେ ଛାତ୍ରଛାତ୍ରୀ
ରାଗିଂକୁ ନେଇ ଚର୍ଚ୍ଚାରେ ରହିଥିଲା ଖଲ୍ଲିକୋଟ ଜୁନିୟର କଲେଜ। ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରିବା ମହଙ୍ଗା ପଡ଼ିଥିଲା ସିନିୟରଙ୍କୁ। ଏଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କଲେଜ କର୍ତ୍ତୃପକ୍ଷ। ଛାତ୍ରୀଙ୍କୁ ରାଗିଂ କରିବା ଅଭିଯୋଗରେ ୭ ଛାତ୍ରଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ ଆଉ ୧୦ ଛାତ୍ରଙ୍କୁ ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରିଥିଲେ କଲେଜ କର୍ତ୍ତୃପକ୍ଷ।
ଠିକ୍ ସେମିତି କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିବା ମହଙ୍ଗା ପଡ଼ିଥିଲା। ସେଥିପାଇଁ ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍ କରାଯାଇଥିଲା। ଏହାସହ ସମ୍ପୃକ୍ତ ଛାତ୍ରମାନଙ୍କୁ ଲାଇବ୍ରେରୀରୁ ବହି ମଧ୍ୟ ଦିଆଯିବନି ବୋଲି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।
ରକ୍ତ ରଞ୍ଜିତ ହୋଇଥିଲା ଜାଣ୍ଡୋଲ
ରକ୍ତ ରଞ୍ଜିତ ହୋଇଥିଲା ବରଗଡ଼ର ଜାଣ୍ଡୋଲ୍ ଗାଁର ଶେଷଦେବ ମେହରଙ୍କ ଘର। ଶେଷଦେବ ମେହେର, ତାଙ୍କ ପତ୍ନୀ କ୍ଷୀରେଶ୍ୱରୀ, ଝିଅ ଶିବାନୀଙ୍କ ଓ ଅରବିନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତଳ ମହଲାରେ ଝୁଲନ୍ତା ଅବସ୍ଥାରେ ଅରବିନ୍ଦ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପା ଶେଷଦେବଙ୍କ ମୃତଦେହ ମିଳିଥିବା ବେଳେ ଦ୍ୱିତୀୟ ମହଲାରେ ମାଆ ଓ ଝିଅଙ୍କ ମୃତଦେହ ପଡ଼ି ରହିଥିଲା। ଘର ଭିତରରେ ଗୋଟିଏ ରକ୍ତ ଭିଜା ହାତୁଡି ମିଳିଥିବା ବେଳେ ସ୍କୁଟରରେ ରକ୍ତ ଛିଟା ପଡ଼ିଥିଲା। ଏଥିରୁ ସନ୍ଦେହ କରାଯାଉଛି, ଅରବିନ୍ଦ ୩ ଜଣଙ୍କୁ ପ୍ରଥମେ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି। ପୁଲିସ୍ ମଧ୍ୟ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପଦାରେ ପଡ଼ିଥିଲା ଘରୋଇ କଳି
୨୨ରେ ଓଲିଉଡ୍ର ଚକ୍ଲେଟ୍ ହିରୋ ବାବୁଶାନ୍ ମହାନ୍ତିଙ୍କ ପରିବାର କଳି ପଦାରେ ପଡ଼ିଥିଲା। ବାବୁଶାନ୍ ଓ ପ୍ରକୃତି ମିଶ୍ର ଏକ କାର୍ରେ ବିମାନବନ୍ଦର ଯାଉଥିଲେ। ଉଭୟଙ୍କୁ ଅଟକାଇଥିଲେ ବାବୁଶାନ୍ଙ୍କ ପତ୍ନୀ ତୃପ୍ତି। ବାବୁଶାନ୍ ଓ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ ପ୍ରକୃତି। ଯାହାର ଭିଡିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏହି କଥା ଥାନାକୁ ଯାଇଥିଲା। ପରବର୍ତ୍ତୀ ସମୟରେ ମାମଲା ଥାନାରୁ ହାଇକୋର୍ଟକୁ ଯାଇଥିଲା। ବେଶ୍ କିଛି ଦିନ ଚର୍ଚ୍ଚାରେ ରହିଥିଲା ବାବୁଶାନ, ପ୍ରକୃତି ଓ ତୃପ୍ତିଙ୍କ କଳି।
ସ୍ତ୍ରୀର ଅଧିକାର ପାଇଁ ଲଢ଼େଇ
ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶ ପ୍ରେମ ପକ୍ଷୀଟି ପରି ଉଡିବୁଲୁଥିଲେ। ହେଲେ ହଠାତ୍ ଉଠିଲା ଉଭୟଙ୍କ ଭିତରେ ପାରିବାରିକ ଝଡ଼। ଆଉ ସେହି ଝଡ଼ର ଖିନ୍ଭିନ୍ ହୋଇଗଲା ଉଭୟଙ୍କ ଦୀର୍ଘ ଦିନ ଭଲ ପାଇବା। ବାହାଘର ଦିନ ପ୍ରତ୍ୟାକ୍ଷାନ କରିଥିଲେ ଡାକ୍ତର ସୁମିତ। ଆଉ ବଧୂ ବେଶରେ ତପସ୍ୱିନୀ ଦୀର୍ଘ ସମୟ ଧରି ଅପେକ୍ଷା କରି ଶେଷରେ ଡାକ୍ତର ସୁମିତଙ୍କ ଘରେ ପହଞ୍ଚିଥିଲେ। ମାତ୍ର ପରିବାର ଲୋକେ ଘରେ ପଶିବାକୁ ଅନୁମତି ଦେଇଥିଲେ। ବୋହୂର ଅଧିକାର ନେଇ ଡାକ୍ତର ସୁମିତଙ୍କ ଘର ଆଗରେ ତପସ୍ୱିନୀ ଧାରଣାରେ ବସିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ଥାନାରୁ କୋର୍ଟ ଓ କୋର୍ଟରୁ ହାଇକୋର୍ଟକୁ ଯାଇଥିଲା। ବୁଢ଼ୀଆଣି ଜାଲରେ ଏବେ ମଧ୍ୟ ସେହି ମାମଲା ଛନ୍ଦି ହୋଇପଡ଼ିଛି।
ବୋହୂର ମାନ୍ୟତା ପାଇଁ ସଂଘର୍ଷ
୨୦୨୨ରେ ଚର୍ଚ୍ଚାରେ ଅଛନ୍ତି ଦୀପିକା। ବୋହୂର ମାନ୍ୟତା ପାଇଁ ସେ ନିଜ ଶାଶୁ ଘର ବ୍ରହ୍ମପୁର ଦେଶୀବେହେରା ସାହିରେ ଧାରଣା ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ। ସେପଟେ ଏହି ମାମଲା କୋର୍ଟକୁ ମଧ୍ୟ ଚାଲିଛି। ବର୍ତ୍ତମାନ କୋର୍ଟରେ ମାମଲା ବିଚାରାଧୀନ ରହିଛି।
ଛାତି ଥରା ଦୁର୍ଘଟଣା
ଉମରକୋଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଛତିଶଗଡ଼ରେ ଏକ ବିବାହ ଭୋଜିରେ ଯୋଗଦେଇ ଉମରକୋଟ ଫେରୁଥିଲେ ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ବିଶ୍ୱଜିତ ଅଧିକାରୀ ଓ ହାଜାରୀ ଢ଼ାଲି। ହେଲେ କାର୍ଟି ରାସ୍ତା ପାର୍ଶ୍ୱରେ ଥିବା କୂଅରେ ଗଳି ପଡ଼ିଥିଲା କାର୍। ଆଉ ଚାଲି ଯାଇଥିଲା ୪ ଜଣଙ୍କ ଜୀବ।
ଅନ୍ଧାର ରାତିରେ ଗଛରେ ପିଟି ହେଲା କାର୍
ଡାବୁଗାଁ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଅନ୍ଧାର ରାତିରେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା ଦ୍ରୁତଗାମୀ କାର୍। ଘଟଣାସ୍ଥଳରେ ଚାଲି ଯାଇଥିଲା ମହମ୍ମଦ ସଦାମ, ରବିନସନ୍ ହିଆଲ୍, ସାବନ ବେନିଆ ଓ ଅନସାର ଖାନଙ୍କ ଜୀବନ। ଏପରି ଛାତିଥରା ଦୁର୍ଘଟଣାରେ ସ୍ତବ୍ଧ ହୋଇଯାଇଥିଲା ନବରଙ୍ଗପୁର।
ଗୋଟିଏ ଡାଳରେ ଝୁଲି ପଡ଼ିଲେ ୩ ସାଙ୍ଗ
ଉମରକୋଟ ତୋହରା ଗାଁରେ ଘଟିଥିଲା ଅଜବ ଘଟଣା। ଗୋଟିଏ ଗଛରେ ଗୋଟିଏ ଡାଳରେ ୩ ସାଙ୍ଗ ଝୁଲି ପଡ଼ିଥିଲେ। ସେମାନେ କାହିଁ ଝୁଲି ପଡ଼ିଥିଲେ? ଆଜି ପର୍ଯ୍ୟନ୍ତ ସେହି ଘଟଣା ଉପରୁ ପର୍ଦ୍ଦା ହଟି ପାରିନାହିଁ।
ଛତିଶଗଡ଼ରେ ମିଶିବାକୁ ଧମକ
ନବରଙ୍ଗୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ବେହେରାମୁଣ୍ଡା ପଞ୍ଚାୟତର ଜାମଲିପଡ଼ା ଗାଁର ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ। ଏହାର ବିରୋଧରେ ତାତି ଥିଲେ ଗାଁର ଲୋକମାନେ। ଗାଁର ସମସ୍ତେ ସ୍ଥାନୀୟ ସରପଞ୍ଚଙ୍କୁ ନିଜର ରାସନକାର୍ଡ ଫେରାଇଥିଲେ। ଛତିଶଗଡ଼ ରାଜ୍ୟରେ ମିଶିବେ ବୋଲି ଧମକ ଦେଇଥିଲେ। ଏହା ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଥିଲେ ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନ। ଗାଁକୁ ବୁଝାଇଥିଲେ। ମୌଳିକ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ନିଜର ରାସନ କାର୍ଡ ନେଇଥିଲେ।
ଅଜଣା ରୋଗରେ ଝଡ଼ି ପଡ଼ିଲେ ପରିବାରର ୪
ଅଜଣା ରୋଗରେ ଗୋଟିଏ ପରିବାରରେ ୪ ମୃତଙ୍କ ମୃତ୍ୟୁ ଘଟିଛି। ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ଗାଁ ଭୋଇପାରା ସାହିରେ ଘଟିଛି ଏପରି ହୃଦୟବିଦାରକ ଘଟଣା। ଅଜଣା ରୋଗରେ ସଦାରାମ ପରାଭୋଇ, ଦିମତି ପରାଭୋଇ, ଲକ୍ଷ୍ମୀଧର ପରାଭୋଇ ଓ କୈବଲ୍ୟ ପରାଭୋଇଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପ୍ରକାଶ ପାଇବା ପରେ ମେଡ଼ିକାଲ୍ ଟିମ୍ ଗାଁରେ ଡେରା ପକାଇଥିଲା। ମାସେ ଧରି ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲା।
ଢିଙ୍କିଆ ପାଲଟିଲା ରଣକ୍ଷେତ୍ର
ରଣକ୍ଷେତ୍ର ପାଲଟିଥିଲା ଢିଙ୍କିଆ। JSW ପ୍ରକାଳ୍ପ ପାଇଁ ମାପଚୁପ ଓ ଉଚ୍ଛେଦ ସମୟରେ ପୁଲିସ୍ ଓ ଗାଁ ଲୋକେ ମୁହାଁମୁହିଁ ହୋଇଥିଲେ। ପୁଲିସ୍ର ଆକ୍ରମଣରେ ୨୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ସେପଟେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୧୫ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ଗାଁରୁ ଫେରାର ହୋଇଯାଇଛନ୍ତି।
କାହିଁକି ଜୀବନ ହାରିଲେ କ୍ରୀଡ଼ା ଶିକ୍ଷୟିତ୍ରୀ
ଟିକ୍ଟକ୍ ଗର୍ଲ ଭାବେ ପରିଚିତ ଜାମରୁଣ୍ଡା କନ୍ୟାଶ୍ରମର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ କାହିଁକି ଜୀବନ ହାରିଲେ? ଆଜି ପର୍ଯ୍ୟନ୍ତ ସେହି ଘଟଣାର ପର୍ଦ୍ଦାଫାସ ହୋଇପାରି ନାହିଁ। ତନୁଜା ନିଜ ଘରେ ଝୁଲି ପଡ଼ିଥିଲେ।
ଜହ୍ଲାଦ ପ୍ରେମିକ
ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଆଉ ଏକ ବର୍ବରକାଣ୍ଡ ଓଡ଼ିଶାରେ ଘଟିଛି। ପାର୍ଟନର ସହ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସୈତାନ ପ୍ରେମିକ ଘଟାଇଛି ଜଘନ୍ୟକାଣ୍ଡ। ପ୍ରଥମେ ନିଜ ପ୍ରେମିକା ତନୁଜାଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା କରିଥିଲା ସଚିନ ଅଗ୍ରୱାଲ୍। ପରେ ମୃତଦେହକୁ ଜଙ୍ଗଲରେ ଦରପୋଡ଼ା ଅବସ୍ଥାରେ ଫିଙ୍ଗି ଦେଇଥିଲା। ପୁଲିସ୍ ଏହି ଘଟଣାରେ ପ୍ରେମିକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି।
କୁକୁର ରକ୍ତ ପିଇଦେଲେ ପିଲା
କାଳିଶି ଲାଗିବାର ଅଭିନୟ କରୁକରୁ ୫ ଜଣ ପିଲା ଗୋଟିଏ ଛୋଟ କୁକୁର ବାଳି ଦେଇ ତା’ ରକ୍ତ ପିଇ ଦେଇଥିଲେ। ରକ୍ତ ପିଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ବଲାଙ୍ଗିର ଭିମଭୋଇ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସଦର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିଲା।
ଦାରିଦ୍ର୍ୟରୁ ଯାଇଥିଲା ଜୀବନ
ଦାରିଦ୍ର୍ୟତାରୁ ପୁଇନ୍ତଳା ବ୍ଲକ ବେଲ୍ବାଲି ଗାଁର ହେମନ୍ତ ବାଗ ଟ୍ରେନ ଲାଇନ୍ରେ ଆତ୍ମହତ୍ୟା କରିଥିଲେ। ପୁଅ ମୃତଦେହ ସତ୍କାର କରିବାର ଦିନକ ପରେ ବାପା ସୁରସିଂ ବାଗ ମଧ୍ୟ ଟ୍ରେନ୍ ଲାଇନ୍ରେ ଶୋଇ ଯାଇଥିଲେ। ତାଙ୍କ ଉପରେ ମାଡ଼ି ଯାଇଥିଲା ଲୌହ ଦାନବ। ଦୁଇ ଦିନରେ ବାପା ଓ ପୁଅଙ୍କ ମୃତ୍ୟୁରେ ଭିଜିଥିଲା ପୂରା ଗାଁ।
ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର ଓ ଧୂନି ଘର
ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଗାଦିରେ ଅଲେଖ ମହିମା ପୀଠ ପରିସରରେ ମୁଖ୍ୟ ଆରାଧନା ସ୍ଥଳୀ ହେଉଛି ଗାଦୀ ମନ୍ଦିର ତଥା ଶୂନ୍ୟ ମନ୍ଦିର। ଏହି ମନ୍ଦିର ବେଢାକୁ ଲାଗି ୨୮ ଡିସିମିଲ୍ ଜାଗାରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ୧୯୩୯ ମସିହାରେ ତିଆରି କରାଯାଇଥିଲା ଧୂନି ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଅହ୍ମଣିଆ ମଣ୍ଡପ ଓ ଛୋଟ ଛୋଟ ମହିମା ଟୁଙ୍ଗି। ଯାହାକୁ ବିରୋଧ କରି ୧୯୪୫ ମସିହାରେ ବକଳଧାରୀ ମହିମା ସମାଜ ପକ୍ଷରୁ ମହିମା ସନ୍ନ୍ୟାସୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନେକ ବାଦ ବିବାଦ ଭିତରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପ୍ରଶାସନ ପକ୍ଷରୁ ଆପୋଷ ବୁଝାମଣା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ। ହେଲେ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ବିବାଦୀୟ ସ୍ଥାନରୁ ଉଚ୍ଛେଦ କରିଛି ପ୍ରଶାସନ। ବୁଲିଥିଲା ବୁଲଡୋଜର। ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର ଓ ଧୂନି ଘର।
[caption id="attachment_793606" align="aligncenter" width="640"] ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ[/caption]
ବଡ଼ଦାଣ୍ଡରେ ଦେଢ଼ କିମି ଚାଲିଲେ ରାଷ୍ଟ୍ରପତି
ଗୋଟିଏ ବର୍ଷରେ ଶ୍ରୀକ୍ଷେତ୍ର ଆସିଥିଲେ ଦୁଇ ଜଣ ମହାମହିମ ରାଷ୍ଟ୍ରପତି। ବର୍ଷ ପ୍ରାରମ୍ଭରେ ତତ୍କାଳିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସିଥିବା ବେଳେ ବର୍ଷ ଶେଷ ଭାଗରେ ଆସିଥିଲେ ଓଡ଼ିଆ ଝିଅ ତଥା ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ଦାଣ୍ଡରେ ପହଞ୍ଚିବା ପରେ ମେଡିକାଲ ଛକ ଠାରୁ ଦୁଇ ହାତକୁ ଟେକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦେଢ଼ କିଲୋମିଟର ଚାଲିଚାଲି ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଖୁବ୍ ଚର୍ଚ୍ଚାରେ ଥିଲା।
ଯୁବକ ଭାଙ୍ଗିଥିଲେ ଶ୍ରୀମନ୍ଦିରର ୪୩ ରୋଷ ଚୁଲା
ଏପ୍ରିଲ ୩ ତାରିଖ ରାତିରେ ଜଣେ ଯୁବକ ଶ୍ରୀମନ୍ଦିର ରୋଷ ଘରେ ପ୍ରବେଶ କରି ୪୩ ରୋଷ ଚୁଲି ଶାବଳ, ଲୁହା ରଡ୍ରେ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଘଟଣାର ତଦନ୍ତ ପାଇଁ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଶ୍ରୀମନ୍ଦିର ଯାଇ ତନାଘନା କରିଥିଲେ। ପରେ ଦୁର୍ବୃତ୍ତ ଜଣକ ଧରାପଡ଼ିଥିଲା।
ଭକ୍ତଙ୍କ ଗହଣରେ ରଥଯାତ୍ରା
୨ ବର୍ଷ ଧରି ଲାଗିଥିବା କରୋନା କଟକଣା ଉଠିବା ପରେ ୨୦୨୨ରେ ଭକ୍ତଙ୍କ ଗହଣରେ ପୁଣି ହୋଇଥିଲା ରଥଯାତ୍ରା। ଏହାକୁ ନେଇ ଭକ୍ତ ଆତ୍ମହରା ହୋଇପଡ଼ିଥିଲା ଓ ଚଳିତବର୍ଷ ରଥଯାତ୍ରାରେ ପ୍ରବଳ ଭିଡ଼ ହୋଇଥିଲା।
ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ଉଡ଼ାଇ କଲେ ଭିଡିଓ, ୟୁଟ୍ୟୁବ୍ରେ ଛାଡ଼ି କଲେ ଭାଇରାଲ
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତର ଓ ନୀଳଚକ୍ରରେ ଧ୍ୱଜା ବନ୍ଧା ହେବା ସମୟର ଭିଡିଓ ଉଠାଇ ୟୁଟ୍ୟୁବ୍ରେ ଛାଡ଼ିବା ପରେ ଆଲୋଚନାକୁ ଆସିଥିଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଅନିମେଶ ଚକ୍ରବର୍ତ୍ତୀ। ଯାହା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ପୁଲିସ ଏହି ଘଟଣା ନେଇ ମାମଲା କରିଥିଲେ ହେଁ ନିଜ ଦୋଷ ଲୁଚାଇବା ନିମନ୍ତେ ଶେଷରେ ଚୁପ୍ ବସି ଯାଇଥିଲା। ସେହିପରି ଏହି ଘଟଣା ପୂର୍ବରୁ ସୋଶାଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଓ ଫଟୋ ଛାଡ଼ି ଆଲୋଚନାକୁ ଆସିଥିଲେ ଜଣେ ବାଂଲାଦେଶୀ। ଏହି ଫଟୋରେ ମହାପ୍ରଭୁଙ୍କ ସକାଳ ମଇଲମ ଓ ଅବକାଶ ନୀତିର ଭିଡିଓ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଓ ଫଟୋକୁ ନେଇ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ହବିଷ୍ୟାଳିଙ୍କ ନବୀନ ବନ୍ଦନା
କରୋନା କଟକଣା ଯୋଗୁ ଦୁଇବର୍ଷ ଧରି ପୁରୀରେ ହବିଷ ବ୍ରତ ପାଳନ ନିମନ୍ତେ ସରକାରୀସ୍ତରରେ ବନ୍ଦ ଥିବା ପଦକ୍ଷେପ ଚଳିତ ବର୍ଷ ଖୋଲି ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ପୁରୀର ୫ ସ୍ଥାନରେ ହବିଷ୍ୟାଳିଙ୍କ ମାଗଣା ରହଣି ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ହବିଷ୍ୟାଳି ଶିବିରରେ ସରକାରୀ ଅଧିକାରୀ ଓ ସହାୟକଙ୍କ ଉପସ୍ଥିତିରେ ପ୍ରାୟୋଜିତ ଶୈଳୀରେ ହବିଷ୍ୟାଳିମାନେ ନବୀନ ବନ୍ଦନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହବିଷ୍ୟାଳିମାନେ ଭଗବାନ ଭାବେ ପୂଜା କରି ଜଣାଣ ବୋଲିବା ଆଲୋଚନାର ବିଷୟ ହୋଇଥିଲା।
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ତଳକୁ ଡେଇଁଲେ କିନ୍ନର
ଚଳିତ ବର୍ଷ ମଧ୍ୟ ଭାଗରେ ଏହି ଘଟଣା ବେଶ ଚର୍ଚ୍ଚାରେ ଥିଲା। ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଳଣ ଗଡ଼ଇଟାପୋଖରୀର କିନ୍ନର ଜଣକ ଶ୍ରୀମନ୍ଦିର ଗୁମୁଟକୁ ଚଢ଼ିବା ଓ ଏହା ଉପରୁ ଡେଇଁ ପ୍ରାଣ ହରାଇବା ପରେ ପୁଣି ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
କାଳିଆ ପଢ଼ିଆରୀଙ୍କୁ ହତ୍ୟା
ଶ୍ରୀମନ୍ଦିର ସେବାୟତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହୋଇଯିବା ପରେ ପ୍ରତିଶୋଧ ନିଆଁ ଜଳିଥିଲା ଗୁନଙ୍କ ପରିବାର ଭିତରେ। ଶେଷରେ ଗୁନଙ୍କ ବଡ଼ଭାଇ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ତଳୁଚ୍ଛ ଆଶିଷ ମହାପାତ୍ର ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ ଶ୍ରୀମନ୍ଦିର ସେବାୟତ କାଳିଆ ପଢ଼ିଆରୀଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ। ଗତ ମାର୍ଚ୍ଚ ୧୬ ତାରିଖ ଦିନ ବାରବାଟି ଜାଗାରେ କାଳିଆଙ୍କୁ ହତ୍ୟା କରାଯାଇଥିଲା।
ସହଜ ହେବ ଜଗନ୍ନାଥଙ୍କ ଜମି ମାମଲା ଫଇସଲା
ମହାପ୍ରଭୁଙ୍କ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍ ୧୯୫୪ରେ ସଂଶୋଧ ଲାଗୁ କରିବାକୁ ସରକାର ଅଧ୍ୟାଦେଶ ଆଣିବେ। ଏହି ଅଧ୍ୟାଦେଶକୁ ଜାନୁଆରୀ ୫ ତାରିଖରେ ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇଥିଲା। ହେଲେ ଏହା ଏପର୍ଯ୍ୟନ୍ତ ସଂଶୋଧ ହୋଇପାରିନି।
[caption id="attachment_790860" align="aligncenter" width="650"] ଇଡକଲ୍ ଡେପୁଟି ମ୍ୟାନେଜରଙ୍କର ଜୟଦେବ ବିହାରରେ ଥିବା ୪ ମହଲା ଘର[/caption]
ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ, ୪ ଜଣଙ୍କ ଘରୁ ନଗଦ ୧ କୋଟିରୁ ଅଧିକ ଟଙ୍କା ଲେଖାଏଁ ଜବତ
ଚଳିତ ବର୍ଷ ଭିଜିଲାନ୍ସ ଜାଲରେ ପଡିଛନ୍ତି ବହୁ ସରକାରୀ ଅଧିକାରୀ। ମୋଟ୍ ୨୮୫ଟି ଫୌଜଦାରୀ ମାମଲା ହୋଇଥିବାବେଳେ ସେଥିମଧ୍ୟରୁ ୨ଶହରୁ ଅଧିକ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି। ଏହାସହ ୧୭୪ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ତଭୂତ ସଂପତ୍ତି ଠାବ ହୋଇଛି। ଲାଂଚ କାରବାରରେ ୧୨୯ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୬ ଜଣ ସରକାରୀ ଅଧିକାରୀ। ସେମାନଙ୍କଠାରୁ ୩୬ ଲକ୍ଷ ୯୪ ହଜାର ଟଙ୍କା ଜବତ କରାଯାଇଛି। ଏହାସହ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଚଳିତ ବର୍ଷ ୪ଟି ମାମଲାରେ ସର୍ବାଧିକ ନଗଦ ଟଙ୍କା ଜବତ କରାଯାଇଛି।
ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍କଲ୍ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ଡିସେମ୍ବର ୨୧ ତାରିଖରେ ମିଳିଥିଲା ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଗତ ଫେବ୍ରୁଆରୀ ୧୬ ତାରିଖରେ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ) ସୁକାନ୍ତ ଜେନାଙ୍କ ଘରୁ ନଗଦ ୧ କୋଟି ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ମାର୍ଚ୍ଚ ୨୫ ତାରିଖରେ ମାଲକାନଗିରି ଆର୍ଡବ୍ଲ୍ୟୁ ଡିଭିଜନର ଏସ୍ଇ ଆଶିଷ କୁମାର ଦାସଙ୍କ ଘରୁ ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଭିଜିଲାନ୍ସ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।