Advertisment

ସମସ୍ୟାର ସମାଧାନ ଜରୁରୀ, କିଏ ଦାୟୀ ପ୍ରସଙ୍ଗ ନୁହେଁ

ଅଧ୍ୟାପକ ରବିନାରାୟଣ ଶତପଥୀ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ବୋଲି ଆମେ ପ୍ରାୟତଃ ସମସ୍ତେ ଜାଣିଛେ। ମାତ୍ର ଅନ୍ତର୍ଜାତୀୟ ପୁରୁଷ ଦିବସଟିଏ ଯେ ପୁରୁଷମାନଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ; ତାହା ହୁଏତ ସମସ୍ତଙ୍କୁ ଜଣାନଥିବ। ପରିବାର, ସମାଜ ଏବଂ ରାଷ୍ଟ୍ର ପ୍ରତି ପୁରୁଷମାନଙ୍କ ସକାରାତ୍ମକ ଗତିବିଧି, ସେମାନଙ୍କ ନୈତିକ ଅଧିକାର ସାବ୍ୟସ୍ତ କରିବାକୁ ସ୍ୱରଟିଏ ଉଠାଇବା ଏବଂ ସେମାନଙ୍କୁ ନିଜ ପରିବାର, ପରିବାର ସଦସ୍ୟଙ୍କ ପ୍ରତି ଅଧିକ ଯତ୍ନବାନ ଓ କ୍ରିୟାଶୀଳ ହେବାକୁ ପ୍ରେରଣା ଯୋଗାଇବା […]

author-image
Jitendra Garnayak
ସମସ୍ୟାର ସମାଧାନ ଜରୁରୀ, କିଏ ଦାୟୀ ପ୍ରସଙ୍ଗ ନୁହେଁ

Men

  • ଅଧ୍ୟାପକ ରବିନାରାୟଣ ଶତପଥୀ

ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ବୋଲି ଆମେ ପ୍ରାୟତଃ ସମସ୍ତେ ଜାଣିଛେ। ମାତ୍ର ଅନ୍ତର୍ଜାତୀୟ ପୁରୁଷ ଦିବସଟିଏ ଯେ ପୁରୁଷମାନଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ; ତାହା ହୁଏତ ସମସ୍ତଙ୍କୁ ଜଣାନଥିବ। ପରିବାର, ସମାଜ ଏବଂ ରାଷ୍ଟ୍ର ପ୍ରତି ପୁରୁଷମାନଙ୍କ ସକାରାତ୍ମକ ଗତିବିଧି, ସେମାନଙ୍କ ନୈତିକ ଅଧିକାର ସାବ୍ୟସ୍ତ କରିବାକୁ ସ୍ୱରଟିଏ ଉଠାଇବା ଏବଂ ସେମାନଙ୍କୁ ନିଜ ପରିବାର, ପରିବାର ସଦସ୍ୟଙ୍କ ପ୍ରତି ଅଧିକ ଯତ୍ନବାନ ଓ କ୍ରିୟାଶୀଳ ହେବାକୁ ପ୍ରେରଣା ଯୋଗାଇବା ପାଇଁ ଏହି ମହାନ ଦିନଟି ଉଦ୍ଦିଷ୍ଟ। ଏବେ ନିଶ୍ଚୟ ଆପଣମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ କେବେ ଏହା ପାଳନ କରାଯାଏ;  କେଉଁ ଲକ୍ଷ୍ୟ ନେଇ କେଉଁମାନେ ଏହାର ପରିକଳ୍ପନା କରିଛନ୍ତି ଇତ୍ୟାଦି ଇତ୍ୟାଦି...।

Advertisment

୧୯୯୨ରେ ଥୋମାସ ଓଏଷ୍ଟର୍‌ ଏହାର ପରିକଳ୍ପନା କରିଥିଲେ। ମାତ୍ର ଆଧୁନିକ ବିଶ୍ୱରେ ୧୯୯୯ ମସିହାରେ ଏହା ଫଳବତୀ ହୋଇଥିଲା। ସେହିବର୍ଷ ନଭେମ୍ୱର ୧୯ରେ ତ୍ରିନିଦାଦ୍‌ ଓ ଟବାଗୋସ୍ଥିତ ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଜଣେ ଇତିହାସ ଅଧ୍ୟାପକ ଡଃ ଜିରୋମ୍ ତିଲକ ସିଂହ ଅନ୍ତର୍ଜାତୀୟ ପୁରୁଷ ଦିବସର ବିଧିବଦ୍ଧ ପ୍ରତିଷ୍ଠା କରିଥିଲେ। ସେ ତାଙ୍କ ପିତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହି ଅଭିନବ ପ୍ରୟାସ କରିଥିଲେ। ଯଦିଓ ଏହା ପୂର୍ବରୁ ବିଶ୍ୱର ଅନେକ ରାଷ୍ଟ୍ରରେ ପୁରୁଷମାନଙ୍କ ପାଇଁ ଦିନଟିଏ ନିମନ୍ତେ ଦାବି ଓ ସାଂଗଠନିକ ଆଲୋଚନା- ପର୍ଯ୍ୟାଲୋଚନା ହେଉଥିଲା, ମାତ୍ର ତାହା ସେତେବେଳେ ଦାନାବାନ୍ଧିବାରେ ଅସଫଳ ହୋଇଥିଲା। ଖାଲି ସେତିକି ନୁହେଁ, ଫେବ୍ରୁଆରୀ ୨୩କୁ ମଧ୍ୟ କେତେକ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବରେ ପାଳନ କରୁଥିଲେ। ସମୟ କ୍ରମେ ତାହା ହଜିହଜି ଗଲା ଏବଂ ଜିରୋମ୍‌ଙ୍କ ନେତୃତ୍ୱରେ ୧୯ ନଭେମ୍ୱର ଅନ୍ତର୍ଜାତୀୟ ପୁରୁଷ ଦିବସର ମାନ୍ୟତା ପାଇଲା। ଆମ ଦେଶରେ ଏହା ୨୦୦୭ ମସିହାରୁ ପାଳନ କରାଯାଇ ଆସୁଛି। ସମାଜ ସଂଗଠକ ଊମା ଚଲ୍ଲା ଭାରତରେ ଏହାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରିଥିଲେ।

ଅନ୍ତର୍ଜାତୀୟ ପୁରୁଷ ଦିବସର ମୂଳଲକ୍ଷ୍ୟ ପୁରୁଷମାନଙ୍କ ଅଧିକାରର ସୁରକ୍ଷା ଓ କର୍ତ୍ତବ୍ୟ ପ୍ରତି ସଚେତନତା ସୃଷ୍ଟି। ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଓ ସେଗୁଡ଼ିକର ସମୟୋପଯୋଗୀ ସମାଧାନ ବାଟ ବାହାର କରିବା। ମୁଖ୍ୟତଃ ରାଷ୍ଟ୍ର, ସଂଗଠନ, ଗୋଷ୍ଠୀ, ପରିବାର, ବିବାହ ଏବଂ ଶିଶୁଯତ୍ନ ପରି ଛଅଟି ଆଧାରଶିଳାରେ ଏହା ଦଣ୍ଡାୟମାନ। ପରିବାର ଓ ପରିବାର ପ୍ରତି ସେମାନଙ୍କ କର୍ତ୍ତବ୍ୟ ଓ ପରିବାର ତଥା ପରିବାର ସଦସ୍ୟଙ୍କ ଆଡୁ ସେମାନଙ୍କ ପ୍ରତି କର୍ତ୍ତବ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସର ଅନୁଚିନ୍ତା। କାରଣ ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ।

Advertisment

ସମାଜ ରଥର ପୁରୁଷ ଓ ନାରୀ ଦୁଇଟି ଚକ। ଉଭୟଙ୍କର ଗତି ପରିବାର, ସମାଜ ଓ ରାଷ୍ଟ୍ରର ପ୍ରଗତି ପାଇଁ ଜରୁରୀ। ମାତ୍ର କେତେକ କ୍ଷେତ୍ରରେ ସାଂସାରିକ ଜଟିଳତା (ଘରୋଇ ହିଂସା, ବୁଝାମଣାର ଅଭାବ କହିଲେ ଅତ୍ୟୁକ୍ତି ହେବ ନାହିଁ), ଆଇନଗତ ବାଧକ, ବ୍ୟକ୍ତିଗତ ଆଚାର ବ୍ୟବହାର ଏବଂ ସର୍ବୋପରି କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠୀର ଅନୈତିକତା କେତେକ କ୍ଷେତ୍ରରେ ପ୍ରଗତିର ରଥକୁ ଗତିଶୀଳ କରାଇବାରେ ବାଧକ ହେଉଛି। ବେଳେବେଳେ ଉଭୟ ଚକ ସମାନ୍ତରାଳ ସତ୍ତ୍ୱ ସମୟ ଚକ୍ରରେ ପରସ୍ପର ଗତିର ବିରୋଧାଚରଣ କରୁଛନ୍ତି। ଏହା ନା କେବଳ ସେମାନଙ୍କ ପାଇଁ ଅବନତିର କାରଣ ହେଉଛି, ବରଂ ସମାଜକୁ କ୍ରିୟାଶୀଳ କରାଇବାରେ ଏବଂ ପରମାତ୍ମାଙ୍କ ସୃଷ୍ଟିକୁ ସ୍ୱୟଂସମ୍ପୂର୍ଣ୍ଣ କରିବାରେ ଅନ୍ତରାୟ ହେଉଛି।

ଅନୁସନ୍ଧାନରୁ ଜଣାଯାଇଛି ଯେ ପ୍ରତି ତିନି ଜଣ ପୁରୁଷରେ ଜଣେ ଏବେ ଘରୋଇ ହିଂସାର ଶିକାର। ମହିଳାମାନେ ଯେ ଘରୋଇ ହିଂସାର ଶିକାର ନୁହନ୍ତି ତାହା ନୁହେଁ, ବଡ଼କଥା ହେଲା ହିଂସାର ବିଲୋପ ଜରୁରୀ। ଆହୁରି ମଧ୍ୟ ଏଥି ପାଇଁ କେବଳ ଯେ ନାରୀ ଦାୟୀ ବା କେବଳ ପୁରୁଷ ତାହା ଆଲୋଚନାର ପ୍ରସଙ୍ଗ ନୁହେଁ; କଥା ହେଉଛି ସମସ୍ୟାର ସମାଧାନ ଜରୁରୀ। ଘା’ର ଆରୋଗ୍ୟ ଜରୁରୀ। ‘କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର’ ଉକ୍ତିକୁ ପୋଥିରେ ନରଖି କାର୍ଯ୍ୟରେ ପରିଣତ କରିବାକୁ ସମସ୍ତେ ଆଗଭର ହେବା ଜରୁରୀ। ସ୍ନେହ, ପ୍ରେମ ଓ ଭଲ ପାଇବାର ବାର୍ତ୍ତା ସମାଜରେ ପ୍ରସରିବା ଜରୁରୀ। ଏଥିପାଇଁ ବ୍ୟକ୍ତିରୁ ସଚେତନତା ଆରମ୍ଭ ହେବା ଆବଶ୍ୟକ। ପୁରୁଷ ଦିବସରେ ଏହା ହିଁ ହେଉ ଆମ ସଭିଙ୍କର ଅନୁଚିନ୍ତା। ଏହା ହିଁ ହେଉ ସନ୍ତୁଳିତ ସମାଜର ଆହ୍ୱାନ। ଏହା ହିଁ ହେଉ ଗତିଶୀଳତାର ଅନ୍ୱେଷଣ ଓ ପ୍ରୟାସ। ଫଳରେ ହସିବ ପରିବାର, ଗତିଶୀଳ ହେବ ଦୁନିଆର ପ୍ରଗତି ଆଉ ପତ୍ରେ ପତ୍ରେ ଛତ୍ରେ ଛତ୍ରେ ଅନୁରଣିତ ହେବ ଶାଶ୍ୱତ ପ୍ରେମର ମନ୍ଦାକିନୀ।

ମୋବାଇଲ‌୍‍-୯୯୩୭୯୪୮୯୭୮