/odisha-reporter/media/post_attachments/uploads/2015/08/vlcsnap-2015-08-06-14h57m13s82.png)
kendujar
(ଜୟନ୍ତ ସେଠ୍): ବଣ ପାହାଡ ଘେରା କେନ୍ଦୁଝର। ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା। ଯୁଆଡେ ଦେଖିବେ କେନ୍ଦୁଝର ଜିଲ୍ଲାରେ ଖାଲି ପାହାଡ ଆଉ ଘଞ୍ଚ ବନାନୀ। ଖାଲି ସେତିକି ନୁହେଁ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ସାଳନ୍ଦୀ ଓ ବୈତରଣୀ ନଦୀ ଶଯ୍ୟାରେ ଅଛି ଅନେକ ଜଳପ୍ରପାତ ଏବଂ ଝରଣା। କେନ୍ଦୁଝର ଜିଲ୍ଲାର କୌଣସି ଅଞ୍ଚଳକୁ ଗଲେ ଆପଣ ସବୁଜ ପୃଥିବୀର ଏକ ନୂଆ ରୂପକୁ ଦେଖି ଖୁସି ହେବେ। ଏଠାରେ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ସମ୍ପର୍କରେ ବ୍ୟାସଦେବ ରଚିତ ମୂଳ ସଂସ୍କୃତ ମହାଭାରତରେ ବର୍ଣ୍ଣନା ରହିଛି।
କେନ୍ଦୁଝର ସହରର ଏକ ମୁଖ୍ୟ ଆକର୍ଷଣ ଏହାର ରାଜବାଟୀ। ରାଜମହଲ ଏବଂ ଏହା ପାଖରେ ଥିବା ପ୍ରାଚୀନ ପୁଷ୍କରିଣୀ ଅନେକ ଐତିହାସିକ ଘଟଣାର ମୂକ ସାକ୍ଷୀ। ଏଠାରେ ଶାସନ କରୁଥିବା ଭଞ୍ଜ ବଂଶୀୟ ରାଜମାନେ ଯେପରି ଥିଲେ ପରାକ୍ରମୀ ସେହିପରି ଅତ୍ୟାଚାରୀ। ଏହିଠାରେ ହିଁ ଦେୱାନ ଭାବେ କାର୍ଯ୍ୟ କରୁଥିଲେ ବ୍ୟାସ କବି ଫକୀର ମୋହନ ସେନାପତି। ଆଉ କେନ୍ଦୁଝରର ବହୁ ଚର୍ଚ୍ଚିତ ପ୍ରଜାମେଳି ସମ୍ପର୍କରେ ଓଡ଼ିଶାର ଇତିହାସ ଅନେକ କଥା କୁହେ। କେନ୍ଦୁଝରର ଭୂୟାଁ ସମ୍ପ୍ରଦାୟର ଆଦିବାସୀ ଯୁବକ ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା ପ୍ରଜାମେଳି। ଧରଣୀଧର ରାଜପରିବାରର ଅତ୍ୟାଚର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଆପଣଙ୍କମାନଙ୍କର ମନେ ଥିବ ଫକୀର ମୋହନଙ୍କ କୁଟବୁଦ୍ଧିରେ ପଠାଇଥିବା ସେହି ଐତିହାସିକ ଚିଠିର କିଛି ଅଂଶ:- ଭୋଳାନାଥ ଖମାରିଆ ଜାଣିବୁ ଅତିଶୀଘ୍ର ଶହେ ପାନ, ଦୁଇ ଶହ ଗୁଆ ପଠେଇବୁ। ସେହି ଚିଠିକୁ କେନ୍ଦୁଝରର ପ୍ରଜାମେଳି ସମୟରେ ଲେଖିଥିଲେ ବ୍ୟାସକବି।
କେନ୍ଦୁଝର ସହର ଭିତରେ ବୁଲୁ ବୁଲୁ ଆପଣଙ୍କ ଆଖିରେ ପଡିବ ଏକ ଆଦିବାସୀ ହାଟ। ଏଠାରେ ସ୍ଥାନୀୟ ଆଦିବାସୀ ମହିଳାମାନେ ବିକ୍ରି କରନ୍ତି ବିଭିନ୍ନ ବନଜାତ ଦ୍ରବ୍ୟ। ବିଭିନ୍ନ ପ୍ରକାରର ଜଂଗଲି ଛତୁ,ପନିପରିବା,କୋଳି ଓ ଫଳମୂଳ ଏଇ ହାଟରେ ମୁଖ୍ୟ ଆକର୍ଷଣ। ଜଂଗଲରେ ସୃଷ୍ଟି ହୋଇଥିବା ସୁସ୍ୱାଦୁ ରଂଗବେରଙ୍ଗୀ ଛତୁର ଏକାଧିକ କିସମ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେନ୍ଦୁଝର ବୁଲି ଆସିଲେ ଆପଣ ନିଶ୍ଚୟ ଏଇ ହାଟ ଆଡେ ଥରେ ବୁଲି ଆସିବେ।/odisha-reporter/media/post_attachments/wp-content/uploads/2015/08/vlcsnap-2015-08-06-15h09m21s43.png)
ସହରର କେନ୍ଦ୍ରସ୍ଥଳରେ ଆପଣଙ୍କ ଆଖିରେ ପଡିବ ଜିଲ୍ଲାପାଳଙ୍କର ଆକର୍ଷଣୀୟ ପ୍ରଶାସନିକ କାର୍ଯ୍ୟଳୟ। ପ୍ରାୟ ୯୦ ବର୍ଷ ତଳର ଏହି ପୁରୁଣା ଐତିହାସିକ ଅଟ୍ଟାଳିକାର ସୌନ୍ଦର୍ଯ୍ୟ ଆଜି ବି ଅକ୍ଷୁର୍ଣ୍ଣ ରହିଛି। ଏହାର କାନ୍ଥ ଓ ଟାଇଲରେ କେବଳ ରଙ୍ଗ ମରାଯାଇଛି। ବ୍ରିଟିଶ୍ ଇଞ୍ଜିନିୟରିଂର ଏକ ସୁନ୍ଦର ନମୁନା ହେଉଛି କେନ୍ଦୁଝର କଚେରୀ। ଅଟ୍ଟାଳିକା ଭିତର ଅଂଶରେ ମୂଲ୍ୟବାନ ବେଲଜିୟମ ଗ୍ଲାସ ଏପରି ଭାବରେ ଖଞ୍ଜାଯାଇଛି ଯେ ଭିତରେ ସୂର୍ଯ୍ୟଙ୍କ କିରଣ ପଡି ଆଲୋକିତ କରାଏ। ଏଠାରେ ଲାଇଟର ଆବଶ୍ୟକତା ନ ଥାଏ। ଏହି ପୁରାତନ ଅଟ୍ଟାଳିକାଟି ଏବେ ଦର୍ଶନୀୟ ସ୍ଥାନର ମାନ୍ୟତା ଲାଭ କରିଛି। ଅତୀତକୁ ଭଲ ପାଉଥିବା ପର୍ଯ୍ୟଟକ ମାନଙ୍କ ପାଇଁ କେନ୍ଦୁଝରର ଏଇ ଅଟ୍ଟାଳିକାଟି ଏକ ପ୍ରମୁଖ ଆକର୍ଷଣ।/odisha-reporter/media/post_attachments/wp-content/uploads/2015/08/vlcsnap-2015-08-06-14h57m13s82.png)
କେନ୍ଦୁଝର ସହର ନିକଟରେ ରହିଛି ଦୁଇଟି ଆକର୍ଷଣୀୟ ଜଳପ୍ରପାତ: ସାନଘାଗରା ଏବଂ ବଡ ଘାଗରା। କେନ୍ଦୁଝର ସହରଠାରୁ ବାହାରି ସମ୍ବଲପୁର ଜାତୀୟ ରାଜପଥରେ ପ୍ରାୟ ୬ କିଲୋମିଟର ଦୂର ଯିବା ପରେ ପଡିବ ସାନ ଘାଗରା ଜଳପ୍ରପାତ। ବାଟରେ ପଡିବ ଜୁଡିଆ ପାହାଡ। ପାହାଡିଆ ରାସ୍ତାରେ ଯିବାବେଳେ ଆପଣ ଦେଖିପାରିବେ ପାହାଡ ଏବଂ ଜଂଗଲର ଏକ ସୁନ୍ଦର ଦୃଶ୍ୟ। ଜଳପ୍ରପାତଟି ଜାତୀୟ ରାଜପଥରୁ ଅଳ୍ପଦୂରରେ ଅବସ୍ଥିତ। ତେବେ ଜଳପ୍ରପାତରେ ପ୍ରବାହିତ ହେଉଥିବା ପାଣି ବହି ବହି ପାହାଡ ତଳେ ଏକ ଛୋଟ ଜଳାଶୟରେ ଜମା ହୁଏ। ଏହି ଜଳାଶୟରେ ବୋଟିଂ ବ୍ୟବସ୍ଥା ଅଛି। ଜଳାଶୟ ଦେଇ କିଛିବାଟ ଚାଲି ଚାଲି ଗଲେ ଆପଣମାନେ ପହଞ୍ଚିବେ ସାନଘାଗରା ଜଳପ୍ରପାତରେ। ମାଛ କାନ୍ଦଣା ନାମକ ଗୋଟିଏ ଛୋଟ ନଦୀର ଧାର ପ୍ରବାହିତ ହେଉଛି ପ୍ରାୟ ୧୦୦ ଫୁଟ ଉଚ୍ଚତାରୁ। ବେଶ୍ ସୁନ୍ଦର ସେ ପରିବେଶ। ଏଠାରେ ଆପଣ ପହଞ୍ଚିବାପରେ ସାନଘାଗରାର ଯାଦୁକାରୀ ସ୍ପର୍ଶରେ ସମ୍ମୋହନ ହୋଇପଡିବେ। ଏହି ଅଞ୍ଚଳର ଚାରିପାଖରେ ଘେରି ହୋଇ ରହିଛି ୪୮୮ ହେକ୍ଟରର ଘଞ୍ଚ ଜଂଗଲ ଓ ପାହାଡ। ଯେଉଁମାନେ ଗତାନୁଗତିକ ଲାଇଫ ଷ୍ଟାଇଲରେ ବ୍ୟସ୍ତ ଓ ବିବ୍ରତ, ସେମାନେଙ୍କ ପାଇଁ ସାନଘାଗରା ହେଉଛି ଉପଯୁକ୍ତ ସ୍ଥାନ।/odisha-reporter/media/post_attachments/wp-content/uploads/2015/08/vlcsnap-2015-08-06-15h11m55s10.png)
ସାନଘାଗରାଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହିଛି ଆପଣମାନଙ୍କ ପାଇଁ ଆଉ ଏକ ଆକର୍ଷଣ। ଜାତୀୟ ରାଜପଥରୁ ପ୍ରାୟ ଦୁଇଟି କିଲୋମିଟର ଦୂର କଚ୍ଚା ରାସ୍ତାରେ ଯିବା ପରେ ଆଖିରେ ପଡିବ ଆଉ ଏକ ଚମତ୍କାର ଜଳ ପ୍ରପାତ ବଡଘାଗର। ପ୍ରାୟ ୨୦୦ ଫୁଟ ଉଚ୍ଚତାରୁ ତୀବ୍ର ଗତିରେ ପଡୁଥିବା ଏହି ଜଳପ୍ରପାତ ତା’ର ନାମକୁ ପ୍ରତିପାଦିତ କରିପାରିଛି। ଅତିସୁନ୍ଦର ସ୍ଥାନଟିଏ। ପିକନିକ ଓ ବଣଭୋଜି ପାଇଁ ଉପଯୁକ୍ତ। ବଡଘାଗରା ଜଳଧାରା,ସାନଘାଗରା ପରି ବିସ୍ତାରିତ ନୁହେଁ। ତେବେ ଯେଉଁସ୍ଥାନରେ ପାଣି ପଡୁଛି ତାହାର ଗଭୀରତା ଖୁବ ବେଶୀ।/odisha-reporter/media/post_attachments/wp-content/uploads/2015/08/vlcsnap-2015-08-06-14h58m02s108.png)
କେନ୍ଦୁଝର ସହର ଆଖପାଖରେ ରହିଛି ଏପରି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏଗୁଡିକ ବୁଲି ଦେଖିବା ପାଇଁ ବର୍ଷର ସବୁ ସମୟ ଉପଯୁକ୍ତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
