“ଖିରସ୍ତାନୀ” ପୁଅକୁ ଛୁଇଁ ବାରମ୍ବାର ବୁଡ଼ ପକାଉଥିଲା “ବୋଉ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରକୁ ନେଇଯିବାକୁ ଚକ୍ରାନ୍ତ କରିଥିବା ଫିରିଙ୍ଗି ଫିସାଦି ଫୁ ହେଇଗଲା। ମଧୁ ବାରିଷ୍ଟରଙ୍କ ପାଇଁ ଶ୍ରୀମନ୍ଦିର ସତ୍ୱ ଗଜପତିଙ୍କ ହାତରେ ରହିଲା। କଥାଟା ବିଜୁଳି ବେଗରେ ପ୍ରଚାର ହୋଇଗଲା। ବାଲେଶ୍ୱର, କଟକ ଆଉ ପୁରୀ ସବୁଠି ଖେଳିଗଲା ଖୁସିର ଲହରୀ। ପୁରୀରୁ ସନନ୍ଦ ଆସିଲା ମଧୁସୂଦନଙ୍କ ପାଖକୁ। ତୁରନ୍ତ ଶ୍ରୀନହର ଯିବାକୁ ପଡ଼ିବ। ମଧୁବାବୁ କଲିକତାରୁ ଶ୍ରୀମନ୍ଦିର କେସ୍‌ ଜିତି ଫେରୁଥିବା ଜାଣି, ଓଡ଼ିଶା ସୀମାରୁ ଆରମ୍ଭ ହେଲା ସ୍ୱାଗତ ସମ୍ବର୍ଦ୍ଧନା। ପୁରୀରେ ପହଞ୍ଚିବା […]

bou

Mihir Pattnayak
  • Published: Sunday, 12 May 2019
  • , Updated: 12 May 2019, 11:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରକୁ ନେଇଯିବାକୁ ଚକ୍ରାନ୍ତ କରିଥିବା ଫିରିଙ୍ଗି ଫିସାଦି ଫୁ ହେଇଗଲା। ମଧୁ ବାରିଷ୍ଟରଙ୍କ ପାଇଁ ଶ୍ରୀମନ୍ଦିର ସତ୍ୱ ଗଜପତିଙ୍କ ହାତରେ ରହିଲା। କଥାଟା ବିଜୁଳି ବେଗରେ ପ୍ରଚାର ହୋଇଗଲା। ବାଲେଶ୍ୱର, କଟକ ଆଉ ପୁରୀ ସବୁଠି ଖେଳିଗଲା ଖୁସିର ଲହରୀ।

ପୁରୀରୁ ସନନ୍ଦ ଆସିଲା ମଧୁସୂଦନଙ୍କ ପାଖକୁ। ତୁରନ୍ତ ଶ୍ରୀନହର ଯିବାକୁ ପଡ଼ିବ। ମଧୁବାବୁ କଲିକତାରୁ ଶ୍ରୀମନ୍ଦିର କେସ୍‌ ଜିତି ଫେରୁଥିବା ଜାଣି, ଓଡ଼ିଶା ସୀମାରୁ ଆରମ୍ଭ ହେଲା ସ୍ୱାଗତ ସମ୍ବର୍ଦ୍ଧନା। ପୁରୀରେ ପହଞ୍ଚିବା ପରେ ରାଜମାତା ସୂର୍ଯ୍ୟମଣୀ ପାଟ୍ଟମହାଦେଇ ବିନା ସଙ୍କୋଚରେ ପୁଅ ଭଳି ଶ୍ରଦ୍ଧା କରି ଅନ୍ତଃପୁରକୁ ନେଇଗଲେ। କୌଣସି ସାଧାରଣ ବ୍ୟକ୍ତିଙ୍କ ସହ ରାଜମାତାଙ୍କ ଏଭଳି ଆଚରଣ ଆଚମ୍ବିତ କଲା ସମସ୍ତଙ୍କୁ। ଆଉ ଯେତେବେଳେ ଗଜପତି ବଂଶର ଦାୟାଦ ନାବାଳକ ମୁକୁନ୍ଦ ଦେବଙ୍କୁ ତାଙ୍କ କୋଳରେ ବସାଇ ଦେଇ ମଥା ଆଉଁଶିଲେ ରାଜମାତା, କାନ୍ଦିପକାଇଲେ ମଧୁସୂଦନ। ମନେ ପଡ଼ିଗଲା ତାଙ୍କ ବୋଉଙ୍କ କଥା।

ମଧୁବାବୁଙ୍କ ବୋଉ

ବୋଉ ମୋତେ ଦେଖି ଭାରି ଖୁସି ହେବ। ଏଇ କଥା ଭାବି ସେଦିନ କଲିକତାରୁ ଆସି କଟକ ପହଞ୍ଚିଥିଲେ ଗୋବିନ୍ଦ ଓରଫ୍‌ ମଧୁସୂଦନ ଦାସ। ସାଲେପୁର ନିକଟ ସତ୍ୟଭାମାପୁର ଗାଁ ମୁଣ୍ଡରେ ପଶୁ ପଶୁ ପିଲାବେଳର ସବୁକଥା ଗୋଟି ଗୋଟି ହୋଇ ମନେ ପଡୁଥାଏ ତାଙ୍କର। ବୋଉ ପାର୍ବତୀ ଦେବୀଙ୍କ କୋଳରେ ଶୋଇ ଅନେକ ଉଦ୍ଭଟ ପ୍ରଶ୍ନର ଉତ୍ତର ପାଇବାଠୁ ଆରମ୍ଭ କରି ବୋଉ ହାତରନ୍ଧା ଖାଦ୍ୟର ସୁଆଦ ଆଉ ପର୍ବପର୍ବାଣୀ ବେଳେ ଖିରି ପିଠାର ବାସ୍ନା ସବୁ ମନେ ପଡୁଥିଲା ତାଙ୍କର।

ଘର ବାରଣ୍ଡାରେ ପହଞ୍ଚିଲା ବେଳକୁ ଆଖି ଓଦା। ବୋଉ ଭିତରୁ ଦୌଡ଼ି ଆସିଲେ। ହେଲେ ହଠାତ୍‌ କେହି ଜଣେ ତାଙ୍କୁ ଆକଟ କରି କହିଲେ,

“ଗୋବିନ୍ଦକୁ କେହି ଛୁଅଁନା। ସେଇଟା ଖିରସ୍ତାନୀ ହୋଇସାରିଛି। ତାକୁ ଛୁଇଁଲେ ଘର ମାରା ହେବ। ଯିଏ ଛୁଇଁବ ସିଏ ଗାଁ ପୋଖରୀରେ ବୁଡ଼ ପକାଇ ଘରେ ପଶିବ, ନ ହେଲେ ଦିଅଁ, ଦେବତା, ବଡ଼ବଡିଆ ମାରା ହେବେ ଯେ!”

ସ୍ତବ୍ଧ ହୋଇଗଲେ ଓଡ଼ିଆ ଜାତିର ତ୍ରାଣକର୍ତ୍ତା ମଧୁସୂଦନ। ସବୁଥିରେ ନିଜ ପ୍ରଚଣ୍ଡ ବୁଦ୍ଧି ଆଉ ପାରିବାର ପଣିଆକୁ ପ୍ରତିପାଦିତ କରିଥିବା ମଧୁବାବୁ ଏଥର କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ। ବୋଉ କିନ୍ତୁ ଆସିଲେ। ମା’ ମନ ପରା। ସମ୍ଭାଳନ୍ତା କେମିତି ଯେ?

ଦାଣ୍ଡ ବାରଣ୍ଡାରେ ବସିଥିବା ଗେହ୍ଲା ପୁଅ ଗୋବିନ୍ଦକୁ କେତେବେଳେ ଆଉଁଷି କାନ୍ଦୁଥିଲା ତ କେତେବେଳେ ହାତରେ ଖୁଆଇ ଦେଉଥିଲା। ଆଉ ଦୁର୍ଭାଗ୍ୟକୁ ଯେତେଥର ଛୁଉଁଥିଲା, ସେତିକିଥର ବୁଡ଼ ପକାଇ ଘରେ ପଶୁଥିଲା। ଆଉ ସହିପାରି ନ ଥିଲେ ମଧୁବାବୁ। ଖ୍ରୀଷ୍ଟିଆନ୍‌ ହେଲେ ବୋଲି ବାପା ତ୍ୟଜ୍ୟପୁତ୍ର କଲେ, ଘରେ ପଶିବାକୁ ଅନୁମତି ମିଳିଲାନି। ହେଲେ ବୋଉ, ତା’ର ଦୋଷ କ’ଣ। ପୁଅକୁ ଦେଖିବା ତାକୁ ଟିକେ ଛୁଇଁଦେବା ତା ପାଇଁ କ’ଣ ପାପ? ବିଚରା ଏ ବୟସରେ ବାରମ୍ବାର ଗାଧୋଇ ଘରେ ପଶୁଥିବା ଦେଖି ଆଉ ସହିପାରିଲେନି ମଧୁବାବୁ।

ସ୍ୱାଭିମାନୀ ମଣିଷ ପରା। ସ୍ଥିର କଲେ ବୋଉ ପାଇଁ ଏଇଠି ରହିବେ। ଏଇ ଗାଁରେ । ଗାଁ ମୁଣ୍ଡରେ ବଙ୍ଗଳା ତୋଳିବେ। ବୋଉ ଘରକୁ ଯିବା ସିନା ତାଙ୍କୁ ମନା, ହେଲେ ନିଜ ହାତ ତିଆରି ବଙ୍ଗଳାରୁ ବୋଉକୁ ଦେଖିବା ନୀଳଚକ୍ର ଦର୍ଶନ ଭଳି ଆମୋଦପ୍ରଦ ହେବ ବୋଲି ସେ ସ୍ଥିର ନିଶ୍ଚିତ ହେଲେ ।

ବାସ୍‌ ଏଇ ଟିକକ ଭାବାନ୍ତରରୁ ଗାଁ ମୁଣ୍ଡରେ ଠିଆ ହେଲା ମଧୁସୁଦନଙ୍କ ବଙ୍ଗଳା। ଜୀବନ ବ୍ୟାପୀ ଓଡ଼ିଆ ଜାତିର ଟେକ ରଖିବାକୁ ଲାଗିଥିଲେ ସେ। ତାଙ୍କ ‘ବୋଉ’ଙ୍କ ଆଶୀର୍ବାଦ ହିଁ ତାଙ୍କୁ ଏ ଜାତିର ଶ୍ରେଷ୍ଠ ପୁରୁଷ ଭାବେ ଛିଡ଼ା କଲା। ନାଁ ଦେଲା, ସ୍ୱାଭିମାନୀ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ।

Related story