ଜମି ଚିହ୍ନଟରେ ବିଳମ୍ବ, ଅନିଶ୍ଚିତତା ଘେରରେ ପ୍ରସ୍ତାବିତ ଟିଟିଲାଗଡ଼ ମା’ ଓ ଶିଶୁ ଡାକ୍ତରଖାନା

ଟିଟିଲାଗଡ଼: ମା’ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲ ମନୋଭାବ ଯୋଗୁଁ ରାଜ୍ୟରେ ଏହି ଯୋଜନାଗୁଡ଼ିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଟିଟିଲାଗଡ଼ରେ ପ୍ରସ୍ତାବିତ ମା’ ଓ ଶିଶୁ ଚିକିତ୍ସାଳୟ। ବର୍ଷକ ତଳୁ ଏହି ଡାକ୍ତରଖାନା ପାଇଁ ଅନୁଦାନ ଆସିଥିଲେ ହେଁ ଜାଗା ଚିହ୍ନଟ ହୋଇ ପାରୁ ନ ଥିବା ଯୋଗୁଁ ଏହାର ନିର୍ମାଣ […]

titilagarh

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 08:21 AM IST

ଟିଟିଲାଗଡ଼: ମା’ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲ ମନୋଭାବ ଯୋଗୁଁ ରାଜ୍ୟରେ ଏହି ଯୋଜନାଗୁଡ଼ିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଟିଟିଲାଗଡ଼ରେ ପ୍ରସ୍ତାବିତ ମା’ ଓ ଶିଶୁ ଚିକିତ୍ସାଳୟ। ବର୍ଷକ ତଳୁ ଏହି ଡାକ୍ତରଖାନା ପାଇଁ ଅନୁଦାନ ଆସିଥିଲେ ହେଁ ଜାଗା ଚିହ୍ନଟ ହୋଇ ପାରୁ ନ ଥିବା ଯୋଗୁଁ ଏହାର ନିର୍ମାଣ କାମ ଆରମ୍ଭ ହୋଇ ପାରୁନାହିଁ।

ବଲାଙ୍ଗିର ଜିଲ୍ଲାର ଅନ୍ୟତମ ମୁଖ୍ୟ ସହର ହେଉଛି ଟିଟିଲାଗଡ଼। ଏଠାରେ ଥିବା ଉପଖଣ୍ଡ ଡାକ୍ତରଖାନା ଉପରେ ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳ ସମେତ ପଡ଼ୋଶୀ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଲୋକେ ମଧ୍ୟ ନିର୍ଭର କରନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୩-୧୪ ଆର୍ଥିକ ବର୍ଷରେ ଟିଟିଲାଗଡ଼ରେ ଏକ ୫୦ ଶଯ୍ୟା ବିଶିଷ୍ଟ ମା’ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରିଥିଲେ। ତେବେ ଏହି ପ୍ରସ୍ତାବିତ ଡାକ୍ତରଖାନା କେଉଁଠି ନିର୍ମାଣ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇ ପାରିନାହିଁ। ଏହାକୁ ନେଇ ଟିଟିଲାଗଡ ନାଗରିକ ମଞ୍ଚ ଓ କଂଗ୍ରେସ ପକ୍ଷରୁ ଅନେକ ବାର ଆନ୍ଦୋଳନ କରାଯାଇଛି ତଥା ପ୍ରଶାସନକୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ତଥାପି କୌଣସି ସୁଫଳ ମିଳି ନାହିଁ। ଏପରିକି ଅନୁଦାନ ଟଙ୍କା ଫେରିଯିବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ଟିଟିଲାଗଡ଼ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢ଼ି କହିଛନ୍ତି ଯେ ଜାଗା ଦିଆଯାଇପାରୁ ନଥିବା ଯୋଗୁଁ ପ୍ରସ୍ତାବିତ ଡାକ୍ତରଖାନା ନିର୍ମାଣରେ ବିଳମ୍ବ ହେଉଛି। ଶୀଘ୍ର ଡାକ୍ତରଖାନା ନିର୍ମାଣ କରିବା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବି ଦାବିପତ୍ର ପଠାଯାଇଛି। କିନ୍ତୁ କିଛି ଲାଭ ହୋଇନି। ଡାକ୍ତରଖାନାଟି ନିର୍ମାଣ ହୋଇଗଲେ ଏ ଅଞ୍ଚଳର ଲୋକେ ବହୁତ ଉପକୃତ ହେବେ।

ଟିଟିଲାଗଡ଼ର ବରିଷ୍ଠ କଂଗ୍ରେସ ନେତା ପ୍ରଭାସ ବହିଦାର କହିଛନ୍ତି, ଜାଗା ଚିହ୍ନଟ ଆଳରେ ଡାକ୍ତରଖାନା ନିର୍ମାଣ କାର୍ଯ୍ୟକୁ ବିଳମ୍ବ କରାଯାଉଛି। ଆସନ୍ତା ୧୫ ଦିନ ମଧ୍ୟରେ ଏଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ। ଦରକାର ପଡ଼ିଲେ ଟିଟିଲାଗଡ଼ ସହରର ସମସ୍ତ ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିଟିଲାଗଡ଼ରେ ପ୍ରସ୍ତାବିତ ମା’ ଓ ଶିଶୁ ଡାକ୍ତରଖାନାଟି ନିର୍ମାଣ ହେବା ନିହାତି ଦରକାର। କାରଣ ଏଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ମା’ ଓ ଶିଶୁମାନଙ୍କ ଚିକିତ୍ସା ନେଇ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି। ଏହି ଡାକ୍ତରଖାନାଟି ନିର୍ମାଣ ହେଲେ ଟିଟିଲାଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ବହୁ ସୁବିଧା ହୋଇଯିବ।

ପ୍ରଥମେ ଏହି ପ୍ରସ୍ତାବିତ ଡାକ୍ତରଖାନା ପାଇଁ ଟିଟିଲାଗଡ଼ ସହର ଉପକଣ୍ଠ କତରକେଲା ନିକଟରେ ଜମି ଚିହ୍ନଟ କରାଯାଇଥିଲା। ତେବେ ସେଠାରେ ମ୍ୟୁନିସିପାଲିଟିର ଡମ୍ପୟାର୍ଡ ରହିଥିବା ଓ ପାଣିର ସୁବିଧା ନଥିବା ଦର୍ଶାଇ ସେହି ସ୍ଥାନକୁ ନାକଚ କରି ଦିଆଗଲା। ପରେ ଟିଟିଲାଗଡ଼ ଶିଳ୍ପାଞ୍ଚଳ ନିକଟରେ ଥିବା ଏକ ଜମିରେ ଡାକ୍ତରଖାନା ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇ ଥିଲା। ତେବେ ଏହି ଜମିଟି ଶିଳ୍ପ ବିଭାଗ ଅଧୀନରେ ଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ।

ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ଏମ୍ ମୁଥୁକୁମାର କହିଛନ୍ତି, ଶିଳ୍ପାଞ୍ଚଳରେ ଚିହ୍ନଟ ହୋଇଥିବା ଜାଗାଟି ଶିଳ୍ପ ବିଭାଗ ଅଧୀନରେ ରହିଛି। ପ୍ରଥମେ ସେହି ଜମିଟିକୁ ରାଜସ୍ୱ ବିଭାଗ ଅଧୀନକୁ ଅଣାଯିବ। ଏଥିପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି। ଜମି ରାଜସ୍ୱ ବିଭାଗ ଅଧୀନକୁ ଆସିଲା ପରେ ଏହାକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ। ତା’ପରେ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଖୁବଶୀଘ୍ର ଏ ସବୁ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି।

ବିଳମ୍ବ ହେଉଥିବା ଯୋଗୁଁ ଡାକ୍ତରଖାନା ପାଇଁ ଆସିଥିବା ଟଙ୍କା ଫେରିଯିବା ନେଇ ଉପୁଜିଥିବା ଆଶଙ୍କାକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ। ସେ କହିଛନ୍ତି, ଅନୁଦାନ ଅର୍ଥ ଫେରିବ ନାହିଁ।

ପ୍ରସ୍ତାବିତ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।

Related story