ଦୁର୍ନୀତି ଲୁଚେଇବାକୁ ସାମ୍ବାଦିକଙ୍କୁ ମାଡ଼

ଦେବେନ୍ଦ୍ର ପୃଷ୍ଟି ପଞ୍ଚାୟତ ନିର୍ବାଚନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳୁଛି। ତା’ ଭିତରେ କେତେକ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ମଧ୍ୟ ରାଜନୀତିକ କର୍ମୀମାନଙ୍କର ହିଂସାତ୍ମକ ଆକ୍ରମଣ ସଂପର୍କରେ ଖବର ଆସୁଛି। ଏଭଳି ଆକ୍ରମଣକୁ ବିଭିନ୍ନ ମହଲରୁ କଠୋର ଶବ୍ଦରେ ନିନ୍ଦା କରାଯାଇଛି। ତେବେ, ଓଡ଼ିଶାରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ୁଛି କାହିଁକି? ଶାସକ ଦଳ ସାମ୍ବାଦିକମାନଙ୍କୁ ଡରୁଛନ୍ତି କି? ଏହା ଉପରେ ଏଥର କିଞ୍ଚିତ କଥା। ବହୁ ପୂର୍ବରୁ ଜାତୀୟ ସ୍ତରର […]

attack on journalist-1

Debendra Prusty
  • Published: Thursday, 24 February 2022
  • , Updated: 24 February 2022, 05:03 PM IST

ଦେବେନ୍ଦ୍ର ପୃଷ୍ଟି

ପଞ୍ଚାୟତ ନିର୍ବାଚନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳୁଛି। ତା’ ଭିତରେ କେତେକ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ମଧ୍ୟ ରାଜନୀତିକ କର୍ମୀମାନଙ୍କର ହିଂସାତ୍ମକ ଆକ୍ରମଣ ସଂପର୍କରେ ଖବର ଆସୁଛି। ଏଭଳି ଆକ୍ରମଣକୁ ବିଭିନ୍ନ ମହଲରୁ କଠୋର ଶବ୍ଦରେ ନିନ୍ଦା କରାଯାଇଛି। ତେବେ, ଓଡ଼ିଶାରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ୁଛି କାହିଁକି? ଶାସକ ଦଳ ସାମ୍ବାଦିକମାନଙ୍କୁ ଡରୁଛନ୍ତି କି? ଏହା ଉପରେ ଏଥର କିଞ୍ଚିତ କଥା।

ବହୁ ପୂର୍ବରୁ ଜାତୀୟ ସ୍ତରର ଜଣେ ସାମ୍ବାଦିକ ଯୁଗୋପଯୋଗୀ କଥାଟିଏ ଲେଖିଥିଲେ। କଥାଟି ହେଲା, ଯେଉଁ ସମାଜରେ ଡାକ୍ତର, ପୁଲିସ, ଓକିଲ ଓ ସାମ୍ବାଦିକଙ୍କ ସଂଖ୍ୟା ବଢ଼େ ସେ ସମାଜ ଭଲ ନୁହେଁ। ତାଙ୍କ କହିବା କଥା ଥିଲା, ଯଦି କେଉଁଠି ଡାକ୍ତରଙ୍କ ସଂଖ୍ୟା ବଢ଼ୁଛି, ତେବେ ବୁଝନ୍ତୁ ସେଠାରେ ରୋଗୀ ଓ ରୋଗ ସଂଖ୍ୟା ବଢ଼ିଛି। ରୋଗୀ ଓ ରୋଗ ବଢ଼ିବା କଦାଚିତ ଏକ ସୁସ୍ଥ ସମାଜର ଲକ୍ଷଣ ନୁହେଁ। ବରଂ ସମସ୍ତେ ନିରାମୟ ରହିବା ହିଁ ସୁସ୍ଥ ସମାଜର ଲକ୍ଷଣ। ସେହିପରି ଯେଉଁଠି ପୁଲିସ ସଂଖ୍ୟା ବଢ଼ୁଛି ସେଠାରେ ଅପରାଧ ବଢ଼ୁଛି ବୋଲି କୁହାଯାଇପାରେ। ସମାଜ ଅପରାଧ-ମୁକ୍ତ ହେଲେ ପୁଲିସର ଆବଶ୍ୟକତା କମିଯାଏ। ଯେଉଁଠି ଓକିଲଙ୍କ ସଂଖ୍ୟା ବଢ଼ୁଛି ସେଠାରେ ନାନାଦି ବିବାଦ ଓ ମକଦ୍ଦମା ବଢ଼ୁଥିବା ସ୍ପଷ୍ଟ। ସମାଜ ବିବାଦ-ମୁକ୍ତ ହେଲେ ଓକିଲଙ୍କ ଆବଶ୍ୟକତା ବଢ଼ନ୍ତା ନାହିଁ। ଠିକ ସେହିପରି ଯେଉଁ ସମାଜରେ ଦୁର୍ନୀତି, ଅରାଜକତା, ଅନ୍ୟାୟ ଆଦି ବୃଦ୍ଧି ପାଇଥାଏ ସେଠାରେ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଏ। ସରକାର ଓ ସମାଜ ଯଦି ସତ୍ୟ, ଧର୍ମ ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ଓ ସେହି ଅନୁସାରେ ଚାଲିଥାଏ ତେବେ ସେଠାରେ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିକଙ୍କ ଆବଶ୍ୟକତା କମିଯାଏ।

ଓଡ଼ିଶାରେ ଗଲା ଦୁଇ ଦଶନ୍ଧି ମଧ୍ୟରେ ଅନେକ ଗଣମାଧ୍ୟମ ସଂସ୍ଥା ଖୋଲିଛି ଓ ଅନେକ ସାମ୍ବାଦିକ ସୃଷ୍ଟି ହୋଇଛନ୍ତି। ଏବେ ରାଜ୍ୟର ପ୍ରାୟ ପ୍ରତି ସହରରେ ୱେବ ଚାନେଲ ଓ ସାମୟିକ ପତ୍ରିକା। ରାଜ୍ୟ ସ୍ତରରେ ଅନେକ ଦୈନିକ ଖବରକାଗଜ ଓ ଟିଭି ଚାନେଲ। ରାଜ୍ୟ ସ୍ତରୀୟ ୱେବ ଚାନେଲ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ଏସବୁ ସଂସ୍ଥା ସହିତ ଜଡ଼ିତ ରହିଛନ୍ତି ବହୁ ସାମ୍ବାଦିକ- ରାଜ୍ୟ ଓ ଜିଲ୍ଲା ସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ଯାଏଁ ସେମାନଙ୍କର ଉପସ୍ଥିତି।

ଏଇ ଦୁଇ ଦଶନ୍ଧି ଭିତରେ ମଧ୍ୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢ଼ିଛି। ସାମ୍ବାଦିକଙ୍କ ହତ୍ୟା, ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ, ସାମ୍ବାଦିକଙ୍କୁ ନିର୍ଘାତ ମାଡ଼, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଆଦି ଖବର ଦେହସୁହା ହୋଇଗଲାଣି। ଅନେକ ସାମ୍ବାଦିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ସେମାନଙ୍କ ସଂପର୍କୀୟମାନଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବାର ଖବର ଅଛି। ତେବେ ଏଭଳି କାହିଁକି? କେଉଁ ଲୋକମାନେ ସାମ୍ବାଦିକଙ୍କୁ ଡରନ୍ତି? ସେମାନଙ୍କ ଉପସ୍ଥିତି ନେଇ ଅସ୍ୱସ୍ତି ବୋଧ କରନ୍ତି? ସାଧୁ ସଚ୍ଚୋଟ ଲୋକମାନେ ସାମ୍ବାଦିକଙ୍କୁ ଡରିବାର କୌଣସି କାରଣ ଅଛି କି? ସାମ୍ବାଦିକ ଯାହା ଦେଖେ ତାହା ପ୍ରକାଶ କରେ। ସେ ଯଦି ଖରାପ କାମ ଦେଖୁଛି ସେଇ ବିଷୟରେ ହିଁ ଲେଖୁଛି ବା ତାହାକୁ ଦେଖାଉଛି। ଏଭଳି ଖରାପ କାମରେ ଯେଉଁମାନେ ସଂପୃକ୍ତ ସେମାନେ ସେଭଳି କାମ କରିବା ବନ୍ଦ ନକରି ସାମ୍ବାଦିକଙ୍କ ଉପରେ ରାଗିଲେ କ’ଣ ସମାଜରେ ଖରାପ କାମ ବନ୍ଦ ହୋଇଯିବ?

ଏ ଦୁଇ ଦଶନ୍ଧି ଭିତରେ ରାଜ୍ୟରେ ଖଣି ଦୁର୍ନୀତି, ଚିଟ୍‌ ଫଣ୍ଡ ଦୁର୍ନୀତି, ଜମି ଘୋଟାଲା, ଡାଲି ଦୁର୍ନୀତି, କୃଷି ଦୁର୍ନୀତି, ବାଲି ଲୁଟ୍‌, ପିସି କାରବାର ଆଦି ଶୀର୍ଷ ସ୍ତରରେ ପହଞ୍ଚିଛି। ପ୍ରତି ବର୍ଷ ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ବଳ ଲୁଟ୍‌ ହେଇଯାଉଛି। ଏହି ଲୁଟ୍‌ ପ୍ରକ୍ରିୟାକୁ ବଜାୟ ରଖିବାକୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକମାନେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଏହା କେବଳ ଓଡ଼ିଶାରେ ନୁହେଁ, ଏହା ମାଫିଆମାନଙ୍କର ସାରା ଦୁନିଆରେ ଏକ ସହଜ କୌଶଳ। ସେମାନଙ୍କର ଏହି କୌଶଳକୁ ଭଣ୍ଡୁର କରିବାର କ୍ଷମତା ରଖିଛନ୍ତି ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧି। ସେମାନେ ଯଦି ଦୁର୍ନୀତି ଓ ଲୁଟ୍‌ପାଟ୍‌ର ତଥ୍ୟ ଓ ସତ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରିବେ ତେବେ ଜନ ସାଧାରଣ ଶାସନ କ୍ଷମତାରେ ଥିବା ଗୋଷ୍ଠୀ ବା ଦଳର ଅସଲ ସ୍ୱରୂପ ସଂପର୍କରେ ଅବହିତ ହେବେ। ଏହା କ୍ଷମତାଧାରୀ ଓ ଲୁଟେରାଙ୍କ ସ୍ୱାର୍ଥର ପରିପନ୍ଥୀ। ତେଣୁ ସେମାନେ କଦାପି ଚାହାନ୍ତି ନାହିଁ ଯେ ସେମାନଙ୍କର ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର, ଅସତ୍ୟ ଆଦି ସଂପର୍କରେ ଜନ ସାଧାରଣ ଜାଣନ୍ତୁ। ବରଂ ସାଧାରଣ ଲୋକଙ୍କୁ ଅଜ୍ଞ ଓ ଅଶିକ୍ଷିତ ରଖିବାରେ ସେମାନଙ୍କର ସ୍ୱାର୍ଥ ଅଛି।

ଓଡ଼ିଶାରେ ଏବେ ପ୍ରତି ନଈରୁ ବାଲି ଲୁଟ୍‌ ହେଉଛି। ପ୍ରତି ଖଣିରୁ ମୂଲ୍ୟବାନ ଖଣିଜ ପଦାର୍ଥ ଲୁଟ୍‌ ହେଉଛି। ରାଜ୍ୟର ପ୍ରାୟ ସବୁ ଗୋଚର ଓ ଅନାବାଦି ଆଦି ସର୍ବସାଧାରଣ ଜମି ସଙ୍କୁଚିତ ହେଇଚାଲିଛି। ଜଙ୍ଗଲରୁ ଗଛ ଉଭେଇ ଯାଉଛି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକରେ ପିସି ଓ କମିଶନି କାରବାର ପ୍ରବଳ। ଲୋକଙ୍କ ଟିକସ ଅର୍ଥରେ ଲୋକଙ୍କ ବିକାଶ କରିବାକୁ ରହିଥିବା ମଧ୍ୟସ୍ଥ ରୂପକ ଶାସନ କଳ ସହ ଯେଉଁମାନେ ସଂପୃକ୍ତ ସେମାନଙ୍କର ସଂପତ୍ତି ବଢ଼ି ଚାଲିଥିବାବେଳେ ଲୋକଙ୍କର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏସବୁ ସଂପର୍କରେ ଯେଉଁ ସାମ୍ବାଦିକ ପ୍ରଘଟ କରୁଛି ବା ଯେଉଁ ଗଣମାଧ୍ୟମ ଲୋକଙ୍କୁ ସଚେତନ କରୁଛି ତାଙ୍କ ଉପରେ କ୍ଷମତାସୀନ ଗୋଷ୍ଠୀ ରାଗୁଛି, ରାଗରେ ହଇରାଣ ହରକତ କରିବାକୁ ଅନେକ ପ୍ରକାର ଅପେଚଷ୍ଟା କରାଯାଉଛି। ସେହି ଅପଚେଷ୍ଟାର ଏକ ଅଂଶ ହେଲା ହିଂସା।

ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି। କଳେବଳେକୌଶଳେ ପଞ୍ଚାୟତ ନିର୍ବାଚନ ଜିତି ଲୁଟ୍‌ପାଟ୍‌ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଜୋରଦାର ଉଦ୍ୟମ ଚଳେଇଛି। ସେଥିପାଇଁ ଭୋଟ୍‌ କିଣାଯାଉଛି, ବୁଥ୍‌ ରିଗିଂ ହେଉଛି, ବାଲାଟ୍‌ ବାକ୍ସ ଉଠେଇ ନିଆଯାଉଛି, ପ୍ରକ୍ସି ଭୋଟିଂ ହେଉଛି। ଅନେକ ରାଜନୀତିକ କର୍ମୀଙ୍କୁ ଅଭ୍ୟାସଗତ ଭାବେ ମଦୁଆ କରି ସେମାନଙ୍କ ଜରିଆରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯଦି କୌଣସି ସାମ୍ବାଦିକ ଏସବୁ ପ୍ରକ୍ରିୟାର ଦୃଶ୍ୟ ଉତ୍ତୋଳନ କରୁଛି ବା ତଥ୍ୟ ପ୍ରସାରଣ କରୁଛି ତେବେ, ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଉତ୍‌କ୍ଷିପ୍ତ ହେଉଛି ଓ ଆକ୍ରମଣ କରୁଛି। ଯାଜପୁରରେ ଏହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକମାନେ ହିଁ ସାମ୍ବାଦିକଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିଛନ୍ତି। ଏହାକୁ ସବୁ ପକ୍ଷ ନିନ୍ଦା କରିଛନ୍ତି। ଏପରିକି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକମାନେ ମଧ୍ୟ ଡାହାଣୀ ହୋଇ ଲାଗି ପୁଣି ଗୁଣିଆ ହୋଇ ଝାଡ଼ିବା କାମ କରିଛନ୍ତି।

ଏହ ଘଟଣାରେ ଯେଉଁ ୪୨ ଜଣଙ୍କୁ ଗିରଫ କରାଯାଇଛି ସେମାନେ କେଉଁ ଦଳର ସଦସ୍ୟ ତାହା ଯାଞ୍ଚ କଲେ ଜଣାପଡ଼ିବ। ସେମାନେ କାହା ପାଇଁ କାମ କରୁଥିଲେ ତାହା ମଧ୍ୟ ଯାଞ୍ଚ ହେଲ ଜଣାପଡ଼ିବ। ସେମାନଙ୍କ ଘରେ କାହାର ପୋଷ୍ଟର ଓ ବ୍ୟାନର ଇତ୍ୟାଦି ଅଛି ତାହା ମଧ୍ୟ ଯାଞ୍ଚ ହେଲେ ଜଣାପଡ଼ିବ। ପୁଲିସ ଯଦି ନିରପେକ୍ଷ ଭାବେ ତଦନ୍ତ କରେ ତେବେ ସେମାନଙ୍କର ରାଜନୀତିକ ସଂପୃକ୍ତ ଲୁଚି ରହିବ ନାହିଁ। ଏ କ୍ଷେତ୍ରରେ ରାଜ୍ୟ ନିର୍ବାଚନ କମିଶନ କ’ଣ କରିବା କଥା? ଯେଉଁଠି ଏପରି ହିଂସାକାଣ୍ଡ ଘଟିଛି ସେଠା ନିର୍ବାଚନକୁ ରଦ୍ଦ କରାଯିବା କଥା କି ନୁହେଁ? ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ବୁଥ୍‌ ରିଗିଂ ଆଦି ହେଉଛି ସେହି ପ୍ରାର୍ଥୀଙ୍କୁ ଆଜୀବନ କିମ୍ବା ସର୍ବନିମ୍ନ ତିନିଟି ନିର୍ବାଚନରୁ ଅଯୋଗ୍ୟ ଘୋଷିତ କରାଗଲେ କ’ଣ ଅନ୍ୟାୟ ହୋଇଯିବ?

ସାମ୍ବାଦିକମାନେ ଶାସନ ଓ ସମାଜରେ ସ୍ୱଚ୍ଛତା ଓ ସାମ୍ୟତା ଆଣିବା ପାଇଁ ଏ ବିଷୟରେ ତର୍ଜମା କରନ୍ତୁ ଓ ସେହି ଅନୁସାରେ ଜନମତ ସୃଷ୍ଟି କରନ୍ତୁ। କାରଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହିସାବରେ ଏ ସମାଜ ଓ ସରକାରକୁ ବିଶୁଦ୍ଧ କରିବା କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Related story